Wednesday, February 21, 2024
Uncategorized

ପଲ୍ଲୀଗୀତ 11
————
ଧଳା କୁରୁତିରେ ନାଲି ପାନଛିଟା
ଫଟା ରସିକ ନାଗର,
ଖଜୁରି ଗଛର କି ଗୁଣ ଗାଇବି
ମୂଳରୁ ପାହାଚ ତାର।

କାଖରେ ଅତର ପୋକଡା ଦାନ୍ତରେ
ବାସନା ଖିଲି ପାନଟି,
ଗନ୍ଧ କି ନୁଚୁଚି ଭାଟିରେ ପିଇଚି
ତଣ୍ଟିଆଣି ଆସକା ଫଟି।

ବାଁ ଡାହାଣ ତା ପାଦ ପଡୁଚି ଲୋ
ଆକାଶ ତୋଳା ବାତିନି,
ଛ’ହଜାରିଆ ଡାଇଭର,ଖାଏ
ଚବିଶ ଘଣ୍ଟା  ଖଇନି ।

କଳା କୋଚଟିଆ,ବାଉଁଶ କଣିଆଁ
ଚେହେରା ଦେଖିଲେ ତାର,
ହାତୀ ଘୋଡା ଯିବେ ଯାତରା ଦେଖିଲୋ
ତୋ ମୋ କଥା କି ଛାର।

କୋଇଲା ଇଞ୍ଜିନି ପରି ଭକ ଭକ
ଉଡାଏ ଗଞ୍ଜେଇ ଧୂଆଁ,
ବା’ଆଗେ ନିତି ଗୁହାରି କରୁଚି
ହବାକୁ ଘର ଜୋଇଆଁ।

ହାଡ ଜଳିଗଲା ଯେବେ ନାଛିଦେଲା
ତେରେଛା ଆଖିମିଟିକା,
ବାପ ନାଁ ପୁଅ ମନେ ରଖିଥିବ
ଦେବି ଏମିତି ବଟିକା।

ମୁହଁରେ ଫୁଟାଣି ପଛ କଞ୍ଚାପାଣି
ଝାଡେ ଖଣ୍ଡି ଇଙ୍ଗିରାଜି,
ଏମିତି ଜନ୍ତୁକୁ ବା ହବାପେଇଁ
କେମିତି ହେବି ମୁଁ  ରାଜି?

Click to rate this post!
[Total: 0 Average: 0]

Leave a Reply