Sunday, June 23, 2024
Stories

ନୀଳାଚଳ ବାସୀ ଶ୍ରୀଜଗନ୍ନାଥ (୩)

ନୀଳାଚଳବାସୀ ଶ୍ରୀଜଗନ୍ନାଥ

କେତେ ପୁରୁଣା ଆମ ଜଗନ୍ନାଥ?

===================================
ନିମ୍ବ କାଠରେ ନିର୍ମିତ ଜଗନ୍ନାଥ ମହାପ୍ରଭୁଙ୍କ ରତ୍ନ ସିଂହାସନରେ ଅଭିଷିକ୍ତ ଚତୁର୍ଦ୍ଧାମୂର୍ତ୍ତି(ଜଗନ୍ନାଥ,ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ)ଦାରୁ ଦେବତା ନାମରେ ଅଭିହିତ।ସାଙ୍କେତିକ ଭାବେ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ହିଁ “ଦାରୁବ୍ରହ୍ମ”।ଏକେଶ୍ବରବାଦୀଙ୍କ ମତରେ “ଏକ ବ୍ରହ୍ମ ଅନ୍ୟ ନାସ୍ତି”। ତେଣୁ ଚତୁର୍ଦ୍ଧାମୂର୍ତ୍ତି ସମେତ ରତ୍ନସିଂହାସନସ୍ଥ ଭୂଦେବୀ,ଶ୍ରୀଦେବୀ ସମେତ ଶ୍ରୀମନ୍ଦିରର ସମସ୍ତ ଦେବଦେବୀ ଗୋଟିଏ ବ୍ରହ୍ମର ଭିନ୍ନ ଭିନ୍ନ ଅଂଶ; ମହାସାଗରକୁ ପରିପୁଷ୍ଟ କରୁଥିବା ନଦୀମାନଙ୍କ ସହିତ ସେମାନେ ସମାନ;ସେ ମହାସାଗର ନିଜେ ସ୍ବୟଂ ଜଗନ୍ନାଥ।

ଜଗନ୍ନାଥଙ୍କ “ପୁରୁଷୋତ୍ତମତତ୍ତ୍ଵ” କଳ୍ପ-ପୁରାତନ। ପୁରୁଷୋତ୍ତମ ଅର୍ଥ ପୁରୁଷମାନଙ୍କ ମଧ୍ୟରେ ଉତ୍ତମ।ସେ ଅନ୍ୟ କେହି ନୁହନ୍ତି, ସୃଷ୍ଟିକର୍ତ୍ତା ସ୍ବୟଂ ନାରାୟଣ। ଐତିହାସିକ ପ୍ରାମାଣିକତା ନଥିଲେ ମଧ୍ୟ ‘ପୁରୁଷୋତ୍ତମ’ ନାମଟି ପ୍ରାଚୀନତମ ସମୟରୁ ଭାରତୀୟ ଧର୍ମ ଓ ସଂସ୍କୃତିରେ “ସ୍ରଷ୍ଟା”ଙ୍କ ପାଇଁ ବ୍ୟବହାର କରାଯାଇଛି।ପୁରୁଷୋତ୍ତମ ତତ୍ତ୍ଵ ଅନେକ ପୁରାତନ ଗ୍ରନ୍ଥରେ ଯଥା ଋକବେଦର ‘ପୁରୁଷସୂକ୍ତ’,ଉପନିଷଦର ‘ଶାନ୍ତିମନ୍ତ୍ର’ ଏବଂ ଶ୍ରୀମଦ୍ଭଗବଦ୍ ଗୀତାର ପଞ୍ଚଦଶ ଅଧ୍ୟାୟ (୧୫/୮)ରେ ସନ୍ନିବେଶିତ।ଅବଶ୍ୟ ସେହି ପୁରାତନ କାଳରୁ ତାଙ୍କୁ ‘ଜଗନ୍ନାଥ’ ନାମରେ ପୁରସ୍ତମରେ ପୂଜା କରାଯାଉଥିଲା ବୋଲି କୁହାଯାଇ ପାରିବନାହିଁ,ସେଥିପାଇଁ ପ୍ରାମାଣିକତା ନାହିଁ।

