Wednesday, February 28, 2024
Other Poems

ଦେବଯାନୀ(୩୦ତମ କଳିକା)

ଦେବଯାନୀ
ତ୍ରିଂଶତମ କଳିକା
ରାଗ:—ଧନାଶ୍ରୀ
—————–
ଅବଳା କ୍ରନ୍ଦନ ହସ୍ତିନା ରାଜନ ଶୁଣି ବିଚାରନ୍ତି ମନେ,
ଏ ଘୋର ବିପିନେ କିଏ ସେ ବିଜନେ କାନ୍ଦଇ କେଉଁକାରଣେହେ
ଦେବୀ ଅବା ମାନବୀ,
ଅବା ମାୟାବିନୀ କେ ଦାନବୀ ହେ।।

ଲତା ଗୁଳ୍ମ ଘେରା ଜଳଶୂନ୍ୟ କୂପ,ଗର୍ଭ ନାତି-ଅନ୍ଧକାର,
ବସି ତା ମଧ୍ୟରେ ବିଳପେ ଅବଳା,ବସନହୀନ ଶରୀର ହେ,
ରୂପ ଯାଏ ଝଲସି,
ଖସି ପଡିଛି କି ପୂର୍ଣ୍ଣ ଶଶି ହେ ! ।।

ନିଟୋଳ ଯୌବନା ସୁଚାରୁ ବଦନା ମୁକ୍ତକେଶା ପୁଷ୍ପହାରା,
ଚୂର୍ଣ୍ଣ କୁନ୍ତଳ ତା ଆଚ୍ଛାଦି ଦେଇଛି ସୁଠାମ କୁଚ ପସରା ହେ,
ନେତ୍ରୁ ଝରଇ ନୀର,
ଡାକେ ‘କେ ଅଛ ଉଦ୍ଧାର କର’ ହେ।।

ପୁଚ୍ଛନ୍ତି ଯଯାତି “କିଏ ତୁମ୍ଭେ ଏଥି,ଅନ୍ଧକୂପେ ନିପତିତା !
ହେ ଲାବଣ୍ୟଦୃଶା ! କେ ଦେଲା ଏ ଦଶା କାହାର ତୁମ୍ଭେ ଦୁହିତା ଗୋ,
ଅଙ୍ଗେ ନାହିଁ ବସନ,
କଣ୍ଟକରେ ଅଙ୍ଗ ଛିନ୍ନ ଭିନ୍ନ ଗୋ।।

କିଏ ସେ ପାଷଣ୍ଡ ବିହିଲା ଏ ଦଣ୍ଡ ନଜାଣେ କି ଅର୍ବାଚୀନ,
ପୂଜନୀୟା ନାରୀ ରାଜ୍ୟରେ ମୋହରି,କଲେ ନାରୀ ଅପମାନ ଗୋ,
ମୃତ୍ୟୁଦଣ୍ଡ ନିଶ୍ଚିତ,
କୁହ ଫେଡି ସକଳ ବୃତାନ୍ତ ଗୋ।।

ସମୀପରେ ଦେଖି ଯୁବା ଇନ୍ଦୁମୁଖୀ ହୋଇଲେ ଶୋକ ନିବୃତ,
ଉଲଗ୍ନ ଶରୀର ହୋଇଗଲା ଘୋର ଲଜ୍ୟାମେଘରେ ଆବୃତ ହେ
ପଲ୍ଲବରେ ଛଇଳା,
ଅଙ୍ଗ ଢାଙ୍କି ଉଭା ଲଜ୍ୟାଶୀଳା ହେ।।

ଜାଣି ବାଳା ମନ ହସ୍ତିନା ରାଜନ, ନିଜ ଅଙ୍ଗ ଉତ୍ତରୀୟ,
ସମର୍ପିଲେ ଲଜ୍ଜା ନିବାରଣ ପାଇଁ, ଲଭି ବାଳା ହେଲେ ଥୟ ହେ,
ପିନ୍ଧି କଟିଦେଶରେ,
ଅଙ୍ଗ ଢାଙ୍କିଲେ ପତ୍ର ଲତାରେ ହେ।।

ନିଟୋଳ ଯୌବନୀ ଗୁରୁ ନିତମ୍ବିନୀ କଟିକୁ ସେ ଉତ୍ତରୀୟ,
ଅଳ୍ପ ଢାଙ୍କିଥାଏ ଯାହା ଦୃଶ୍ୟହୁଏ ,ସେ ଦୃଶ୍ୟ ଅତୁଳନୀୟ ହେ,
ନୃପ ନେତ୍ର ଚକୋର,
ତୃପ୍ତ ପିଇ ସେ ଲାବଣ୍ୟ ନୀର ହେ।।

