Sunday, June 23, 2024
Stories

ମୋ ଗାଁ ମୋ ଘର(୧୪)

ମୋ ଗାଁ ମୋ ଘର
୧୪
===============================
ଧୂଆଁଳିଆ ଦର୍ପଣ
===============================
ହଁ, ଧୂଆଁଳିଆ ଦର୍ପଣର ଛବି ପରି ଅତୀତ ଆଜି ମନ ଆଇନାରେ ପ୍ରତିବିମ୍ବିତ ହେଲାଣି। କୁସୁମୀ କୂଳର ଜଙ୍ଗଲ ପରିବେଶରେ କଟିଥିଵା ଅବିସ୍ମରଣୀୟ ଦିନ ଗୁଡ଼ିକ ସେହି ଦର୍ପଣ ଭିତରୁ ଉଙ୍କି ମାରିଲେଣି।ଖଣ୍ଡପଡ଼ା ଗଡର ଦାଣ୍ଡସାହିର ଗହଳିଚହଳି ଘର ଛାଡ଼ି ନନା କାହିଁକି ଯେ ଜଙ୍ଗଲ ଭିତରେ ଆସି ଘର କଲେ, ବେଳେ ବେଳେ ବୁଝି ହୁଏନାହିଁ। ଶ୍ମଶାନକୁ ଲାଗି ରହିଥିବା ବାଲୁକେଶ୍ବର ଶିବମନ୍ଦିର ଥିଲା ଆମର ପଡିଶା ଘର।

ଶିବ ସିନା ଶ୍ମଶାନ ବିହାରୀ;ଆମକୁ କିନ୍ତୁ ଡର ଲାଗେ ଯେତେବେଳେ ଶ୍ମଶାନରେ ଧୂ ଧୂ ହୋଇ ଜଳୁଥିବା ଶବମାନଙ୍କର ପୋଡା ଗନ୍ଧ ପବନରେ ଭାସି ଆସି ଆମ ନାକରେ ବାଜେ। ଗାଁ ଶେଷ ମୁଣ୍ଡରେ ମଶାଣିରୁ ଅନତି ଦୂରରେ ଠିଆହୋଇଥିବା ଏହି ଘର ଚାରିପାଖରେ ସନ୍ଧ୍ୟା ନଇଁଲେ ଛାଇଯାଏ ହିମଶୀତଳ ନୀରବତା।ଖଣ୍ଡପଡାର ମୁଖ୍ୟ ବସତିର କୋଳାହଳରୁ ବିଛିନ୍ନ ହୋଇଯାଏ ଆମ ଘର ।ସହଜେ ତ ବିଜୁଳି ଆଲୁଅ ନଥାଏ;ଘର ଭିତରେ ଦିକ୍ ଦିକ୍ ଜଳୁଥାଏ ଡିବି ଆଲୁଅ।ଦାଣ୍ଡପଟ ଓ ବାରିପଟ କବାଟ କିଳି ଆମେ ସବୁ ଘର ଭିତରେ ରହୁ। ନିକଟସ୍ଥ ଗହୀର ବିଲରୁ ଘଡିକି ଘଡ଼ି ବିଲୁଆ ମାନଙ୍କର ଶୁଣାଯାଏ ହୁକେ ହୋ ଶବ୍ଦ।

