Friday, February 23, 2024
Stories

ମୋ ଗାଁ ମୋ ଘର (୭)

ମୋ ଗାଁ ମୋ ଘର

==============================
ତତ୍କାଳୀନ ସାମାଜିକ ଜୀବନ
==============================
କଥାରେ ଅଛି:–
“ଧନ ନ ଥାଇ ବି ମନ ଯଦି ଥାଏ,
ସୁଖ ଶାନ୍ତି ସେହି ଘରେ ରହିଥାଏ।”
ଅଭାବ ସହିତ ଶାନ୍ତିର ସମ୍ପର୍କ କେବେ ବି ନଥାଏ।ଧନ ସମ୍ପତ୍ତି ନଥାଉ ପଛେ , ଯଦି ଘରେ ପରସ୍ପର ଭିତରେ ସ୍ନେହ ସୌହାର୍ଦ୍ଦ୍ୟ ଥାଏ ସେ’ଘରେ ଶାଗ ପଖାଳ ଖାଇ ମଧ୍ୟ ବୈକୁଣ୍ଠର ତୃପ୍ତି ମିଳିଥାଏ। ଏହିପରି ଥିଲା ତତ୍କାଳୀନ ସମାଜ।ନଥିଲା ବିଜୁଳି,ନା ଥିଲା ଗ୍ୟାସ୍ ଚୁଲା। ଟିଭି, ଫ୍ରିଜ୍,ୱ୍ବାଟର ଫିଲଟର୍ ତ ସ୍ବପ୍ନ। ହଇଜା ବିସୂଚିକା ଆଦି ସମୟରେ ପାଣି ଫୁଟେଇ ଥଣ୍ଡା କରି ପିଆ ଯାଉଥିଲା।
ଲୋକଙ୍କର ଚାହିଦା ସୀମିତ ଥିଲା।ପୁରୁଷ ମାନଙ୍କର ଦିଚାରିଟା ମାଣିବନ୍ଧ ଧୋତି ଏବଂ ଖୋର୍ଦ୍ଧା ନାଲି ଗାମୁଛା ହେଲେ ବର୍ଷକ ଚଳିଯାଉଥିଲା।ସ୍ତ୍ରୀଲୋକଙ୍କର ଫେଟା ଶାଢ଼ୀ ଦି ଚାରିଟା ହେଲେ କାମ ଫତେ। ଭଲମନ୍ଦ,ଓଷାପରବ ଜାନିଯାତେରା,ବାହାବ୍ରତଘରେ ପିନ୍ଧିବାକୁ ଥାଏ କିଛି ପେଡିସାଇତା ଲୁଗା।ବାସ୍ ଏଇ ତ ଜୀବନ।ପିଲା ମାନଙ୍କ ପାଇଁ ବର୍ଷରେ ଦୁଇ/ତିନି ଥର(ଗଣେଶ/ସରସ୍ବତୀ ପୂଜା ଓ କୁଆଁର ପୁନେଇଁ)ନୂଆ କରାହୁଏ।ସେ ସମୟରେ ନୂଆ ପିନ୍ଧିବାରେ ଯେଉଁ ଆନନ୍ଦ ଓ ମଜା ତାହା ଶଗଡ଼ରେ ଶଗଡେ। କାଁ ଭାଁ କାହା ଘରେ କେମିତି ରେଡ଼ିଓ ଖଣ୍ଡେ ଥିଲା। ସଞ୍ଜବେଳେ ଆକାଶବାଣୀ କଟକରୁ ସମ୍ବାଦ ଶୁଣିବାକୁ ଭିଡ଼ ଜମିଯାଉଥିଲା ରେଡ଼ିଓ ମାଲିକ ଦୁଆରେ।ଖବର ବେଉତିବା ପୂର୍ବରୁ ଆକାଶବାଣୀର ଯେଉଁ ଲମ୍ବା ମିଉଜିକ୍ ତାହା ଧମନୀରେ ସିହରଣ ଖେଳେଇ ଦଉଥିଲା। ଉତ୍କର୍ଣ୍ଣ ହୋଇ ସମସ୍ତେ ଶୁଣୁଥିଲେ… ଆକାଶବାଣୀ କଟକ;ଖବର ପଢୁଛନ୍ତି…. ।

