Wednesday, February 28, 2024
Devotional Poems

ଗୀତାଜ୍ଞାନ(୬)

ଗୀତା ଜ୍ଞାନ (୬)
================================
ଶ୍ରୀମଦ୍ଭଗବଦ୍ ଗୀତା
ଦ୍ବିତୀୟ ଅଧ୍ୟାୟ
ସାଂଖ୍ୟଯୋଗ
ଭାବାନୁବାଦ
(ଶ୍ଲୋକ ସଂଖ୍ୟା ୧ ରୁ ୧୪)
==================================
ଅଶ୍ରୁପୂର୍ଣ୍ଣ ନେତ୍ର, ଦୃଷ୍ଟି ଅବରୁଦ୍ଧ
ମନ କାତରତା ପୂର୍ଣ୍ଣ,
ଦେଖି ଅର୍ଜୁନଙ୍କ ଏ ବିଷାଦ ମୁଦ୍ରା
କହିଲେ ମଧୁସୂଦନ।

ଏ ମହାସଂଗ୍ରାମ ବିଷମ ସମୟେ
ଏ’କି କାପୁରୁଷ ପଣ !
କାହୁଁ ଅର୍ଜିଲ ଏ ଅକୀର୍ତ୍ତିଦାୟକ,
ଅନାର୍ଯ୍ୟ କାରକ ଗୁଣ ?

ହେ ପୃଥାନନ୍ଦନ ନପୁଂସକ ସମ #
ହୁଅନାହିଁ ଧନଞ୍ଜୟ,
ତେଜ ଏ କ୍ଲୀବତା ତୁଚ୍ଛ ଦୁର୍ବଳତା *
ଧର ଅସ୍ତ୍ର ଉଭା ହୁଅ।

କହିଲେ ଅର୍ଜୁନ ହେ ମଧୁସୂଦନ
ରଣଭୂମିରେ କିପରି,
ଭୀଷ୍ମ ଦ୍ରୋଣ ପ୍ରତି ଶାୟକ ପେଶିବି##
କେମନ୍ତେ ପାରିବି ମାରି ?

ଏମାନେ ତ ମୋର ପୂଜନୀୟ କେହ୍ନେ
ହରିବି ଏହାଙ୍କ ପ୍ରାଣ,
ଆଚରଣ-ଶ୍ରେଷ୍ଠ ପିତାମ଼ହ
ଗୁରୁଶ୍ରେଷ୍ଠ ଅଟନ୍ତି ଯେ ଦ୍ରୋଣ।

ଗୁରୁଜନ ରକ୍ତେ ସିକ୍ତ ରାଜପାଟ
ଲୋଡା ନାହିଁ ମୋର ହରି,
ଶ୍ରେୟ ତାହାଠାରୁ ବଞ୍ଚିବା ଜୀବନେ
ହସ୍ତେ ଭିକ୍ଷାଥାଳ ଧରି।

ନଜାଣଇ ମୁଁ ଏ ଯୁଦ୍ଧ ପରିଣାମ
କେ ହାରିବ,ଜିଣିବ କେ ?
ଏ ଯୁଦ୍ଧ ଜିଣିଲେ ଯଶ ହେବ ଅବା
ଅପଯଶ ହେବ ଲୋକେ ?

ଯେଉଁ ଧୃତରାଷ୍ଟ୍ର ସନ୍ତାନେ ଏ ସ୍ଥାନେ
ରଣକ୍ଷେତ୍ରେ ଉପସ୍ଥିତ,
ଆତ୍ମୀୟ ସେମାନେ ତାଙ୍କୁ ମାରି ରଣେ
ବଞ୍ଚି ରହିବା କି ଅର୍ଥ ?

କି ମୋର କର୍ତ୍ତବ୍ୟ କିବା ଅକର୍ତ୍ତବ୍ୟ
ଦେଖା ଯାଉନାହିଁ ସ୍ପଷ୍ଟ,
ଧର୍ମଭୀରୁ ଭାବ,ମୋହିତ ସ୍ବଭାବ
ମୋ ବୁଦ୍ଧି କରିଛି ନଷ୍ଟ।

ବିମୋହିତ ଅଟେ ମୋ ଅନ୍ତଃକରଣ
ତେଣୁ ମୁଁ ନପାରେ ଜାଣି,
କିବା କରଣୀୟ କି ଅକରଣୀୟ,
କୁହ ମୋତେ ଚକ୍ରପାଣି।

ଯାଉଛି ଶରଣ ଆହେ ନାରାୟଣ
ମୁଁ ଶିଷ୍ୟ ତୁମ୍ଭେ ମୋ ଗୁରୁ,
ମୋ କର୍ତ୍ତବ୍ୟ ପଥ କର ଆଲୋକିତ
ଅନ୍ଧକାର ଅପସରୁ।**

ପୃଥିବୀ ରାଜତ୍ବ,ସ୍ବର୍ଗ ଆଧିପତ୍ୟ
ସବୁ ମିଳିଲେ ହେଁ ମୋତେ,
କୁଟୁମ୍ବ ବିନାଶଗତ ଦୁଃଖତ୍ରାସ
ଦୂର ହୋଇବ କି ସତେ ?

