Sunday, June 23, 2024
Other Poems

ଦେବଯାନୀ (୪୨ତମ କଳିକା)

ଦେବଯାନୀ
(୪୨ତମ କଳିକା)
ରାଗ:—-ଖଣ୍ଡିତା
(ଚାପଧାରୀ ରଘୁନାଥ ଗଲେ ମୃଗମାରି—ସ୍ୱରରେ ଗାଇବେ)
—————————————————————-
ଦେବଯାନୀ କାନ୍ଦି କାନ୍ଦି ବୋଲନ୍ତି ହେ ତାତ !
ମୋ’ଭଳି ଦୁଃଖିନୀ କାହିଁ ନଥିବ ଜଗତ,
ମୋ ପିଅର ହେ ,
ବେଳା ଲଂଘେ ଦୁଃଖ ପାରାବାର ହେ!

ଯାହାକୁ ପେଶିଲ ସଙ୍ଗେ,ମଣି ପ୍ରିୟ ସଖୀ,
ଅମୃତରେ ବିଷ ଗୋଳି କଲା ମୋତେ ଦୁଃଖୀ,
ମୋ ସିନ୍ଦୁର ହେ,
ଭାଗ କଲା ମଥାରୁ ସେ ମୋର ହେ!

ଗୁପତ ପ୍ରଣୟେ ମୋର ସ୍ୱାମୀଙ୍କୁ ମଜ୍ଜାଇ,
ଗନ୍ଧର୍ବ ବିବାହ କଲା ଶଠତାରେ ସେହି,
ମୋ ପଛରେ ହେ,
ସ୍ୱାମୀ ସଙ୍ଗେ ଗୁପତେ ବିହରେ ହେ !

କନ୍ୟାଦାନ ବେଳେ କହି ଥିଲ ଟି ରାଜାଙ୍କୁ,
ଶର୍ମିଷ୍ଠା ଦାସୀକୁ ସଦା ଦୂରେ ରଖିବାକୁ,
ଏ କି କଲେ ହେ,
ଦେଇଥିବା କଥା ଭୁଲିଗଲେ ହେ!

ଏ ଡାହାଣୀ ଗରଭରୁ ତିନି ରାଜପୁତ୍ର,
ଯଯାତିଙ୍କ ଔରସରୁ ହୋଇଛନ୍ତି ଜାତ,
ମୋ କପାଳ ହେ,
ନୋହିଲା ଯା ଶୁଣି ତା ଦି’ଫାଳ ହେ!

ଶୁଣିଥିଲି ଗନ୍ଧର୍ବ ତା ଅଛି ଏକ ପତି,
ତା’ସହିତେ ସୁ’ରଙ୍ଗରେ କରେ ରାତ୍ରେ ରତି,
ପ୍ରତାରଣା ହେ,
ଥିଲା ଜାଣି ବୁଦ୍ଧି ମୋର ବଣା ହେ!

ଏତେ ଅନ୍ୟାୟ କିପରି ସହିବ ସଂସାର,
ଭାଗବାଣ୍ଟି ନେବେ ରାଜ୍ୟ ଶର୍ମିଷ୍ଠା କୁମର,
ଦାସୀ ହୋଇ ହେ,
ରାଜମାତା ବୋଲାଇବ ସେହି ହେ!

ଶୁଣି ସବୁ ତପୋଧନ ବୋଲନ୍ତି ବଚନ,
ଅପରାଧ ଶର୍ମିଷ୍ଠାର ତିଳେ ନାହିଁ ଧନ,
ପରିଣୟ ରେ,
କରିଛି ସେ ଗାନ୍ଧର୍ବ ରୀତିରେ ରେ!

ସବୁ ଅପରାଧ ଅଟେ କାମାନ୍ଧ ରାଜାର,
ଘରେ ଥାଉଁ ପତ୍ନୀ ମତି ଆନରେ ତାହାର,
ତାର ଖେଳ ରେ,
ସମାପ୍ତ ମୁଁ କରିବି ଚଞ୍ଚଳ ରେ !