ଆଜିକାଲି ଟିଭି ଆଗରେ ବସି ଚଷୁକୁଟା ସମ୍ବାଦ ଶୁଣିବା ପରେ ସମ୍ବାଦ ପରିବେଷକ ପ୍ରତି ଆମର ଯେଉଁ ସମ୍ବିଧାନବହିର୍ଭୂତ ଗାଳି ଉତୁରି ଆସୁଛି ତାହା ସେ ସମୟରେ ନଥିଲା।ଶୂନଗାଡି(ସାଇକେଲ୍)ସେ ସମୟରେ ପ୍ରାୟ ନଥିଲା। ମୋ ଜାଣିବାରେ ନନା(ବାପା) ଖଣ୍ଡପଡାରେ ପ୍ରଥମକରି ହର୍କ୍ୟୁଲସ୍ ସାଇକେଲ କିଣିଥିଲେ।ଗେଡା ଲୋକ,ପାଞ୍ଚଫୁଟ ପାଞ୍ଚଇଞ୍ଚ ଉଚ୍ଚତାର ମଣିଷ,ତେଣୁ ଚବିଶି ଇଞ୍ଚିଆ ସାଇକେଲଟିଏ କିଣିଥିଲେ।ସେ ସାଇକେଲ କିଣିବାର ବହୁ ବର୍ଷପରେ ଅନ୍ୟ ଜଣେ ଦି’ଜଣ ସାଇକେଲ କିଣିଲେ।ନନାଙ୍କ ସାଇକେଲ ଉପରେ ‘ବନ୍ଦିଆ’ ଚୋରର ନଜର ପଡିଗଲା।ବନ୍ଦିଆ ଯୋଉ ଜିନିଷରେ ରସିଲା ନିଶ୍ଚୟ ତାହା ତା ପାଖକୁ ଖସିଲା।ବନ୍ଦିଆ, ଉଦିଆ, ଅଙ୍ଗଦ ଓ ନାଦ, ଚାରିଭାଇ ଡାକବଜା ଚୋର ଥିଲେ ସେ ସମୟରେ।ନନା ସାଇକେଲରେ ଯିବା ସମୟରେ ଥରେ ବନ୍ଦିଆ ମୁହାଁମୁହିଁ ହେଇଗଲା। ଜୁହାର କରି କହିଲା…ସାର୍ ! ବଢିଆ ହେଇଚି ସାଇକେଲଟି।”ସେହି ସମୟରୁ ନନା ଜାଣିଲେ ଯେ ସାଇକେଲ ନିଶ୍ଚୟ ଚୋରି ଯିବ।ଆଠ ଦିନ’ଠି ସାଇକେଲ ଗାଏବ। ଥାନାବାବୁ ବନ୍ଦିଆକୁ ଉତ୍ତମ ମଧ୍ୟମ କରି କସିଲେ ମଧ୍ୟ କିଛି ଲାଭ ହେଲାନି। ତିନିବର୍ଷ ପରେ ସାଇକେଲଟି ଖଳିସାହି ହନୁମାନଙ୍କ ପୋଖରୀ ଭିତରୁ ପଙ୍କୋଦ୍ଧାର ସମୟରେ ମିଳିଲା।ସେତେବେଳକୁ ସାଇକେଲରେ ଆଉ ଅବସ୍ଥା ନଥାଏ।

ମନେ ଅଛି,ସ୍ବାଧୀନ ଭାରତରେ ମଧ୍ୟ(ବିଂଶ ଶତାବ୍ଦୀର ପଞ୍ଚମ/ଷଷ୍ଠ,ସପ୍ତମ ଦଶକରେ) ଘରେ ସାଇକେଲ , ରେଡ଼ିଓ ରଖିଲେ ସେଥିପାଇଁ ଲାଇସେନ୍ସ ଫି’ ଦେବାପାଇଁ ପଡୁଥିଲା। ବିଂଶ ଶତାବ୍ଦୀର ଷଷ୍ଠ ଦଶକରେ ବାହାଘରରେ ଘଣ୍ଟା,ସାଇକେଲ ଓ ରେଡ଼ିଓ ସବୁଠାରୁ ବଡ଼ ଯୌତୁକ ଡିମାଣ୍ଡ ଥିଲା। ଏହି ଡିମାଣ୍ଡ ପୂରଣ କରି ନପାରିଲେ ଶାଶୁଘରେ ଝିଅ ବଡ ଅହ୍ନବ ପାଉଥିଲା।ଏଇ ତିନୋଟି ଜିନିଷ ଦେବାପାଇଁ ମଧ୍ୟ କନ୍ୟାପିତାର ଶକ୍ତି ନଥିଲା,କରଜବାରଜ କରି କନ୍ୟାପିତାର ଅଣ୍ଟା ଭାଙ୍ଗି ଯାଉଥିଲା।ବାହାଘର ପରେ ପରେ ବର, କାନ୍ଧରେ ରେଡ଼ିଓ ପକାଇ,ହାତରେ ଘଣ୍ଟା ବାନ୍ଧି ଗାଁ ଦାଣ୍ଡରେ ଦି’ଘେରା ବୁଲି ଆସିଲେ ବଡ଼ ଗୌରବ କଥା ବୋଲି ଧରାଯାଉଥିଲା। ଯୌତୁକରେ ଘଣ୍ଟା ସାଇକେଲ ରେଡ଼ିଓ ନ ଆଣିଲେ ବର’ର ନାକ କଟିଯାଉଥିଲା। ଘଣ୍ଟା ସାଇକେଲ ରେଡ଼ିଓ ଛଡ଼ା ବଡ ପିତଳ ହଣ୍ଡା,ପିତଳର ଟୋକରି (ଛୋଟ ହଣ୍ଡା)ପିତଳ ନଉତି, କଂସା ବାସନ ଇତ୍ୟାଦି ସହିତ ଶାଳକାଠର ଖଟ ଓ ସିନ୍ଧୁକ ନିହାତି ଦରକାର।ତା ଉପରେ ସୁନା ଗହଣା।

