Monday, May 20, 2024
Devotional Poems

ଗୀତାଜ୍ଞାନ(୫)

ଗୀତା ଜ୍ଞାନ (୫)
==================================
ଶ୍ରୀମଦ୍ଭଗବଦ୍ ଗୀତା
ଅର୍ଜୁନବିଷାଦଯୋଗ
ପ୍ରଥମ ଅଧ୍ୟାୟ
ଭାବାନୁବାଦ
(ଶ୍ଳୋକ ସଂଖ୍ୟା ୩୪ ରୁ ୪୭ ପର୍ଯ୍ୟନ୍ତ)
===================================
କୁରୁକ୍ଷେତ୍ର ରଣପ୍ରାଙ୍ଗଣରେ ବିଷାଦଗ୍ରସ୍ତ ହୋଇ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ କହୁଛନ୍ତି:—
୩୪
ଉଭୟ ପକ୍ଷରେ ପିତା,ପିତାମହ ଅଛନ୍ତି ମୋ ଗୁରୁବର,
ପୁତ୍ର,ନାତି, ମାମୁଁ,ଶାଳକ,ସମ୍ବନ୍ଧୀ ସମସ୍ତେ ତ ମୋ ନିଜର।
୩୫
ତ୍ରିଲୋକର ରାଜ୍ୟ ମିଳିଲେ ବି ମୋତେ ମାରି ପାରିବିନି ତାଙ୍କୁ,
ଲୋଭ ପରବଶେ ନରକର ଦ୍ବାରେ ନେବି କେମନ୍ତେ ନିଜକୁ।
୩୬
ଆହେ ଜନାର୍ଦ୍ଦନ ଏ ପାପୀ ହନନ କରି କିବା ହେବ ଯଶ,
ଏ ଆତତାୟୀଙ୍କୁ ମାରିଲେ ମାଧବ ବଢିବ ପାପ ଅଶେଷ।
୩୭
ଏ ପରିଜନକୁ ଯୁଦ୍ଧରେ ମାରିବା ନୁହେଁ ଆମ୍ଭ ଯୋଗ୍ୟକାର୍ଯ୍ୟ,
ନିଜ କୁଟୁମ୍ବଙ୍କୁ ମାରି କେଉଁ ଯଶ ମିଳିବ ହେ ଦେବରାଜ ?
୩୮
ଲୋଭଗ୍ରସ୍ତ ହୋଇ ବିବେକ ବିଚାର ଶୂନ୍ୟ ଏହି କୁରୁଗଣ,
କୁଳନାଶ ପାପ ଦେଖି ମଧ୍ୟ ନଦେଖନ୍ତି ଆହେ ନାରାୟଣ।
୩୯
ସବୁ ଜାଣିକରି ନଜାଣିବା ପରି କେମନ୍ତେ ନାଶିବି କୁଳ,
କୁମ୍ଭୀପାକ ନର୍କେ ଯାଇ ମୁଁ ପଡ଼ିବି ନମିଳିବ ଥଳକୂଳ।
୪୦
କୁଳ କ୍ଷୟ ହେଲେ ପରମ୍ପରା ଗତ କୁଳଧର୍ମ ହୁଏ ନଷ୍ଟ,
କୁଳଧର୍ମାଭାବେ ଅନୀତି ପ୍ରଭାବେ ଜୀବାତ୍ମା ହୁଅଇ ଭ୍ରଷ୍ଟ।
୪୧
ବଢିଲେ ଅଧର୍ମ ବ୍ୟଭିଚାରୀ କର୍ମ କରି କୁଳନାରୀଗଣ,
ଜନ୍ମ ଦେଇଥାନ୍ତି ବର୍ଣ୍ଣସଙ୍କର ସେ ବଂଶରେ ହେ ନାରାୟଣ।
୪୨
ସେ ବର୍ଣ୍ଣସଙ୍କର କରନ୍ତି ନିଜର କୁଳକୁ ନରକଗାମୀ,
ବଂଶେ ନପାଆନ୍ତି ପିତୃ ମୋକ୍ଷଗତି ନପାଇଣ ପିଣ୍ଡପାଣି।
୪୩
ପରମ୍ପରା ଗତ ଜାତିଧର୍ମ,ବର୍ଣ୍ଣଧର୍ମ ହୋଇଯାଏ ନଷ୍ଟ,
ଶାଶ୍ଵତ କୌଳିକ ମର୍ଯ୍ୟାଦା କରନ୍ତି ବର୍ଣ୍ଣସଙ୍କରେ ବିନଷ୍ଟ।#
୪୪
କୁଳଧର୍ମ ନଷ୍ଟହେଲେ ବହୁକାଳ ହୁଅଇ ନରକବାସ,
ସବୁ ଜାଣିଶୁଣି କେମନ୍ତେ ମୁଁ କୁଳ ନାଶିବି ସେ ପୀତବାସ ?
୪୫
