Sunday, June 23, 2024
Other Poems

ଦେବଯାନୀ (ସପ୍ତମ କଳିକା)

  • ଦେବଯାନୀ
    (ସପ୍ତମ କଳିକା)
    ରାଗ:-ରସକୁଲ୍ୟା
    ———————-
    ପଚାରନ୍ତି ଦେବଯାନୀ ‘ହେ ଦେବ !
    ବେଶରେ ଯୋଗୀ,ରୂପେ କାମଦେବ,
    ପାଦେ କଠାଉ କନ୍ଧେ ଉପବୀତ,
    ଗୈରିକ ବସନେ କି ଶୋଭାବନ୍ତ ହେ !!
    କେଉଁ ଦେଶେ ତୁମ୍ଭ ଘର ହେ !
    କେଉଁ ଅଭିପ୍ରାୟେ ଆଶ୍ରମ ପ୍ରାଙ୍ଗଣେ,ଆସିଅଛ ଦ୍ୱିଜବର ହେ !।

କେଉଁ ରାଜ୍ୟ ଶିରୀ କଲ ମଳିନ,
କେଉଁ ମାତାପିତା କୋଳକୁ ଶୂନ୍ୟ ?
ମୁଖୁ ଝରିପଡେ ହସ ମୁକୁତା,
ଚନ୍ଦ୍ରାତପ ରୂପେ ହୋଇ ଯୁକତା ହେ,
ପ୍ରଭା କରେ ବିକିରଣ ହେ ,
ପ୍ରତେ ହୁଏ ରୂପ ଦେବତା ସ୍ୱରୂପ,କୁହ କିବା ତୁମ୍ଭ ନାମ ହେ ।।

ଦେବଯାନୀ ମୁଖୁଁ ଶୁଣି ଏ ଗୀର,
ସ୍ମୀତ ହସି ବୃହଷ୍ପତି କୁମାର,
ବୋଇଲେ ‘ ଏତେ ବିଶେଷଣ କାହିଁ,
ପାଇଲ ଭଗିନୀ ଏ ଦୀନ ପାଇଁ ହେ ?
ମୁଁ ଜଣେ ଜ୍ଞାନ ଭିକାରୀ ହେ,
ଆସିଅଛି ଜ୍ଞାନ-ଗୁରୁ ଗନ୍ତାଘରୁ ନେବି କିଛି ଭିକ୍ଷାକରି ହେ’।।

ଭଗିନୀ ଗୋ ! ସ୍ୱର୍ଗପୁରେ ମୋ ବାସ,
ଶୁକ୍ରାଚାର୍ଯ୍ୟଙ୍କର ହେବାକୁ ଶିଷ୍ୟ,
ଆସିଛି କଚ ଅଟେ ନାମ ମୋର,
ବୃହଷ୍ପତି ଅଟନ୍ତି ମୋ ପିଅର ହେ,
ବିଦ୍ୟାଶିକ୍ଷା ମୋର ଧର୍ମ ହେ,
ଜ୍ଞାନ ସାଗରରୁ ଉପଳ ଖୋଜିବା,ମୋର ବର୍ତ୍ତମାନ କର୍ମ ହେ।।

କଚ ବାଣୀ ଶୁଣି ଋଷିନନ୍ଦିନୀ,
ସଲ୍ଲଜ ବଦନେ ଯୋଡିଲେ ପାଣି,
ବୋଇଲେ ଧନ୍ୟହେଲି ଶୁଣି ଗୀର,
ପବିତ୍ର କଲ ଆଶ୍ରମ ଆମ୍ଭର ହେ,
ପାଇ ତୁମ୍ଭ ପରିଚୟ ହେ,
ମନ ଆହ୍ଲାଦିତ ଶୀତର ସମାପ୍ତ ବସନ୍ତ ଆସିଲା ପ୍ରାୟ ହେ।।

ପୂର୍ଣ୍ଣ ଚନ୍ଦ୍ରମା ଚାହିଁ ନୀଳକଇଁ,
ସରୋବରେ ଯେହ୍ନେ ନାଚି ଉଠଇ,
ଦେବଯାନୀ ମନ ହେଲା ସେପରି,
ଚାହାଁଣୀ ବଦନୁ ନପାରେ ଫେରି ହେ,
ମନ କହୁଥିଲା ଚାହାଁ ଯେ,
ଲାଜ କହୁଥିଲା କେଡେ ନିଲ୍ଲଜୀ ତୁ କି ଭାବୁଥିବେ ସେ ଆହା ଯେ !!

ଶୁଣି କଚ-ଦେବଯାନୀ ଆଳାପ,
ପହଞ୍ଚିଲେ ପଶୁ ପକ୍ଷୀ କଳାପ,
କେ ବସିଲା ବାଳା ଗ୍ରୀବା ଦେଶରେ,
ମୃଗଶିଶୁ ଘଷିହୁଏ ପୟରେ ହେ,
‘କିଏ କିଏ’ ପୁଛେ ଶାରୀ ହେ,
ନୃତ୍ୟକରେ ଆସି ହଳଦୀବସନ୍ତ ନିକଟ ଲତା ଆଦରି ହେ।।

ସହଜେ ତ ବସନ୍ତର ସମୟ ,
କୋକିଳ ଗାଏ ପାଇ ପରିଚୟ,
ପଶୁ ପକ୍ଷୀ ଆଉ ଥିଲେ ଯେ ଯେତେ,
ଯୋଡିଲେ ଆନନ୍ଦେ  ସ୍ୱର ସଂଗୀତେ ଯେ,
ଦେଖି ଏ ଅଭିନନ୍ଦନ ଯେ,
ଆନନ୍ଦେ ନାଚିଲା ହୃଦ-ସରସୀରେ କଚ ସରସୀଜ-ମନ ହେ।।

କ୍ରମଶଃ- —–

Click to rate this post!
[Total: 0 Average: 0]

Leave a Reply