ବିଂଶ ଶତାବ୍ଦୀର ଦ୍ବିତୀୟ ଦଶକରେ ନନାଙ୍କ ବାହାଘର।ନନାଙ୍କୁ ବାହାଘର ବେଳେ କିଛି ଯୌତୁକ ମିଳି ନଥିଲା।”ପଦ୍ମାଦେଇ ପୁର”କୁ ଜେଜେ ଯେତେବେଳେ ବୋହୂ ଦେଖିବାକୁ ଗଲେ ମୋ ବୋଉକୁ ସେତେବେଳେ ସାତ ବର୍ଷ ବୟସ।ଅଜାଙ୍କର କେବେଠାରୁ ଦେହାନ୍ତ ହୋଇଯାଇଥାଏ।ଦି’ଝିଅ ଓ ଗୋଟିଏ ପୁଅକୁ ନେଇ ଆଈର ଦୁଃଖର ସଂସାର।ଅଧା ବେଳ ଖାଇଲେ ଅଧା ଉପାସ। କେମିତି ଝିଅ ଦୁଇଟିକୁ ହାତରୁ ଦିହାତି କରିବ ସେଇ ଚିନ୍ତାରେ ଥାଏ ଆଈ।ଜେଜେ ଯେତେବେଳେ ପଦ୍ମାଦେଇପୁରରେ ପହଞ୍ଚିଲେ ଗାଁ’ରେ ଚହଳ ପଡିଗଲା..ବାଣୀଭୂଷଣେ ଆସିଛନ୍ତି।ଅଜାଙ୍କ ଦୁଆରବନ୍ଧକୁ ଯେତେବେଳେ ଜେଜେ ଉଠିଲେ ପିଣ୍ଡାରେ ବୋଉ,ଖୋର୍ଦ୍ଧା କରିଆ ଖଣ୍ଡେ ପିନ୍ଧି ଠିଆ ହୋଇଥିଲା।ଜେଜେ ପଚାରିଲେ..ମା’ ତୋ ନାଁ କଣ?ବୋଉ କହିଲା..ସେବେତୀ (ସେବତୀ)।ଜେଜେ କହିଲେ…ଗଲୁ ,ବୋଉଙ୍କୁ ଡାକିଦବୁ।”

