Wednesday, February 21, 2024
Stories

ସାମନ୍ତ ଚନ୍ଦ୍ରଶେଖରଙ୍କ ମହାଯାତ୍ରାର କିଛି ମହାର୍ଘ ମୁହୁର୍ତ୍ତ

ମାତ୍ର ଯଶୋଦେହେ ତୁମ୍ଭେ ଆୟୁଷ୍ମାନ !

————————————————————–
ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର(ପଠାଣି ସାମନ୍ତ) ଉନବିଂଶ ଶତାବ୍ଦୀର ଜଣେ ଶ୍ରେଷ୍ଠ ଜ୍ୟୋତିର୍ବିଜ୍ଞାନୀ ଥିଲେ।ତତ୍କାଳୀନ ଗଡଜାତ ଖଣ୍ଡପଡାର ରାଜବଂଶରେ 1835 ମସିହା ଡିସେମ୍ବର 13 ତାରିଖରେ(ପୌଷ କୃଷ୍ଣାଷ୍ଟମୀ) ଜନ୍ମଲାଭ କରିଥିବା ଏହି ମହାପୁରୁଷ ଓଡିଶାର ଗର୍ବ,ଗୌରବ ଏବଂ ଅସ୍ମିତାର ପ୍ରତୀକ ଥିଲେ।ତାଙ୍କ ପିତା ଶ୍ୟାମବଂଧୁ ସିଂହ ଖଣ୍ଡପଡାର ବଘେଲ ବଂଶୀ ସପ୍ତମ ରାଜା ନୃସିଂହ ଭ୍ରମରବରଙ୍କର ଷଷ୍ଠପୁତ୍ର ଥିଲେ।ଚନ୍ଦ୍ରଶେଖର ରାଜଗାଦିରେ ଆସୀନ ନହୋଇଥିଲେ ମଧ୍ୟ ବାଣୀଙ୍କ ଦୟାରୁ ଅସୀମ ପାଣ୍ଡିତ୍ଯର ଅଧିକାରୀ ଥିଲେ।ଦୁଇଖଣ୍ଡ ବାଉଁଶକାଠି(ଯାହାକୁ ସେ ମାନଯନ୍ତ୍ର କହୁଥିଲେ)ସାହାଯ୍ୟରେ ସେ ଅନନ୍ତ ଆକାଶର ଅସୀମ ନକ୍ଷତ୍ର ଓ ଗ୍ରହ ମାନଙ୍କର ଗତି ଓ ସ୍ଥିତି, ନିର୍ଭୁଲ ଭାବରେ ନିର୍ଣ୍ଣୟକରି ଆସନ୍ତା ଦଶ ହଜାର ବର୍ଷପାଇଁ ନିର୍ଭୁଲ ପଞ୍ଜୀକା ନିର୍ମାଣର ଆଧାର ସିଦ୍ଧାନ୍ତ ଦର୍ପଣ ନାମକ ,2500 ଶ୍ଳୋକ ବିଶିଷ୍ଟ ଗ୍ରନ୍ଥରେ ଲିପିବଦ୍ଧ କରି ଯାଇଛନ୍ତି।ତାଙ୍କର ଅନନ୍ୟ ପ୍ରତିଭାପାଇଁ ବ୍ରିଟିଶ ସରକାର ତାଙ୍କୁ 1893 ମସିହାରେ ମହାମହୋପାଧ୍ୟାୟ ଉପାଧିରେ ଭୂଷିତ କରିଥିଲେ।ଆକାଶରେ ସୂର୍ଯ୍ୟ ଅନ୍ୟ ଗ୍ରହମାନଙ୍କ ସହିତ ପୃଥିବୀ ଚାରିପାଖରେ ଘୂର୍ଣ୍ଣନ କରେ ବୋଲି ସେ ଅକାଟ୍ୟ ଯୁକ୍ତି ବାଢିଥିଲେ,ଯଦିଓ ପାଶ୍ଚାତ୍ୟ ବୈଜ୍ଞାନିକମାନେ ,ସୂର୍ଯ୍ୟ ଚାରିପାଖରେ ପୃଥିବୀ ଓ ଅନ୍ୟ ଗ୍ରହମାନେ ଘୂରୁଛନ୍ତି ବୋଲି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି।ଏହି ମହାପୁରୁଷ ଗଣିତ ଜ୍ୟୋତିଷରେ ଅପୂର୍ବ ପାଣ୍ଡିତ୍ଯ ଲାଭକରି ‘ଉତ୍କଳଭାସ୍କର’ ନାମରେ ପରିଚିତ ହୋଇଥିଲେ।ତାଙ୍କୁ ମହାନ ଜ୍ୟୋତିର୍ବିଜ୍ଞାନୀ ବୋଲି ତ ସମସ୍ତେ ଜାଣନ୍ତି,କିନ୍ତୁ ତାଙ୍କ ଜୀବନର ଶେଷ ମୁହୁର୍ତ୍ତର ଅନେକ ଆଶ୍ଚର୍ଯ୍ଯଜନକ ଓ ରୋଚକ ଘଟଣାବଳୀ ଅନେକଙ୍କୁ ଜଣାନାହିଁ।ଏହି ପ୍ରବନ୍ଧରେ ସେହି ଘଟଣାବଳୀ ଉପରେ ଆଲୋକପାତ କରାଯାଇଛି ।

ସାମନ୍ତ ମହୋଦୟ ଜୀବନର ଶେଷ ମୁହୁର୍ତ୍ତରେ,ପୁରସ୍ତମରେ ଆରାଧ୍ୟ ଦେବତା ଜଗତ୍ପତି ଜଗନ୍ନାଥଙ୍କର ନୀଳଚକ୍ରକୁ ଚାହିଁ ଚାହିଁ ଶେଷ ନିଶ୍ବାସ ନେବାକୁ ଅଭିଳାଷା ପୋଷଣ କରିଥିଲେ।ସିଦ୍ଧାନ୍ତ ଦର୍ପଣର ସର୍ବଶେଷ ଶ୍ଲୋକରେ,ସେଥିପାଇଁ ସେ ଜଗନ୍ନାଥଙ୍କୁ ପ୍ରାର୍ଥନାକରି ନିଜର ମନୋକାମନା ବ୍ୟକ୍ତ କରି ଥିଲେ।

“ବେଳୋଦ୍ୟଦ ସିତ ଗୋତ୍ରେ ସୁତ୍ରାମାଦିସ୍ତବାବଳୀପାତ୍ରେ,
ଗାତ୍ରଂମମ ସୁପବିତ୍ରେ ନିପତତୁ ପୁରୁଷୋତ୍ତମ କ୍ଷେତ୍ରେ।”

