Sunday, June 23, 2024
Stories

ସାମନ୍ତ ସ୍ମରଣେ (୧୪)….. (ସାମନ୍ତ ଚନ୍ଦ୍ରଶେଖରଙ୍କ ସମ୍ପର୍କରେ କିଛି ଭୁଲ ଧାରଣା)

ସାମନ୍ତ ସ୍ମରଣେ
………..୧୪…….
ସାମନ୍ତ ଚନ୍ଦ୍ରଶେଖରଙ୍କ ସମ୍ପର୍କରେ କିଛି ଭୁଲ ଧାରଣା
………………………………………………….
ଅଜ୍ଞାନତା ବଶତଃ କିମ୍ବା ଜ୍ଞାତସାରରେ ହେଉ ,କେତେକ ବ୍ୟକ୍ତି ସାଧାରଣରେ ଧାରଣା ସୃଷ୍ଟି କରିନ୍ତି ଯେ ସାମନ୍ତ ଚନ୍ଦ୍ରଶେଖର ସାଧାରଣ ଗରିବ ପରିବାରରେ ଜନ୍ମହୋଇ ଅତି ଦୁଃଖରେ କାଳାତିପାତ କରୁଥିଲେ।୧୯୯୨ ମସିହାରେ ତୃତୀୟଶ୍ରେଣୀ ସାହିତ୍ୟ ବହିରେ ୩୯ ପୃଷ୍ଟାରେ ତାଙ୍କର ଦୟନୀୟ ଅବସ୍ଥା ବର୍ଣ୍ଣନାକରି ,ତାଙ୍କୁ ଛବିରେ ଖଣ୍ଡପଡା ରାଜାଙ୍କ ସିଂହାସନତଳେ ଯୋଡହସ୍ତହୋଇ ପ୍ରାର୍ଥନା କରିବା ମୁଦ୍ରାରେ ଦର୍ଶାଯାଇଥିଲା।ଏପରି ବର୍ଣ୍ଣନା ଇତିହାସ ପ୍ରତି ତାତ୍ସଲ୍ୟ ଓ ସାମନ୍ତ ବଂଶର ଅସ୍ମିତା ପ୍ରତି ଅବମାନନା ବ୍ୟତିତ ଅନ୍ୟ କିଛି ନୁହେଁ।
ପୁତୁରା ରାଜାଙ୍କର, ଦାଦା ଚନ୍ଦ୍ରଶେଖରଙ୍କ ସହିତ ମନୋମାଳିନ୍ୟ ଥିଲା ସତ,କିନ୍ତୁ ରାଜ ପରିବାର ଓ ଭାଇ ସାଆନ୍ତ ପରିବାର ଭିତରେ ପାରିବାରିକ ସମ୍ପର୍କ ଓ ଯିବା ଆସିବା ଲାଗି ରହିଥିଲା।ଦାଦାଙ୍କୁ କଣ ପୁତୁରା କେବେ ପାଦତଳେ ବସାଇ ପାରିବ?ଏକଥା ସତ୍ୟଯେ ରାଜସତ୍ତାର ଅହଂଭାବ ଯୋଗୁଁ ନଟବର ସିଂହ ସାମନ୍ତଙ୍କ ଲୋକପ୍ରିୟତାପ୍ରତି ଇର୍ଷାନ୍ବୀତ ଥିଲେ ଓ ସମୟେ ସମୟେ ବକ୍ରୋକ୍ତି କରୁଥିଲେ।କିନ୍ତୁ ଚନ୍ଦ୍ରଶେଖର ସିଂହଙ୍କପରି ଜଣେ ସିଂହ କଣ ରାଜସିଂହାସନ ତଳେ ସିଂହୋତ୍ତର ପ୍ରାଣୀଭଳି ହାତଯୋଡି ବସିପାରେ?