ଶୀତଦିନେ ରାତି ଟିକିଏ ଅଧିକ ହେଲେ ଦାଣ୍ଡପଟ ଧାନ ଖଳାକୁ ଲାଗି ଠିଆ ହୋଇଥିବା ବରକୋଳି ଗଛ ତଳେ ଗାଡଭାଲୁ (ଏକ ଛୋଟ ପ୍ରଜାତିର ଭାଲୁ) ଘୁଡୁ ଘୁଡୁ ଶବ୍ଦକରି ବରକୋଳି ଖାଉଥାନ୍ତି।ବାହାରକୁ ଯିବାକୁ ଡର ଲାଗେ,କ୍ରମେ ରାତି ଗଭୀର ହେଲେ ଶିଆଳ,ଭାଲୁ,କଲରାପତରିଆ, ଢ଼ିଙ୍କିଆ,ବାର୍ହା ପ୍ରଭୃତି ଜନ୍ତୁମାନେ ବିଚରଣ କରନ୍ତି। ଝରକା ଖୋଲି ବାହାରକୁ ଚାହିଁଲେ କିଟିମିଟି ଅନ୍ଧାର।ଘର ସାମ୍ନାରେ ରାସ୍ତା ଦୁଇକଡରେ ଠିଆ ହୋଇଥିବା ବର ଏବଂ ଓସ୍ତ ଗଛ ମାନଙ୍କର ଡାଳ ଭିତରେ ଦିପ୍ ଦିପ୍ ହୋଇ ଜଳୁଥାନ୍ତି ଜୁଳୁଜୁଳିଆ ପୋକ। ସେହି ଗଛ ମାନଙ୍କରେ ଅଡ଼ୁଆ ବାଳ ଉପରେ ଲୁହା କଣ୍ଟା ବାଡିଆ ହୋଇ ଭୂତ/ଡାହାଣୀ କିଳା ହୋଇଥାନ୍ତି। ଆମକୁ ଲାଗେ ସେହି ବର ଏବଂ ଓସ୍ତ ଗଛ ଉପରେ ଡାହାଣୀମାନେ ବସି ଯେମିତି ଆମ ଘର ଭିତରକୁ ଚାହିଁ ରହିଛନ୍ତି।ଧଡକରି ଝରକା କିଳିଦେଇ ଆମେ ମୁହଁ ଘୋଡେ଼ଇ ଶୋଇଯାଉ।ଘର ଚାରିପଟେ ବୁଲୁଥିବା ଜୀବଜନ୍ତୁଙ୍କ ଡରରେ ଶୀତ ରାତି ଆହୁରି ଲମ୍ବା ହେଇଯାଏ।ନନା(ବାପା)ପ୍ରାୟ ସବୁଦିନ ରାତି ଦଶଟା ପରେ ଘରକୁ ଫେରନ୍ତି।

ମୋର ଜନ୍ମ ବର୍ତ୍ତମାନର “କୁସୁମୀକୂଳ ଘରେ” ହୋଇନଥିଲା। ଖଣ୍ଡପଡ଼ାର କାଦୁଆସାହିରେ ଭଡ଼ାଘରେ ମୋର ଜନ୍ମ।ମତେ ଯେତେବେଳେ ବର୍ଷେ ପୂରିଲା, ନନା ସେତେବେଳେ କୁସୁମୀ କୂଳକୁ ଆସି ଘର ବସେଇଲେ।ମୋ ଉପରେ ଦୁଇଭାଇ ଥିଲେ। ତେଣୁ ମୁଁ ଜନ୍ମ ହେବା ସମୟରେ ବୋଉକୁ ଧାଈ କହିଲେ.. ଏଇଟା ଛ’କାନିଆ।ରୀଷ୍ଟ ଖଣ୍ଡନ ପାଇଁ ଏକୋଇଶିଆ ଦିନ(ପୁଅ ମାନଙ୍କର ଏକୋଇଶିଆ ଉତ୍ସବ ଓ ଝିଅମାନଙ୍କ ପାଇଁ ମାସିକିଆ ଉତ୍ସବ ପାଳନ କରାଯାଉଥିଲା) କାନ ଫୋଡେଇ ଦିଅ,ଆଉ ଷଠୀବୁଢୀକୁ ସନ୍ତୁଷ୍ଟ କରିବାକୁ କିଛି ପୂଜାର୍ଚ୍ଚନା କର।ପିଲା ଉପରେ ଯମ ଲୋଭେଇବ ନାହିଁ।”

ସେଥିପାଇଁ ମତେ ଯେତେବେଳେ ଏକୋଇଶି ଦିନ ହୋଇଥାଏ,ମୋ କାନ ସୁନା ତାରରେ ଫୋଡେଇ ଦିଆଗଲା। ରାକମା ଗାଁ’ରୁ ପିଇସୀ ନାନୀ ଆସିଥାନ୍ତି।ମତେ କୋଳରେ ଧରି ଗେଲ କରିବା ସମୟରେ ମୋ କାନରେ ହଲୁଥିବା ସୁନାର ନୋଳି ଦେଖି କହିଲେ ” କେଡେ ସୁନ୍ଦର ନୋଳି ହଲୁଚି କାନରେ,ନୋଳି ହଲୁଚି ନୋଳି”। ସେଇଠୁ ମତେ ସମସ୍ତେ ନୋଳି ବୋଲି ଡାକିଲେ ଏବଂ ମୋ ଡାକ ନାଁ ନୋଳି ହୋଇଗଲା;ଛଅ କାନିଆ ପାଇଁ ଉପଯୁକ୍ତ ନାମ। ବନ୍ଧୁବାନ୍ଧବ ମାନଙ୍କ ପାଖରେ ଏବେ ବି ମୁଁ ନୋଳି ନାମରେ ପରିଚିତ।