ଡାକିବା ଦରକାର ପଡିଲାନି,କବାଟ ଫାଙ୍କରୁ ଆଈ କହିଲା..ଓଳିକି (ଓଳଗୀ) ହଉଚି ଭୂଷଣେ !” ମାମୁଁ ପାଣିଢାଳ ଆଣିଲେ ଗୋଡ଼ ଧୋଇବା ପାଇଁ।ଜେଜେଙ୍କ ଗୋଡ଼ ଧୋଇ ଗାମୁଛାରେ ପୋଛି ଦେଲେ ମାମୁଁ। ଘର ଭିତରକୁ ଯାଇ ଜେଜେ କହିଲେ.. ଝିଅକୁ ତ ଦେଖିଲି,କେବେ ବେହେଘର (ବାହାଘର)କରିବା କହ।”ଆଈ କହିଲା..ବେହେଘର କରିବାକୁ ମୋ ପାଖେରେ କାଣି କଉଡ଼ିଟିଏ ନାହିଁ।ଝିଅ ସହିତ ଶୁଖିଲି ମାହାର୍ଦ (ମହାପ୍ରସାଦ)ପୁଡିଆଟିଏ ଦେଇପାରିବି। ଝିଅକୁ ପୁଆଣି ସଜ ଦେବାପାଇଁ ମଧ୍ୟ ମୋର ବଳନାହିଁ ଭୂଷଣେ ! ତେଣିକି ତମ ଇଚ୍ଛା। ଯେବେ ଇଚ୍ଛା ତେବେ ବେହେଘର କର।ଜେଜେ କହିଥିଲେ.. ଭରଦ୍ୱାଜ ଗୋତ୍ରୀ କୃଷ୍ଣଚନ୍ଦ୍ର ମିଶ୍ର ଘରେ ମୁଁ ବନ୍ଧୁ ବାନ୍ଧିବାକୁ ଆସିଚି,ମୋର ଧନ କ’ଣ ହବ ? ମୁଁ ସଂସ୍କାର ନବାକୁ ଆସିଚି।ବାହାଘର ବେଳେ ସବୁ ଖର୍ଚ୍ଚ ମୋର।ପୁଆଣି ବେଳେ ଝିଅଟି ସାଙ୍ଗରେ ମାହାର୍ଦ ପୁଡିଆଟିଏ ଦବ ସମୁଦୁଣୀ, ତାହା ହିଁ ଯଥେଷ୍ଟ। ଆଜିଠୁଁ ସେ ମୋ ଝିଅ।” ସେତେବେଳେ ପିଲା କନିଆଁ ବାହାଘର ହେଉଥିଲା। ପାଠ ପଢିବା ସମୟରେ ନନାଙ୍କର ବାହାଘର ସରିଯାଇଥିଲା।

ସେତେବେଳେ ଗଡଜାତରେ ମାଟ୍ରିକ ପଢୁଆଙ୍କ ସଂଖ୍ୟା ହାତଗଣତି।ନନା ସିଟି ଟ୍ରେନିଂ ନେଇ ଖଣ୍ଡପଡ଼ା ଷ୍ଟେଟକୁ ଫେରିବା ପରେ ହଠାତ୍ ତାଙ୍କ ଗଣତି ଉଚ୍ଚ ଶିକ୍ଷିତ ମାନଙ୍କ ଭିତରେ ହୋଇଗଲା।ଏଣେ ପୂର୍ବତନ ରାଜା ରାମଚନ୍ଦ୍ର ସିଂହଙ୍କର ୧୯୨୨ ମସିହାରେ ଦେହାନ୍ତ ହୁଏ। ରାଜକୁମାର କଲେଜ ରାୟପୁରରେ ତାଲିମ୍ ପାଇଁ ରାଜା ହରିହର ସିଂହ ଫେରିଥାନ୍ତି। ପାଠୁଆ ରାଜା। ରାଜାଙ୍କ ସହିତ ମୋ ନନା ବୈଦ୍ୟନାଥ ଷଡ଼ଙ୍ଗୀଙ୍କର ମିତ୍ରତା ଗଢିଉଠିଲା। ରାଜା ସାହେବ ଜଣେ ଉଚ୍ଚ ସ୍ତରୀୟ ଫୁଟବଲ୍ ଖେଳାଳି ରହିବା ସଙ୍ଗେ ସଙ୍ଗେ ଧୂରନ୍ଧର ବାଣୁଆ ଥିଲେ।ସେ ସମୟରେ ଓଡ଼ିଶାର ହାତଗଣତି ଦକ୍ଷ ପାଇଲଟ୍ ମାନଙ୍କ ଭିତରେ ମଧ୍ୟ ତାଙ୍କର ନାଁ ଥିଲା।ରାଜାଙ୍କର ଗୋଟିଏ ଚାଟାର୍ଡ ପ୍ଳେନ୍ ଥିଲା ଏବଂ ଉତ୍ତୋଳନ,ଅବତରଣ ପାଇଁ ଖଣ୍ଡପଡ଼ାଠାରୁ ଚାରି କିଲୋମିଟର ଦୂରରେ ବନମାଳିପୁର ଠାରେ ଗୋଟିଏ ବ୍ୟୋମଯାନ ପଡିଆ ଥିଲା। ରାଜା ସଙ୍ଗୀତ ପ୍ରିୟ ବ୍ୟକ୍ତି ଥିଲେ ଏବଂ ଜଣେ ପୋଖତ ନାଟ୍ୟକାର ମଧ୍ୟ ଥିଲେ। ତାଙ୍କଦ୍ୱାରା ରଚିତ “ଫେରିଛି”ନାମକ ସାମାଜିକ ନାଟକ ଅତି ଉଚ୍ଚକୋଟୀର ଥିଲା। ଏହି ନାଟକଟି ଖଣ୍ଡପଡ଼ାରେ ଅନେକବାର ମଞ୍ଚସ୍ଥ ହୋଇଥିଲା ଏବଂ ଜନସାଧାରଣଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଥିଲା।