ଅର୍ଥାତ୍ ସମୁଦ୍ରତୀରସ୍ଥ ଯେଉଁ କ୍ଷେତ୍ରରେ ନୀଳାଚଳ ବିଦ୍ୟମାନ ଏବଂ ଯେ ଇନ୍ଦ୍ରାଦି ଦେବତା ମାନଙ୍କ ଦ୍ବାରା ସ୍ତୁତିଭାଜନ ଅଟେ,ସେହି ସୁପବିତ୍ର ପୁରୁଷୋତ୍ତମ କ୍ଷେତ୍ରରେ ମୋର ଶରୀର ପତିତ ହେଉ।”
ସାମନ୍ତ ନିଜର ଗଣନା ଅନୁଯାୟୀ ଜାଣିପାରିଥିଲେ ଯେ ତାଙ୍କର ଦେହତ୍ୟାଗର ସମୟ ନିକଟ ହୋଇ ଆସୁଛି।କିନ୍ତୁ ଅତୀତର ଏକ ଘଟଣାରୁ ତାଙ୍କର ଫଳିତ ଜ୍ୟୋତିଷ ଉପରେ ଟିକିଏ ଆସ୍ଥା କମିଯାଇଥିଲା।ସାମନ୍ତ, ଯଦୁନାଥ ଓ ବାସୁଦେବ ନାମକ ନିଜର ଦୁଇ ପୁତ୍ରଙ୍କର ଆୟୁ, ଗଣନାଦ୍ବାରା ଠିକ୍ କରି ରଖିଥିଲେ ମଧ୍ୟ,ନିର୍ଦ୍ଦିଷ୍ଟ ବର୍ଷ ଏବଂ ଦିନର ଅନେକ ଆଗରୁ ସେ ଦୁହେଁ, ମାତ୍ର ଗୋଟିଏ ଦିନର ବ୍ୟବଧାନରେ ପ୍ରାଣତ୍ୟାଗ କରିଥିଲେ।
ତଥାପି ସାମନ୍ତ ଯେତେବେଳେ ନିଜର ଗଣନା ଦ୍ବାରା ଜାଣି ପାରିଲେ ଯେ ତାଙ୍କର ଶେଷ ସମୟ ନିକଟ ହୋଇ ଆସୁଛି,ସେ ପୁରସ୍ତମ ଯିବାପାଇଁ ବ୍ୟଗ୍ରହୋଇପଡିଲେ।ପରିବାର ସଦସ୍ୟମାନେ ତାଙ୍କର ଶେଷ ଯାତ୍ରାର ଆୟୋଜନ ଜାଣିପାରି,ତାଙ୍କୁ ଛାଡିବାକୁ ନାରାଜ ହେଲେ।ପ୍ରଭୁ ଜଗନ୍ନାଥ ତାଙ୍କ ପରମ ଭକ୍ତଙ୍କୁ ନିଜ ପାଖକୁ ଟାଣି ନେବାପାଇଁ କିଛି ନଟକୁଟ କଲେ ବୋଧହୁଏ। ସାମନ୍ତଙ୍କ ପାଖକୁ ଗୋରା ସରକାରଙ୍କଠାରୁ ଚିଠି ଆସିଲା ଯେ ସାମନ୍ତଙ୍କୁ ସରକାର ଯେଉଁ ମାସିକ ବୃତ୍ତି ,ପଚାଶ ଟଙ୍କା ମଞ୍ଜୁର କରିଛନ୍ତି,ତାହା ନିଜେ ସେ ଯାଇ ପୁରୀ ଟ୍ରେଜେରୀରୁ ଗ୍ରହଣ ନକଲେ ତାହା ଅପ୍ରାପ୍ଯ ରହିଯିବ।
ସାମନ୍ତଙ୍କୁ ଯିବାର ବାହାନା ମିଳିଗଲା।ସାମନ୍ତ କହିଲେ “ମୁଁ ନଗଲେ ଟଙ୍କାଗୁଡା ଅଯଥା ଅପ୍ରାପ୍ୟ ରହିଯିବ।ମୋର ଯିବା ତ ସ୍ଥିର ହୋଇଛି,ଆଗରୁ ନଯିବି କାହିଁକି?”

ଖଣ୍ଡପଡା ଛାଡିବା ପୂର୍ବରୁ ସାଆନ୍ତେ,ତାଙ୍କ ପୁତୁରା, ରାଜା ନଟବର ସିଂହଙ୍କଠାରୁ ବିଦାୟ ନେବାକୁ ଯାଇ କହିଲେ”ମୁଁ ଚଉଦ କୋଶ ଛାଡୁଛି।ଅଳ୍ପଦିନେ ଚଉଦ’ପା ଛାଡିବି।”ସେତେବେଳେ ଖଣ୍ଡପଡାର ଆୟତ୍ତନ ଚଉଦ କୋଶ ଥିଲା ଏବଂ ମନୁଷ୍ୟର ଶରୀରକୁ ଚଉଦ’ପା କୁହାଯାଏ।ସାମନ୍ତଙ୍କର କହିବାର ତାତ୍ପର୍ଯ୍ୟ ଥିଲା ଯେ ସେ ଖଣ୍ଡପଡା ଛାଡୁଛନ୍ତି ଏବଂ ଅଳ୍ପଦିନ ମଧ୍ୟରେ ଶରୀର ତ୍ୟାଗ କରିବେ।କିନ୍ତୁ ପୁତୁରା ରାଜାଙ୍କ ମୁଣ୍ଡରେ ଏ ତତ୍ତ୍ବ ପଶିଲାନାହିଁ।ଜଣେ ପାରିଷଦ ଅର୍ଥ ବୁଝାଇ ଦେବାପରେ ସେ ଆଶ୍ଚର୍ଯ୍ୟହୋଇ ପଚାରିଲେ “ତାହେଲେ ସେ କଣ ତାଙ୍କ ମୃତ୍ୟୁକଥା ଆଗରୁ ଜାଣିପାରିଛନ୍ତି? ଆଛା, ଫଳରେ ଜଣାପଡିବ।”
ଶ୍ରୀଜିଉଙ୍କର ମହାବିଭୂତିର ଅଂଶ ସ୍ବରୂପ ଯେଉଁ ଚନ୍ଦ୍ରଶେଖର,ତାଙ୍କର ମହାଯାତ୍ରା ଆୟୋଜନ କଥା ଶୁଣିଲେ ଲୋମ ଟାଙ୍କୁରି ଉଠେ।ଅଖଣ୍ଡ ତିଳକରେ ବିଭୂଷିତ ହୋଇ ,ବେକରେ ତୁଳସୀ ମାଳ ଲମ୍ବାଇ,ହାତରେ ଯଷ୍ଟି ଖଣ୍ଡିଏ ଧରି ଚନ୍ଦ୍ରଶେଖର ଯେତେବେଳେ ଘରୁ ବାହାରିପଡିଲେ,କ୍ରନ୍ଦନ ରୋଳରେ ଚତୁର୍ଦ୍ଦିଗ ପୂର୍ଣ୍ଣ ହେଲା।ସେତେବେଳକୁ ଚନ୍ଦ୍ରଶେଖରଙ୍କ ପ୍ରସିଦ୍ଧି ବଢିଗଲାଣି।ଖଣ୍ଡପଡାର ଚତୁର୍ଦ୍ଦିଗରୁ ଶହ ଶହ ଲୋକ ଆସି ରୁଣ୍ଡ ହୋଇ ସାମନ୍ତଙ୍କୁ ଶେଷ ଅଶ୍ରୁଳ ବିଦାୟ ଦେଲେ।
ଯାତ୍ରା ଆରମ୍ଭ ଆଗରୁ ପୁତ୍ରମାନଙ୍କୁ ପାଖକୁ ଡାକି ସାମନ୍ତ କହିଲେ “ପୀତବାସ,ତୁମେ ମୋର ଜ୍ୟେଷ୍ଠ ପୁତ୍ର।ଜନ୍ମଭୂମିର ମର୍ଯ୍ୟାଦା ଅକ୍ଷୁର୍ଣ୍ଣରଖି ପିତୃକାର୍ଯ୍ୟ ସମାହିତ କରିବ।ଚକ୍ରଧର(ତୃତୀୟ ପୁତ୍ର),ଗୃହର ପରଚାଳନା ଭାର ପାଇଁ ତୁମେ ସକ୍ଷମ।ଗଦାଧର(ମଧ୍ୟମ)ଇହ ପରକାଳ ସମୟକୁ ମୋ ସହିତ ପୁରସ୍ତମ ଯିବେ।”
ମୃତ୍ୟୁର ଷୋଳଦିନ ପୂର୍ବରୁ ,ଗଦାଧରଙ୍କ ସହିତ ଶିବିକାରେ ବସି ସାମନ୍ତ, ଜଗନ୍ନାଥଙ୍କ ଡାକରା ପାଇ ପୁରସ୍ତମ ଅଭିମୁଖେ ଯାତ୍ରାକଲେ।