କିଛି ବର୍ଷତଳେ ଗାଁର ଜଣେ ଗୁଣ୍ଡା ଶ୍ରେଣୀର ଲୋକ ସହିତ ଅନିଚ୍ଛା ସତ୍ତ୍ବେ ଝଗଡା ହୋଇଗଲା।ସେ ମୋତେ ନୋଳିରୁ ‘ନୋଳିଆ’ରେ ପରିଣତ କରିଦେଇ ବଡ଼ ପାଟିରେ କହୁଥାଏ…ରହ ନୋଳିଆ,ତୋ କଥା ବୁଝୁଛି।” ନୋଳିଆ ବୋଲି ସମ୍ବୋଧନ କରି ମତେ ଗାଳି ଦେବାପାଇଁ ସେ ଲୋକକୁ ଭଲ ଲାଗୁଥାଏ;ମତେ ବି ଖୁସି ଲାଗୁଥାଏ।

ଆମ ବାଡିପଟେ ତିନି ଚାରୋଟି ଖଜୁରୀ ଗଛ ଥାଏ।ଗଛରେ କୋଳି ପାଚିଲେ ଅଦୂରରେ ଥିବା ତଅଁଳା ସାହିର ପିଲାମାନେ ଗଛକୁ ଫୋପଡ ମାରି କୋଳି ତୋଳନ୍ତି ଏବଂ ଅଣ୍ଟି ପୂରିଗଲେ ସେ ସ୍ଥାନ ଛାଡି ଦଉଡ଼ି ଯିବା ସମୟରେ ବଡ଼ ପାଟିରେ , କୋଳି ସହିତ ନୋଳି ନାମରେ ଜମକ ପକାଇ କହନ୍ତି… କୋଳି ଖାଇଲେ ହେ ! ନୋଳି ବାବୁ। ଧାଇଁ ଆସ।” ଏହା ଶୁଣି ଆମ ଘରେ ସମସ୍ତେ ହସିଉଠନ୍ତି।ଆପେ ଆପେ ମୋ ହାତ ମୋ କାନ ଉପରକୁ ଚାଲିଯାଏ…ସୁନା ତାର ବଦଳରେ ସେତେବେଳକୁ କାନରେ ଲାଗିଥାଏ ଦୁଇଟି ସୁନାଫୁଲ। ଏହି ଛୋଟ ସୁନାଫୁଲ ଦୁଇଟି ସପ୍ତମ ଶ୍ରେଣୀ ପଢ଼ିବା ପର୍ଯ୍ୟନ୍ତ ମୋର ସାଥୀ ହୋଇ କର୍ଣ୍ଣମଣ୍ଡନ କରିଥିଲେ।

ଏବେ ମୋର ଦୁଇ କାନର ପରିରେ ଦୁଇଟି ବଡ ବଡ ଫୋଡ ବା କଣା ଅଛି।ସେ ସମୟରେ ପାଲାକାରମାନେ କାନରେ କୁଣ୍ଡଳ ଲଗାଉଥିଲେ।ପାଲା ପ୍ରତି ମୋର ବହୁତ୍ ଆକର୍ଷଣ ଥିଲା। ପାଲାକାରଟିଏ ହୋଇଥିଲେ ମତେ ସୁବିଧା ହୋଇଥାନ୍ତା କୁଣ୍ଡଳ ଲଗାଇବା ପାଇଁ।

