Thursday, July 25, 2024
Stories

ନୀଳାଚଳ ଵାସୀ ଶ୍ରୀଜଗନ୍ନାଥ (୧୦)

ନୀଳାଚଳବାସୀ ଶ୍ରୀଜଗନ୍ନାଥ
ଭାଗ ୧୦
==================================
ରଥଯାତ୍ରାରେ ରକ୍ତପାତ ଓ ଅଗ୍ନିକାଣ୍ଡ
==================================
ଖ୍ରୀଷ୍ଟୀୟ ୧୬୧୦ ମସିହା କଥା।ସେତେବେଳେ ଦିଲ୍ଲୀଶ୍ବର ଥିଲେ ମୋଗଲସମ୍ରାଟ ଜାହାଙ୍ଗୀର ଏବଂ ଓଡ଼ିଶା ମୋଗଲ ଶାସନ ଅଧୀନରେ ଥିଲା।ମୋଗଲ ସମ୍ରାଟଙ୍କ ବଶ୍ୟତା ସ୍ବୀକାର କରି ଖୋର୍ଦ୍ଧା ରାଜଗାଦିରେ ଆସୀନ ଥିଲେ ଭୋଇ ବଂଶ ରାଜା ପୁରୁଷୋତ୍ତମ ଦେବ।ସେ ଥିଲେ ମଣିହୀନ ସର୍ପ; କିନ୍ତୁ ଜଗନ୍ନାଥଙ୍କ ପ୍ରଥମ ସେବକ ଭାବରେ ହିନ୍ଦୁ ମାନଙ୍କଠାରୁ ସେ ଠାକୁରରାଜାଙ୍କ ସମ୍ମାନ ପାଉଥିଲେ।

ଠିକ୍ ତିନିବର୍ଷ ପୂର୍ବରୁ ୧୬୦୭ ମସିହାରେ,ମୋଗଲ ସମ୍ରାଟ ‘ବଙ୍ଗଳା ସୁବା’ଠାରୁ ଅଲଗା ‌କରି ଓଡିଶା ପାଇଁ ଏକ ସ୍ବତନ୍ତ୍ର ସୁବା ସୃଷ୍ଟି କରିଥାନ୍ତି।ଓଡ଼ିଶା ସୁବା’ର ପ୍ରଥମ ସୁବାଦାର ଥିଲେ ହାସିମ୍ ଖାଁ।କଟକରେ ରହି ସେ ଓଡ଼ିଶା ସୁବାର ଶାସନ କାର୍ଯ୍ୟ ବୁଝୁଥିଲେ।କଟକ ନିକଟବର୍ତ୍ତୀ ଅଞ୍ଚଳରେ କେଶୁଦାସ୍ ନାମକ ଜଣେ ଜାଗିରଦାର୍ ଥିଲେ।ସେ ଥିଲେ ଜଣେ ରାଜପୁତ୍ ଯୋଦ୍ଧା ଏବଂ ସୁବାଦାର ହାସିମ୍ ଖାଁ’ ଙ୍କ ଅଧୀନସ୍ଥ କର୍ମଚାରୀ। କିନ୍ତୁ ମୋଗଲ ବାଦଶା ଜାହାଙ୍ଗିରଙ୍କର ସେ ଜଣେ ବିଶ୍ଵସ୍ତ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ।ଜାହାଙ୍ଗୀର ହିନ୍ଦୁ ବିରୋଧୀ ଥିଲେ;ଉଭୟେ ସୁବାଦାର ଓ ଜାଗିରଦାର୍,ନିଜନିଜ ବାଟରେ ମୋଗଲ ବାଦଶା’ଙ୍କୁ ଖୁସି କରିବାପାଇଁ ଆପ୍ରାଣ ଚେଷ୍ଟା କରୁଥିଲେ।

ଶ୍ରୀମନ୍ଦିର ଉପରେ ଆକ୍ରମଣ କରି ବିଭ୍ରାଟ ସୃଷ୍ଟି କରିବା ସଙ୍ଗେ ସଙ୍ଗେ କିଛି ଧନସମ୍ପତ୍ତି ଲୁଣ୍ଠନ କରି ମୋଗଲ ସମ୍ରାଟଙ୍କୁ ଭେଟି ଦେଇ ଖୁସି କରିବା ଉଦ୍ଦେଶ୍ୟରେ କେଶୁଦାସ୍ ଏକ ଘୃଣ୍ୟ ଯୋଜନା ପ୍ରସ୍ତୁତ କଲେ।କେଶୁଦାସଙ୍କର ଏହି ମାରାତ୍ମକ ଯୋଜନା ବିଷୟରେ ମନ୍ଦିର ସେବାୟତମାନେ ବିନ୍ଦୁବିସର୍ଗ ଜାଣିନଥିଲେ। ଜଗନ୍ନାଥ ଦର୍ଶନରେ ସବାନ୍ଧବ ଆସୁଛନ୍ତି ବୋଲି କେଶୁଦାସ ଆଗତୁରା ସେବାୟତ ମାନଙ୍କ ପାଖକୁ ସମ୍ବାଦ ପଠାଇଲେ।ଏହା ଶୁଣି ସେବାୟତମାନେ ଆନନ୍ଦିତ, କାରଣ ରାଜପୁତମାନେ ସାଧାରଣତଃ ଜଗନ୍ନାଥଙ୍କ ଭକ୍ତ; କେଶୁଦାସଙ୍କଠାରୁ ମନ୍ଦିର ପାଇଁ କିଛି ଦାନ ମିଳିବ ତଥା ମନ୍ଦିରର ଉନ୍ନତି ପାଇଁ ସେ କିଛି କରିବେ ବୋଲି ସେବାୟତମାନେ ଆନନ୍ଦିତ ଥିଲେ।

