Thursday, June 13, 2024
Devotional Poems

ଗୀତାଜ୍ଞାନ(୯)

ଗୀତା ଜ୍ଞାନ (୯)
=================================
ଶ୍ରୀମଦ୍ଭଗବଦ୍ ଗୀତା
ଦ୍ବିତୀୟ ଅଧ୍ୟାୟ
ସାଂଖ୍ୟଯୋଗ
ଭାବାନୁବାଦ
(ଶ୍ଳୋକ ସଂଖ୍ୟା ୩୮ ରୁ ୪୮)
=================================
ସମଭାବାପନ୍ନ କର ତୁମ୍ଭ ମନ #
ସୁଖ ଦୁଃଖରେ କୌନ୍ତେୟ, ##
ଯଶ ପାଇଁ କର ତୁ ବୀର ସମର
ଭୁଲି ଜୟ ପରାଜୟ।

“ସାଂଖ୍ୟଯୋଗେ” ଜନ କର୍ମର ବନ୍ଧନ
କାଟେ ସମବୁଦ୍ଧି ବଳେ,
ଶୁଣିଲ ତା’ ବୀର କହୁଛି ଏଥର
ତାହା “କର୍ମଯୋଗ” ଛଳେ। &

ମନୁଷ୍ୟଲୋକରେ କର୍ମଯୋଗ ଥରେ
ଧର୍ମ ରୂପରେ ଆରମ୍ଭ,
ହେବ ଯେବେ ପାର୍ଥ ନହେବ ତା ଅନ୍ତ
ସସ୍ରଗୁଣ ବୃଦ୍ଧି ହେବ।

ମିଳିବ ସୁଫଳ ବିପରୀତ ଫଳ
ନରହିବ କିଛିମାତ୍ର,
ଜନ୍ମ ମୃତ୍ୟୁ ଡର ହୋଇଯିବ ଦୂର
ପ୍ରାପ୍ତ ହେବ ମୁକ୍ତି ପଥ ।

ଅନ୍ତର ଭିତରେ ସମଭାବ ଝରେ *
ମନ ହେଲେ ଏକାଗ୍ରତ,
ଧନ, ଧାନ୍ୟ, ମାନ,ଆବର ସମ୍ମାନ
ପାଇଁ ମନ ଅନାସକ୍ତ।

କର୍ମଯୋଗେ ଯୁକ୍ତ, ହେବାପାଇଁ ପାର୍ଥ
ଲୋଡା ଦୃଢ଼ ଏକାଗ୍ରତ,
ନଥିଲେ ତାହାତ ବୁଦ୍ଧି ଶାଖାଯୁକ୍ତ
ବୃକ୍ଷ ସମ ଅଣାୟତ।**

ଅସ୍ଥିର ବିଚାର କରେ ଯେଉଁ ନର
ବିବେକହୀନ ଆବର,
କର୍ମଫଳଧ୍ୟାୟୀ ବୁଦ୍ଧି ତା ଅଟଇ
ଶାଖାଯୁକ୍ତ ତରୁବର।

କାମନାର ନାହିଁ ଅନ୍ତ ସେଥିପାଇଁ
ମନେ ଆଣ ଏକାଗ୍ରତା,
ସମଭାବାପନ୍ନ ଏକାଗ୍ରତ ମନ
ଲାଭକରେ ସଫଳତା।

ହେ ପୃଥାନନ୍ଦନ ! ଶୁଣ ଦେଇ ମନ
ସକାମ କର୍ମେ ଯେ ରତ
ଭୋଗ ବିଳାସରେ ଐଶ୍ୱର୍ଯ୍ୟ ପ୍ରାପ୍ତିରେ
ସଦା ରହିଥାନ୍ତି ବ୍ୟସ୍ତ।

ଭୋଗ ଲାଳସାକୁ ସ୍ବର୍ଗସୁଖ ମଣି
ବିତାଉଥାନ୍ତି ଜୀବନ,
ଏକାଗ୍ରହୀନ ସେ ପରମାତ୍ମା ଠାରେ
ନଥାଏ ତାଙ୍କର ଧ୍ୟାନ।

ନିରନ୍ତର ନିତ୍ୟସତ୍ବ ପରମାତ୍ମା
ଠାରେ ମନ କର ସ୍ଥିର,
ରାଗ, ରୋଷ, ଦ୍ବନ୍ଦ୍ବ, ରହିତ ହୋଇଲେ
ଜୀବନ ହୋଇବ ସାର।

ବେଦରେ ବର୍ଣ୍ଣିତ ସ୍ବର୍ଗଭୂମି ଭୋଗ ***
ବିଷୟେ ନରହ ଜଡି,
କର୍ମ କର ପ୍ରାପ୍ତି,ଅପ୍ରାପ୍ତି ନଇଚ୍ଛି ₹
ମୋ ଉପରେ ଦିଅ ଛାଡି।