ତିନି ଭାଇଙ୍କ ଭିତରେ ମୁଁ ଥିଲି ସବୁଠାରୁ ଡରୁଆ।ସଞ୍ଜ ହେଲେ ଘରେ ବୋଉ ପାଖରେ ଗୁଞ୍ଜିହେଇ ବସୁଥିଲି।ମୋ ଉପର ଭାଇ(ମୋ ଠାରୁ ତିନିବର୍ଷ ବଡ଼)ବଡ ସାହସୀ।ସଞ୍ଜ ଗଡିଯାଇ ରାତିହେଲେ ମଧ୍ୟ ସାଇରେ ଡିଆଁ ଡେଇଁ କରି ଡେରିରେ ଘରକୁ ଫେରେ। ବୋଉଠାରୁ ଅଜସ୍ର ଗାଳି ଖାଏ। କୁମ୍ଭାର ସାହି ଓ ତଅଁଳା ସାହିର ପିଲାଙ୍କ ସାଙ୍ଗରେ ପଡ଼ି ବିଡି ଟାଣିବା ଆରମ୍ଭ କରିଦେଇଥାଏ।ପାଠ ଅପେକ୍ଷା ଶାଠରେ ବେଶି ମନ।ସାହି ପିଲାଙ୍କ ସାଙ୍ଗରେ ମିଶି କାଠହଣା, ମାଛଧରା,ଛତୁତୋଳା ଓ ନଈ ପହଁରାରେ ଏବଂ କୁସୁମୀ ନଈବାଲିରେ ଡୁ ଡୁ/ବୋହୂଚୋରୀ ଖେଳରେ ସେ ଓସ୍ତାଦ।ବହିପତ୍ର ଧରି ସ୍କୁଲକୁ ଯାଏ କିନ୍ତୁ ଗୋହିରିଦାଣ୍ଡ ନାମକ ଗୋଟିଏ ଯାଗାରେ ପୋଲ ତଳେ (culvert) ବହି ବସ୍ତାନି ରଖିଦେଇ ନାଗନା(ରାଜାଙ୍କ ବଗିଚା) ନାମକ ଗୋଟିଏ ସ୍ଥାନକୁ ଯାଇ ପିଜୁଳି ଖାଇବା, ପୋଖରୀରୁ ପଦ୍ମଫୁଲ ତୋଳିବା,ନଈପଠାରୁ ଜାମୁକୋଳି ତୋଳିବା ଇତ୍ୟାଦି କାମରେ ଲାଗିଥାଏ।ତାର ସେଥିପାଇଁ ଗୋଟିଏ ସ୍ବତନ୍ତ୍ର ଦଳ ଥାଏ ଏବଂ ସେ ଦଳରେ ମୋତେ ମିଶିବାକୁ ସେ ଦିଏ ନାହିଁ ।ଥରେ ବର୍ଷା ହେବା ଯୋଗୁଁ ପୋଲ ତଳେ ରଖିଥିବା ବହି ବସ୍ତାନି ପାଣିରେ ଭାସିଗଲା।ସେଥର ବୋଉଠାରୁ ବହୁତ ଗାଳି ଶୁଣିଲା ଭାଇନା। ଭାଇନା ଏବଂ ମୁଁ ଆମେ ଯଥାକ୍ରମେ “ବିଛୁଆତି” ଏବଂ ପୋତାମୁହାଁ ନାମରେ ପରିଚିତ ଥିଲୁ।

ମୁଁ ମାଇନର ସ୍କୁଲରେ ନାଁ ଲେଖାଇବା ପରେ ଭାଇନା ଉପରେ ଦାୟିତ୍ଵ ରହିଲା ମତେ ସାଙ୍ଗରେ ନେଇ ସ୍କୁଲ୍ ଯିବାପାଇଁ। ଭାଇନା ମତେ ମଣିକାଣ୍ଡ ସାହିରେ ଥିବା ଗୁଣ୍ଡିଚା ମଣ୍ଡପ ପଛପଟେ ବସେଇଦେଇ,”ପାଠ ପଢୁଥା” ବୋଲି କହି ତାର ଦୁଷ୍ଟାମୀ କାମରେ ଚାଲିଯାଏ। ସ୍କୁଲ୍ ଛୁଟି ସମୟ ହେଲେ ମୁଁ ଘରକୁ ଫେରେ। ଏହି କାମଟି ମତେ ସୁହାଉଥାଏ,କାରଣ ମାଇନର ସ୍କୁଲରେ ଥିବା ଲୋକନାଥ ସାରଙ୍କ ମାଡ଼ ଭୟରେ ମତେ ସ୍କୁଲ୍ ଯିବାକୁ ମୋଟେ ଇଚ୍ଛା ନଥାଏ। ଲୋକନାଥ ସାର୍,ପାଠ ନଆସିଲେ ପିଲାଙ୍କର ବେକମୁଣ୍ଡାକୁ ଧରି, ଟେକି ତଳେ କଚାଡି ଦିଅନ୍ତି।ଡରରେ ପିଲାଙ୍କର ପେଣ୍ଟରେ ଏକ/ଦୁଇ ହୋଇଥାଏ। ଆମର ଏହି ସ୍କୁଲ ବର୍ଜନ ଯୋଜନା କିନ୍ତୁ ଅଳ୍ପଦିନ ଭିତରେ ଧରାପଡିଯାଇଥିଲା ଏବଂ ଆମକୁ ସ୍କୁଲ ଯିବାକୁ ପଡ଼ିଲା।।

