_____________
ଦୂର ପରବତ କୁଞ୍ଚୁକୁଞ୍ଚିଆଲୋ
ଲଣ୍ଡା ହେଲାଣି ତା ମଥା,
ନୂଆ ଦେଖି ଘୂରେ ମଥା ଲୋ ସଙ୍ଗାତ
ନାହିଁ ସେ ପୁରୁଣା କଥା।
ପଲ୍ଲୀ ଗାଁ ମୋର ଯାଇଥିଲା ଦିନେ
ରାଜଧାନୀ ବୁଲିବାକୁ,
କି କିମିଆଁ କଲା ସହର ତାକୁ ଲୋ
କଣ ଦେଲା ପିଇବାକୁ !
ସହରରୁ ଫେରି ସାଜିଲା ସେ ପରୀ
ପିନ୍ଧିଲା ଜିନ୍ ପେଣ୍ଟ,
ଛାଟ ବେଣୀ ଛାଡ଼ି ଛୋଟ ବାଳ କରି
ବୁଲେ କରି ବବ୍ କଟ।
ଷ୍ଟାଇଲି ରେ ମାତି ଛାଡ଼ିଲା କୁରୁତି
ପିନ୍ଧେ ପେଟକଟା ଜାମା,
ନାହି ଫୋଡେଇ ସେ ରିଙ୍ଗ ନାଇଚି
କରୁଚି ଫୁଲେଇ ଡ୍ରାମା।
ଘଣ୍ଟା ଘଣ୍ଟା ଧରି ଆଇନା ଆଗରେ
ବସୁଚି ମୋ ପଲ୍ଲୀ ବାଳୀ,
ଚବିଶି ଘଣ୍ଟିଆ ମୋବାଇଲ ହାତେ
ପଡୁ ପଛେ ଯେତେ ଗାଳି।
ପାଠ ତାର ଗଲା ଚୂଲିକି ସଙ୍ଗାତ
କହେ ଖଣ୍ଡି ଏଙ୍ଗିଲିଶି,
ଗୁରୁଜନ ଦେଖି କରେ ହାଇ ବାଇ
ବାପାକୁ କହେ ଫୋଲିଶି।
ଚୁଡ଼ା ଦହି ଆଉ ପସନ୍ଦ ହଉନି
ମନ ପିଜା ବର୍ଗରରେ,
ମୂଲ ଲାଗି ବାପ ଚଳଇ ବିଚରା,
ଝିଅ ମନ ଆକାଶରେ।
ସ୍ନୋ ପାଉଡର କେତେଯେ ଅତର
ମୁହଁରେ ହଉଚି ବୋଳା,
କ୍ଷୀରରେ ଧୋଇଲେ ଖଣ୍ଡରେ ମୋହିଲେ
ଅଙ୍ଗାର କି ହେବ ଧଳା ?
କଂସା ବନ୍ଧା ଦେଇ ସଉକି କରଇ
ଝୁଅ ଦେଖାଣିଆ ହୋଇ,
ମା ଧାନକୁଟେଇ ଝିଅ ନାଗରୀ ଲୋ
ଖର୍ଚ୍ଚ ଖାପ ମାପ ନାହିଁ।
ସଂଜବତୀ ଦବା ଠାକୁର ପୂଜିବା
ହେଲା କଥା ମରହଟ୍ଟୀ,
ୟୁ ଟ୍ୟୁବ୍ ରେ ଲଙ୍ଗୁଳୀ ନାଚରେ
ଲାଗେ ଦିନରାତି ଖଟି।
ହଜିଗଲା ଯାହା ମିଳିବକି ତାହା
ଗ୍ଲୋବାଲ ଗ୍ରାମ୍ୟ ଜୀବନ,
ପାଲା ଦାସକାଠି ଘୁଗୁଡ଼ି ନାଚ ର
ଆସର ହେବ ସପନ।
ହଜିଯିବ ବନ ହଜିବ ସପନ
ହଜିବ ପଲ୍ଲୀ ପ୍ରକୃତି,
ସଞ୍ଜ ଘଣ୍ଟା ରଵ ପକ୍ଷୀ କାକଳି ଲୋ
ପ୍ରଶାନ୍ତ ରାକାର ରାତି।
(କଲମର ନାମ ଅବିନାଶ)