Monday, April 29, 2024
Other Poems

ଦେବଯାନୀ(ଦଶମ କଳିକା)

ଦେବଯାନୀ
(ଦଶମ କଳିକା)
ବୃତ୍ତ/ଛନ୍ଦ:–ଦାଣ୍ଡି *
—————–
ଶୁଣ ହେ ବିବୁଧେ ! ଶୁକ୍ର-ଆଶ୍ରମ ବ୍ୟାପାର,
ଦେବଯାନୀ ହୃଦେ କଚ ରହିଲା କରି ଘର।।
ପ୍ରଥମ ଦେଖାରେ ମନ ବିକିଦେଲା ବାଳୀ,
ଦେବପୁତ୍ର ପାଦେ ରଖିଲା ପ୍ରୀତି ଅର୍ଘ୍ୟଥାଳି।।
ଅଜଣା ବେପଥୁ ହୃଦ ତନ୍ତ୍ରୀରେ ଝଙ୍କାର,
ହୋଇ ପ୍ରେମଜରେ କଲା ବାଳା ହୃଦ ଜରଜର।।

କହିବା ଏହାକୁ ଦେବତାଙ୍କ ଷଡଯନ୍ତ୍ର,
ପାଞ୍ଚଶର ଧରି ଆଣ୍ଟେ ବିନ୍ଧେ ରତିକାନ୍ତ।।
ଦେହଟି ଅଦୃଶ୍ୟ ସିନା ଶରଟି  ବଡଟାଣ,
ବଡ ବଡଙ୍କର ଭାଙ୍ଗିଦିଏ ଆଣ୍ଟପଣ।।
ଅରବିନ୍ଦ, ଅଶୋକ,ଆମ୍ର, ନବମଲ୍ଲୀକା,
ନୀଳୋତ୍ପଳ,ଏହି ପଞ୍ଚଶର ମଧ୍ୟେ ଲେଖା।।

ଯାହାକୁ ମାରେ ମାର ସେ ହୁଏ ଜର୍ଜରିତ,
ଓଲଟା ମାରିଲେ ଫଳ ହୁଏ ବିପରୀତ ।।
ତିନୋଟି ଫୁଲଶରକୁ ସଳଖେ ମାରିଲେ,
ଅନ୍ୟ ଦୁଇଟି ଓଲଟ କରି ବିନ୍ଧିଦେଲେ,
ମିଶ୍ରଫଳ ଫଳଇ ଯା’ ଦେହରେ ବାଜଇ,
ନହୁଏ ବିଭୋର ଅବା ବିକାର-ହୃଦ ସେହି।।

ଦିନେ ମାରିଥିଲେ, ମାର ଶିବଙ୍କୁ କୈଳାଶେ,
ଯୋଗଭଗ୍ନ-ଶୁଳପାଣି ରହିଲେଟି ବିବଶେ।।
ଥରେ ସିନ୍ଧୁତୀରେ ତପନଙ୍କୁ ମାରିଥିଲେ,
କୋଣାର୍କ ଭାଙ୍ଗିଲା, ସୂର୍ଯ୍ୟ  ହନ୍ତସନ୍ତ ହେଲେ।।
ପ୍ରେମ-ମନସ୍ତତ୍ତ୍ଵରେ ରଞ୍ଜିତ ଏହି ବାଣ ,
ଫୁଲଶର ଆଗେ କାହାର ରହି ନାହିଁ ଟାଣ।।

ଶୁକ୍ରାଚାର୍ଯ୍ୟଙ୍କର ଜାଣି ବିରୁଦ୍ଧ ବିଚାର,
ମନସୀଜଙ୍କୁ ପଠାଇ ଦେଲେ ସୁରେଶ୍ୱର।।
ଦେଖି କଚ-ଦେବଯାନୀଙ୍କୁ ଆଶ୍ରମ ପ୍ରାଙ୍ଗଣେ,
ପଞ୍ଚଶର ପୁଷ୍ପଧନ୍ୱା ମାରିଲେ ତତକ୍ଷଣେ।।
କଚଙ୍କୁ ମିଶ୍ରିତ ଶର କରିଲେ ପ୍ରହାର,
ଯୁବା ମନ ନୋହିଲା ବିଭୋର ବା ବିକାର।।
ପ୍ରେମ ଜର୍ଜରିତା ଦେବଯାନୀ ହାଟକ ଗୋରୀ,
ମଦନ ବାଣେ ବିଦଗ୍ଧା ହୋଇଲେ କିଶୋରୀ।।
ଦିନାନ୍ତେ ଆଚାର୍ଯ୍ୟ ଆଶ୍ରମରେ ବସିଥିଲେ,
ଅନୁନୟ ହୋଇ ଦେବଯାନୀ ଜଣାଇଲେ।