ଜୈନମାନେ(ଖ୍ରୀଷ୍ଟପୂର୍ବ ୭ମ ରୁ ୫ମ ଶତାବ୍ଦୀ) ସେମାନଙ୍କ ଆଦ୍ୟ ତୀର୍ଥଙ୍କର ଋଷଭନାଥ ଏବଂ ଶ୍ରୀଜଗନ୍ନାଥଙ୍କୁ ଅଭିନ୍ନ ବୋଲି ମନେ କରନ୍ତି।ଜୈନ ଅଭିଧାନଗ୍ରନ୍ଥ “ଜୈନ ରାଜେନ୍ଦ୍ର”ରେ ଜଗନ୍ନାଥ ଅର୍ଥ ଜିନେଶ୍ବର,ଆଦିନାଥ ଋଷଭ ବୋଲି ଲେଖାଯାଇଛି (vol.4..page 1385)। ସେହି ଅଭିଧାନରେ ଋଷଭ ଶବ୍ଦର ଅର୍ଥ “ଜଗତ୍” ବୋଲି ଲେଖାଯାଇଛି। ତେଣୁ ଋଷଭନାଥ ଅର୍ଥ “ଜଗନ୍ନାଥ”। ଜଗନ୍ନାଥଙ୍କ ରଥଯାତ୍ରା ପରି ଆଦ୍ୟତୀର୍ଥଙ୍କର ଋଷଭନାଥଙ୍କ ଯାତ୍ରା ମଧ୍ୟ ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ଅନୁଷ୍ଠିତ ହୁଏ। ଏହି ଦିନଟି ପ୍ରଥମ ଜୈନ ତୀର୍ଥଙ୍କର ଋଷଭନାଥଙ୍କର “ଗର୍ଭକଲ୍ୟାଣ (ଗର୍ଭଗତ ହେବା) ଦିବସ।

ହିନ୍ଦୁଧର୍ମୀ ଓ ବୌଦ୍ଧଧର୍ମୀମାନେ ମଧ୍ୟ ଜଗନ୍ନାଥଙ୍କୁ ଯଥାକ୍ରମେ ବିଷ୍ଣୁଙ୍କ ନବମଅବତାର ଓ ବୁଦ୍ଧଦେବ’ଙ୍କ ପ୍ରାରୂପ ଭାବରେ ପୂଜା କରନ୍ତି।ପୁରୁଷୋତ୍ତମ ଜଗନ୍ନାଥଙ୍କ ମହିମା ଅପାର।

“ସର୍ଵଂ ରହସ୍ୟମ୍ ପୁରୁଷୋତ୍ତମସ୍ୟ
ଦେବାଃ ନ ଜାନାନ୍ତି କୁତଃ ମନୁଷ୍ୟଃ !”