ଯମରାଜାଙ୍କଠାରୁ ନିମନ୍ତ୍ରଣ ପାଇ କେହି କେବେ ଏତେ ଖୁସିରେ ଗୃହତ୍ୟାଗ କରିବା କେହି ଶୁଣିଛନ୍ତି ? ଶୁକ୍ଳବସ୍ତ୍ର ପରିହିତହୋଇ,ଅଖଣ୍ଡ ତିଳକରେ ବିଭୂଷିତ ସାମନ୍ତ ,ଗୃହର ଇଷ୍ଟଦେବୀଙ୍କଠାରୁ ମେଲାଣି ନେଲେ।ହାତରେ ଯଷ୍ଟି ଖଣ୍ଡିଏ ଧରି, ଯୁଧିଷ୍ଟିରଙ୍କପରି ଶିବିକା ଆରୋହଣ କରିବାକୁ ଯେତେବେଳେ ବାହାରିଲେ,ଘରେ ନାରୀମାନଙ୍କର କ୍ରନ୍ଦନ ରୋଳରେ ପରିବେଶ କରୁଣମୟ ହୋଇ ଉଠିଲା।ଶହ ଶହ ସଂଖ୍ୟାରେ ରୁଣ୍ଡ ହୋଇଥିବା ନର ନାରୀଙ୍କର ହରିବୋଲ ,
ହୁଳହୁଳି ଓ ଶଙ୍ଖନାଦରେ ଚତୁର୍ଦ୍ଦିଗ କମ୍ପିଉଠିଲା।ସାଙ୍ଗରେ ଥିବା ମଧ୍ୟମ ପୁତ୍ର ଗଦାଧର,ସେ ଅନ୍ତିମ ଯାତ୍ରାର କରୁଣ ଦୃଶ୍ୟ,
ସାମନ୍ତଙ୍କ ସ୍ମୃତିରେ ରଚନା କରିଥିବା “ଶୋକ ଶତକ” କବିତାରେ ନିମ୍ନୋକ୍ତଭାବେ ବର୍ଣ୍ଣନା କରିଛନ୍ତି…….

“ପତିତ ପାବନ କ୍ଷେତ୍ରକୁ ଗମନ କଲ ତୁମ୍ଭେ ଯେଉଁଦିନ,
ଯାତ୍ରାର ସମ୍ଭାର,ଲାଗିଲା ଅପାର ରୁଣ୍ଡହେଲେ ବହୁ ଜନ।
ଶଙ୍ଖନାଦ ହୁଳହୁଳି ଯେ ବହୁଳ ମଙ୍ଗଳ ଗୀତ ସଙ୍ଗରେ,
ମିଳି ନାରୀଜନ,ଅଶେଷ କ୍ରନ୍ଦନ କୋଳାହଳ ହେଲା ପୁରେ।
ଅଖଣ୍ଡ ତିଳକ,ପାଦପଦ୍ମ ଶଙ୍ଖ ଚକ୍ରାଙ୍କିତ ତନୁନେଇ,
ରାଜି ଶୁକ୍ଲବାସେ,ଗଳାରେ ହରସେ ତୁଳସୀ ମାଳ ଲମ୍ବାଇ।
ଶୁଭକ୍ଷଣ ଜାଣି,ହୋଇଲ ମେଲାଣି ଇଷ୍ଟଦେବଙ୍କ ଆଗରୁ,
ଯଷ୍ଟି ଖଣ୍ଡେ ଧରି,ଯୁଧିଷ୍ଠିରପରି ବାହାରି ପଡିଲ ଘରୁ।”

ବାଟରେ ଯାଉ ଯାଉ ମନରେ ଅନେକ ଆଶା ଓ ଆଶଂକା।ନିଜ ଗଣନା ଉପରେ ବିଶ୍ବାସ କମିଯାଉଛି।କାଳିଆ ଠାକୁରଙ୍କୁ ମନେପକାଇ ଅବିରତ ଅଶ୍ରୁ ଝରିଯାଉଛି।କହୁଛନ୍ତି “ହେ ଦୀନବନ୍ଧୁ,ତୁମ ନୀଳଚକ୍ର ଦେଖିବା ପୂର୍ବରୁ ଏ ପାତକୀର ପ୍ରାଣ ଚାଲିଯିବନି ତ ପ୍ରଭୁ!”ଯେଉଁଠାରେ ଶିବିକା ଅଟକି ଯାଉଛି, ସାମନ୍ତ ପୁତ୍ର ଗଦାଧରଙ୍କୁ ପଚାରୁଥାନ୍ତି”ବାଇଆ,ସବାରି ଅଟକିଲା କାହିଁକି?ଶ୍ରେୟାଂସି ବହୁ ବିଘ୍ନାନି।ବେହେରା ମାନଙ୍କୁ କିଛି କିଛି ପୁରସ୍କାର ଯାଚିଦିଅ।ସେମାନେ ଶୀଘ୍ର ପୁରୀରେ ପହଞ୍ଚାଇଦେଲେ ତାହା ପାଇବେ।”
କି ବ୍ୟାକୁଳତା ! ଶେଷଯାତ୍ରା ପୂର୍ବରୁ କାଳିଆ ସାଆନ୍ତଙ୍କ ନୀଳଚକ୍ରଙ୍କୁ ଚାହିଁ ଚାହିଁ ଶେଷ ନିଶ୍ବାସ ତ୍ୟାଗ କରିବାର କି ବ୍ୟଗ୍ରଭାବ ସତେ!