“ଭୋ ତାତ! ବିଦ୍ୟା ଅଟଇ ପରା ମହାଦାନ,
ଆଚାର୍ଯ୍ଯ କର୍ତ୍ତବ୍ୟ କିପାଇଁ ନ କର ପାଳନ !
ଆସିଛନ୍ତି ବିଦ୍ୟାର୍ଥୀ ହୋଇଣ ଦେବପୁତ୍ର,
ସନ୍ଦେହ କିପାଇଁ ମନେ ପୋଶିଲ  ହେ ତାତ !
ତୁମ୍ଭ ଇଚ୍ଛା, ସନମତି ନହୋଇବ ଯେବେ,
ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ଚୋରି କେ କରିବେ?
ବ୍ୟବହାର,ବିଚାରବୁଦ୍ଧିରେ ଗୁଣବନ୍ତ,
ଏମନ୍ତ ଶିଷ୍ୟ ଭାଗ୍ୟରେ ଥିଲେ ମିଳେ ତାତ !
ପିତା ତପୋଧନ ଘେନ ମୋର ନିବେଦନ,
କଚଙ୍କୁ ଶିଷ୍ୟ ରୂପରେ କର ହେ ଗ୍ରହଣ।।
କେତେ ଆଶା ଘେନି ଆସିଛନ୍ତି  ଦେବପୁତ୍ର,
ଅଶ୍ରୁ ତାଙ୍କର ହେ ତାତ ଦେଖିବି କେମନ୍ତ ?।।”

ଦେବଯାନୀ ନେତ୍ର କୋଣେ ଅଶ୍ରୁବିନ୍ଦୁ ଦେଖି ,
ହୃଦୟରେ ଆଚାର୍ଯ୍ୟ ହୋଇଲେ ମହାଦୁଃଖୀ ।।
ପ୍ରାଣସମା କନ୍ୟା କରେ ପ୍ରାର୍ଥନା ଆକୁଳେ,
ବିଗଳିତ-ଚିତ୍ତ ଗୁରୁ ହୋଇଲେ ସେହିକାଳେ ।।
ବୋଇଲେ ଦେବଯାନୀର ଶିରେ ଚାଳି ହସ୍ତ,
ସାମାନ୍ୟ କଥାରେ ଧନ ହେଉଛୁ ଏମନ୍ତ।।
ଢଳଢଳ-ଆଖି ଲୁହ ପୋଛି ଦେ କାନିରେ,
ହସ-ଜହ୍ନ ଖେଳା ଧନ ତୋ ମୁଖ-ଆକାଶରେ ।।
ଯାହା ତୁ ଚାହିଁଛୁ  କେବେ ହୋଇଛି କି ଅନ୍ୟଥା,
କଚ ରହିବ ଆଶ୍ରମେ ନ କର ତୁ ଚିନ୍ତା।।

କ୍ରମଶଃ—-

* ଦାଣ୍ଡି ବୃତ୍ତର ଦୁଇଟି ପାଦରେ ଗୋଟିଏ ପଦ ହୁଏ।ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା ସମାନ ହୋଇପାରେ ବା ନହୋଇପାରେ।ତେଣୁ ନିର୍ଦ୍ଦିଷ୍ଟ ଭାବରେ ଯତିପାତ ହୁଏନାହିଁ ।ବୋଲିବାବେଳେ ଗାୟକ ସ୍ୱର ଲମ୍ବାଇ ନିଜ ସୁବିଧା ଅନୁସାରେ ବିଶ୍ରାମ ନିଅନ୍ତି।ବଳରାମ ଦାସଙ୍କ ‘ଦାଣ୍ଡିରାମାୟଣ’ ଏବଂ ସାରଳା ଦାସଙ୍କ ‘ମହାଭାରତ’ ଏହି ଦାଣ୍ଡିବୃତ୍ତରେ ରଚିତ।

Click to rate this post!
[Total: 0 Average: 0]

Leave a Reply