Friday, February 23, 2024
Devotional Poems

ଗୀତାଜ୍ଞାନ(୧)

  • ଗୀତା ଜ୍ଞାନ (୧)
    ============
    ଶ୍ରୀମଦ୍ଭଗବଦ୍ଗୀତା
    ପ୍ରଥମ ଅଧ୍ୟାୟ
    ଅର୍ଜୁନ ବିଷାଦ ଯୋଗ
    (କାବ୍ୟାନୁବାଦ)
    ଶ୍ଳୋକ ସଂଖ୍ୟା ୧ ରୁ ୬
    ===================================
    ଧୃତରାଷ୍ଟ୍ର ସଞ୍ଜୟଙ୍କୁ ପଚାରୁଛନ୍ତି….
    ==================
    ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତ
    ଯୁଦ୍ଧକାମୀ ବୀରଚୟ,*
    ପୁତ୍ରଗଣ ମୋର ପାଣ୍ଡବେ ଆବର
    କି କଲେ କହ ସଞ୍ଜୟ।(୧)

    ସଞ୍ଜୟ କହୁଛନ୍ତି….
    =============
    ଦିବ୍ୟ ଦୃଷ୍ଟିବଳେ ସଞ୍ଜୟ କହିଲେ,
    ଶୁଣ ହେ କୁରୁ ରାଜନ,
    ପାଣ୍ଡବ ବାହିନୀ କୁରୁକ୍ଷେତ୍ର ମଧ୍ୟେ
    ବଜ୍ରବ୍ୟୂହେ ବିଦ୍ୟମାନ,

    ଦେଖି ଏହି ଦୃଶ୍ୟ ଦ୍ରୋଣାଚାର୍ଯ୍ୟ ପାଶ
    ଯାଇ କହେ ଦୁର୍ଯ୍ୟୋଧନ,
    ଦେଖ ଗୁରୁବର ବ୍ୟୂହ ପାଣ୍ଡୁଙ୍କର
    ରଚିଅଛି ଧୃଷ୍ଟଦ୍ୟୁମ୍ନ।

    ସେହି ମହାବୀର, ଦ୍ରୁପଦ କୁମର
    ପାଣ୍ଡବ ସେନା ନାୟକ,
    ତୁମ୍ଭ ପ୍ରିୟଶିଷ୍ୟ ଅଟେ ସେ ଅବଶ୍ୟ,
    ବୁଦ୍ଧିମାନ ସେନାଧ୍ୟକ୍ଷ।

    ଅଛନ୍ତି ବ୍ୟୂହରେ କେତେ ଧନୁର୍ଦ୍ଧରେ
    ପୁଣି କେତେ ଶୂରବୀର,
    ଭୀମ ଅର୍ଜୁନଙ୍କ ସମ ପରାକ୍ରମୀ
    ନାହିଁ ତାଙ୍କ ପଟାନ୍ତର।

    ପାଣ୍ଡବ ପକ୍ଷରେ ଅଛନ୍ତି ସାତ୍ୟକି
    ଆବର ରାଜା ବିରାଟ,
    ମହାରଥୀ ଧୃଷ୍ଟକେତୁ,ଚେକିତାନ,
    କାଶି ଓ ପାଞ୍ଚାଳ ରାଟ।#

    ପୁରୁଜିତ,କୁନ୍ତିଭୋଜ ଦୁଇଭାଇ,
    ତଥା ଶୈବ ନରବର,
    ପରାକ୍ରମୀ ଯୁଧାମନ୍ୟୁ,ଉତ୍ତମୌଜା,
    କୃଷ୍ଣାର ପାଞ୍ଚ କୁମର।

    ସୁଭଦ୍ରା କୁମର ଅଭିମନ୍ୟୁ ବୀର
    ତେଜୋବନ୍ତ ତାର କାନ୍ତି,
    ହେ ଆଚାର୍ଯ୍ୟ ତୁମ୍ଭ ପ୍ରିୟ ପଣ୍ଡୁପୁତ୍ରେ
    ଏହି ବ୍ୟୂହେ ରହିଛନ୍ତି।(ଶ୍ଲୋକ ସଂ ୨ ରୁ ୬)
    ===================================