ତେଣେ ନୀଳାଦ୍ରୀ ବିହାରୀ, ପରମ ଭକ୍ତର ବ୍ୟାକୁଳତା ଦେଖି ସତେ ଯେମିତି କହୁଛନ୍ତି “କାହିଁକି ଏତେ ଶଙ୍କା ତୋ ମନରେ?ତୁ ପରା ଅଦୃଷ୍ଟ ଦର୍ଶୀ।ମୁଁ ତତେ ନଦେଖିଲେ ତୁ କଣ ଯାଇ ପାରିବୁ?ତୁ ମୋର।ମୁଁ ତୋର।ଦାସିଆ ବାଉରୀ ହାତରୁ ପରା ମୁଁ ନଡିଆ ତୋଳିନେଇଥିଲି,ସାଲବେଗର ଡାକରେ ପରା ମୋ ରଥ ଅଟକି ଯାଇଥିଲା;ତୁ ଚିନ୍ତା କରନା।ମୁଁ ତୋପାଇଁ ଅପେକ୍ଷା କରିଛି।”

ସାମନ୍ତ ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ,ଆନନ୍ଦ ଗଦ୍ ଗଦ ହୋଇ ରୋମାଞ୍ଚିତ ଶରୀରରେ ନୀଳଚକ୍ରକୁ ଚାହିଁ ଭାବବିହ୍ବଳ ହୋଇ
ପଡିଲେ।ଅତ୍ୟନ୍ତ ଦୁର୍ବଳଶରୀର ସାମନ୍ତ ,ପୁତ୍ର ଗଦାଧରଙ୍କ ହାତଧରି ଶ୍ରୀମନ୍ଦିର ଭିତରେ ପ୍ରବେଶକରି ,ଗରୁଡସ୍ତମ୍ଭ ପଛରେ ଠିଆହୋଇ ,ଆନନ୍ଦାଶ୍ରୁ ଝରାଇ ଶ୍ରୀଜିଉଙ୍କୁ ଦର୍ଶନ କଲେ ଏବଂ ରତ୍ନ ସିଂହାସନ ନିକଟକୁ ଯାଇ ସାଷ୍ଟାଙ୍ଗ ପ୍ରଣିପାତ ହୋଇ କହିଲେ “ଏ ମହାପାତକୀ ଏ ଜନ୍ମରେ ଏତିକି ମାତ୍ର ଦର୍ଶନକରି ବିଦାୟ ନେଉଛି ପ୍ରଭୁ।ଏ ନାରକୀ ପ୍ରତି କୃପାବହି ଶ୍ରୀଛାମୁକୁ ଅଣାଇ ଥିବାରୁ କୃତାର୍ଥ ହେଉଛି ମଣିମା।”
ଶ୍ରୀମନ୍ଦିରର ଦୈନନ୍ଦିନ ନୀତି ନିର୍ଦ୍ଧାରଣ ଯାହାର ପଞ୍ଜିକା ଅନୁଯାୟୀ ହୁଏ,ସେହି ପରମ ଭକ୍ତର ଅଶ୍ରପୂର୍ଣ ନିବେଦନରେ ପରମ କାରୁଣିକ ଚକାଆଖିଙ୍କର କରୁଣାବାରିରେ ଆଦ୍ର ହେଲା
ସାମନ୍ତଙ୍କ ରୋମାଞ୍ଚିତ ଶରୀର।

ଅଶ୍ରୁଳ ଆଖିରେ ଶ୍ରୀଜିଉଙ୍କୁ ଶେଷ ଦର୍ଶନ କରି ରତ୍ନ ସିଂହାସନ ପାଖରୁ ଧୀରେ ଧୀରେ ଲେଉଟିଲେ ସାମନ୍ତ।ଚାରିଆଡକୁ ଚାହୁଁଥାନ୍ତି, ଭାବୁଥାନ୍ତି,ପଣ୍ଡାଙ୍କର ବେତମାଡ ଟିକିଏ ପିଠିରେ ବାଜନ୍ତାକି ! ଗରୁଡ ସ୍ତମ୍ଭ ପାଖରେ ଜଳୁଛି ଅସଂଖ୍ୟ ଦୀପ।ସେହି ଦୀପକୁ ଚାହିଁ, ଧୀର ପଦକ୍ଷେପରେ ଚାଲୁଥିବା ସାମନ୍ତ ଭାବୁଥିଲେ, ଏହି ଦୀପରୁ ଗୋଟିଏ ହୋଇ ପ୍ରଭୁଙ୍କର ଗମ୍ଭୀରା ସବୁବେଳେ ହେଲେ ଆଲୋକିତ କରୁଥାନ୍ତେ କି !
ଗଦାଧର ହାତ ଧରିଥାନ୍ତି।ଗମ୍ଭୀରା ଭିତରୁ ବାହାରି,ପାହାଚ ଓହ୍ଲାଇ,କଷ୍ଟେମଷ୍ଟେ ବେଢା ପରିକ୍ରମା କରି ,ସବୁ ପାର୍ଶ୍ବ ଦେବା ଦେବୀଙ୍କୁ ଶେଷ ଦର୍ଶନ କରି ଅଶ୍ରୁଳ ବିଦାୟ ନେଲେ ସାମନ୍ତ।ଧୀର ପଦକ୍ଷେପରେ ବାଇଶି ପାହାଚର ପ୍ରତିଟି ପାହାଚକୁ ଅତିକ୍ରମ କରୁଥାନ୍ତି।ଅତୀତରେ ଅନେକବାର ଏହି ବାଇଶି ପାହାଚର ଧୁଳି ମୁଣ୍ଡରେ ଲଗାଇ ମଣିମାଙ୍କର ଦର୍ଶନ କରିଛନ୍ତି ଚନ୍ଦ୍ରଶେଖର।ସେଇ ବାଇଶି ପାହାଚକୁ ଆଜି ଶେଷ ଦର୍ଶନ କରି ବିଦାୟ ନେଉଛନ୍ତି ସାମନ୍ତ।ମନ୍ଦିର,ବେଢା,ପାହାଚ,ରତ୍ନବେଦୀ,ଆନନ୍ଦ ବଜାର….ସମସ୍ତଙ୍କ ଠାରୁ ଆଜି ବିଦାୟ ନେଉଛନ୍ତି ଚନ୍ଦ୍ରଶେଖର,କାରଣ ସେ ଜାଣନ୍ତି ଯେ ଏତେ ଦୁର୍ବଳ ଶରୀରକୁ ଘୋଷାରି,ଘୋଷାରି ଶେଷ ଯାତ୍ରା ପୂର୍ବରୁ ଆଉ ସେ ଆସିପାରିବେନାହିଁ।