ଜଳପୂର୍ଣ୍ଣ ସ୍ୱଚ୍ଛ ନିର୍ମଳ ସରସୀ
ମିଳିଥାଏ ଯେତେବେଳେ,
କ୍ଷୁଦ୍ର ଜଳାଶୟ ପ୍ରୟୋଜନହୀନ
ହୋଇଥାଏ ସେତେବେଳେ।

ସେପରି ସୁଜ୍ଞାନୀ ଶାସ୍ତ୍ରୀ ବ୍ରହ୍ମଜ୍ଞାନୀ
ବେଦରେ ବର୍ଣ୍ଣିତ ପୂଜା,
ଯଜ୍ଞ, ଦାନ, ତପ, ତୀର୍ଥ ଆଦିକରି
କରିଦେଇଥାଏ ତେଜ୍ୟା।

କର୍ମ କରିଯାଅ କର୍ମଫଳେ ଆଶା
ରଖନାହିଁ ଧନଞ୍ଜୟ,
ଆସକ୍ତି ବିହୀନ କର୍ମକରି ତୁମ୍ଭେ
କର୍ତ୍ତବ୍ୟରେ ରଖ ଲୟ।

ଫଳାଫଳ ପାଇଁ ଧ୍ୟାନ ଦିଅ ନାହିଁ
କର୍ମଯୋଗେ ପୃଥାତ୍ମଜ,₹₹
ସିଦ୍ଧି ଅସିଦ୍ଧିରେ ସମଭାବ ହୁଅ ₹₹₹
ମନରୁ ଆସକ୍ତି ତେଜ।
===================================
ଟୀକା:—–
#ସମଭାବାପନ୍ନ…ସୁଖ ବା ଦୁଃଖରେ ମନର ସମାନ ଭାବନା/ଅବିଚଳିତ ରହିବା ଭାବ
## କୌନ୍ତେୟ… କୁନ୍ତୀଙ୍କ ପୁତ୍ର… ଅର୍ଜୁନ
&… ସାଂଖ୍ୟଯୋଗ ମାଧ୍ୟମରେ ଯେଉଁ “ପରମାତ୍ମା-ପଦାଶ୍ରୀତ” କର୍ତ୍ତବ୍ୟ ସମ୍ପାଦନ କଥା ମୁଁ କହିଥିଲି, ତାହା କର୍ମଯୋଗ ମାଧ୍ଯମରେ କିପରି ଲାଭ କରିହେବ,ଏବେ ଶୁଣ।
*ସମଭାବ….ସୁଖଦୁଃଖ ବିପଦ-ଆପଦରେ ମନରେ ସମାନ ଭାବ ରହିବା/ମନ ନିର୍ଲିପ୍ତ ରହିବା।
**ମନରେ ଏକାଗ୍ରତା ନରହିଲେ ବୁଦ୍ଧିରେ ଏକାଗ୍ରତା ଆସେନାହିଁ।ବୁଦ୍ଧି ଅନେକ ଶାଖା ଥିବା ବୃକ୍ଷଭଳି ଅଣାୟତ ହୁଏ।
*** ବେଦରେ ବର୍ଣ୍ଣନା କରାଯାଇଛି ଯଜ୍ଞ, ପୂଜା,ବଳିଭୋଜା ଇତ୍ୟାଦି ଦେଇ ଦେବତାଙ୍କୁ ସନ୍ତୁଷ୍ଟ କରି ସ୍ବର୍ଗ ଭୋଗ କରିହେବ।ତାହା ଢୋଙ୍ଗୀ ମାନଙ୍କ କାମ।
₹ ପ୍ରାପ୍ତି ଅପ୍ରାପ୍ତି ଭାବ…ମିଳିବା/ନମିଳିବା ଇଚ୍ଛା ବା କାମନା ନରଖିବା।
₹₹ ପୃଥାତ୍ମଜ….ପୃଥା ବା କୁନ୍ତୀଙ୍କ ପୁତ୍ର… ଅର୍ଜୁନ।
₹₹₹ ସିଦ୍ଧି, ଅସିଦ୍ଧି… ସଫଳତା,ବିଫଳତା

===================================
ଅନ୍ତଃଦୃଷ୍ଟି
===================================
କର୍ମ ଭିତରେ ମଣିଷ ଜୀଏଁ ଏବଂ କର୍ମ ହିଁ ଜୀବନର ମାନଦଣ୍ଡ ନିର୍ଦ୍ଧାରଣ କରେ। କିନ୍ତୁ ସେହି କର୍ମ ସହିତ କାମନା ଓ ଆସକ୍ତି ଯୋଡ଼ି ହେଲେ ତାହା ସବୁ ଦୁଃଖର କାରଣ ହୋଇଯାଏ। ଫଳାଫଳ ପ୍ରତି ଆଶାରଖି ଯେଉଁ କର୍ମ ସମ୍ପାଦନ କରାଯାଏ ତାହା କର୍ମବନ୍ଧନରେ ପରିଣତ ହୁଏ ଏବଂ ମନୁଷ୍ୟର ଦୁଃଖ ଏବଂ ଅଶାନ୍ତିର କାରଣ ହୁଏ। କାମନାଯୁକ୍ତ କର୍ମ ହିଁ ମନୁଷ୍ୟର ସବୁ ଦୁଃଖର କାରଣ।ବନ୍ଧନରୁ କର୍ମକୁ ଦୂରେଇ ରଖିବାର ଏକ ଉପାୟ ସାଂଖ୍ୟ-ଜ୍ଞାନ। ପ୍ରତି ଆତ୍ମା ଯଦି ନିଜକୁ ଏବଂ ଅନ୍ୟକୁ ପରମାତ୍ମାଙ୍କ ଅଂଶ ବୋଲି ହୃଦୟଙ୍ଗମ କରିବ ତାହେଲେ ସବୁ କାମକୁ ସେ ପରମାତ୍ମା-ନିର୍ଦେଶିତ କର୍ତ୍ତବ୍ୟ-କର୍ମ ବୋଲି ମନେ କରିବ ଏବଂ କର୍ମଜଦୁଃଖ ଭୋଗ କରିବନାହିଁ।