ଆମମାନଙ୍କର ପଢ଼ାପଢ଼ି ପ୍ରତି ନନାଙ୍କ ନଜର ନଥାଏ।ତାଙ୍କ ଶିକ୍ଷକତା, କବିରାଜି, ଢୁମ୍ପା ସଙ୍ଗୀତ, ନାଚଗୀତ ଗଞ୍ଜପାଖେଳ ଇତ୍ୟାଦି ପରେ ସମୟ କାଢି ଆମମାନଙ୍କର ପାଠପଢ଼ା ପ୍ରତି ସେ ଦୃଷ୍ଟି ଦେଇ ପାରନ୍ତି ନାହିଁ। ବୋଉ ତ ସହଜେ ଶ୍ରୀଅକ୍ଷର ବିବର୍ଜିତା।ବୋଉ ଅଭିଯୋଗ କଲେ ନନା କହନ୍ତି..ପିଲା ନିଜ ପ୍ରୟାସରେ ପାଠ ପଢିବା ଉଚିତ।ପିଲାଙ୍କୁ କଣ ପାଠ ବାଟିକରି ପିଆଇ ଦିଆଯାଏ ?ଯିଏ ପଢିବାକଥା ସିଏ ପଢିବ।”

ଅଗଣା ଭିତରେ ପାଇଖାନା ନଥାଏ।ବାଡିପଟେ ଗୋଟିଏ ବରପାଲି ପାଇଖାନା ପଡ଼ିଥାଏ।ଦିନବେଳେ ପ୍ରକୃତି ଡାକରା ଆସିଲେ(ଗୁରୁଶଙ୍କା) କିଛି ଅସୁବିଧା ନଥାଏ। କିନ୍ତୁ ରାତିରେ ସେହି ଡାକରା ଆସିଲେ ବଡ଼ ପ୍ରମାଦ।ଘର ସାମ୍ନାରେ ଥିବା ବାଡ଼ ମୂଳକୁ ଯିବାକୁ ପଡେ ଉଶ୍ୱାସ କରିବାପାଇଁ। ବୋଉ ହାତରେ ଲଣ୍ଠଣ ଧରି ଜଗିବାକୁ ଯାଏ।ଥରେ ରାତିରେ ମତେ ଗୁରୁଶଙ୍କା ସମାପନ ପାଇଁ ଡାକରା ଆସିଲା।ବାଡ଼ କଡ଼ରେ ବସିଥିବା ସମୟରେ,ବାଡ ଆରପଟେ ଲୁଚିଥିବା ଗୋଟିଏ କଲରାପତରିଆ (leopard) ମତେ ଟେକି ନେବାପାଇଁ ଉଦ୍ୟତ ହେବାର ଦେଖି ମୁଁ ପାଟିକଲି..”ବୋଉ ଦେଖ୍,କେଡେ ବଡ କୁକୁର !” ବୋଉ ବିରକ୍ତ ହୋଇ ପାଟିକଲା..”ଖାଇ ଯାଉଚି ତତେ କୁକୁର। ସବୁବେଳେ ରାତି ଅଧରେ ମତେ ହଇରାଣ କଲୁ।” ବୋଉର ପାଟି ଶୁଣି କଲରାପତରିଆ ଟିକିଏ ପଛକୁ ଘୁଞ୍ଚିଗଲା।ଶଙ୍କା (ଡର) ମୋର ଗୁରୁଶଙ୍କା ଉପରେ ଭାରି ପଡ଼ିଲା। ଡରରେ ମୁଁ ଉଠିଆସିଲି। ସେହି ସମୟରେ ଘରଭିତରୁ ଆମ ପୋଷା କୁକୁର ଛୁଆଟି ବାହାରକୁ ଚାଲିଗଲା।ଆଖି ପିଛୁଳାକେ କଲରାପତରିଆ, କୁକୁର ଛୁଆକୁ ଝାମ୍ପିନେଇ ଚାଲିଗଲା।ପରଦିନ ସକାଳୁ, କୁକୁର ଛୁଆ ବେକରେ ଲଗାଯାଇଥିବା ଫିତାଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗହୀରବିଲ ଭିତରୁ ମିଳିଲା।
ସେତେବେଳେ ମୋର ବୟସ ପାଞ୍ଚ ବର୍ଷ ।
କ୍ରମଶଃ….

Click to rate this post!
[Total: 0 Average: 0]

Leave a Reply