ଆଳାପରୁ ଜାଣିଦେଲେ ସୁହାସିନୀ,ଏ ଯେ ହସ୍ତିନା ନରେଶ,
ସଲ୍ଜଜ ବଦନେ ପ୍ରଣମିବୋଇଲେ,ଆଜି ମୋ ଭାଗ୍ୟଅଶେଷହେ,
ଚକ୍ଷୁ ହେଲା ପବିତ୍ର,
ଦେଖି ସମୀପେ ନହୁଷ-ପୁତ୍ର ହେ।।

ବୋଲନ୍ତି ଆବର ଆହେ ନୃପବର, ନାମ ମୋର ଦେବଯାନୀ,
ବୃଷପର୍ବା ରାଜ୍ୟେ ନିବାସ ମୋହର,ପିତା ଶୁକ୍ର ମହାମୁନି ହେ,
କଳହର କାରଣ,
କୂପେ ନିକ୍ଷେପିଲେ ସଖୀଗଣ ହେ।।

ଶୁଣି ହେଲେ ତୋଷ ହସ୍ତିନା ନରେଶ,ବୋଇଲେ ‘ମଧୁଭାଷିଣୀ,
ତୁମ୍ଭ କଳହର କରିବେ ବିଚାର ପିତା ଶୁକ୍ର ମହାମୁନି ହେ,
ସୁରକ୍ଷିତ ତୁମ୍ଭକୁ,
ସମର୍ପିବି ତୁମ୍ଭ ଜନକଙ୍କୁ ହେ।।

ବୋଲି ଏହି ବାଣୀ ବିଜ୍ଞ ନରମଣି,ବଢାଇ ଦକ୍ଷିଣ କର,
ଦେବଯାନୀ ହସ୍ତ ଧରନ୍ତେ ଛଇଳା ଅଙ୍ଗେ ଲଭିଲେ ସୀତ୍କାର ହେ,
ହେଲେ ରୋମାଂଚ ଦେହୀ,
ପୁଂଷ ପ୍ରଥମ ପରଶ ପାଇ ହେ।।

ଶତ କଦମ୍ବର ରୋମାଂଚ ବାଳାର ଅଙ୍ଗେ ଅଙ୍ଗେ ଗଲା ଭରି,
ଆପାଦମସ୍ତକ ଲୋମକୁପମୂଳେ,ଲୋମ ଉଠିଲେ ଟାଙ୍କୁରି ହେ,
ଦେବଯାନୀ ପରଶ,
ଦେଲା ନୃପଙ୍କୁ ତୃପ୍ତି ଅଶେଷ ହେ।।

ଦେବଯାନୀ ପୁଷ୍ପକୋମଳ ଅଙ୍ଗର ଦର୍ଶନେ ହସ୍ତିନା ଭୂପ,
ରୂପ ଜାହ୍ନବୀରେ ନେତ୍ର ପଖାଳିଲେ,ଭାବିଲେ କି ଅପରୂପ !ହେ,
ବାଳା ରୂପ ସମ୍ଭାର,
ପ୍ରୀତି-ସୋମରସର ଭଣ୍ଡାର ହେ।।

ଲଜ୍ୟା ଅବନତ ବଦନେ ଧରାକୁ ଚାହିଁଥିଲା ମଧୁହାସୀ,
ରୂପ ମଧୁଧାର ପଡୁଥିଲା ସତେ ମଧୁପ ଫେଣାରୁ ଖସି ହେ,
ନୃପ ମନ ଅଧୀର,
କଲା ବିବେକ ଯେ ତିରସ୍କାର ହେ।।

କର୍ତ୍ତବ୍ୟ ନିର୍ଦ୍ଦେଶେ ନୃପ ଅବଶେଷେ ବୋଇଲେ ଆସ ସୁଶୀଳେ !
ପିତାଙ୍କ ଆଶ୍ରମେ ସମର୍ପି ତୁମ୍ଭକୁ ଫେରି ଆସିବି ଚଞ୍ଚଳେ ଗୋ,
ହୋଇଗଲେ ଦିନାନ୍ତ,
ଅନ୍ଧକାରେ ନଦିଶିବ ପଥ ଗୋ।।

କ୍ରମଶଃ———
(କଲମର ନାମ ଅବିନାଶ)

Click to rate this post!
[Total: 0 Average: 0]

Leave a Reply