ତେଣୁ ଏ ସିଦ୍ଧାନ୍ତ ମୋର ଲକ୍ଷ୍ମୀକାନ୍ତ
ରଣ ମୁଁ କରିବି ନାହିଁ,
କହି ସ୍ପଷ୍ଟ ରୂପେ ଏହି ବାକ୍ୟ ପାର୍ଥ
ରହିଗଲେ ତୁନି ହୋଇ।

ଉଭୟ ସେନାନୀ ମଧ୍ୟେ ବିଷାଦରେ
ମଗ୍ନ ଅର୍ଜୁନଙ୍କୁ ଦେଖି,
ସହାସ୍ୟ ବଦନ ହୋଇ ହୃଷିକେଶ
କହିଲେ ନହୁଅ ଦୁଃଖୀ।

ପଣ୍ଡିତଙ୍କ ସମ କହୁଛ ବଚନ
ମୂର୍ଖ ପରି କର କର୍ମ
ଯାହା ପାଇଁ ଶୋକ ନୁହଁଇ ଉଚିତ
ତା ପାଇଁ କର କ୍ରନ୍ଦନ।

ଜ୍ଞାନୀଜନ କେବେ ନକରନ୍ତି ଶୋକ
ମୃତ ବା ଜୀବିତ ପାଇଁ,
କ୍ଷଣଭଙ୍ଗୁର ଏ ସଂସାରେ ଶରୀର
ଚିରନ୍ତନ ରହେ ନାହିଁ।

ଶରୀର ଭିତରେ ରହିଛି ଯେ ଆତ୍ମା
ଅଟେ ତାହା ଚିରନ୍ତନ,
ପରମାତ୍ମାଙ୍କର ଅଟେ ସେହି ଅଂଶ
ଅଜର ଅମର ଜାଣ।

ଆତ୍ମୀୟ ଯାହାଙ୍କୁ କହୁଛ ଅର୍ଜୁନ
ସେ ନାଶବାନ ଶରୀର,
ସେ ଶରୀର ମଧ୍ୟେ ରହିଛି ଯେ ଆତ୍ମା
ସେହି ଅଜର ଅମର।

ନଭାବ ଅର୍ଜୁନ ଏ ଜନ୍ମ ପୂର୍ବରୁ
ଥିଲ ନାହିଁ ବୋଲି ତୁମେ,
ଯେତେ ପରିଜନ ଅଛନ୍ତି ଏଠାରେ
ଥିଲେ ସର୍ବେ ପୂର୍ବଜନ୍ମେ।

ଏ ଜନମ ପରେ ପରଜନ୍ମେ ସର୍ବେ
ଯିବେ ଅନ୍ୟ ଶରୀରକୁ,
ପୂର୍ବ ଘଟ ତେଜି ଅନ୍ୟ ଘଟେ ଆତ୍ମା
ଯାଏ ଜନ୍ମରୁ ଜନ୍ମକୁ।

ନୁହେଁ ଚିରନ୍ତନ କିଛି ହେ ଅର୍ଜୁନ
ବାଲ୍ୟ, କୌମାର୍ଯ୍ୟ, ଯୌବନ,
ଚାଲିଗଲେ ସେହି ଅବସ୍ଥା ଯେପରି
ନକରେ କେହି କ୍ରନ୍ଦନ;

ସେହିପରି ଆତ୍ମା ଯେବେ ଘଟ ଛାଡି
ଅନ୍ୟ ଘଟେ ଚାଲିଯାଏ,
ତା ପାଇଁ କାନ୍ଦିବା ମୁଣ୍ଡ କଚାଡିବା
କେବେଟି ଉଚିତ ନୁହେଁ।