ଦାରୁଦେବତା କେଉଁଠାରୁ ଆସି ମୁଖ,ଦନ୍ତ,ଚକ୍ଷୁ ପାଦ,ପାଣି ନଥାଇ ନୀଳାଚଳରେ ବିଜେ ହୋଇଛନ୍ତି ଜାଣିବାକୁ ହେଲେ କିମ୍ବଦନ୍ତୀ ଓ ଇତିହାସ ଘାଣ୍ଟିବାକୁ ପଡେ, ତଥାପି ସଠିକ୍ ତଥ୍ୟ ମିଳେନାହିଁ।ଗବେଷକମାନେ ଏ ବିଷୟରେ ଦେଇଥିବା ତଥ୍ୟ ଉପରେ ଆସନ୍ତୁ ଟିକିଏ ବିହଙ୍ଗାବଲୋକନ କରିବା।
ଇତିହାସ
=======
‘ଉତ୍କଳ ପ୍ରସଙ୍ଗ’ ୨୦୧୬ ମସିହାର ଜୁଲାଇ ମାସ ସଂଖ୍ୟାରେ ଗବେଷକ ଡଃ ଶ୍ରୀଚରଣ ଦାସ ଉଲ୍ଲେଖ କରିଛନ୍ତି ଯେ ଖ୍ରୀଷ୍ଟିୟ ଚତୁର୍ଥ ଶତାବ୍ଦୀରୁ ଜଗନ୍ନାଥଙ୍କ ରଥଯାତ୍ରା ପାଳିତ ହୋଇ ଆସୁଥିଲା; ଅର୍ଥାତ୍ ଚତୁର୍ଥ ଶତାବ୍ଦୀ ପୂର୍ବରୁ ଜଗନ୍ନାଥ ପୂଜା ପାଇ ଆସୁଛନ୍ତି।ଐତିହାସିକ କେଦାରନାଥ ମହାନ୍ତି “ଖୁରୁଧା ଇତିହାସ”ନାମକ ଗ୍ରନ୍ଥରେ ଲେଖିଛନ୍ତି ଯେ ଗୁଣ୍ଡିଚା ମନ୍ଦିର ନିର୍ମାଣ ହେବାପରେ ହିଁ ଜଗନ୍ନାଥଙ୍କ ଯାତ୍ରାର ନାମ ଗୁଣ୍ଡିଚା ଯାତ୍ରା ନାମରେ ନାମିତ ହେଲା। ଐତିହାସିକମାନେ ଗୁଣ୍ଡିଚା ମନ୍ଦିରର ନିର୍ମାଣ କାଳ ଦ୍ବାଦଶ ଶତାବ୍ଦୀର ଆଦ୍ୟଭାଗ ବୋଲି ଅନୁମାନ କରିଛନ୍ତି।ଉତ୍କଳର ରାଜା ଅନନ୍ତ ବର୍ମନ୍ ଚୋଡ଼ଗଙ୍ଗ ଦେବଙ୍କ ସମୟରେ ଶ୍ରୀମନ୍ଦିରର ପୁନରୁଦ୍ଧାର ହୋଇଥିଲା। ଚୋଡ଼ଗଙ୍ଗ ଦେବଙ୍କ ରାଣୀଙ୍କ ନାମ ଥିଲା ‘ଗଣ୍ଡିଚୋଡି’ ଏବଂ ସେ ଗୋଦାବରୀ ଜିଲ୍ଲାର “ଗଙ୍ଗଗଣ୍ଡଚୋଡନାଡି” ଗ୍ରାମର ଅଧିବାସିନୀ ଥିଲେ। ଗୋଟିଏ ମତ ଅନୁଯାୟୀ, ଚୋଡ଼ଗଙ୍ଗ ଦେବଙ୍କ ଏହି ରାଣୀଙ୍କ ନାମାନୁସାରେ ଯାତ୍ରାର ନାମ ଗୁଣ୍ଡିଚା ରଖାଯାଇଥିବା ସମ୍ଭବ।ଅତଃ ଏକାଦଶ/ଦ୍ବାଦଶ ଶତାବ୍ଦୀର ବହୁ ପୂର୍ବରୁ ଜଗନ୍ନାଥ ପୁରୀରେ ପୂଜା ପାଉଥିଲେ।

ଚତୁର୍ଦ୍ଦଶ ଶତାବ୍ଦୀର ବୈଦିକ ଟୀକାକାର ସାୟଣାଚାର୍ଯ୍ୟଙ୍କ ମତରେ ପୁରୁଷୋତ୍ତମ ଜଗନ୍ନାଥଙ୍କୁ ହିଁ ଦାରୁ ରୂପରେ ଋକବେଦ (ଶ୍ଳୋକ ସଂଖ୍ୟା ୧୦.୧୫୫-୩)ରେ ବର୍ଣ୍ଣନା କରାଯାଇଛି।ସାୟଣାଚାର୍ଯ୍ୟଙ୍କର ଏହି ମତ ଗଜପତି କପିଳେନ୍ଦ୍ର ଦେବଙ୍କ “କୋଣ୍ଡାବିଡୁ ତାମ୍ର ଫଳକ”ରେ ସମର୍ଥନ କରାଯାଇଛି।ଋକବେଦର ସୃଷ୍ଟି ଖ୍ରୀଷ୍ଟପୂର୍ବ ୧୫୦୦ ବର୍ଷ ପୂର୍ବେ ହୋଇଥିଲା। ଏଥିରୁ ଅନୁମେୟ, କେତେ ପୁରୁଣା ଆମ ଜଗନ୍ନାଥ ସଂସ୍କୃତି ।
ପୁରାଣ ଓ କିମ୍ବଦନ୍ତୀ
===========
ସ୍କନ୍ଦ ପୁରାଣ,ଉତ୍କଳଖଣ୍ଡ, ପୁରୁଷୋତ୍ତମ ମାହାତ୍ମ୍ୟରେ ବର୍ଣ୍ଣିତ ଅଛି ଯେ ଜଗନ୍ନାଥଙ୍କ ଦାରୁବ୍ରହ୍ମ ଚକ୍ରତୀର୍ଥ ଠାରୁ ଅଣାଯାଇ, ଯଜ୍ଞବେଦୀଠାରେ ମୂର୍ତ୍ତି ନିର୍ମାଣ କରାଗଲା,ତାହା ଜଗନ୍ନାଥଙ୍କ “ଜନକ ବେଦୀ” ବା ଜନ୍ମବେଦୀ ନାମରେ ଏବେ ପରିଚିତ।
ଐତିହାସିକ ଓ ପୌରାଣିକ ତଥ୍ୟ ଯାହା ହେଉନା କାହିଁକି ସାଧାରଣ ବ୍ୟକ୍ତି,କିମ୍ବଦନ୍ତୀରେ ବର୍ଣ୍ଣିତ ଗୋଟିଏ ମତକୁ ମାନନ୍ତି; ତାହା ହେଲା..ସତ୍ୟ ଯୁଗରେ ମାଳବର ରାଜା ଇନ୍ଦ୍ରଦ୍ୟୁମ୍ନ, ସ୍ବପ୍ନାଦେଶ ଅନୁଯାୟୀ ସମୁଦ୍ରରେ ଭାସି ଆସିଥିବା ଦାରୁବ୍ରହ୍ମଙ୍କୁ ବାଙ୍କି ମୁହାଣରୁ ଆଣି ଚତୁର୍ଦ୍ଧାମୂର୍ତ୍ତି ଗଠନ କରିଥିଲେ। ଜିଉମାନଙ୍କର ଏହି ଜନ୍ମବେଦୀ ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀ ଗୁଣ୍ଡିଚାଙ୍କ ନାମ ଅନୁସାରେ ନାମିତ ହୋଇଥିଲା।

