Sunday, June 23, 2024
Other Poems

ଦେବଯାନୀ(୨୭ତମ କଳିକା)

ଦେବଯାନୀ
(ସପ୍ତବିଂଶ କଳିକା)
————
ରାଗ:—ଚୋଖି

‘ଶର୍ମିଷ୍ଠା’ ରାଜକୁମାରୀ ମଧୁଛନ୍ଦା ସୁକୁମାରୀ
ସ୍ୱର୍ଗଗଙ୍ଗା ସମସରି କଳନାଦିନୀ,
ଦେବଯାନୀ ଶୁକ୍ରବାଳୀ ମର୍ତ୍ତ୍ୟର ଜାହ୍ନବୀ ଭଳି
ଏକ ବୃନ୍ତେ ବେନି କଳୀ ବେନି ସଜନୀ,
କ୍ଷୀର ନୀର ସମାନ ବେନି,
ଶର୍ମିଷ୍ଠା ଚନ୍ଦ୍ରମା ଋଷିକନ୍ୟା ଚାନ୍ଦିନୀ।।

‘ଦେବଯାନୀ’ କୁମୁଦିନୀ ‘ଶର୍ମିଷ୍ଠା’ଯେ କମଳିନୀ
ରୂପର ଅଗ୍ନି ସ୍ଫୁଲିଙ୍ଗ ମୁନିକୁମାରୀ,
ଶର୍ମିଷ୍ଠା ମେଘ ବିଜୁଳି ରୂପେ ବନଜ୍ୟୋସ୍ନା ଭଳି
ଏକ ଚମ୍ପା ଆନ ପାରିଜାତର ପରି,
ଦେବଯାନୀ ଚମ୍ପାର କଳୀ,
ଯୋଜନଗନ୍ଧା କୁସୁମ ଶର୍ମିଷ୍ଠାବାଳୀ।।

ବନ ହରିଣୀ ସମାନ ଦେବଯାନୀ ମନ ଛନ୍ନ,
କେକୀ ସମ ଲାସ୍ୟପୂର୍ଣ୍ଣ ଶର୍ମିଷ୍ଠା ଠାଣି,
କଳକଣ୍ଠିନୀ ଶର୍ମିଷ୍ଠା କଥାରେ ତା ମଧୁମିଠା,
ଅହଂକାର ଭରା ଦେବଯାନୀର ବାଣୀ,
ଶୁକ୍ର ଯେଣୁ ରାକ୍ଷସ-ଗୁରୁ,
ଗୁରୁପୁତ୍ରୀ ମନେ ଗର୍ବ ହୋଇଛି ଗରୁ।।

ବୃଷପର୍ବା କନ୍ୟା ଦିନେ ଭ୍ରମୁଥିଲେ ଘୋର ବନେ
ସଖୀଶ୍ରେଣୀ ସଙ୍ଗେ ବାଳା ଆନନ୍ଦ ମନେ,
ସଙ୍ଗେ ଥିଲେ ସହଚରୀ ଶୁକ୍ରମୁନିଙ୍କ କୁମାରୀ
କ୍ରୀଡା କଉତୁକେ ରହିଥିଲେ ମଗନେ,
ଋତୁ ଥିଲା ବସନ୍ତ କାଳ,
ପରିବେଶ ଥିଲା ମଧୁମୟ ନିର୍ମଳ।।

ବହିଲା ମନ୍ଦ ମଳୟ ‘କାନନ’ ବାଳୀ ଅଥୟ
ଜଗାଇବାପାଇଁ ‘ଧରା’ ମନରେ କେଳି,
କୋମଳ ପତ୍ର ଶାଢିରେ ମଣ୍ଡିଲା ଅଙ୍ଗ ରୁଚିରେ,
ପିନ୍ଧି ନାନାଜାତି ଫୁଲ ଗଭାରେ ବାଳୀ,
କୋକିଳ କଣ୍ଠରେ ସମ୍ଭାଷେ,
ଅଭିସାରେ ପ୍ରିୟତମ ଆସ ମୋ ପାଶେ।।

ଏଣେ ଅଗ୍ରତେ ସରସୀ ଦେଖି ସ୍ନାନେ ଅଭିଳଷୀ
ପୁଷ୍କରଣୀ ମଧ୍ୟେ ପଶି ସଖୀ ସମାଜ,
ମନଭରି କଲେ ସ୍ନାନ ଅଙ୍ଗେ ନାହିଁ ବାସ ମାନ,
ପଖାଳିଲେ ଅପଘନ ତେଜିଣ ଲାଜ,
ବସନ ରଖିଣ ତଟରେ,
ଜଳକେଳି କଲେ ସର୍ବେ ଆନନ୍ଦଭରେ।।

କ୍ରମଶଃ:—–

(କଲମର ନାମ ଅବିନାଶ)

Click to rate this post!
[Total: 0 Average: 0]

Leave a Reply