ସୁଖ, ଦୁଃଖ,ହର୍ଷ,ଶୋକ,କାମ,କ୍ରୋଧ
ରାଗ, ଦ୍ୱେଷ, ମାୟା ମୋହ,
ଶୀତ ଉଷ୍ମ ସମ ଅଟନ୍ତି ଭଙ୍ଗୁର
ସୃଷ୍ଟି ସଙ୍ଗେ ଥାଏ ଲୟ।

ପ୍ରତିକ୍ଷଣେ ପରିବର୍ତ୍ତିତ ହେଉଛି
ଜନ୍ମ ପରେ ଶରୀରର,
ଅପରିବର୍ତ୍ତିତ ରହିଥାଏ ଦେହେ
ସ୍ବୟଂ ଆତ୍ମା ଅଶରୀର।

ପରିବର୍ତ୍ତନୀୟ ପ୍ରତି ନିର୍ବିକାର
ରହିବା ଜ୍ଞାନୀର ଗୁଣ,
ସୁଖେ ଦୁଃଖେ ଯେହୁ ହୁଏ ବିଚଳିତ
ଅଟଇ ସେହୁ ଅଜ୍ଞାନ।

#ପୃଥାନନ୍ଦନ… ଅର୍ଜୁନ
* କ୍ଲୀବତା….ନିଶ୍ଚେଷ୍ଟତା
## ଶାୟକ..ତୀର
** ଅପସରୁ….ଦୂରହେଉ
==================================
ଅନ୍ତଃଦୃଷ୍ଟି
==================================
ସାଂଖ୍ୟଯୋଗ ଆତ୍ମା-ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ ଉପରେ ଆଧାରିତ।ଏହା କପିଳମୁନିକୃତ ଦର୍ଶନ ଶାସ୍ତ୍ର । ଏହି ଜ୍ଞାନ ଅନୁଯାୟୀ ପ୍ରତ୍ୟେକ ଜୀବ ପରମାତ୍ମାଙ୍କର ଅଂଶ। ମୃତ୍ୟୁ ହେଲେ କେବଳ ଶରୀର ହିଁ ନଷ୍ଟହୁଏ ଏବଂ ଆତ୍ମା, ପରମାତ୍ମାଙ୍କ ଦେହରେ ବିଲୀନ ହୋଇଯାଏ ଅଥବା କର୍ମ ଅନୁଯାୟୀ ଫଳ ଭୋଗ କରିବା ପାଇଁ ପରଜନ୍ମରେ ଅନ୍ୟ ଶରୀରରେ ପ୍ରବେଶ କରେ।

ନିଜ ପରିଜନମାନଙ୍କୁ ଯୁଦ୍ଧକ୍ଷେତ୍ରରେ ଦେଖି ଅର୍ଜୁନଙ୍କ ମନରେ ବିଷାଦ ଆସିଛି ଏବଂ କୁଳନାଶ ପାପ ନକରିବା ନିଷ୍ପତ୍ତି ନେଇ ଧନୁର୍ବାଣ ତ୍ୟାଗକରି ସେ ରଥତଳେ ବସି ଯାଇଛନ୍ତି। ଏଭଳି ଭାବନା ଜଣେ କର୍ତ୍ତବ୍ୟ ବିମୁଖ କ୍ଷତ୍ରିୟ ପାଇଁ କ୍ଷତିକାରକ। ଅର୍ଜୁନଙ୍କ ମନରୁ ମୋହ ଦୂର କରିବାପାଇଁ ଶ୍ରୀକୃଷ୍ଣ ସାଂଖ୍ୟ ଜ୍ଞାନ ଅର୍ଜୁନଙ୍କୁ ଦାନ କରି କହିଛନ୍ତି। ଯେଉଁ ମାନଙ୍କୁ ସେ ନିଜର ଜ୍ଞାତି କୁଟୁମ୍ବ ବୋଲି ଭାବୁଛନ୍ତି ସେମାନେ ଗୋଟିଏଏ ଗୋଟିଏ ନାଶବାନ ଶରୀର ବ୍ୟତୀତ ଅନ୍ୟ କିଛି ନୁହଁନ୍ତି। ସେହି ଶରୀର ଭିତରେ ଥିବା ଆତ୍ମା ଅଜର ଏବଂ ଅମର ଅଟନ୍ତି। ଏଭଳି ନାଶବାନ ଶରୀରର ମୃତ୍ୟୁପାଇଁ ଜ୍ଞାନୀଲୋକ କେବେ ଶୋକ କରନ୍ତି ନାହିଁ ବୋଲି ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇଛନ୍ତି।
==================================
କ୍ରମଶଃ……

Click to rate this post!
[Total: 0 Average: 0]

Leave a Reply