ରାଜା ହୋଇ ନୀତିଭ୍ରଷ୍ଟ ହୁଏ ଯେଉଁ ନର,
ନୁହେ ରାଜା ପଦବାଚ୍ୟ, ଅଟେ ସେ ପାମର,
କି ପ୍ରକାର ରେ,
ଆଦର୍ଶ ସେ ହେବ ପ୍ରଜାଙ୍କର ରେ !

ବାସେ ନଦେଖି ସୁମୁଖୀ ରାଣୀ ଦେବଯାନୀ,
ମହାଦୁଃଖେ ଆଶ୍ରମେ ମିଳିଲେ ନରମଣି,
ହସ୍ତ ଧରି ହେ,
ବୋଲନ୍ତି ଆସ ମୋ ସୁନାଗୋରୀ ହେ !

ତୁହି ପ୍ରଣୟ ପ୍ରତିମା ଅଟୁରେ ସଙ୍ଗାତ,
ଆନମନା ହେଲେ ଜୀଇଁ ଥାଉଁ ହେବି ମୃତ,
ଖଞ୍ଜନାକ୍ଷୀ ରେ,
କ୍ରୋଧ ତେଜ ହୃଦରୁ ସୁମୁଖୀ ରେ!

ତୋ’ବିନା ଧନ ମୋ ଗୃହ ହୋଇଛି ଅନ୍ଧାର,
ହାହାକାରେ ଭରିଯାଏ ହୃଦୟ କନ୍ଦର,
ପାଟରାଣୀ ଗୋ,
ଫେରିଚାଲ ଗୃହେ ଦେବଯାନୀ ଗୋ!

ରାଜାଙ୍କୁ ଦେଖି କ୍ରୋଧରେ ଶୁକ୍ର ତପୋଧନ,
ଅଭିଶାପ ଦେଲେ କରି ଭୀଷଣ ଗର୍ଜନ,
“ମୂଢମତିରେ,
କାମାନ୍ଧ ହସ୍ତିନା ନରପତି ରେ !

ଯେଉଁ ଯୌବନ ପାଇଁ ରେ ଏତେ ଗର୍ବ ତୋର,
ଯେଉଁ ରୂପ ସର୍ବନାଶ କଲା ମୋ କନ୍ୟାର,
ନରମଣି ରେ,
ବାର୍ଦ୍ଧକ୍ୟ ତା ଲଭୁ ଏହିକ୍ଷଣି ରେ !

ଚାହୁଁ ଚାହୁଁ ମୁନି ଶାପ ଫଳିଲା ତକ୍ଷଣ,
ଅଶୀତିପର ବାର୍ଦ୍ଧକ୍ୟ ଲଭିଲେ ରାଜନ,
ଦେହ ଚର୍ମ ହେ,
ହୋଇଲା କୁଞ୍ଚିତ ବୃଦ୍ଧ ସମ ହେ!

ଦନ୍ତହୀନ ହେଲା ମୁଖ,ଶ୍ୱେତ ହେଲା କେଶ,
ବିକଳେ କାନ୍ଦନ୍ତି ଦେଖି ଏଦଶା ନରେଶ,
ମୁନି ପାଦେ ହେ,
ପଡି କ୍ଷମା ମାଗନ୍ତି ବିଷାଦେ ହେ !

“ହେ ମୁନିଶ ଅପରାଧୀ ମୁଁ ତୁମ୍ଭ କନ୍ୟାର,
ଏ ଘୋର ଦଣ୍ଡରୁ ମୋତେ ନକଲେ ଉଦ୍ଧାର,
କି’କରିବି ହେ,
ଜୀଇଁ ଥାଉଁ ନରକ ଭୋଗିବି ହେ !

ରାଜାଙ୍କ ବିକଳ ଦେଖି କାନ୍ଦି ଦେବଯାନୀ,
ବୋଲନ୍ତି ତୁମ୍ଭଙ୍କୁ ଦେଖି ହୃଦ ହୁଏ ହାଣି,
ପ୍ରାଣନାଥ ହେ,
ନିଜ କର୍ମୁଁ ହୋଇଲ ଦଣ୍ଡିତ ହେ!

କ୍ରମଶଃ- ———-

Click to rate this post!
[Total: 0 Average: 0]

Leave a Reply