ଅର୍ଜୁନଙ୍କୁ ଏହି ସାଂଖ୍ୟ-ଜ୍ଞାନ ଦେଇସାରିବାପରେ ଶ୍ରୀକୃଷ୍ଣ , କର୍ମଯୋଗ ବଳରେ ମନୁଷ୍ୟ କିପରି ସମଭାବାପନ୍ନ ହୋଇ ନିଷ୍କାମ କର୍ମକରି ମାନସିକ ଶାନ୍ତି ଲାଭ କରିବ ସେହି କଥା ବୁଝାଇଛନ୍ତି। “କର୍ମଯୋଗ”କୁ ଏକ ଧର୍ମ ଭାବରେ ବର୍ଣ୍ଣନାକରି ପ୍ରଭୁ କହିଛନ୍ତି ଯେ ସମାଜରେ ଏହି ଧର୍ମର ଆରମ୍ଭ ହେଲେ ସମାଜକୁ ସବୁପ୍ରକାର ସୁଫଳ ମିଳିବ ଏବଂ ଜନ୍ମ-ମୃତ୍ୟୁ ଭୟରୁ ଦୂରରେ ରହି ପ୍ରାଣୀ ଅନନ୍ତ ଶାନ୍ତି ଲାଭ କରିବ।”କାମନା”ହିଁ ସବୁ ଦୁଃଖର କାରଣ”,ଏହାହିଁ କର୍ମଯୋଗର ମୂଳମନ୍ତ୍ର। କର୍ମଯୋଗ ମାଧ୍ଯମରେ ମନକୁ କାମନା-ରହିତ କରିବାକୁ ହେଲେ ମନକୁ ପ୍ରଥମେ କଠୋର ଏକାଗ୍ରତାର ବଶବର୍ତ୍ତୀ କରିବାକୁ ହେବ। ପରମାତ୍ମାଙ୍କଠାରେ ମନ ସମ୍ପୂର୍ଣ୍ଣ ନିୟୋଜିତ କରିବାକୁ ହେବ।ମନକୁ ରାଗ,ରୋଷ, ଦ୍ବନ୍ଦ୍ବ ରହିତ କରିବାକୁ ପଡ଼ିବ।

ବେଦ ମନୁଷ୍ୟକୃତ।ବେଦ-ବର୍ଣ୍ଣିତ ସ୍ବର୍ଗଭୂମି ଭୋଗକରିବା ଇଚ୍ଛା ପଛରେ ନପଡ଼ି ମନକୁ ନିଷ୍କାମ କର୍ମରେ ଯୋଗ କରିବାକୁ ପଡ଼ିବ। ଫଳାଫଳ ଲାଭ ପାଇଁ ଯଜ୍ଞ, ଦାନ,ତପ,ତୀର୍ଥ,ବ୍ରତ ଇତ୍ୟାଦି ବେଦରେ ଯାହା ନିର୍ଦ୍ଦେଶ ଦିଆଯାଇଛି ସେଥିରୁ ମନକୁ ଦୂରେଇ ରଖିବାକୁ ପଡିବ। କର୍ମଯୋଗର ସୁଫଳ ଏକ ଜଳପୂର୍ଣ୍ଣ ନିର୍ମଳ ସରସୀ ହେଲେ ବେଦରେ ବର୍ଣ୍ଣିତ ସକାମ ଯଜ୍ଞ,ପୂଜାର ଫଳ ଏକ କ୍ଷୁଦ୍ର ଜଳାଶୟ ବ୍ୟତୀତ ଅନ୍ୟ କିଛି ନୁହେଁ।

ପ୍ରାପ୍ତି-ଅପ୍ରାପ୍ତିରେ ସମଭାବାପନ୍ନ ହୋଇ ଆସକ୍ତି ରହିତ ହେବା “କର୍ମଯୋଗ”ରେ ସିଦ୍ଧିଲାଭ କରିବାପାଇଁ ଏକ ପ୍ରମୁଖ ମାର୍ଗ।
===================================
କ୍ରମଶଃ…..

Click to rate this post!
[Total: 0 Average: 0]

Leave a Reply