ଏ ବଡ ଆଶ୍ଚର୍ଯ୍ୟ କଥା ଜନାର୍ଦ୍ଦନ ରାଜ୍ୟଲୋଭେ,ସୁଖଲୋଭେ,
ଏକତ୍ରିତ ଆମ୍ଭେ କୁଳନାଶ ପାପ ଅର୍ଜିବା ପାଇଁ ଏ ଭବେ।
୪୬
ଦେଖି ଶସ୍ତ୍ରହୀନ ଉପାୟ ବିହୀନ ମାରନ୍ତୁ ମୋତେ କୌରବେ,
ଦୁଃଖ ହେବନାହିଁ ବଂଶହାନି ପାପୁଁ ରକ୍ଷା ମିଳିଯିବ ଭବେ।
୪୭
କହି ଏ ବଚନ ଶୋକାକୁଳାର୍ଜୁନ ତ୍ୟାଗକରି ଧନୁର୍ବାଣ,
ଯୁଦ୍ଧଭୂମିମଧ୍ୟେ ରଥପୃଷ୍ଠେ ବସି ହୋଇଲେ ବିଷାଦ ମଗ୍ନ।
———————————————————————
#ବର୍ଣ୍ଣସଙ୍କର..ଭିନ୍ନ ଜାତିର ପିତାମାତାଙ୍କ ଠାରୁ ଉତ୍ପନ୍ନ ସନ୍ତାନ।ଅନେକେ ଏହି ଶବ୍ଦଟିକୁ”ବର୍ଣ୍ଣଶଙ୍କର”ଲେଖିଥାନ୍ତି, କିନ୍ତୁ ସେପରି ବନାନ ଠିକ୍ ନୁହେଁ।
=================================
ଅନ୍ତଃଦୃଷ୍ଟି
==================================
ଯୁଦ୍ଧର ଭୟଙ୍କର ପରିଣାମ ବିଷୟ ଚିନ୍ତାକରି ଭୟରେ ଶିହରି ଉଠିଛନ୍ତି ଅର୍ଜୁନ।ଉଭୟ ପାଣ୍ଡବ ଓ କୌରବ ପକ୍ଷର ଅଠର ଅକ୍ଷୈ।ହିଣୀ ସୈନ୍ୟ ପରସ୍ପର ଭିତରେ ହଣାକଟା ହୋଇ ମୃତ୍ୟୁଲାଭ କଲେ କେବଳ ଯେ ପୃଥିବୀ ବୀରଶୂନ୍ୟ ହୋଇଯିବ ତା’ ନୁହେଁ ଲକ୍ଷଲକ୍ଷ ବିଧବାଙ୍କର ସୃଷ୍ଟି ହେବ।ଏହାର କୁପରିଣାମ ସନାତନ ଆର୍ଯ୍ୟ ସଂସ୍କୃତି ଉପରେ ପଡିବ।ସମାଜରେ ଅନାଚାର ବୃଦ୍ଧି ହେବ। କୁଳ-ନାରୀମାନେ ବ୍ୟଭିଚାରିଣୀ ହୋଇ ବର୍ଣ୍ଣସଙ୍କର ସନ୍ତାନ ସୃଷ୍ଟି କରିବେ। ସେହି ବର୍ଣ୍ଣସଙ୍କର ସନ୍ତାନମାନେ କୁଳଧର୍ମ ନଷ୍ଟ କରିବେ। ସେମାନଙ୍କ ହାତରୁ ପିତୃପୁରୁଷମାନେ ପିଣ୍ଡପାଣି ପାଇବେ ନାହିଁ। ଅର୍ଜୁନ କହୁଛନ୍ତି:–ହେ କେଶବ ! ଭବିଷ୍ୟତରେ ପରିଣାମ ଘଟିବା ବିଷୟରେ ଅବଗତ ହୋଇ ମଧ୍ୟ ଆମେମାନେ କିପରି କୁଳକ୍ଷୟକାରୀ ମହାସଂଗ୍ରାମ ପାଇଁ ଏକତ୍ରିତ ହୋଇଛନ୍ତି ତାହା ଆଶ୍ଚର୍ଯ୍ୟ କଥା।ମାଛି ମାରିଲେ ହାତ ଗନ୍ଧାଏ; ଏହି ଆତତାୟୀ କୌରବମାନଙ୍କୁ ମାରି ମୋତେ କେଉଁ ଯଶ ମିଳିବ କେଶବ? ଶସ୍ତ୍ରହୀନ ଦେଖି ସେମାନେ ମୋ ପ୍ରାଣନାଶ କରନ୍ତୁ ପଛେ ମୁଁ କିନ୍ତୁ ମୋ ଗୁରୁ-ଗୁରୁଜନ ଏବଂ କୁଟୁମ୍ବଙ୍କୁ ହତ୍ୟା କରି କୁମ୍ଭୀପାକ ନର୍କଭୋଗ କରିବି ନାହିଁ। ଏହା କହି ଅର୍ଜୁନ ଧନୁର୍ବାଣ ତ୍ୟାଗକରି କପିଧ୍ବଜ ରଥର ପଛଭାଗରେ ବସିରହିଲେ।”