କିନ୍ତୁ ସାରୁ ଭିତରେ ମାରୁ ଥିଲା ବୋଲି କିଏ ଜାଣେ ?।କେଶୁଦାସ ରାଜପୁତ୍ ସୈନ୍ୟମାନଙ୍କୁ ଛଦ୍ମ ଯାତ୍ରୀ ବେଶରେ ମନ୍ଦିରରେ ପ୍ରବେଶ କରାଇବା ପରେ ଶ୍ରୀମନ୍ଦିର ଦଖଲ କରିନେଲେ ଏବଂ ଶ୍ରୀଜୀଉମାନଙ୍କ ସୁନା ଓ ରୂପାର ଅଳଙ୍କାର ଇତ୍ୟାଦି ଲୁଣ୍ଠନ କଲେ। ଶ୍ରୀମନ୍ଦିର ଯୁଦ୍ଧ ଛାଉଣୀରେ ପରିଣତ ହେଲା। ସେ ସମୟରେ ଶ୍ରୀଜୀଉମାନଙ୍କର ଗୁଣ୍ଡିଚା ଯାତ୍ରା ସମୟ।ଚତୁର୍ଦ୍ଧାମୂର୍ତ୍ତି ଗୁଣ୍ଡିଚା ମଣ୍ଡପରେ ରହିଥିଲେ।ସମସ୍ତଙ୍କ ଲକ୍ଷ୍ୟ ସେଠାରେ କେନ୍ଦ୍ରିଭୂତ।କେଶୋଦାସମାରୁ ରାଜପୁତ ସୈନ୍ୟମାନଙ୍କ ସହିତ ଗୁଣ୍ଡିଚା ମନ୍ଦିରରେ ଧସେଇ ପଶିଲେ।ଭକ୍ତ ଓ ସେବାୟତମାନେ ଏଭଳି କାର୍ଯ୍ୟରେ ବାଧା ଦେବାରୁ ଭୟଙ୍କର ଖଣ୍ଡଯୁଦ୍ଧ ଆରମ୍ଭ ହେଲା।ଭକ୍ତ ଓ ସେବାୟତମାନଙ୍କ ସଂଖ୍ୟା ଅଧିକ ଥିବାରୁ କେଶୋଦାସଙ୍କ ସୈନ୍ୟମାନେ ହାରିଯାଇ ଗୁଣ୍ଡିଚା ମଣ୍ଡପ ଭିତରେ ପଶି ଭିତରୁ କବାଟ ବନ୍ଦ କରିଦେଲେ।

ବାହାରୁ ଆକ୍ରମଣ ପ୍ରବଳ ହେବାରୁ କେଶୋଦାସଙ୍କ ସୈନ୍ୟମାନେ ଗୁଣ୍ଡିଚା ମଣ୍ଡପ ପରିସରରେ ଥିବା ଚାନ୍ଦୁଆରୁ କନା ଛିଣ୍ଡାଇ ,ବାଉଁଶରେ ଗୁଡାଇ, ସେଥିରେ ନିଆଁ ଲଗାଇ , ବାହାରେ ଦଣ୍ଡାୟମାନ ହୋଇଥିବା ତିନି ରଥ ଉପରକୁ ଫିଙ୍ଗିଲେ। ତିନି ଠାକୁରଙ୍କ ରଥ ଧୂ ଧୂ ହୋଇ ଜଳିବାରେ ଲାଗିଲା। ଶରଧାବାଲିରେ ସୃଷ୍ଟି ହେଲା ଅଗ୍ନି ତାଣ୍ଡବ।ରଥ ଉପରେ ଚଢିଥିବା ସେବାୟତ ଓ ଭକ୍ତମାନଙ୍କ ମଧ୍ୟରୁ ଅନେକ ଜଳିପୋଡି ମୃତ୍ୟୁ ବରଣ କଲେ।ଏଣେ ପୁରୁଷୋତ୍ତମ ଦେବ ଖୋର୍ଦ୍ଧାରୁ ପାଇକ ସୈନ୍ୟ ପଠାଇଲେ ରଥ ଏବଂ ଜୀଉମାନଙ୍କୁ ରକ୍ଷା କରିବା ପାଇଁ। କିନ୍ତୁ ସେତେବେଳକୁ ସବୁ ଶେଷ ହୋଇଯାଇଥିଲା।ତାଳଧ୍ବଜ,ତର୍ପଦଳନ ଓ ନନ୍ଦିଘୋଷ ଜଳି ପାଉଁଶ ହୋଇ ସାରିଥିଲେ।