ମନ୍ଦିର ଭିତରୁ ବାହାରି ଆସି,ଶ୍ରୀମନ୍ଦିରର ଚୂଡାକୁ ଚାହିଁଲେ ସାମନ୍ତ। ଫର ଫର ଉଡୁଛି ପତିତ ପାବନ ବାନା।ପୁତ୍ର ଗଦାଧରଙ୍କୁ ଚାହିଁ କହିଲେ,”ବସା ଯୋଉଠି ଠିକ୍ କରିଚ ସେଠାରୁ ମୋ ପ୍ରଭୁଙ୍କର ନୀଳଚକ୍ର ଓ ପତିତପାବନ ବାନା ଦେଖାଯାଉଚି ତ?ନୀଳଚକ୍ରକୁ ଚାହିଁ ଚାହିଁ ମୋର ଶେଷ ନିଶ୍ବାସ ଚାଲିଯାଉ ବୋଲି ଇଚ୍ଛା।”
ମାର୍କଣ୍ଡ ସାହିରେ ଥିବା ପାରିକୁଦ ରାଜାଙ୍କର ବସାଘରଟି ଠିକ୍ କରାଗଲା।ସେଠାରୁ ମହାପ୍ରଭୁଙ୍କର ନୀଳଚକ୍ର ଓ ଫର ଫର ଉଡୁଥିବା ପତିତ ପାବନ ବାନା ସ୍ପଷ୍ଟ ପ୍ରତୀୟମାନ ହେଉଥିଲା।
ବସାକୁ ଆସିବା ପରେ ସାମନ୍ତ କିଞ୍ଚିତ ଅସୁସ୍ଥ ଅନୁଭବ କଲେ
ଏବଂ କ୍ରମେ ମୃଦୁ ଜ୍ବରରେ ପୀଡିତ ହେଲେ।ଔଷଧ ସେବନ କରିବା ପାଇଁ ଗଦାଧର ଅନୁରୋଧ କରିବାରୁ,ସାମନ୍ତ କହିଲେ
“ଆଉ କାହିଁକି ଔଷଧ ପତ୍ର କରିବ?ବର୍ତ୍ତମାନ ତ ଶେଷ ସମୟ ଆସିଲା।ତଥାପି ତୁମର ମନ ବୋଧ ପାଇଁ ଯାହା ଚାହୁଁଚ କର।”ଗଦାଧର ଅନେକ ବୈଦ୍ୟ ଓ କବିରାଜଙ୍କ ସହିତ ପରାମର୍ଶକରି ବହୁତ ପ୍ରକାର ଔଷଧ ସେବନ କରାଇଲେ।କିନ୍ତୁ ଜର ଉପଶମ ହେଲାନାହିଁ।

ବସାରେ ପହଞ୍ଚି ସାମନ୍ତ ବସାର ଅବସ୍ଥିତି ଦେଖି ଭାରି ଖୁସି ହୋଇଗଲେ।ପ୍ରଶସ୍ତ ଅଗଣା ମଝିରେ ତୁଳସୀ ଚଉରା।ସେଠାରୁ ଶ୍ରୀମନ୍ଦିର ନୀଳଚକ୍ର ଓ ଫର ଫର ଉଡୁଥିବା ପତିତ ପାବନ ବାନା ସ୍ପଷ୍ଟ ଦୃଷ୍ଟି ଗୋଚର ହେଉଥିଲା।
ଜଗନ୍ନାଥଙ୍କ ଚରଣତଳେ ସମର୍ପିତ ଜୀବନ ଏଭଳି କ୍ବଚିତ୍ ଦେଖାଯାଏ।ବିଶ୍ବପ୍ରସିଦ୍ଧ ଜ୍ୟୋତିର୍ବିଦ ହେବା ସଙ୍ଗେ ସଙ୍ଗେ ସାମନ୍ତ ଓଡିଶାର ଶ୍ରେଷ୍ଠ ଭକ୍ତକବି ମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲେ।ପତିତପାବନ ବାନାକୁ ଚାହିଁ ଶରୀର ରୋମାଞ୍ଚିତ ହୋଇଗଲା।ସେହିବାନାର ମହିମା ବର୍ଣ୍ଣନାରେ ଶତମୁଖ ହୋଇଛନ୍ତି ସାମନ୍ତ, ସିଦ୍ଧାନ୍ତ ଦର୍ପଣର ତ୍ରୟୋବିଂଶ ପ୍ରକାଶର ସପ୍ତମ ଶ୍ଲୋକରେ।ଦର୍ପଣରେ ଜାଜ୍ବଲ୍ୟମାନ ହୋଇ ପ୍ରକାଶିତ ହୋଇଛି ପ୍ରଭୁଙ୍କର ବୈଜୟନ୍ତୀ ପତାକାର ମହିମା ଏହି ଶ୍ଲୋକରେ।

“ତୁଙ୍ଗପ୍ରାସାଦାଶୃଙ୍ଗପ୍ରତିଲବପବନାନ୍ଦୋଳିତା ବୈଜୟନ୍ତୀ
ବାଞ୍ଛାକଳ୍ପଦ୍ରୁତୀର୍ଥେଶ୍ବରଶୀରସି ଚରତ୍ପଲ୍ଲବଶ୍ରୀ ଜୟନ୍ତୀ।
ଯାମ୍ୟସ୍ବାମ୍ୟାତିତାମ୍ୟଜ୍ମନବୃଜିନରମୂ ମୃର୍ଜିତାଂ ତରଜୟନ୍ତୀ
ପାୟାନ୍ମୟାଭବାଧ୍ବଶ୍ରମମିବ ଶମିନାଂ ବୀଜନୈର୍ମାଜୟନ୍ତୀ”

ଅର୍ଥାତ୍- ଜଗନ୍ନାଥଙ୍କ ଉତ୍ତୁଙ୍ଗ ମନ୍ଦିର ଚୂଡାରେ ପ୍ରତି ମୁହୁର୍ତ୍ତରେ ବୈଜୟନ୍ତୀ ପତାକା ଫରଫର ହୋଇ ଉଡୁଛି।ସେଠାରେ କେବେହେଲେ ପବନର ଅଭାବ ନାହିଁ।ଏ ତିର୍ଥେଶ୍ବର(ପୁରୀ)ର ବାଞ୍ଛା କଳ୍ପଦ୍ରୁମର ମଥାରେ ଆନ୍ଦୋଳିତ ହେଉଥିବା ବଟପତ୍ର ମାନଙ୍କର ଶୋଭାକୁ ମଧ୍ୟ ଏ ବୈଜୟନ୍ତୀ ପତାକା ପରାଜିତ କରୁଛି।ଯମରାଜ ପ୍ରପୀଡିତ ଲୋକଙ୍କର ପାପ ରୂପକ ସେନା
ବାହିନୀକୁ ଏହା ଭୟ ପ୍ରଦାନ କରୁଛି।ପଙ୍ଖାପରି, ଶ୍ରାନ୍ତଚିତ୍ତ ମାନଙ୍କର ଶ୍ରମ ଅପନୋଦନ କରୁଛି ଯେଉଁ ପତିତ ପାବନ , ସେ ,ମାୟା ସଂସାର ପଥରେ କ୍ଲାନ୍ତ ହୋଇଥିବା ଆମ୍ଭମାନଙ୍କର ପଥଶ୍ରମ ଅପନୋଦନ କରୁ।”

