Sunday, June 23, 2024
Stories

ବେଳକାଳ

ବେଳକାଳ
==========
ପାଖାପାଖି ଦୁଇଟି ସାଗୁଆନ ଗଛ;ଆକାଶକୁ ଛୁଇଁଛି ମଥାନ,ହୃଷ୍ଟପୃଷ୍ଟ ଆଖି ଦୃଷ୍ଟିଆ,ଯିଏ ଯାଉଛନ୍ତି ବୁ଼ହେ
ଚାହିଁ ରହୁଛନ୍ତି ଗଛ ଦୁଇଟିକୁ ଏବଂ କହୁଛନ୍ତି..ଗୋଟାକରୁ ଦଶ ବାର ଖଣ୍ଡ ପଟା ବିହାରିବା ନିଶ୍ଚିତ ।ଅତି କମରେ ଗୋଟିକ ପନ୍ଦର ହଜାରରୁ କମ୍ ହବନି।

ଲୋକଙ୍କ କଥା ଶୁଣି ଭୟରେ ଶିହରୀ ଉଠନ୍ତି ଗଛ ଦୁଇଟି..
କେଉଁ ଦିନ ଟାଙ୍ଗିଆ ବାଜିବ ମୂଳରେ କିଏ ବା ଜାଣେ।ପାଖ ଗୁହାଳରେ ଥିବା ବୋଦାଟିଏ ଗଛ ମାନଙ୍କ ଦଶା ଦେଖି ଓ କଥା ଶୁଣି ହସି ଦେଲା।

ସଗୁଆନ ଦୁଇଟି କହିଲେ..”ହସୁଥା ହସୁଥା,ତୋ ଅବସ୍ଥା ଆମଠୁ ହୀନ,ଦିନେ ତୋ ବେକରେ ଚୋଟ ପଡ଼ିବ ଯେ।” ଏହା ଶୁଣି ବୋଦା କହିଲା..ଅସମ୍ଭବ,ମୋ ମାଲିକ ତୁମ ମାଲିକ ଭଳି ଲୋଭୀ ନୁହେଁ।ସେ ମତେ ପୁଅ ଭଳି ପାଳିଛି।ସେ କହିବାର ମୁଁ ଶୁଣିଛି ଯେ ସେ ମତେ କାହାକୁ ବିକ୍ରି କରିବ ନାହିଁ।ମୋର କଂସେଇ ହାତରେ ମୃତ୍ୟୁ ନାହିଁ।

ଦିନେ କାଠ କଟାଳି ଆସି ମୂଲଚାଲ କଲେ,ମାଲିକ ବୁଢା ଗୋଟିଏ ଗଛକୁ ପଚିଶିହଜାରରୁ କମରେ ଦେବନାହିଁ ବୋଲି କହିଲା।କାଠ କଟାଳି କହିଲେ… ଦେଖନ୍ତୁ ଆଜ୍ଞା,ଫରେଷ୍ଟ ଡିପାର୍ଟମେଣ୍ଟରୁ ଅନୁମତି ମିଳିବନାହିଁ। ସେଥିପାଇଁ ଟେବୁଲ୍ ତଳିଆ ଦେବାପାଇଁ ପଡିବ।ଆମେ କୋଡିଏ ହଜାର ଦେଲେ ମଧ୍ୟ ପୋଷେଇବନି।ଆପଣ ଫରେଷ୍ଟ ଡିପାର୍ଟମେଣ୍ଟରୁ ଅନୁମତି ଆଣନ୍ତୁ,ଆମେ କୋଡ଼ିଏ ଦବାକୁ ରାଜି।

ମାଲିକ ବୁଢା କହିଲା..ମୋର ସେ ଝାମେଲାରେ କିଏ ପଶିବ ?ଅଗ୍ରିମ ଦାମ୍ ଦେଇ ରାତାରାତ୍ ଗଛ କରତରେ କାଟି ତମେ ଗାଏବ କରିଦିଅ।ସକାଳୁ ମୁଁ କହିବି ଗଛ ଚୋରି ହେଇଗଲା।”