ବିଶାଳ କୁରୁକ୍ଷେତ୍ର ରଣପ୍ରାଙ୍ଗଣରେ ଶ୍ରୀକୃଷ୍ଣ ଓ ଅର୍ଜୁନଙ୍କ ମଧ୍ୟରେ କଥୋପକଥନ ଚାଲିଥିବା ସମୟରେ ଦୁଇ ପକ୍ଷର ଯୋଦ୍ଧାଗଣ କଣ କରୁଥିଲେ ବୋଲି ପ୍ରଶ୍ନ ଉଠେ।ବାସ୍ତବରେ ସେତେବେଳେ ସମୟ ସ୍ଥିର ହୋଇଯାଇଥିଲା,ସମୟ ସଙ୍କୁଚିତ ହୋଇଯାଇଥିଲା। ସମସ୍ତଙ୍କ ଆଖିରେ ଲାଗିଥିଲା ମୋହ-ଅଞ୍ଜନ।ସେମାନେ କିଛି ଅନୁଭବ କରିପାରୁ ନଥିଲେ। ଏହା ଶ୍ରୀକୃଷ୍ଣଙ୍କ ଜାଦୁ ବ୍ୟତୀତ ଅନ୍ୟ କିଛି ନଥିଲା।
ଧର୍ମଯୁଦ୍ଧରେ ଶସ୍ତ୍ରଧାରୀ ମୋହଗ୍ରସ୍ତ ଅର୍ଜୁନଙ୍କର ଏପରି ଅକୀର୍ତ୍ତିଦାୟକ ଗୁଣ ଦେଖି ବିଶ୍ବାଧାର ତାଙ୍କର ମୋହଭଙ୍ଗ ପ୍ରୟାସ କରିଛନ୍ତି।
(ପ୍ରଥମ ଅଧ୍ୟାୟ.. “ଅର୍ଜୁନବିଷାଦଯୋଗ” ସମାପ୍ତ)

କ୍ରମଶଃ……

Click to rate this post!
[Total: 0 Average: 0]

Leave a Reply