ଜ୍ବର ନକମିବା ସତ୍ତ୍ବେ ସାମନ୍ତ ତାଙ୍କର ଦିନଚର୍ଯ୍ୟା ଶେଷ କରି ନୀଳାଦ୍ରିବିହାରୀଙ୍କର ନୀଳାଚଳ ଓ ନୀଳଚକ୍ର ଚିନ୍ତନ ଓ ଦର୍ଶନରେ ମନୋନିବେଶ କରି ଦେଇଥିଲେ।
ଜ୍ବର ଉପଶମ ନହେବାରୁ, ପୁତ୍ର ଗଦାଧର ପୁରୀର ବିଶିଷ୍ଟ କବିରାଜ ମାନଙ୍କ ସହିତ ପରାମର୍ଶ କରି ଔଷଧ ସେବନ କରାଇଲେ।ମୃତ୍ୟୁର ଦୁଇଦିନ ଆଗରୁ ସାମନ୍ତଙ୍କର ଯାମଳା ହିକ୍କା ଉଠିବାରୁ ସାମନ୍ତ କହିଲେ “ମାଧବ କର ନିଦାନ” ଗ୍ରନ୍ଥ ଦେଖ,ଲକ୍ଷଣ କଣ କହୁଛି।ଗଦାଧର ଗ୍ରନ୍ଥ ଫିଟାଇ ଜାଣିପାରିଲେ ଯେ ଶେଷ କାଳର ଲକ୍ଷଣ ଗୁଡିକ ଦେଖାଯାଉଛି।
ଗଦାଧରଙ୍କର ବ୍ୟସ୍ତଭାବ ଦେଖି ସାମନ୍ତ କହିଲେ ” ଏ ରୋଗ
ତ ବଡ ଅସାଧ୍ୟ।ଶାସ୍ତ୍ରରେ ଅଛି ଜୀବନର ଶେଷ ମୁହୁର୍ତ୍ତ
ପର୍ଯ୍ୟନ୍ତ ଚିକିତ୍ସା କରିବା ବିଧେୟ।ତେଣୁ ମୁଁ ତୁମକୁ ମନା କରିବି ନାହିଁ।”
ଡାକ୍ତର ଆସି ଦେଖିଲେ।ମାତ୍ର ଫଳ କିଛି ହେଲାନାହିଁ।ପରଦିନ,ଏକାଦଶୀରେ ଘନ ଘନ ଶ୍ବାସ ବହିବାକୁ ଲାଗିଲା ଓ ସାରାଦିନ ଅବସ୍ଥା ସେହିପରି ରହିଲା।

ଶ୍ରୀମଦ୍ଭଗବଦ୍ ଗୀତାରେ ପରମେଶ୍ବର ନିଜେ କହିଛନ୍ତି “ଜାତସ୍ୟ ହି ଧୃବୋ ମୃତ୍ୟୁଃ ଧୃବଂ ଜନ୍ମ ମୃତସ୍ୟ ଚ”।ଭାଗବତ ବାଣୀ କହେ “ମର୍ତ୍ତ୍ୟମଣ୍ଡଳେ ଦେହ ବହି,ଦେବତା ହେଲେ ହେଁ ମରଇ।”ଏହି ମହାସତ୍ୟର ମୁହୁର୍ତ୍ତ ସାମନ୍ତଙ୍କ ଜୀବନରେ ପାଖେଇ ଆସିଲା।ସାମନ୍ତ ଜାଣି ପାରିଥିଲେ ଯେ ଶେଷ ଅଙ୍କ ଅଭିନୀତ ହୋଇ ସାରିଥିଲା।ଯବନିକା ପଡିବାକୁ ଯାହା ବାକିଥିଲା।ଶ୍ରୀମଦ୍ଭଗବଦ୍ଗୀତା ଅନୁସାରେ ………

“ଜନମ ପୂର୍ବରୁ ଅଦୃଶ୍ୟ ସକଳେ ମୃତ୍ୟୁପରେ ଅନ୍ତର୍ଦ୍ଧ୍ୟାନ,
ଏ ଦୁଇ ଅବସ୍ଥା ମଧ୍ୟେ ପ୍ରାଣୀଗଣ ହୋଇଥାନ୍ତି କାୟାବାନ,
ସେ କାୟାକୁ ନେଇ ମାୟା କାହିଁପାଇଁ, ସୀମିତ ସମୟ ତାର,
ସମୟ ଆସିଲେ ମାଟିରେ ମିଶିବ ନଶ୍ବର ଏହି ଶରୀର।”
(ଦ୍ୱିତୀୟ ଅଧ୍ୟାୟ–ଅଠାଇଶତମ ଶ୍ଳୋକର ଭାବାର୍ଥ)

ସାମନ୍ତଙ୍କ ଠାରୁ ଅଧିକା ଏ ମହାସତ୍ୟକୁ କିଏ ହୃଦୟଙ୍ଗମ କରି ପାରିବ?ସାମନ୍ତ ଜାଣିପାରିଲେ ଯେ ବିଦାୟ ନେବାର ସମୟ ଆସିଗଲା।

ସେଦିନ ୧୯୦୪ ମସିହା ଜ୍ୟେଷ୍ଠ ମାସ ଦ୍ବାଦଶୀ ତିଥି।ପୂର୍ବଦିନ ଅବିରତ ସାମନ୍ତଙ୍କର ଘନ ଘନ ନିଶ୍ବାସ ବହୁଥିଲା।ଅନ୍ତିମ ସମୟ ଜାଣି ସାମନ୍ତ, ପୁତ୍ର ଗଦାଧରଙ୍କୁ କହିଲେ “ତମେ ମତେ ସ୍ନାନ କରାଇ ପରିଷ୍କାର କରିଦିଅ।”ଏହାଶୁଣି ଗଦାଧର କହିଲେ “ଆପଣ ଜ୍ୱର ରୋଗରେ ପୀଡିତ।ଉପଶମ ପାଇଁ ଚିକିତ୍ସା ମଧ୍ୟ ଚାଲିଛି।ଏଥିରେ ସ୍ନାନ କଲେ,ଅବସ୍ଥା କଣ ହେବ?ଲୋକେ ମତେ କଣ କହିବେ?”ସାମନ୍ତ କହିଲେ “ମୃତ୍ୟୁପାଇଁ ସିନା ଲୋକେ ରୋଗକୁ ଡରନ୍ତି,ମୁଁ ତ ନିଜେ ଏଠିକି ମୃତ୍ୟୁକୁ ବରଣ କରିବାକୁ ଆସିଛି।ତେଣୁ ଜ୍ବରକୁ ଭୟ କଣ?ଆଜି ତ ମୋର ମୃତ୍ୟୁ ସୁନିଶ୍ଚିତ।ତମେ କଣ ଚାହଁ ଯେ ସ୍ନାନ ନକରି,ଏପରି ଅପରିଷ୍କାର ରହି ମୁଁ ଶେଷଯାତ୍ରା କରେ?”

