Sunday, June 23, 2024
Stories

ସାମନ୍ତ ସ୍ମରଣେ (୧୭)

ସାମନ୍ତ ସ୍ମରଣେ
……….୧୭…….
ନାପିତ ପଣ୍ଡିତ
(An account of the life and work of Samanta Chandrasekhar,the wonder Astronomer of 19thCentury)
………………………………………………………….
“ନରାଣାଂ ନାପିତଃ ଧୂର୍ତଃ” ବୋଲି ଯେଉଁ ପୁରୁଣା ପ୍ରବଚନଟି ଅଛି ସେଥିରେ ମୁଁ ଏକମତ ନୁହେଁ।ଜ୍ଞାନୀଜନଙ୍କ ସହିତ ମିଳିମିଶି ଯେବେ ଜ୍ଞାନର ପରିସର ବୃଦ୍ଧିହେଲା,ସେଥିରେ ନାପିତର ବା କଣ ଭୁଲ୍?ବେଳେ ବେଳେ ବୁଦ୍ଧିମତ୍ତା ଆଉ ଧୂର୍ତ୍ତତା ଭିତରେ ଫରକ ନଜାଣି କେହି କେହି ଏପରି କହିଥାନ୍ତି।ବାସ୍ତବରେ ତତ୍କାଳୀନ ସମାଜରେ ସାଧାରଣଙ୍କ ବ୍ୟତୀତ ବହୁ ଜ୍ଞାନୀ ଗୁଣୀଙ୍କ ସଂସ୍ପର୍ଶରେ ଆସି ନାପିତର ଜ୍ଞାନର ପରିସୀମା ବଢୁଥିଲା।ଆଜି କାଲି ପରି ସେ ସମୟରେ ଆଧୁନିକ ସେଲୁନ୍ ନଥିଲା।କ୍ଷୌର କାର୍ଯ୍ୟ ପାଇଁ ନାପିତକୁ ସାଆନ୍ତ ମାନଙ୍କ ଦୁଆରକୁ ଯିବାକୁ ପଡୁଥିଲା।ବିବାହ,ବ୍ରତ,ପୁଣ୍ୟ,ପର୍ବ ଆଦି ସମସ୍ତ ସାମାଜିକ ଉତ୍ସବରେ ନାପିତ ଓ ନାପିତାଣୀ ଅଭିନ୍ନ ଅଙ୍ଗ ଥିଲେ ଏବଂ ସେମାନେ ନଥିଲେ କିଛି କାମ ହୋଇ ପାରୁନଥିଲା ତଥା ଉତ୍ସବର ସାଂସ୍କୃତିକ ମାନ୍ୟତା ଫିକା ପଡି ଯାଉଥିଲା।ନାପିତାଣୀ ଘରର ସଦସ୍ୟl ପାଲଟି ଯାଏ ତ ନାପିତ ସଦସ୍ୟ।ଘରେ ସୋରିଷ ଫୁଟିବା ଠାରୁ ଛୁଞ୍ଚି କିଣାହେବା ପର୍ଯ୍ୟନ୍ତ ସବୁ ଖବର ତାଙ୍କ ପାଖରେ।ସେମାନଙ୍କ ସେବା ବିନିମୟରେ ବାର୍ଷିକ ଧାନ,ଚାଉଳ ଇତ୍ୟାଦି ତ ଖଞ୍ଜା ଯାଇଥାଏ,ତାଛଡା ପର୍ବ ସମାପ୍ତି ପରେ ଯଜ୍ଞାବଶେଷରୁ ମଧ୍ୟ ସେମାନଙ୍କର ଭାଗ ଥାଏ।
ନୂଆ,ପୁରୁଣl ଲୁଗା ପଟା ପାଇବା ତ ସେମାନଙ୍କର ଅଧିକାରରେ ଗଣାହୁଏ।ଆଜି,କାଲି ଏ ବ୍ୟବସ୍ଥା ପ୍ରାୟ ଉଠିଗଲାଣି….ଗାଁ ଗହଳିରେ କୋଉଠି କେମିତି ଅଛି।