ଦାରୁଦେବତାଙ୍କ ସହିତ କଣ୍ଟିଲୋସ୍ଥିତ ନୀଳମାଧବ ମନ୍ଦିରର ସଂସ୍କୃତି’ ଲୋକମତ ଓ କିମ୍ବଦନ୍ତୀ ଆଧାରରେ ଯେପରି ଯୋଡ଼ି ହୋଇଯାଇଛି , ତାହା ପ୍ରଣିଧାନଯୋଗ୍ୟ…..

ନୟାଗଡ଼ଠାରୁ ୩୦ କିଲୋମିଟର ଦୂରରେ, ମହାନଦୀ କୂଳରେ ବ୍ରହ୍ମାଦ୍ରି-ନାଥ‌ ନୀଳ-ମାଧବଙ୍କ କ୍ଷେତ୍ର କଣ୍ଟିଲୋ ଅବସ୍ଥିତ।
ଉତ୍ତରରେ ଉତ୍କଳ-ଗଙ୍ଗା ମହାନଦୀ,ଦକ୍ଷିଣ ପଶ୍ଚିମରେ କୁମାରୀକା(କୁଆଁରୀଆ ନଦୀ)ଏବଂ ପୂର୍ବରେ କୁସୁମୀ ନଦୀ ଦ୍ୱାରା ବେଷ୍ଟିତ ଦ୍ୱୀପ ସଦୃଶ ଏକ ଭୂଖଣ୍ଡ ଭିତରେ ‘କାଳିଆ ପଲ୍ଲୀ’ ନାମରେ ଶବର ଅଧ୍ୟୁଷିତ ଗାଁ’ଟିଏ ଅଛି।ଏହା କୌଣସି ସାମାନ୍ୟ ଗ୍ରାମ ନୁହେଁ ।ଓଡିଶାର ଜଗନ୍ନାଥ ସଂସ୍କୃତି ସହିତ ଓତପ୍ରୋତ ଭାବରେ ଜଡିତ ଏହି ଗ୍ରାମର ସଂସ୍କୃତି ।ଏହି ଶବର ପଲ୍ଲୀ “କାଳିଆ ପଲ୍ଲୀ”ର ଅଧିବାସୀମାନେ ନିଜକୁ ଶବର-ରାଜ ବିଶ୍ୱାବସୁଙ୍କର ବଂଶଧର ବୋଲି ପରିଚୟ ଦିଅନ୍ତି ।ଆଜି ଜଗତ୍ପତି ଜଗନ୍ନାଥଙ୍କର ସେବାୟତ ‘ଦଇତାପତି’ମାନେ, ତାଙ୍କର ପୂର୍ବପୁରୁଷ ଏହି ଶବର ଦ୍ୱୀପରୁ ହିଁ ଆସିଥିଲେ ବୋଲି କହିଥାନ୍ତି।