ଏପରି ଲୋକଙ୍କୁ ମୃତ୍ୟୁ ଡରାଇବ କଣ?ଏମାନଙ୍କପାଖରେ ମୃତ୍ୟୁ ବଡିମା ଦେଖାଇ ପାରେନାହିଁ।ଦୁର୍ବଳ ପିଞ୍ଜରା ଭିତରେ ପ୍ରାଣପକ୍ଷୀ ତାଙ୍କର ଛଟପଟ ହେଉଥିଲା କିପରି ଶୀଘ୍ର ଉଡିଯାଇ ପରମାତ୍ମାଙ୍କସତ୍ତାରେ ମିଶିଯିବ।
ଗଦାଧର ନିଜେ ସ୍ନାନକରି, ପିତାଙ୍କୁ ତୁଳସୀ ଚଉରା ମୂଳକୁ ଆଣି ସ୍ନାନ କରାଇ ଦେଲେ।ଗେରୁଆ ବସ୍ତ୍ର ପିନ୍ଧାଇ ଦେଲେ ଓ ତିଳକ କରାଇ ତୁଳସୀ ମାଳ ଗଳାରେ ଲମ୍ବାଇ ଦେଲେ।ସେତେବେଳେ ସାମନ୍ତ ଧୀର ସ୍ବରରେ “ଜଗନ୍ନାଥ ଜଗନ୍ନାଥ” ଉଚ୍ଚାରଣ କରୁଥାନ୍ତି।ତିଳକ ଗ୍ରହଣ ସମୟରେ ସାଆନ୍ତେ ଦୁଇହାତ ଭୂଇଁରେ ଭରାଦେଇ ବସିଥିଲେ।ହଠାତ୍ ଡାହାଣ ହାତ ଟିକିଏ ସଂକୁଚିତ ହୋଇ ଶରୀର ସେହି ଆଡକୁ ଢଳି ପଡିବାରୁ ,ଗଦାଧର ସମ୍ଭାଳିନେଇ ପଚାରିଲେ “କଣ ହେଲା?” କିନ୍ତୁ କିଛି ଉତ୍ତର ମିଳିଲା ନାହିଁ।ତେଣୁ ଗଦାଧର ସାମନ୍ତଙ୍କୁ ଟେକିନେଇ ଶେଯ ଉପରେ ଶୁଆଇ ଦେଲେ।ମହାପ୍ରସାଦ ଜଳ ଟିକିଏ ମୁହଁରେ ଦିଅନ୍ତେ ସାମନ୍ତଙ୍କର ପବିତ୍ର ଆତ୍ମା ପରମାତ୍ମାଙ୍କସତ୍ତାରେ ମିଶିଗଲା।

ଗଦାଧର ବିଶ୍ବାସ କରିପାରୁନଥିଲେ ଯେ ତାଙ୍କର ପିତା ଆଉ ଇହ ଜଗତରେ ନାହାନ୍ତି।ଅଶ୍ରୁପୂର୍ଣ୍ଣ ଆଖିରେ ନୀଳଚକ୍ରକୁ ଚାହିଁଲେ ଗଦାଧର।ସତେ ଯେମିତି ପତିତପାବନ ପଛରେ ଠିଆହୋଇ ହସି ହସି ସାମନ୍ତ କହୁଛନ୍ତି “ମୋର ସମୟ ସରିଗଲା,ବାଇଆ।ତମକୁ ବହୁତ କଷ୍ଟ ଦେଲି।ମୋର ଅନ୍ତ୍ୟେଷ୍ଟି ଶେଷ କରି ଫେରିଯାଅ।”
କାନ୍ଦୁଥିଲେ ଗଦାଧର।ଶୂନ୍ୟ ହସ୍ତରେ ଫେରିଯାଇ ପରିଜନ ମାନଙ୍କୁ କଣ କହିବେ ସେ,ଖଣ୍ଡପଡାରେ ?
କଣ କହି ସାନ୍ତ୍ବନା ଦେବେ ଦୁଃଖିନୀ ଜନନୀଙ୍କୁ?
ମହାପ୍ରୟାଣର ସମୟ ଥିଲା କୃଷ୍ଣପକ୍ଷ ଦ୍ବାଦଶୀ ପୂର୍ବାହ୍ନ ଚତୁର୍ଦ୍ଦଶ ଦଣ୍ଡ।ମୃତ୍ୟୁ ବେଳକୁ ସାମନ୍ତଙ୍କୁ ବୟସ ମାତ୍ର ୬୯ ବର୍ଷ ହୋଇଥିଲା।କିନ୍ତୁ ଜୀବନ ବଡ ହେବା ଆବଶ୍ୟକ,ଲମ୍ବାନୁହେଁ।
ଜ୍ୟୋତିଶ୍ଚକ୍ରରୁ ଆସି ଜ୍ୟୋତିଶ୍ଚକ୍ରରକୁ ଚାଲିଗଲେ ସାମନ୍ତ।ପଛରେ ଛାଡିଗଲେ ସମୟ ବାଲିରେ ମହାନ ପଦଚିହ୍ନ…………
କାଳଜୟୀ ସିଦ୍ଧାନ୍ତ ଦର୍ପଣ।ଆକାଶରେ ଗ୍ରହରାଜ ସୂର୍ଯ୍ୟ ସେଦିନ ସପ୍ତାଶ୍ବ ଯୁକ୍ତ ରଥରେ ଅପେକ୍ଷା କରିଥିଲେ ସାମନ୍ତଙ୍କୁ ଜ୍ୟୋତିଶ୍ଚକ୍ରରେ ନେଇ ଛାଡି ଆସିବାପାଇଁ