ଅପର ପକ୍ଷରେ ଚନ୍ଦ୍ରଶେଖରଙ୍କର ରାଜାଙ୍କପ୍ରତି ନିଡର ପଣିଆଁ ଓ ନିର୍ଭିକତାର ଅନେକ ଉଦାହରଣ ଅଛି।ସେଥିରୁ ଗୋଟିଏ ହେଲା……ଥରେ ସାମନ୍ତଙ୍କ ଖଞ୍ଜା ମଉଜା ଶାଳପଡାର ଜଣେ ରଇତକୁ ଡକାଇ ଆଣି ରାଜା ନଟବର ସିଂହ ବିନା ଅପରାଧରେ ଭୀଷଣ ଦଣ୍ଡ ଦେଲେ।ସାମନ୍ତ ,ନିଜ ଖଞ୍ଜା ଜମିର ରଇତର ଦୁଃଖ କାହାଣୀ ଶୁଣି ଖଣ୍ଡପଡା ତ୍ୟାଗକରି ନୟାଗଡ ଚାଲିଯିବାପାଇଁ ସେଠାର ଶାସକ ରାଜାଙ୍କ ପାଖକୁ ଖବର ପଠାଇଲେ।ଏହା ଶୁଣି ନୟାଗଡ ରାଜା ଆନନ୍ଦିତ ହୋଇ କହିଲେ “ସାଆନ୍ତେ ନୟାଗଡ ଆସିଲେ ତାଙ୍କୁ ମୁଁ ତାଙ୍କର ସେଠା ଖଞ୍ଜା ସମ୍ପତିର ଚାରିଗୁଣ ଦେଇ ସମ୍ମାନ ସହିତ ରଖିବି।ସେ ଯଦି ଖଣ୍ଡପଡାର ମାୟା ସମ୍ପୂର୍ଣ୍ଣ ତ୍ୟାଗକରି ନୟାଗଡ ଚାଲିଆସିବେ,ତାହେଲେ ମୁଁ ତାଙ୍କୁ ରାଜ୍ୟର ଏକଚତୁର୍ଥାଂଶ ବଂଶାନୁକ୍ରମ ସୂତ୍ରରେ ଦାନ କରିଦେବି।”
ଏ ଖବରପାଇ ଖଣ୍ଡପଡାର ତତ୍କାଳୀନ ଦେବାନ୍, ନଟବର ସିଂହଙ୍କ ପାଖରେ ପହଞ୍ଚି କହିଲେ “ଆଜିଠାରୁ ଖଣ୍ଡପଡା ଅନ୍ଧାର ହେଲା,କାରଣ ଦାଦାସାଆନ୍ତ ନୟାଗଡ ଚାଲିଯାଉଛନ୍ତି।ଆପଣ ଅତିଶୀଘ୍ର ତାଙ୍କ ପାଖକୁ ଯାଇ କ୍ଷମା ମାଗନ୍ତୁ।ସେ ଅତ୍ୟନ୍ତ ଦୟାଳୁ ବ୍ୟକ୍ତି।କେବେହେଲେ ଆପଣଙ୍କ ମମତା ଏଡେଇ ଯାଇପାରିବେ ନାହିଁ।”ଏହାଶୁଣି ରାଜା ନଟବର ସିଂହ, ସାମନ୍ତ ଚନ୍ଦ୍ରଶେଖରଙ୍କ ଘରକୁ ଆସି ପାଦଧରି ଖଣ୍ଡପଡା ଛାଡି ନଯିବାପାଇଁ ଅନୁରୋଧ କରିଥିଲେ।ପୁତୁରା ରାଜାଙ୍କ ଅନୁନୟ ବିନୟରେ ମହାନୁଭବ ସାମନ୍ତ ଖଣ୍ଡପଡା ଛାଡିବା ପଣ ତ୍ୟାଗକରିଥିଲେ।
ସାମନ୍ତଙ୍କୁ ଅତି ଦରିଦ୍ର ବୋଲି କତିପୟଙ୍କ ଦ୍ବାରା ଯାହା ବର୍ଣ୍ଣନା କରାଯାଏ,ତାହାମଧ୍ୟ ଠିକ୍ ନୁହେଁ।ତାଙ୍କ ନାମରେ ଶାଳପଡା ଓ ଦୁବପଲ୍ଲୀ ନାମରେ ଦୁଇଟି ଖଞ୍ଜାଗ୍ରାମ ଥିଲା।ସେଥିରୁ ମୋଟ୍ ପଞ୍ଚସ୍ତରୀ ଭରଣ ଧାନ ସେ ପ୍ରଜାମାନଙ୍କଠାରୁ ପାଉଥିଲେ।ଏହା ବ୍ୟତୀତ ବାର୍ଷିକ ପାଞ୍ଚଶତମୁଦ୍ରା ସେ ପ୍ରଜାମାନଙ୍କଠାରୁ ପାଉଥିଲେ।
