Thursday, July 25, 2024
Stories

ମୋ ଗାଁ ମୋ ଘର (୧୧)

ମୋ ଗାଁ ମୋ ଘର
୧୧
===============================
କୁସୁମୀ କୂଳେ ଘର
================================
କୁସୁମୀ କୂଳରେ ନନା(ବାପା) ଯେଉଁ ଘରଟି ତିଆରି କଲେ, ତାହା ଗୋଟିଏ ସ୍କୁଲ୍ ଘର ଭଳି ଦେଖାଯାଉଥିଲା। ପ୍ରବେଶ ଦ୍ଵାର ଉତ୍ତର ପଟୁ ଥିଲେ ମଧ୍ୟ ଆଡ-ବରଗରେ ପୂର୍ବ-ପଶ୍ଚିମ ହୋଇ ପାଞ୍ଚ ବଖରା ଘର;ମଝି ଘରଟି ଥିଲା ଦାଣ୍ଡଘର। ପଶ୍ଚିମ ପଟେ ଏକେଣା ଘରଟି ଥିଲା ଔଷଧ ଘର। ଔଷଧ ଘରକୁ ଲାଗି ଶୋଇବା ଘର।ପୂର୍ବପଟେ ଥିଲା ଠାକୁର ଘର ଏବଂ ମଝିଘର।ମଝିଘର ଥିଲା ଆମେ ଛଅ ଭାଇ ଭଉଣୀଙ୍କ ଚଳପ୍ରଚଳ ଓ ପଢାଘର। ମଝିରେ ବିରାଟ ଅଗଣା;ଅଗଣା ମଝିରେ ଚଉରା।ଅଗଣାରେ ପିଜୁଳି, ଲେମ୍ବୁ ଏବଂ ସପେଟା ଗଛରୁ ଗୋଟିଏ ଗୋଟିଏ ଥିଲା।ବାଡିପଟେ ପାଏ-ଏକର ଜାଗାରେ ଭେଣ୍ଡି ବାଇଗଣ ଜହ୍ନି ଗୁଆର,ଶିମ୍ବ ଆଦି ପନିପରିବା ଭରପୁର ହୋଇ ରହିଥିଲା। ଖରାଦିନେ ଖଡା ଓ ଲେଉଟିଆ ଶାଗ କିଆରିରେ ସବୁଜିମା ସବୁବେଳେ ଲହଡ଼ି ମାରୁଥିଲା।ପରିବା ବଜାରରୁ କିଣା ହେଉ ନଥିଲା।ବେଳେ ବେଳେ କମ୍ପାଉଣ୍ଡର ବଇରାଗୀ ପଣ୍ଡା ଜବରଦସ୍ତି ମୁଣିଏ ପରିବା ତୋଳି ନିଅନ୍ତି;ବୋଉକୁ ସେ କହନ୍ତି…ତମ ବାଡି କଣ ଆମ ବାଡି କଣ ଭାଉଜ,ତମ ଘରେ ମୁଁ ଆଜି ପଖାଳ ଖାଇଥିଲେ,ଭଜା ସନ୍ତୁଳା କରି ତ ପୁଣି ଦେଇଥାନ୍ତ।ତେଲଲୁଣ ଖର୍ଚ୍ଚରୁ ଏବେ ରକ୍ଷା ମିଳିଲା ନା ନାହିଁ?” ବୋଉ ହସିଦେଇ କହେ.. ମୁଁ କଣ ତମକୁ ମନାକଲି ବଇରାଗୀ ?”

ଲକ୍ଷ୍ମୀ ରାଜୁତି କରୁଥିଲେ ଆମର ସେ ଘରେ ଓ ବାଡିରେ। ଏସବୁ ସମ୍ଭବ ହୋଇଥିଲା ବୋଉର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ। ତିନି ପୁଅ ତିନି ଝିଅଙ୍କର ଅଳିଅର୍ଦ୍ଦଳି ବୁଝି,ଦଶଟାରେ ନନା ସ୍କୁଲ ଯିବା ପୂର୍ବରୁ ତାଙ୍କପାଇଁ ଛ’ତୁଉଣ,ନ’ ଭଜା କରି ଖାଇବାକୁ ଦେବା ସହିତ ବଗିଚା ଓ ଗାଈଗୋରୁଙ୍କ କଥା ସେ କେମିତି ଠିକ୍ ସମୟରେ ବୁଝିପାରୁଥିଲା,ଏବେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ।ମତେ ଲାଗେ, ଦୁର୍ଗାଙ୍କ ପରି ତାର ଦଶଭୁଜ ଥିଲା।ସବୁ ବୋଉମାନେ ବୋଧହୁଏ ଏମିତି।