ତାପରେ ଗଛକଟାଳି ଓ ମାଲିକ ଭିତରେ କଣ କଥାବାର୍ତ୍ତା ହେଲା ସାଗୁଆନ ଗଛ ଦୁଇଟି ଶୁଣି ପାରିଲେ ନାହିଁ। କିନ୍ତୁ ଗଛ କଟାଳି ଦୁହେଁ ଖୁସିରେ ବୁଢ଼ା ସହିତ କରମର୍ଦ୍ଦନ କରି କହିଲେ..ତାହେଲେ ଆସନ୍ତା କାଲି ରାତିରେ ଆମେ କାମ ବଢେଇ ଦବୁ।

ଗଛ ଦୁଇଟିଙ୍କୁ ରାତିସାରା ନିଦ ନାହିଁ। ଆସନ୍ତା ରାତିରେ ନିଶ୍ଚିତ ଭାବରେ ହଣାହେବେ ଭାବି ଭାବି ବିନିଦ୍ର ରାତି ପୁହାଇଲେ।

ପ୍ରଥମ ଗଛଟି ଦ୍ବିତୀୟ ଗଛକୁ କହିଲା..ଭାଇ,ଏତେ ଲୋକ ମହାମାରୀରେ ଗଲେ ଏ ବୁଢାଟା ଗଲାନି,ଆମ କାଳ ହେଵା ପାଇଁ ବଞ୍ଚି ରହିଛି।ସେଦିନ ରାତିରେ ଦୁଇଜଣ ଯମଦୂତ ଗଛ ତଳେ ଆଶ୍ରୟ ନେଇଥିଲେ।ସାଗୁଆନ ଗଛ ଦୁଇଟି ପଚାରିଲେ..ଭାଇମାନେ ଆପଣ କିଏ ଓ କେଉଁଆଡେ ଯାଉଛନ୍ତି।ଆପଣମାନଙ୍କ ବିଚିତ୍ର ଚେହେରା ଦେଖି ମନେ ହେଉନାହିଁ ଆପଣମାନେ ଏ ମର୍ତ୍ତ୍ୟଲୋକର ଅଧିବାସୀ।
ଆଶ୍ରୟ ନେଇଥିବା ବ୍ୟକ୍ତି ଦ୍ବୟ କହିଲେ..ଆମେ ଯମଦୂତ,ଆଜି ରାତିରେ ତୁମ ମାଲିକ ବୁଢ଼ାର ହାର୍ଟ ଆଟାକ’ରେ ମୃତ୍ୟୁ ହେବ।ଆମେ ଅପେକ୍ଷା କରିଛୁ ତାର ଆତ୍ମାକୁ ଯମଲୋକ ନେଇ ଯିବାପାଇଁ।

ଏହା ଶୁଣି ଆନନ୍ଦରେ କୃତକୃତ୍ୟ ହୋଇ ବୃକ୍ଷଦ୍ବୟ କହିଲେ.. ବାଃ,କି ଆନନ୍ଦର କଥା ! ଆମ ଜୀବନ ରକ୍ଷା ହୋଇଯିବ।ବୁଢ଼ାର ମୃତ୍ୟୁରେ ବ୍ୟଥିତ ପରିବାର କଣ ଗଛ କାଟିବେ, ନା ଆମେ ମରିବୁ ?

ଆନନ୍ଦ ଉଲ୍ଲାସରେ ବୃକ୍ଷଦ୍ବୟ ଯମଦୂତଙ୍କ ସହିତ ବନ୍ଧୁତା ବାନ୍ଧିଲେ ଏବଂ ହସଖୁସିରେ ମାତିଯାଇ ପଚାରିଲେ..ସାଙ୍ଗମାନେ ! ବୁଢାକୁ ମହାମାରୀରେ ନନେଇ ହାର୍ଟ୍ ଆଟାକରେ କାହିଁକି ନେଉଛ?