ସାମନ୍ତ ଚନ୍ଦ୍ରଶେଖରଙ୍କ ପାଖରେ ଶିଖର ମହାପାତ୍ର ନାମରେ ଜଣେ ନାପିତ ଚଳ ପ୍ରଚଳ ହେଉଥିଲା।ନିରକ୍ଷର ହେଲେ ମଧ୍ୟ ସାମନ୍ତଙ୍କ ଘରେ ସେବାକାରୀ ଭାବରେ ରହି ,ତାଙ୍କ ସହିତ ଚଳ ପ୍ରଚଳ ହୋଇ,ତlର ଅନେକ ଶାସ୍ତ୍ରଗତ ଜ୍ଞାନ ଆସିଯାଇଥିଲା।ଥରେ ପୁରୀର ମାର୍କଣ୍ଡେୟ ତର୍କପଞ୍ଚାନନ ନାମକ ଜଣେ ପଣ୍ଡିତ ସାମନ୍ତଙ୍କ ପାଖକୁ ଆସିଥିଲେ।ତାଙ୍କୁ କ୍ଷୌର କରିବା ସମୟରେ ଶିଖର ପଚାରିଦେଲା “ଆଜ୍ଞା,ବେଦାନ୍ତରେ ଯେଉଁ ପଞ୍ଚକରଣ ବିଷୟ ଅଛି ,ତାହା ମତେ ଟିକିଏ ବୁଝାଇ ଦିଅନ୍ତୁ।” ପଣ୍ଡିତେ ଆଶ୍ଚର୍ଯ୍ୟ ହୋଇ କହିଲେ….କିରେ, ଏ ଶବ୍ଦ ତୁ କେଉଁଠୁ ଶୁଣିଲୁ!”ନାପିତ କହିଲା…ମୁଁ ସାମନ୍ତଙ୍କ ସେବକ ଥିବାରୁ ତାଙ୍କଠାରୁ ଶୁଣିଥିଲି।”
ପଣ୍ଡିତେ କହିଲେ”ସାମନ୍ତେ ମୋ ଠାରୁ ବଡ ପଣ୍ଡିତ,ତାଙ୍କୁ ପଞ୍ଚକରଣ ବିଷୟରେ ପଚାରି ବୁଝିବୁ।”
ଆଉ ଥରେ ନୟାଗଡର ରାଜ-ପୁରୋଧା ଜ୍ୟୋତିର୍ବିଦ ପଣ୍ଡିତ ବୈଦ୍ୟନାଥ ରାଜଗୁରୁଙ୍କ ଘରକୁ ଶିଖର ନାପିତ କୌଣସି କାର୍ଯ୍ୟରେ ଯାଇଥିଲା।ସେଦିନ ମୂଳା ନକ୍ଷତ୍ର ତିଥି ହେଲେ ମଧ୍ୟ,ରାଜଗୁରୁ ଅଜ୍ଞତା ବଶତଃ କ୍ଷୌର ହେଉଥିଲେ।ସେ ସମୟରେ କେଉଁ ତିଥିରେ କ୍ଷୌର ନହେବାକଥା ଶାସ୍ତ୍ର ମତରେ ଲୋକେ ତାହା ପାଳନ କରୁଥିଲେ।ଆଜିକାଲି ସେ ସବୁ ନାହିଁ। ମୂଳା ନକ୍ଷତ୍ର ତିଥିରେ କ୍ଷୌର ନିଷିଦ୍ଧ ବୋଲି ଜାଣିଥିବା ନାପିତ ରାଜଗୁରୁଙ୍କୁ ପଚାରିଲା”ରାଜଗୁରୁ ଆପଣେ,ମୂଳା ନକ୍ଷତ୍ରରେ ପରା କ୍ଷୌର ନିଷିଦ୍ଧ? ଆପଣ ଏତେବଡ ପଣ୍ଡିତ ହୋଇ କିପରି ଏହା କରୁଛନ୍ତି?”
ରାଜଗୁରୁ ତତ୍କ୍ଷଣାତ୍ ପାଞ୍ଜି ଆଣି ଦେଖିବାରେ ଜଣାପଡିଲା ଯେ ପ୍ରକୃତରେ ସେଦିନ ମୂଳା ନକ୍ଷତ୍ର।ରାଜଗୁରୁ ଲଜ୍ଜିତ ହୋଇ କହିଲେ “ଶିଖର ,ପଠାଣି ସାଆନ୍ତଙ୍କୁ ଏକଥା କହିବୁନାହିଁ;ସେ ଶୁଣିଲେ କଣ ଭାବିବେ?”
କ୍ରମଶଃ……..

Click to rate this post!
[Total: 0 Average: 0]

Leave a Reply