ସେ ବର୍ଷ ଶ୍ରୀଜୀଉମାନେ ଶ୍ରୀମନ୍ଦିରକୁ ନିଜ ନିଜ ରଥରେ ଫେରି ନଥିଲେ। ମାଦଳା ପାଞ୍ଜି ଅନୁଯାୟୀ ସେବକମାନେ ଶ୍ରୀଜୀଉମାନଙ୍କୁ ଭାର୍ଗବୀ ନଦୀର ଦୋବନ୍ଧ ଘାଟରେ,ଭେଳା ଉପରେ ଆସୀନକରି, ଶୁଖିଲୀ ଭୋଗ ପୂଜାକରି ଦୀର୍ଘ ଆଠମାସ ପର୍ଯ୍ୟନ୍ତ ରଖିଥିଲେ।ଆଠମାସ ପରେ ସେବାୟତମାନେ ଠାକୁରମାନଙ୍କୁ ହାନ୍ଦୋଳାରେ ଆଣି ଶ୍ରୀମନ୍ଦିରରେ ପ୍ରତିଷ୍ଠା କରିଥିଲେ। ଜଗନ୍ନାଥଙ୍କ ପୀଠରେ ଦୁଇ ହିନ୍ଦୁ ଗୋଷ୍ଠୀ ମଧ୍ୟରେ ଏପରି ହଣାକଟା କାର୍ଯ୍ୟ ଅଶ୍ରୁତପୂର୍ବ ଥିଲା। ଶ୍ରୀ ମନ୍ଦିରର ସଂସ୍କୃତି’କୁ ଅପବିତ୍ର କରିଥିବା କେଶୁଦାସଙ୍କ ପଛରେ “ମାରୁ”ଶବ୍ଦ ଲଗାଇ ଭକ୍ତ ଓ ସେବାୟତମାନେ ତାଙ୍କୁ “କେଶୁଦାସ ମାରୁ”ନାମରେ ନାମିତ କଲେ।କେଶୁଦାସ ମନ୍ଦିରକୁ ଏପରି ଅପବିତ୍ର କରିଥିବାରୁ ବିରୁଦ୍ଧାଚରଣ କରି ସେବାୟତମାନେ ମନ୍ଦିର ଭିତରେ ମହାପ୍ରସାଦ ରନ୍ଧନ କଲେ ନାହିଁ।ଦୀର୍ଘ ଆଠମାସ ପର୍ଯ୍ୟନ୍ତ ଠାକୁରମାନେ ଶୁଖିଲା ଭୋଗ(ଶୁଖିଲୀ)ଖାଇ ରହିଲେ।

ଏହି ଝଡପ ସମ୍ବାଦ ପାଇ ଜାହାଙ୍ଗୀର ନିଶ୍ଚିତ ଭାବରେ ଆନନ୍ଦିତ ହୋଇଥିଲେ,କାରଣ ଏହା ପରେ ପରେ କେଶୁଦାସ ମାରୁ “ଜାଗିରଦାର୍” ପଦରୁ ମନସବଦାର୍ ଭାବେ ପଦୋନ୍ନତି ପାଇଲେ।ଏହି ଝଡପ ସମୟରେ ସୁବାଦାର ହାସିମ୍ ଖାଁ କେଶୁଦାସକୁ ସମର୍ଥନ କରୁଥିଲେ କି ନାହିଁ ଜଣାନାହିଁ। କିନ୍ତୁ ଏହାପରେ ଜାହାଙ୍ଗୀର୍ ତାଙ୍କୁ କାଶ୍ମୀରର ସୁବାଦାର କରି ପଠାଇ ଦେଇଥିବାରୁ ଅନୁମାନ କରାଯାଏ ଯେ ହାସିମ୍ ଖାଁ ଏବଂ କେଶୁଦାସ ଭିତରେ ସବୁକିଛି ଠିକଠାକ୍ ନଥିଲା ଏବଂ ସମ୍ଭବତଃ କେଶୁଦାସ’ର ପ୍ରରୋଚନାରେ ଜାହାଙ୍ଗୀର ତାଙ୍କୁ କାଶ୍ମୀରକୁ ବଦଳି କରିଦେଇଥିଲେ।
କ୍ରମଶଃ…

Click to rate this post!
[Total: 0 Average: 0]

Leave a Reply