ଯମଦୂତମାନେ କହିଲେ… ମୃତ୍ୟୁ କାହା ଇଚ୍ଛା ଅନୁସାରେ ଆସେନାହିଁ,ସମୟ ଆସିବା ପୂର୍ବରୁ କେହି ମରେ ନାହିଁ।

ବୃକ୍ଷଦ୍ବୟ ଏକା ସାଙ୍ଗରେ ପଚାରିଲେ.. ବନ୍ଧୁ, ବର୍ତ୍ତମାନ ତୁମେ ଆମର ପ୍ରିୟ ମିତ୍ର; ଦୟାକରି କୁହ କେବେ ଆମର ଶେଷ ସମୟ ଆସିବ ?

କିଛି ନୀରବତା ପରେ ଯମଦୂତମାନେ କହିଲେ..ବୁଢାର ଏକମାତ୍ର ପୁଅ ବଡ ଅର୍ଥାଭାବରେ ଚଳୁଛି।ବାପାର ଶୁଦ୍ଧଘର ଚଳାଇବା ପାଇଁ ଆଉ ଚାରି ଦିନ ପରେ ସେ ତୁମ ଦୁହିଁକୁ କାଠ ବେପାରିକୁ ବିକ୍ରି କରିଦେବ। ସେଇଦିନ ହିଁ ତୁମର ଶେଷ ସମୟ ଆସିବ।ଏଇ ଯେଉଁ ବୋଦାଟି ତା’ର ଦୀର୍ଘାୟୁ ସ୍ଵପ୍ନ ଦେଖି ତୁମମାନଙ୍କୁ ତାତ୍ସଲ୍ୟ କରୁଥିଲା,ତାକୁ ତା ମାଲିକ ଧନଲୋଭରେ ବୁଢାର ପୁଅକୁ ବିକ୍ରି କରିଦେବ।ବୁଢାର ତେର ଭୋଜିରେ ତାର ମାଂସ ରନ୍ଧାହୋଇ ଅତିଥି ମାନଙ୍କୁ ପରୋଷା ଯିବ।

ଯମଦୂତ ଦ୍ବୟଙ୍କର ପାଟିରୁ କଥା ନସରୁଣୁ ଚିତ୍ରଗୁପ୍ତ ସେଠାରେ ପହଞ୍ଚି କହିଲେ..ମୂର୍ଖ ଯମଦୂତ ଦ୍ବୟ, ତୁମର ମଧ୍ୟ ତ୍ରାହି ନାହିଁ।ଯମଲୋକର ତଥ୍ୟ ଆଗରୁ ଲିକ୍ କରିବା ଅପରାଧରେ ଯମରାଜ ତୁମ ଦୁହିଁଙ୍କୁ କାମରୁ ବରଖାସ୍ତ କରିଛନ୍ତି ଏବଂ ମୃତ୍ୟୁ ଲୋକକୁ ପକାଇବାପାଇଁ ଆଦେଶ ଦେଇଛନ୍ତି।ତୁମ ଦୁହିଁଙ୍କୁ କାର୍ଯ୍ୟମୁକ୍ତ କରିବାକୁ ଆଉ ଦୁଇଜଣ ଯମଦୂତ ଆସୁଛନ୍ତି।

ଗଛ ଦୁଇଟି ଭାବୁଥିଲେ..ବଡ଼ କ୍ରୂର କାଳ ବଡ଼ ଅବିଶ୍ବାସୀ/ହାବୋଡିଯାଏଟି ଅକସ୍ମାତ ଆସି।କାହାର ପାଳି କେତେବେଳେ ଆସିବ କେହି କହିପାରିବେ ନାହିଁ, ଯମଦୂତମାନେ ମଧ୍ୟ ନାଚାର। କିନ୍ତୁ ବେଳକାଳ ଦିନେ ନା ଦିନେ ଆସିବ।
===================================

Click to rate this post!
[Total: 0 Average: 0]

Leave a Reply