ପାଠଘରେ ବୋଉ ଥିଲା ଶ୍ରୀଅକ୍ଷର ବିବର୍ଜିତ ବରୁଣେଇ ପାହାଡ଼, ଅର୍ଥାତ୍ ଖୋର୍ଦ୍ଧା ନିକଟସ୍ଥ ବରୁଣେଇ ପାହାଡ଼ ଯେଉଁ ପରି ଲଣ୍ଡା,ବୋଉର ପାଠଘର ସେହିପରି ଶୂନ୍ୟ ଥିଲା। ‘ସେବତୀ ଦେବୀ’ବୋଲି ପାଞ୍ଚଟି ବର୍ଣ୍ଣ ସେ ବଡ କଷ୍ଟରେ ଶିଖିଥିଲା,ତାହା ପୁଣି ନନାଙ୍କ ଅନ୍ତେ ମାସିକ ପେନସନ ଉଠାଇବା ପାଇଁ;ଏଥିରୁ ତାର ପାଠର ଦଉଡ ଜାଣିହୁଏ। ଇଂରାଜୀ ଶବ୍ଦ କହିବାକୁ ତାକୁ ବଡ କଷ୍ଟ ହେଉଥିଲା।ବାୟୋକେମିକ୍ ଔଷଧକୁ ସେ କହୁଥିଲା “ବାଇକୁନି” ଓଷଦ;ମିକଶ୍ଚର ଶବ୍ଦଟି ତା ପାଟିରେ ପଶୁନଥିଲା;ତାକୁ ସେ କହୁଥିଲା ମିଷ୍ଟର। କିନ୍ତୁ ଘରକରଣା ଓ ହିସାବ କିତାବରେ ତାର ମୁଣ୍ଡ କମ୍ପ୍ୟୁଟର ଠାରୁ ଆହୁରି ଅଧିକ ଥିଲା।ସେ ଯେତେ ପ୍ରକାର ପିଠାପଣା କରି ଜାଣିଥିଲା,ପଞ୍ଚତାରକା ହୋଟେଲର ସେଫ୍ ମାନଙ୍କୁ ମଧ୍ୟ ଜଣାନଥିବ।ତା ହାତ ତିଆରି ନଡ଼ିଆ ପୂରଦିଆ ଘୋରାମଣ୍ଡା ଆଗରେ ରସଗୋଲା ମଧ୍ୟ ଫିକା ପଡ଼ିଯିବ। ଗୁରୁବାର ଉଜୁଆଁ ସମୟରେ ସେ ଯେତେ ପ୍ରକାରର ପିଠା ତିଆରି କରେ ତାହା ମନେରଖିବା ଅସମ୍ଭବ।ମନେ ପଡ଼ିବା ଭିତରେ ଆରିସା, କାକେରା,ଛଣାମଣ୍ଡା,ଘୋରାମଣ୍ଡା, ଗଇଁଠା,ବରା, ଦହିବରା,ଜାଉ,ଖିରୀ,ଦହିଭାତ,ଗହମଖିରୀ,ମୁଗ ମଣ୍ଡା ଇତ୍ୟାଦି ପ୍ରମୁଖ। ଗୁରୁବାର ଉଜୁଆଁର ଦୁଇଦିନ ପୂର୍ବରୁ ରାତି ଅନିଦ୍ରା ରହି ଏସବୁ ପିଠାପଣାରୁ ଗାଡିଏ ତିଆରି ହୁଏ ସାଇପଡିଶା, ବନ୍ଧୁବାନ୍ଧବ ବାଣ୍ଟିବା ପରେ ଘରେ ଖାଇବା ପାଇଁ। ଗୁରୁବାର ପରେ ମଧ୍ୟ ଶିକାରେ ଆରିସା ସାଇତା ହୋଇ ରଖାଯାଇଥାଏ। ଅନେକ ଦିନ ପର୍ଯ୍ୟନ୍ତ ପୌଷ/ମାଘ ମାସ ସକାଳେ ଖରାକୁ ପିଠି କରି ଆମେ ମୁଢ଼ି ଆରିସା ଖିଆର ମଜା ନେଉଥିଲୁ।ସେଥିରେ ଥାଏ ଅମୃତର ତୃପ୍ତି।

