Thursday, July 25, 2024
Other Poems

ଦେବଯାନୀ (୨୪ ତମ କଳିକା)

ଦେବଯାନୀ
ଚତୁର୍ବିଂଶ କଳିକା
ରାଗ:—ଚିନ୍ତା ଭୈରବ
(ଆହା,ଧନୁର୍ଦ୍ଧର ବୀରବର ସ୍ୱରରେ)
—————————————-
ଦେବଯାନୀର ନୟନେ ନୀର,
ଦେଖି କଚ ହୋଇଲେ ଅଧୀର,
ବୋଇଲେ ‘ସୁଶୀଳେ !କିପାଁ ଅଶ୍ରୁଜଳେ,
କର ପ୍ଳାବନ ହୃଦ-କେଦାର ଗୋ, ସୁଶୀଳେ।।

ତୁମ୍ଭେ ଅଟ ମୋର ଗୁରୁପୁତ୍ରୀ,
ଗୁରୁ ପିତା ଯେସନ ବୋଲନ୍ତି,
ସେହି ସମ୍ପର୍କରେ ଭଗିନୀ ରୂପରେ,
ହୃଦେ ରହିଅଛ ନିତି-ପ୍ରତି ଗୋ,ସୁଶୀଳେ।।

ତୁମ୍ଭ ପିତାଙ୍କ ଗର୍ଭରେ ରହି,
ମନ୍ତ୍ରବଳେ ଜୀବନ୍ୟାସ ପାଇ,
ହୋଇଲି ବାହାର, ତେଣୁ ପିତା ମୋର,
ତୁମ୍ଭ ଜନକ ହେଲେ କି ନାହିଁ ଗୋ,ସୁଶୀଳେ।।

ବିଧି ବିଧାନ କେହ୍ନେ ଲଂଘିବି,
ଭଗିନୀ’କୁ ବିବାହ କରିବି !!
ଭର୍ତ୍ସନା କରିବେ ଏ ଜଗତେ ସର୍ବେ,
ପିତୃଦ୍ରୋହୀ ଭବେ ବୋଲାଇବି ଗୋ,ସୁଶୀଳେ।।

କେବେ ପ୍ରେମିକା ଭାବରେ ମୁହିଁ,
ତୁମ୍ଭ ପ୍ରତି ଚକ୍ଷୁ ଢାଳି ନାହିଁ,
ତୁମ୍ଭ ସଙ୍ଗେ ଯେବେ ପରିହାସ କରେ,
ତାକୁ ପୀରତି କୁହ କିପାଇଁ ଗୋ, ସୁଶୀଳେ।।

କୁହ ଭଗିନୀ ମୋ ସୁନୟନା ,
କେବେ କରିଛି ପ୍ରେମ ଯାଚନା ??
ଗୁରୁପୁତ୍ରୀ ହେଜି,ତଡି ଦେଇଛି ମୁଁ,
ଯେତେ ସବୁ ଦୁର୍ବଳ ଭାବନା ଗୋ,ସୁଶୀଳେ।।

ଜୀବନରୁ ବଳି ପାଏ ଭଲ,
ତାହା ଶାଶ୍ୱତ ଅମୂଲ ମୂଲ,
ବାସନା ରଂଜିତ,ନୁହଇ ତାହା ତ,
ଭ୍ରାତୃ-ଭଗିନୀ ପ୍ରେମ ବିରଳ ଗୋ,ସୁଶୀଳେ।।

ସେହି ଶାଶ୍ୱତ ପ୍ରେମର ଦ୍ୱାହି,
ତୁମ୍ଭ ପାଇଁ ପ୍ରାଣ ପାରେ ଦେଇ,
ଭାଇର ମସ୍ତକ ମାଗ ଦେବଯାନୀ,
ତୁମ୍ଭ ପାଦତଳେ ଦେବି ଥୋଇ ଗୋ,କଲ୍ୟାଣୀ।।

ଘୋର ଅପମାନେ ଜର୍ଜରିତ,
ଦେବଯାନୀ ହେଲେ ସ୍ତମ୍ଭିଭୂତ,
ନାରୀର ପୀରତି ହେଲେ ପ୍ରତ୍ୟାଖ୍ୟାତ,
ବିଶ୍ୱେ ପ୍ରଳୟ ହୁଏ ସମ୍ଭୂତ ହେ,ସୁଧୀରେ।।

ହେଲା ରକ୍ତାଭ ବେନି ନୟନ,
ସହଜେ ତ ଥିଲା ଅଶ୍ରୁପୂର୍ଣ୍ଣ,
ଥମ ଥମ ହୋଇ କ୍ରୋଧ ଝରିଯାଇ,
ବାଳା ମୁଖ ହେଲା ରକ୍ତବର୍ଣ୍ଣ ହେ,ସୁଧୀରେ।।