ସେ ସମୟରେ ଏତିକି ଆୟରେ ସାଧାରଣ ପରିବାରଟିଏ ଚଳିବାରେ କିଛି ଅସୁବିଧା ନଥିଲା।କିନ୍ତୁ ସାମନ୍ତଙ୍କର ଅତିଥି,ଅଭ୍ୟାଗତ,ଦେବତା ବ୍ରାହ୍ମଣ,ବନ୍ଧୁବାନ୍ଧବ,ବଦାନ୍ୟତା ଓ ଅତିଥି ସେବାରେ ଅନେକ ଅର୍ଥ ବ୍ୟୟ ହୋଇଯାଉଥିଲା।ନିଜ ପୈତୃକ ସମ୍ପତ୍ତିରୁ ମନ୍ତ୍ରୋଦେଷ୍ଟା ବ୍ରାହ୍ମଣ,ଶିକ୍ଷାଦାତା ଗୁରୁ ଏବଂ ଅନ୍ୟ ଅନେକ ବ୍ରାହ୍ମଣଙ୍କୁ ସେ ଭୂମିଦାନ ଦେଇଥିଲେ।କେତେକ ବ୍ରାହ୍ମଣ ପୁତ୍ର କନ୍ୟାଙ୍କର ବ୍ରତୋପନୟନ ଏବଂ ବିବାହ ଉତ୍ସବ ନିମିତ୍ତ ସାମନ୍ତ ଅନେକ ଅର୍ଥ ବ୍ୟୟ କରିଛନ୍ତି।ଥରେ ଜଣେ ବ୍ରାହ୍ମଣ ନିଜ ପୁତ୍ରର ବ୍ରତୋପନୟନ ପାଇଁ କିଛି ଅର୍ଥ ସାହାଯ୍ୟ ମାଗିବାରୁ,ସାମନ୍ତ ଅନନୋପାୟହୋଇ ନିଜର ପିତଳ ହଣ୍ଡାଟି ୩୦ ଟଙ୍କାରେ ବନ୍ଧାପକାଇ ସେ ଅର୍ଥ ବ୍ରାହ୍ମଣକୁ ଦାନ କରିଥିଲେ।ଆଉଥରେ ନୟାଗଡବାସୀ ଜନୈକ ବ୍ରାହ୍ମଣ ପିତୃଶ୍ରାଦ୍ଧପାଇଁ ସାହାଯ୍ୟ ମାଗିବାରୁ ସାମନ୍ତ ନିଜ ହାତମୁଦିଟି ବନ୍ଧାପକାଇ ବ୍ରାହ୍ମଣଙ୍କୁ ସାହାଯ୍ୟ କରିଥିଲେ।
କହିବା ବାହୁଲ୍ୟ ଯେ ସାମନ୍ତ ଦରିଦ୍ର ନଥିଲେ,ବରଂ ତାଙ୍କ ମନଗନ୍ତାଘରରେ ବଦାନ୍ୟତା ଓ ପରୋପକାରିତାର ଅମୂଲ୍ୟ ମଣି,ମୁକ୍ତା ପରିପୂର୍ଣ୍ଣହୋଇ ରହିଥିଲେ।ଉପାର୍ଜନକରି ଧନ ଆହରଣ କରିବାର ମାନସିକତା ଅଥବା ସେଥିପାଇଁ ସମୟ ତାଙ୍କ ପାଖରେ ନଥିଲା।”ସର୍ବ ନିର୍ବାହକୋ ହରିଃ” ,ଏହି ମହାବାକ୍ୟରେ ସାମନ୍ତ ଅଖଣ୍ଡ ବିଶ୍ବାସ ରଖିଥିଲେ।
କ୍ରମଶଃ………….

Click to rate this post!
[Total: 0 Average: 0]

Leave a Reply