ତଳପଟେ ଥିଲା ରୋଷେଇ ଘର ଏବଂ ଢିଙ୍କିଶାଳ।ଦାଣ୍ଡପଟେ ଛାତିଏ ଉଚ୍ଚର ଉଞ୍ଚୁପିଣ୍ଡା(ଉଞ୍ଚା ପିଣ୍ଡା)।ଚାଳ ଛପର ଘର।ଏତେ ବଡ଼ ଘର ପାଇଁ ପ୍ରତିବର୍ଷ ଦଶ ଗାଡ଼ି ନଡ଼ା ଲାଗୁଥିଲା। ବିଜୁଳି ନଥିଲା।ଲଣ୍ଠଣ ଏବଂ ଡିବି ଆଲୁଅରେ ଘର ଆଲୋକିତ ହେଉଥିଲା ଏବଂ ଆମମାନଙ୍କର ପାଠପଢା ବି ସେଥିରେ ହେଉଥିଲା।ବର୍ଷାଦିନେ ଚିତିସାପ ଚାଳରୁ ଉପରେ ପଡ଼ିବା ସାଧାରଣ ଘଟଣା ଥିଲା। ବର୍ଷା ଦିନେ ଡିବି/ ଲଣ୍ଠନ ଆଲୁଅ ଦେଖି ଉପରକୁ ମାଡିଆସନ୍ତି ଗାଡ଼ିଏ ସରିକି ଝଡିପୋକ ଏବଂ ଅନ୍ୟାନ୍ୟ ଉଡାପୋକ।କବାଟ ବନ୍ଦକରି ଘରଭିତରେ ବସି ଆମେ ପାଠପଢୁ/ରାତି ଭୋଜନ କରୁ।

ନନାଙ୍କ ଔଷଧ ଘରକୁ ଆମ ପିଲାମାନଙ୍କ ପାଇଁ ପ୍ରବେଶ ନିଷେଧ ଥିଲା। ତା‌ହା ଥିଲା ବିଭିନ୍ନ ପ୍ରକାରର ଆୟୁର୍ବେଦିକ୍ ,ହୋମିଓ ପାଥିକ୍ ଏବଂ ବାୟୋକେମିକ୍ ଔଷଧର ଭଣ୍ଡାର। ଝରକା ଫାଙ୍କରେ ଭିତରୁ ଆସୁଥିବା ଔଷଧର ମହମହ ଗନ୍ଧ ଆମେ ଆଘ୍ରାଣ କରୁ।କେଶର,କସ୍ତୁରୀ,ଶିଳାଜିତ,ଅଶ୍ବଗନ୍ଧା, ବିଭିନ୍ନ ଭସ୍ମ ଏବଂ ଅନେକ ସୁଗନ୍ଧିତ ଚେରମୂଳି ପଡ଼ି ତିଆରି ହୋଇଥିବା ଔଷଧର ବାସ୍ନା ପରିବେଶକୁ ମହକାଇ ଦେଉଥିଲା। ଫାଇଲେରିଆ ପାଇଁ ଏକ ଅବ୍ୟର୍ଥ ଔଷଧ ନନା ନିଜେ ତିଆରି କରୁଥିଲେ।ସେ ଔଷଧ ତିନି ମାସ ଖାଇଲେ ବାତ ଜର ଆଉ ଆସେନାହିଁ କିମ୍ବା ଗୋଡ଼ ଗୋଦର ହୁଏନାହିଁ। ତାହା ‘ବାତଜର’ ଔଷଧ ନାମରେ ଆଖପାଖରେ ପ୍ରସିଦ୍ଧି ଲାଭ କରିଥିଲା।ପେଟର ସମସ୍ତ ରୋଗ ନିରାକରଣ ପାଇଁ ନନା “ନୃପତି ବହ୍ଲଭ”ନାମକ ଗୋଟିଏ ଔଷଧ ନିଜେ ହାତରେ ପ୍ରସ୍ତୁତ କରୁଥିଲେ। ସେହି ଔଷଧର ଚାହିଦା ସେ ସମୟରେ ବହୁତ ଥିଲା।ତାଙ୍କ ପ୍ରଦତ୍ତ ମହୁ, ଅଦାରସ ସହିତ “ମକରଧ୍ବଜ” ନାମକ ଔଷଧ ବ୍ୟବହାର କରି ଲୋକେ ଦୁରାରୋଗ୍ୟ କାଶ ରୋଗରୁ ଆରୋଗ୍ୟ ଲାଭ କରିବା ଆମେ ଦେଖିଛୁ।ଛାଗଳାଦି ଘୃତ ନାମକ ଏକ ଔଷଧ ନନା ତିଆରି କରୁଥିଲେ। ବିଭିନ୍ନ ପ୍ରକାରର ଚେରମୂଳି ସହିତ ଗୋଟିଏ ଛାଗଳର ମାଂସ ସିଦ୍ଧ ହୋଇ ଏହା ପ୍ରସ୍ତୁତ ହେଉଥିଲା।ଏହା ବ୍ୟବହାର କରି ଦୁବୁଲା ପତଳା ଲୋକ ଅଳ୍ପ ଦିନରେ ମୋଟାସୋଟା ହୋଇ ଯାଉଥିଲେ।ମୋର ମନେଅଛି ଗଦେଇ ନାମକ ବଜାର ସାହିର ଜନୈକ ଗୁଡିଆ ନିଜ ପତଳା ସ୍ବାସ୍ଥ୍ୟ ପାଇଁ ଏତେ ଚିନ୍ତିତ ଥିଲା ଯେ ନନାଙ୍କ ଠାରୁ ଛାଗଳାଦିଘୃତ ନେବାପାଇଁ ତାକୁ ତର ସହିଲା ନାହିଁ।ଅଳ୍ପଦିନ ଭିତରେ ସେ ବେଙ୍ଗଭଳି ଫୁଲିଗଲା।ତାର ବର୍ଦ୍ଧିତ ଅବୟବ ଦେଖି ଅନେକେ ତାକୁ ଚିହ୍ନି ପାରିଲେ ନାହିଁ। ଔଷଧ ଦେବା ସମୟରେ ନନା ତାକୁ କହିଥିଲେ…ଖାଲି ଔଷଧ ଖାଇ ଘରେ ବସିଲେ ହେବନାହିଁ। ସବୁଦିନ ପରିଶ୍ରମ କରିବାକୁ ପଡିବ। କିନ୍ତୁ କୌଳିକ ବୃତ୍ତି ସମ୍ପାଦନ କରିବା ପାଇଁ ଚୁଲିମୁଣ୍ଡରେ ବସି ବରା, ପିଆଜି ଛାଣିବା ଲୋକର ଶାରୀରିକ ପରିଶ୍ରମ ଆସିବ କୁଆଡୁ ?