ବିଶ୍ୱାବସୁ ବ୍ୟାଘ୍ର ଗୁମ୍ଫାରେ ପୂଜା ପାଉଥିବା ନୀଳ ମାଧବଙ୍କର ପରମ ଭକ୍ତ ଥିଲେ। ‘ନୀଳାଦ୍ରି ମହୋଦୟ’ ଏବଂ ସ୍କନ୍ଦ ପୁରାଣରୁ ଜଣାଯାଏ ଯେ ପରମ-ବୈଷ୍ଣବ ମାଳବ ରାଜା ଇନ୍ଦ୍ରଦ୍ଯୁମ୍ନ ଜଗନ୍ନାଥଙ୍କୁ ପ୍ରତ୍ୟକ୍ଷ ଦର୍ଶନପାଇଁ ଇଚ୍ଛାପ୍ରକାଶ କରିବାରୁ, ଦେବର୍ଷି ନାରଦ ତାଙ୍କୁ କହିଥିଲେ ଯେ ପ୍ରଭୁ ଉତ୍କଳ ଭୂଖଣ୍ଡରେ ପ୍ରାପ୍ତହେବେ। ପ୍ରାପ୍ତି ପରେ ପ୍ରଭୁଙ୍କୁ ନୀଳାଦ୍ରିରେ ମନ୍ଦିର ନିର୍ମାଣକରି ପ୍ରତିଷ୍ଠା କରିବାପାଇଁ ନାରଦ ନିର୍ଦ୍ଦେଶ ଦେଇଥିଲେ।

କିନ୍ତୁ ପ୍ରଭୁ କଣ ଏତେ ସହଜରେ ମିଳନ୍ତି ? ଭାରତ ଯୁଦ୍ଧରେ ପରମ ଭକ୍ତ ଏବଂ ସଖା ଅର୍ଜୁନ ମଧ୍ୟ ତାଙ୍କୁ ଚର୍ମଚକ୍ଷୁରେ ଦର୍ଶନ କରିପାରିନଥିଲେ।ସେଥିପାଇଁ ପ୍ରଭୁ ଅର୍ଜୁନଙ୍କୁ ଦିବ୍ୟଦୃଷ୍ଟି ଦାନକରି ବିଶ୍ୱରୂପ ଦର୍ଶନ କରାଇଥିଲେ।”କଷ୍ଟ ନକଲେ କୃଷ୍ଣ ମିଳନ୍ତି ନାହିଁ ।” ଇନ୍ଦ୍ରଦ୍ଯୁମ୍ନ ବହୁତ ଖୋଜିଲେ,କିନ୍ତୁ ନୀଳମାଧବଙ୍କର ସନ୍ଧାନ ପାଇଲେ ନାହିଁ ।ମୈନାକ (ମଣିନାଗ)ପର୍ବତର ଉତ୍ତରରେ ତଥା ଚିତ୍ରୋତ୍ପଳା ନଦୀର ଦକ୍ଷିଣରେ ବଣପାହାଡ ଘେରା ପର୍ବତ କନ୍ଦରରେ, ପ୍ରଭୁ ନୀଳମାଧବ ରୂପରେ ପୂଜାପାଉଛନ୍ତି ବୋଲି ସ୍ୱପ୍ନାଦେଶ ପାଇ ରାଜା ଇନ୍ଦ୍ରଦ୍ଯୁମ୍ନ, ବିଦ୍ୟାପତି ନାମକ ଜଣେ ବ୍ରାହ୍ମଣ ଯୁବକଙ୍କୁ ସନ୍ଧାନ ନିମନ୍ତେ ପଠାଇଲେ।