ଯୋଗ୍ୟ ବ୍ୟକ୍ତିଙ୍କ ସହିତ ଯୋଗ୍ୟ ବ୍ୟକ୍ତିଙ୍କର ଭେଟ;ନିଜ ବଂଶ ପରମ୍ପରା ଅନୁଯାୟୀ ବୈଦ୍ୟନାଥ ଷଡଙ୍ଗୀ (ନନା) ଏକାଧାରରେ ପଣ୍ଡିତ,ପୁରାଣ ବିଶାରଦ, ନାଟ୍ୟକାର,ଢୁମ୍ଫା ସଙ୍ଗୀତଜ୍ଞ, ଆୟୁର୍ବେଦାଚାର୍ଯ୍ୟ,ଫୁଟବଲ ଖେଳାଳୀ,”ଗଞ୍ଜପା” ଖେଳ ବିଶାରଦ ଏବଂ ଶିକାର ପ୍ରିୟ ବ୍ୟକ୍ତି ଥିଲେ। ଏତେଗୁଡିଏ ବିଶିଷ୍ଟ ଗୁଣର ଅଧିକାରୀ କେତେଦିନ ପରଦା ଅନ୍ତରାଳରେ ରହିପାରନ୍ତେ !ନନାଙ୍କର ଅଧିକାଂଶ ସମୟ ରାଜବାଟିରେ ହିଁ କଟୁଥିଲା। ଆଜି ମଧୁବନ ପଡ଼ିଆରେ ଫୁଟବଲ୍ ଖେଳ ,କାଲି ରାଜାଙ୍କ ସହିତ ପାରିଧିରେ ଜଙ୍ଗଲ ଭ୍ରମଣ ତ ପହରଦିନ ରାଜବାଟିରେ ଢୁମ୍ଫା ସଙ୍ଗୀତ ଆସର।ମହା ଆନନ୍ଦରେ ସମୟ ବିତିଯାଉଥିଲା। ରାଜାଙ୍କ ସହାୟତାରୁ ବିଦ୍ୟାଳୟ ସମୂହର ସବ୍’ଇନ୍ସପେକ୍ଟର୍ ଚାକିରିଟିଏ ମଧ୍ୟ ନନାଙ୍କୁ ମିଳିଗଲା।

ସେତେବେଳେ ଦେଶରେ ରାଜନୈତିକ ପାଣିପାଗ ବଦଳୁଥାଏ। ଗାନ୍ଧୀଜୀଙ୍କର ଅସହଯୋଗ,ସତ୍ୟାଗ୍ରହ ଏବଂ ଭାରତ ଛାଡ଼ ଆନ୍ଦୋଳନରେ ଦେଶବାସୀ ଯୋଗ ଦେଇ ସ୍ବାଧୀନତା ପାଇଁ ଲଢେଇ କରିବା ଆରମ୍ଭ କରିଦେଇଥାନ୍ତି।ହେଲେ ଗଡ଼ଜାତ ମାନଙ୍କରେ ଆନ୍ଦୋଳନ ସେତେ ଜୋର୍ ଧରିନଥାଏ। ପ୍ରଜାମଣ୍ଡଳ ଆନ୍ଦୋଳନ ବିଭିନ୍ନ ଗଡଜାତରେ ତେଜି ଉଠୁଥାଏ।ଖଣ୍ଡପଡ଼ାରେ ମଧ୍ୟ ପ୍ରଜାମଣ୍ଡଳ ଗଢା ଯାଇଥାଏ।ହେଲେ ଖୋଲାଖୋଲି ଭାବେ ରାଜାଙ୍କ ଶାସନ ବିରୁଦ୍ଧରେ ପ୍ରଜାମାନେ ଯିବାପାଇଁ ଡରୁଥିଲେ।
କ୍ରମଶଃ….

Click to rate this post!
[Total: 0 Average: 0]

Leave a Reply