ନନା ଅନେକ ଲୋକଙ୍କୁ ମାଗଣାରେ ଔଷଧ ବିତରଣ କରି ଆରୋଗ୍ୟ କରିବା କଥା ଆମେ ଜାଣିଛୁ।ମାଧବେରେଣୀ ନାମକ ନିକଟସ୍ଥ ଗୋଟିଏ ଗାଁର ଜଣେ ମୂଲିଆ ଶ୍ରେଣୀର ଭଦ୍ରବ୍ୟକ୍ତି ଦୂରାରୋଗ୍ୟ ପେଟରୋଗରେ ଆକ୍ରାନ୍ତ ହୋଇଥିଲେ।ସେ ମୃତ୍ୟୁକୁ ଅତି ନିକଟରେ ଦେଖି ପାରୁଥିଲେ। ଔଷଧ ଦେଇ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପ୍ରତିଦିନ ନିରୀକ୍ଷଣ କରିବା ଆବଶ୍ୟକ ଥିଲା। ସେତେବେଳେ ଆଜିକାଲି ଭଳି ଗାଡ଼ି ମଟର ଚଳପ୍ରଚଳ ନଥିଲା। ସବୁଦିନ ଶଗଡ଼ ଗାଡ଼ିରେ ଯିବା ଆସିବା କଲେ ସ୍ବାସ୍ଥ୍ୟ ଆହୁରି ଖରାପ ହୋଇଥାନ୍ତା।

ଗୋଟିଏ ପଟେ ଯମଦୂତମାନେ;ଅନ୍ୟପଟେ ନନା;ଚାଲିଲା ଟଣା ଓଟରା।ସେହି ଗରିବ ଲୋକଟିର ପରିବାରକୁ ନନା ତିନିମାସ ପର୍ଯ୍ୟନ୍ତ ଘରେ ଆଶ୍ରୟ ଦେଇ ଚିକିତ୍ସା କଲେ।ଈଶ୍ବରଙ୍କ ଦୟାରୁ ନୂଆ ଜୀବନ ପାଇ ଲୋକଟି କୃତକୃତ୍ୟ ହୋଇ ଗାଡିଏ ଆଶୀର୍ବାଦ ଦେଇ ଗାଁକୁ ଚାଲିଯାଇଥିଲା। ତାପରେ ବଞ୍ଚିଥିବା ପର୍ଯ୍ୟନ୍ତ ମଝିରେ ମଝିରେ ଆସି ଆଳୁ ସାରୁ ବାଇଗଣ ମୁଗ ବିରି, ଯାହା କିଛି ତା’ ବିଲରେ ଆଦାୟ ହୁଏ ,ବାରଣ ସତ୍ତ୍ୱେ ସେଥିରୁ କିଛି ପିଣ୍ଡାରେ ଅଜାଡ଼ି ଦେଇ ଚାଲିଯାଏ।ମନାକଲେ କହେ..ଏ କିଛି ନୁହେଁ ବାବୁ,ତମେ ମତେ ନୂଆ ଜୀବନ ଦେଇଚ,ତା ବଦଳରେ ସ୍ନେହ ଆଞ୍ଜୁଳେ ଦେଇ ପାରିବିନି !ମନା କରନି।”

କ୍ରମଶଃ…..

Click to rate this post!
[Total: 0 Average: 0]

Leave a Reply