ସାମନ୍ତଙ୍କର ଦେହାନ୍ତ ସମ୍ବାଦ ବିଜୁଳି ବେଗରେ ପୁରୀରେ ଘରେ ଘରେ ଖେଳିଗଲା।ସେ ପର୍ଯ୍ୟନ୍ତ ସାମନ୍ତଙ୍କର ପୁରୀରେ ରହଣି ବିଷୟରେ ପୁରୀ ବାସୀ ଅବଗତ ନଥିଲେ,କାରଣ ସାମନ୍ତ ମାତ୍ର ତେର ଦିନ ପୂର୍ବରୁ ପୁରୀରେ ପହଞ୍ଚି ଥିଲେ। ଏ ଗଭୀର ମର୍ମନ୍ତୁଦ ଦୁଃସମ୍ବାଦ ଶୁଣି ପୁରୀବାସୀ ସ୍ତବ୍ଧ ହୋଇ ଯାଇଥିଲେ ଏବଂ ଶେଷ ସମୟରେ ସାମନ୍ତଙ୍କୁ ଟିକିଏ ଦେଖି ନପାରିବାରୁ ମର୍ମାହତ ହୋଇଥିଲେ।
ସାମନ୍ତଙ୍କର କନିଷ୍ଠ ପୁତ୍ର ଚକ୍ରଧର ଏ ଦୁଃସମ୍ବାଦ ପାଇ ସଙ୍ଗେ ସଙ୍ଗେ ପରିବାର ବର୍ଗଙ୍କ ସହିତ ପୁରୀରେ ପହଞ୍ଚିଲେ।ସାମନ୍ତ ଖଣ୍ଡପଡା ଛାଡିବା ସମୟରେ କହିଥିଲେ “ମୁଁ ଯାଉଚି।ପରେ ତୁମେମାନେ ଯିବ।”ସେତେବେଳେ ସେ କଥାକୁ ପରିବାରର ସଦସ୍ୟମାନେ ସେତେ ଗୁରୁତ୍ୱ ଦେଇନଥିଲେ।ଏବେ କିନ୍ତୁ ପରିବାର ମୂଖ୍ୟଙ୍କୁ ହରାଇ ବଡ ମନସ୍ତାପ କଲେ ଯେ କାହିଁକି ଶେଷ ସମୟରେ ସମସ୍ତେ ତାଙ୍କ ପାଖରେ ନରହିଲେ।ଉଭୟ ପୁରୀ ଓ ଖଣ୍ଡପଡାରେ ସାମନ୍ତଙ୍କ ଶେଷକୃତ୍ୟ ଯଥୋଚିତ ଭାବରେ ସମାପନ ହେଲା।ପରିବାରର ଆର୍ଥିକ ଅବସ୍ଥା ଭଲ ନଥିଲେ ମଧ୍ୟ,ସାମନ୍ତଙ୍କ ଶେଷ କୃତ୍ୟ ସମାପନରେ କୌଣସି ଅସୁବିଧା ହୋଇ ନଥିଲା।ଗୌରୀଶଙ୍କର ରାୟ ,ପ୍ରଫେସର ଯୋଗେଶ ଚନ୍ଦ୍ର ରାୟ ଏବଂ ସୁଦାମ ଚରଣ ନାଏକ(କମିଶନର ଅଫିସର ବରିଷ୍ଟ ଅଧିକାରୀ ତଥା ସାମନ୍ତଙ୍କ ପ୍ରଶଂସକ)ପ୍ରଭୃତି ଅନେକ ଗଣ୍ୟ ମାନ୍ୟ ବ୍ୟକ୍ତି ସାମନ୍ତଙ୍କର ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଯଥୋଚିତ ଆର୍ଥିକ ସାହାଯ୍ୟ କରିଥିଲେ।ସମସ୍ତଙ୍କ ଆଖିରେ ଅଶ୍ରୁ,କଣ୍ଠରେ ଅନୁତାପ “ଆହା,ଆମ ଆୟୁଷ ନେଇ ଆଉ କିଛିଦିନ ହେଲେ ପଠାଣି ସାଆନ୍ତେ ବଞ୍ଚିଥାନ୍ତେ !
ସାମନ୍ତଙ୍କ ମୃତ୍ୟୁ ସମ୍ବାଦ ଉତ୍କଳ ଦୀପିକା(୧୮ ଜୁନ୍ ୧୯୦୪),
ଓଡିଆ ଓ ନବ ସମ୍ବାଦ(୧୫ ଜୁନ୍),ବାଲେଶ୍ବର ସମ୍ବାଦ ବାହିନୀ(୨୩ଜୁନ୍),ଏବଂ ଗଡଜାତ ବାହିନୀ(୧୭ ଜୁନ୍) ଇତ୍ୟାଦି ସମ୍ବାଦ ପତ୍ର ମାନଙ୍କରେ ପ୍ରକାଶିତ ହେଲାପରେ ,ସାରା ଓଡିଶାରେ ଶୋକର ଲହରୀ ଖେଳି ଯାଇଥିଲା।ଉତ୍କଳ ସମ୍ମିଳନୀର ଦ୍ବିତୀୟ ଅଧିବେଶନରେ ସାମନ୍ତଙ୍କପାଇଁ ଶୋକ ପ୍ରସ୍ତାବ ଆଗତ ହୋଇଥିଲା।ସେ ସମୟରେ ମହାରାଜା ରାମଚନ୍ଦ୍ର ଭଞ୍ଜ, ସାମନ୍ତଙ୍କ କନିଷ୍ଟ ପୁତ୍ର ଚକ୍ରଧରଙ୍କୁ କହିଥିଲେ “ମୁଁ ବଡ ହତଭାଗା।ଆପଣଙ୍କ ପିତାଙ୍କୁ ଥରେ ବାରିପଦା ନେଇ ପୂଜା କରିବାର ବହୁତ ଇଚ୍ଛାଥିଲା,ତାହା ହୋଇପାରିଲାନିହିଁ।” ସାମନ୍ତଙ୍କ ଅନ୍ତ୍ୟେଷ୍ଟି କ୍ରିୟା ଜନିତ କିଛି ରୃଣ ପରିଶୋଧ କରିବାକୁ ବାକିଥିବା କଥା ଚକ୍ରଧରଙ୍କଠାରୁ ଶୁଣି ମହାରାଜା ରାମଚନ୍ଦ୍ର ଓ ଧରାକୋଟ ରାଜା ,ସ୍ବତଃ ପ୍ରବୃତ୍ତ ହୋଇ କିଛି କିଛି ଅର୍ଥ ସାହାଯ୍ୟ କରିଥିଲେ।
ସାମନ୍ତଙ୍କର ମାଟିର ଦେହ ସିନା ମାଟିରେ ମିଶିଗଲା; କିନ୍ତୁ ଯଶୋଦେହ ଚୀର ଅମର ହୋଇ ରହିଗଲା ଏବଂ କୀର୍ତିଚନ୍ଦ୍ର ଚୀର ଭାସ୍ୱର ହୋଇ ପ୍ରତିଭାତ ହେଉଥିଲା।କିନ୍ତୁ ଏ ଦେଶ ତାଙ୍କ ପ୍ରତିଭାକୁ ଚିହ୍ନି ପାରିଲା ନାହିଁ।ପୂଜ୍ୟପୂଜାର ଚରମ ଅବହେଳା ଘଟିଥିଲା ସାମନ୍ତଙ୍କ କ୍ଷେତ୍ରରେ।ବ୍ୟଥିତ କଣ୍ଠରେ ସେଥିପାଇଁ କବିଶେଖର ଚିନ୍ତାମଣି ମହାନ୍ତି ଲେଖିଛନ୍ତି…..

“ବିଶାଳ ଉତ୍କଳ ନଭଃ-ଉଜ୍ଜ୍ବଳ ଜ୍ୟୋତିଷ୍କ
ହେ ଚନ୍ଦ୍ରଶେଖର କ୍ଷାତ୍ର-ରୃଷି ଜନ୍ମକବି,
ଅତୁଳ ପ୍ରତିଭା ଘେନି ଜନ୍ମିଥିଲ ତୁମ୍ଭେ,
ଉତ୍କଳ ଭାଗ୍ୟକୁ,ମାତ୍ର ହାୟ ସେ ଅଭାଗୀ
ନପାରିଲା ସେ ରତନେ ଯତନେ ସମ୍ପାଦି,
ହରିନେଲା କାଳ ତାହା,ବଳୀୟାର ଚୋର।
ବୁଲୁଅଛି ଉଡି ଏବେ ସେ ମହା ପ୍ରତିଭା,
ଯୋଗ୍ୟ ପାତ୍ର ଅଭାବରେ,ତୁମ୍ଭ ଜନ୍ମ ତୀର୍ଥେ।”

  1. କୁଳମଣି ଷଡଙ୍ଗୀ,
    ଅବସରପ୍ରାପ୍ତ ମୂଖ୍ୟ ମହାପ୍ରବନ୍ଧକ,ନାବାର୍ଡ।
    ଆବାସ:–କୁମ୍ଭାର ସାହି
Click to rate this post!
[Total: 0 Average: 0]

Leave a Reply