କ୍ରୋଧେ ଅସମ୍ଭାଳ ଦେବଯାନୀ,
ବୋଇଲେ “ଆହେ ନିର୍ଲଜ ପ୍ରାଣୀ,
ପାଇ ସଂଜୀବନୀ ସବୁ ଭୁଲିଲଣି,
ତୁମ୍ଭ ମତିଗତି ଜାଣିଲିଣି ହେ,କପଟୀ।।

ନ’କହିବ କାହାକୁ ଟି ଏହା,
‘ପ୍ରେମ’ କଳଙ୍କିତ ହେବ ଆହା !
‘ପ୍ରତାରଣା’ ଶବ୍ଦ ଲାଜରେ ଲୁଚିବ,
ତୁମ୍ଭ ପ୍ରତାରଣା ଆଗେ ତାହା ହେ,କପଟୀ।।

ଶୁଣି କଚ ବୋଲନ୍ତି ବଚନ,
‘ତୁମ୍ଭେ କ୍ରୋଧ କର ଅକାରଣ,
ଝିଙ୍ଗାସ ତୁମ୍ଭର ମୋତେ ବାରମ୍ବାର,
ଦିଏ ହୃଦୟେ ଘୋର କଷଣ ଗୋ, କଲ୍ୟାଣୀ’।।

ଘୋର ଅପମାନେ ଦେବଯାନୀ,
ବୋଇଲେ “କଚ ଶୁଣ ମୋ ବାଣୀ,
ସତ୍ୟ,ପୁଣ୍ୟ,ସିଦ୍ଧି ଯେବେ ମୋର ଥିବ,
ତେବେ ଫଳିବ ମୋ ଶାପ୍ୟ-ବାଣୀ ହେ ,କପଟୀ।।

ଅଟେ ବ୍ରାହ୍ମଣର ମୁଁ ଦୁହିତା,
ସିଦ୍ଧ ବ୍ରହ୍ମଯୋଗୀ ମୋର ପିତା,
ସେହି ପୁଣ୍ୟ ବଳେ ଦିଏ ଅଭିଶାପ,
ହୋଇ ତୁମ୍ଭ ପ୍ରେମେ ପରିତ୍ୟକ୍ତା ହେ, କପଟୀ।।

ଯେଉଁ ସଂଜୀବନୀର କାରଣେ,
ପ୍ରତ୍ୟାଖ୍ୟାନ କଲ ମୋତେ ପ୍ରେମେ,
ହେବନାହିଁ ତୁମ୍ଭହସ୍ତେ କାର୍ଯ୍ୟକାରୀ
ଯେବେ ଫେରିଯିବ ସ୍ୱର୍ଗଧାମେ ହେ, କପଟୀ”।।

ପାଇ ଶାପ୍ୟ ଦେବଯାନୀଙ୍କର,
ବ୍ୟଥିତ ହୋଇଲେ କଚ ଧୀର,
ବୋଇଲେ “ବିନା ଦୋଷରେ ଦେବଯାନୀ,
ପଣ୍ଡ କରିଲ ସାଧନା ମୋର ହେ, ଭଗିନୀ।।

ଯେଉଁ ବ୍ରହ୍ମଶକ୍ତି ତୁମ୍ଭେ ଧରି,
ମୋର ସିଦ୍ଧି ଦେଲ ପଣ୍ଡକରି,
ବ୍ରାହ୍ମଣ କୁଳରେ ତୁମ୍ଭ ପରିଣୟ,
ରହିଯିବ ଦିବାସ୍ୱପ୍ନ ପରି ଗୋ ,ଭଗିନୀ।।

ଯେଉଁ ସତ୍ୟ-ପ୍ରେମ ଦ୍ୱାହି ଦେଇ,
ମୋର ସାଧନା ନେଲ ଛଡାଇ,
ସେ ଶାଶ୍ୱତ ପ୍ରେମ ପ୍ରତିଦାନ କେବେ,
ତୁମ୍ଭେ ଜୀବନେ ପାଇବ ନାହିଁ ଗୋ ,ଭଗିନୀ।।

ତୁମ୍ଭ ପତି ଦେବେ ପ୍ରତାରଣା,
ତୁମ୍ଭପ୍ରତି ପ୍ରେମ କରି ଉଣା,
ଗୁପ୍ତ ପ୍ରଣୟରେ ଲିପ୍ତ ହୋଇ ସ୍ୱାମୀ,
ତୁମ୍ଭ ପ୍ରତି କରିବେ ଛଳନା ଗୋ,ଭଗିନୀ।।

ଅଟେ ଏହି ଅଭିଶାପ ମୋର,
ଗୁରୁ ପୁତ୍ରୀ ଗୋ ଗ୍ରହଣ କର,
ବାସନା ରହିତ ସିଦ୍ଧଯୋଗୀ ମୁହିଁ,
ଶାପ୍ୟ ଫଳିବ ଅବଶ୍ୟ ମୋର ଗୋ ଭଗିନୀ।।

କ୍ରମଶଃ:———-

Click to rate this post!
[Total: 0 Average: 0]

Leave a Reply