ପ୍ରଭୁଙ୍କୁ ଖୋଜି ଖୋଜି ବିଦ୍ୟାପତି ,ଶବରରାଜ ବିଶ୍ୱାବସୁଙ୍କର ରାଜ୍ୟରେ ପହଞ୍ଚିଲେ। ସେଠାରେ ଶବର ରାଜାଙ୍କ ସୁନ୍ଦରୀ କନ୍ୟା ଲଳିତାଙ୍କ ପ୍ରେମରେ ପଡିଗଲେ ବିଦ୍ୟାପତି।ଅଲିଅଳି କନ୍ୟାର ଅନୁରୋଧ ଏଡାଇ ନପାରି, ଅନିଚ୍ଛା ସତ୍ୱେ, ବିଶ୍ଵାବସୁ ଲଳିତାଙ୍କ ସହିତ ବିଦ୍ୟାପତିଙ୍କର ବିବାହ କରାଇଦେଲେ।ଶବର ପଲ୍ଳୀରେ ମହା ଆନନ୍ଦରେ ପ୍ରିୟତମା ସହିତ ବିଦ୍ୟାପତି କାଳ ଯାପନ କଲେ।ଇତି ମଧ୍ୟରେ ସେ ଜାଣିପାରିଥିଲେ ଯେ ପ୍ରଭୁ ନୀଳମାଧବ ବିଦ୍ୟାପତିଙ୍କର ଆରାଧ୍ୟ ଦେବତା ବ୍ୟାଘ୍ରଗୁମ୍ଫା ଭିତରେ ଶବର ହାତରୁ ଫଳମୂଳ ଖାଇ ଲୋକଲୋଚନ ଅନ୍ତରାଳରେ ରହିଛନ୍ତି ।ପ୍ରଭୁଙ୍କୁ ଦର୍ଶନ କରିବା ତ ଦୂରର କଥା,ବିଶ୍ଵାବସୁଙ୍କର ବିନା ଅନୁମତିରେ କେହି ସେ ପୂଜାସ୍ଥଳ ନିକଟକୁ ଯାଇ ପାରୁନଥିଲେ।

ନୀଳମାଧବଙ୍କୁ ଦର୍ଶନ କରିବାପାଇଁ ବିଦ୍ୟାପତିଙ୍କର ମନ ଉଦ୍’ଗ୍ରିବ ହୋଇ ଉଠିଲା।ଥରେମାତ୍ର ପ୍ରଭୁଙ୍କ ଦର୍ଶନ କରାଇ ଦେବାପାଇଁ ସେ ଲଳିତାଙ୍କୁ ଅନୁରୋଧ କଲେ। ।ସ୍ୱାମୀଙ୍କର ଏଭଳି ବାରମ୍ବାର ଅନୁରୋଧରେ ଲଳିତାଙ୍କର ମନ ବିଗଳିତ ହୋଇ ଉଠିଲା।ସ୍ୱାମୀଙ୍କର ଅନୁରୋଧକୁ ସେ ପିତାଙ୍କୁ ଜଣାଇଲେ।ବିଶ୍ୱାବସୁ ପ୍ରଥମେ ଅନିଚ୍ଛୁକ ଥିଲେ,କିନ୍ତୁ କନ୍ୟା ଓ ଜାମାତାଙ୍କର ସବିନୟ ଅନୁରୋଧ ଏଡାଇ ନପାରି ,ଜାମାତାଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ,ଥରେମାତ୍ର ବ୍ୟାଘ୍ର-ଗୁମ୍ଫା ଦର୍ଶନ କରାଇବା ପାଇଁ ସମ୍ମତି ଦେଲେ।

ବିଦ୍ୟାପତି ଏ ସର୍ତ୍ତରେ ରାଜି ହେଲେ।କିନ୍ତୁ ସେ ଅତି ଚାଲାକ ଥିଲେ।ଯିବା ସମୟରେ କାନିରେ ବାନ୍ଧି କିଛି ସୋରିଷ ନେଇ ଯାଇଥିଲେ। ଅନ୍ଧପୁଟୁଳି ବନ୍ଧା ହୋଇଥିଲେ ମଧ୍ୟ, ବାଟରେ ସୋରିଷ ବୁଣି ବୁଣି ଯାଉଥିଲେ।

ବ୍ୟାଘ୍ରଗୁମ୍ଫା ଭିତରେ ନୀଳମାଧବଙ୍କ ଦର୍ଶନ ପାଇ ବ୍ରାହ୍ମଣଙ୍କର ଚକ୍ଷୁ ପବିତ୍ର ହୋଇଗଲା।ଅନ୍ଧ-ପୁଟୁଳି ବାନ୍ଧି ବିଶ୍ଵାବସୁ ତାଙ୍କୁ ବ୍ୟାଘ୍ର ଗୁମ୍ଫାରୁ ଫେରାଇ ଆଣିଲେ।

