Monday, May 20, 2024
Other Poems

ଦେବଯାନୀ (୪୧ତମ କଳିକା)

ଦେବଯାନୀ
(୪୧ତମ କଳିକା)
———————-
ନଥିଲା ସାମ୍ରାଜ୍ୟ ଖଣ୍ଡ ଖଣ୍ଡ ହୋଇ
ଆଜି ରହିଛି ଯେସନେ,
ସସାଗରା ଧରା ଥିଲା ସେ ସମୟେ
ଜମ୍ବୁଦ୍ୱୀପର ଅଧୀନେ।

ସ୍ୱର୍ଗେ ଇନ୍ଦ୍ର ସମ ରାଜୁତି କରନ୍ତି
ଧରାରେ ନହୁଷ ପୁତ୍ର,
ମହା ଆନନ୍ଦରେ ଥିଲେ ପ୍ରଜା ପୁଞ୍ଜ
ଶାନ୍ତିର ଥିଲା ରାଜତ୍ୱ।

ହସ୍ତିନା ନଗରୀ ସ୍ୱର୍ଗ ବିମ୍ବାଧରୀ
ସମ ସୁଷମା ଶାଳିନୀ,
ବେନି ରାଣୀ ସଙ୍ଗେ ଦିନ ରତିରଙ୍ଗେ
ବିତାନ୍ତି ମଉଡମଣି।

ବେନି ରାଣୀଙ୍କର ପ୍ରୀତି ସରୋବରେ
ଯଯାତି ସ୍ନାତ ସତତ,
ପୁଷ୍ପଧନୁ ପାଇଁ ଫୁଲ ତୋଳି ତୋଳି
କନ୍ଦର୍ପ ହେଲେ ନୟାନ୍ତ।

କାଳକ୍ରମେ ପାଞ୍ଚ ପୁତ୍ର ଏକ କନ୍ୟା
ପ୍ରସବିଲେ ବେନି ରାଣୀ,
ଚନ୍ଦ୍ରକଳା ସମ ସନ୍ତାନେ ବଢନ୍ତି
ହୃଷ୍ଟ ଦେଖି ନରମଣି।

ଦେବଯାନୀଙ୍କର ଗର୍ଭରୁ ଜନମ
ହୋଇଲେ ବେନି ନନ୍ଦନ,
ଜ୍ୟେଷ୍ଠପୁତ୍ର ଯଦୁ କନିଷ୍ଠ ତୁର୍ଭ୍ୟସୁ
ସୂର୍ଯ୍ୟ ସମ ତେଜୋବାନ।

ମାଧବୀ ନାମରେ ସୁତା ଦାନକଲେ
ଯଯାତିଙ୍କୁ ଦେବଯାନୀ,
ରୂପ ଲାବଣ୍ୟରେ ଆଲୋକିତ କଲା
ତିନିପୁର ଜେମାମଣି।

ଦୃହ୍ୟୁ,ଅନୁ,ପୁରୁ ନାମେ ଶର୍ମିଷ୍ଠାଙ୍କ
ଜନମିଲେ ତିନି ପୁତ୍ର,
ଆରମ୍ଭିଲେ ଗୁରୁକୁଳେ ଶସ୍ତ୍ର ଶାସ୍ତ୍ର
ବିଦ୍ୟା ପଞ୍ଚ ରାଜସୁତ।

ଶର୍ମିଷ୍ଠା-ଯଯାତି ଗୁପ୍ତ ପ୍ରେମଗାଥା
ଦେବଯାନୀ ନଜାଣନ୍ତି,
ଜାଣନ୍ତି ଗନ୍ଧର୍ବ ଔରସୁ ଶର୍ମିଷ୍ଠା
ପୁତ୍ରବତୀ ହୋଇଛନ୍ତି ।

ତସ୍କରର ଘର ନଥାଏ ଅନ୍ଧାର
ଚିରକାଳ କଦାଚିତ,
ଯଯାତି-ଶର୍ମିଷ୍ଠା ଗୁପ୍ତପ୍ରେମ କଥା
କ୍ରମେ ରାଣୀ ହେଲେ ଜ୍ଞାତ।

ହୋଇ କ୍ରୋଧଭର ତେଜିଲେ ନବର
ହସ୍ତିନାର ପାଟରାଣୀ,
ପିତାଙ୍କ ସଦନେ ଅଶ୍ରୁଳ ନୟନେ
କହିଲେ ସବୁ ବଖାଣି।

କ୍ରମଶଃ———-

Click to rate this post!
[Total: 0 Average: 0]

Leave a Reply