ଏହାପରେ ବିଦ୍ୟାପତି ଇନ୍ଦ୍ରଦ୍ଯୁମ୍ନଙ୍କ ପାଖକୁ ଯାଇ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ।ବର୍ଷାଦିନ ଆଗମନରେ ସୋରିଷ ମଂଜି ଗୁଡିକ ଗଛରେ ପରିଣତ ହେଲା ଏବଂ ସମୟକ୍ରମେ ଫୁଲ ଧରିଲା।ବିଦ୍ୟାପତି ଏବଂ ଇନ୍ଦ୍ରଦ୍ଯୁମ୍ନ ସେହି ହଳଦିଆ ଫୁଲକୁ ଅନୁସରଣ କରି ବ୍ୟାଘ୍ର ଗୁମ୍ଫାରେ ପହଞ୍ଚିଲେ।

କିନ୍ତୁ ଇନ୍ଦ୍ରଦ୍ୟୁମ୍ନ ନୀଳପର୍ବତକୁ ଆସି ନୀଳମାଧବଙ୍କ ଦର୍ଶନ ପାଇଲେନାହିଁ।ମାଧବ ସେ ସ୍ଥାନରୁ ଉଭେଇ ଯାଇଥିଲେ। ଶୋକରେ ଅଭିଭୂତ ଇନ୍ଦ୍ରଦ୍ଯୁମ୍ନ ଶୂନ୍ୟ ହସ୍ତରେ ଫେରିଆସିଲେ ।ସମୁଦ୍ର କୂଳରେ ବାଙ୍କୀମୁହାଣରେ ଯେଉଁ ଦାରୁ ଭାସମାନ ଅବସ୍ଥାରେ ରହିଥିଲେ ସେଥିରୁ ଚତୁର୍ଦ୍ଧାମୂର୍ତ୍ତି ନିର୍ମାଣ କରି ପୂଜା କରିବାପାଇଁ ସ୍ବପ୍ନରେ ଜଗନ୍ନାଥ ଇନ୍ଦ୍ରଦ୍ୟୁମ୍ନଙ୍କୁ ନିର୍ଦ୍ଦେଶ ଦେଲେ।

ବର୍ତ୍ତମାନ ସମୟରେ କଣ୍ଟିଲୋ ନୀଳମାଧବ ପୀଠରେ ଯେଉଁ ବିଗ୍ରହ ପୂଜା ପାଉଛନ୍ତି, ସେ ବିଶ୍ଵାବସୁଙ୍କ ଦ୍ୱାରା ପୂଜିତ ବିଗ୍ରହ ବୋଲି ବିଶ୍ଵାସ କରାଯାଏ।ଡକ୍ଟର ବେଣୀମାଧବ ପାଢୀଙ୍କର ‘ଦାରୁ ଦେବତା’ଗ୍ରନ୍ଥରୁ ଜଣାଯାଏ ଯେ ଇନ୍ଦ୍ରଦ୍ଯୁମ୍ନଙ୍କ ନିର୍ଦ୍ଦେଶରେ ବିଦ୍ୟାପତି ନୀଳପର୍ବତରେ ଯେଉଁ ନୀଳମାଧବ ବିଗ୍ରହର ସନ୍ଧାନପାଇଥିଲେ,ସେ ଅନ୍ୟ କେହି ନୁହନ୍ତି,ସେ ଶବରମାନଙ୍କ ଦ୍ବାରା ପୂଜିତ ନୀଳମାଧବ।

ଜଗନ୍ନାଥ ସଂସ୍କୃତି ସହିତ ଜଡିତ ଏହି ନୀଳମାଧବ ସଂସ୍କୃତିର ଚେର ଦ୍ୱାପର ଯୁଗ ସହିତ କିପରି ଲାଗିଛି,ଅନ୍ୟ ଏକ ପ୍ରବନ୍ଧରେ ଆଲୋଚନା କରିବା।

କ୍ରମଶଃ…
(କୁଳମଣି ଷଡଙ୍ଗୀ)
=================================
ସହାୟକ ତଥ୍ୟ
===========
*ଶ୍ରୀଯୁକ୍ତ ବାଳକୃଷ୍ଣ ଦାସଙ୍କ “ଐତିହ୍ୟ ଖଣ୍ଡପଡା”
*ଡଃ ବାସୁଦେବ ସାହୁଙ୍କ “ଶ୍ରୀଜଗନ୍ନାଥ ଇତିହାସ ସଂସ୍କୃତି ଓ ଦର୍ଶନ”
*ସ୍କନ୍ଦ ପୁରାଣ
*ଉତ୍କଳ ପ୍ରସଙ୍ଗ.. ଜୁଲାଇ,୨୦୧୬ ସଂଖ୍ୟା

Click to rate this post!
[Total: 1 Average: 5]

Leave a Reply