    *ବୀରଚୟ….ବୀର ସମୂହ
    # ରାଟ… ରାଜା

    ସାତ୍ୟକି…ଯାଦବ ବୀର ଯେ’କି ନାରାୟଣୀସେନା ଛାଡି ଶ୍ରୀକୃଷ୍ଣଙ୍କସହିତ ପାଣ୍ଡବଙ୍କ ପକ୍ଷରେ ଯୋଗ ଦେଇଥିଲେ।

    ଧୃଷ୍ଟକେତୁ… ଶିଶୁପାଳଙ୍କ ପୁତ୍ର(ଚେଦି ଦେଶର ରାଜା)… ଯୁଧିଷ୍ଠିରଙ୍କ ରାଜସୂୟ ଯଜ୍ଞ ସମୟରେ ଶ୍ରୀକୃଷ୍ଣ ଶିଶୁପାଳର ମସ୍ତକ କର୍ତ୍ତନ କରି ବିନାଶ କରିବାପରେ ଧୃଷ୍ଟକେତୁ ପାଣ୍ଡବଙ୍କ ଆନୁଗତ୍ୟ ସ୍ବୀକାର କରିଥିଲେ ଏବଂ ମହାଭାରତ ଯୁଦ୍ଧରେ ପାଣ୍ଡବଙ୍କ ପକ୍ଷରେ ଯୁଦ୍ଧ କରୁଥିଲେ।
    ଚେକିତାନ…ଯାଦବ ବୀର
    କୁନ୍ତିଭୋଜ,ପୁରୁଜିତ…କୁନ୍ତୀଙ୍କର ଦୁଇ ଭାଇ।
    ଯୁଧାମନ୍ୟୁ,ଉତ୍ତମୌଜା… ପାଞ୍ଚାଳ ଦେଶର ଦୁଇ ବୀର।
    ==================================
    ଅନ୍ତଃଦୃଷ୍ଟି
    ==================================
    ସଞ୍ଜୟ ଥିଲେ ଧୃତରାଷ୍ଟ୍ରଙ୍କ ସାରଥୀ ‘ଗବଲଗଣ’ଙ୍କ ପୁତ୍ର…ସେ ଥିଲେ ଜଣେ ଅତ୍ୟନ୍ତ ବୁଦ୍ଧିମାନ ଓ ସନ୍ତୁଳିତ-ମସ୍ତକ ଥିବା ଚରିତ୍ର। ଯେତେବେଳେ ଧୃତରାଷ୍ଟ୍ର ମହାଭାରତ ଯୁଦ୍ଧର ଧାରାବାହିକ ଚଳନ୍ତି ବିବରଣୀ ଜାଣିବାକୁ ପିତା ବ୍ୟାସଦେବଙ୍କ ଅଗରେ ଇଚ୍ଛା ପ୍ରକାଶ କଲେ,ମୁନିଶ୍ରେଷ୍ଠ ତାଙ୍କୁ ଦିବ୍ୟଦୃଷ୍ଟି ଦାନ କରିବାକୁ ପ୍ରସ୍ତୁତ ଥିଲେ।କିନ୍ତୁ ବହୁଦିନ ପଞ୍ଜୁରୀ ଭିତରେ ରହିଥିବା ଶୁଆ ଯେପରି ପଞ୍ଜୁରୀ ଛାଡ଼ିବାକୁ ଭୟଭୀତ ହୁଏ, ସେହିପରି ଆଜନ୍ମଅନ୍ଧ ଧୃତରାଷ୍ଟ୍ର ଦିବ୍ୟଦୃଷ୍ଟି ପ୍ରତ୍ୟାଖ୍ୟାନ କଲେ।ତାଙ୍କର ସାହସ ନଥିଲା ଏହି ଧର୍ମଯୁଦ୍ଧରେ ନିଜ ଅଧର୍ମୀ ପୁତ୍ରମାନଙ୍କ ମୃତ୍ୟୁ ଖୋଲା ଆଖିରେ ଦେଖିବା ପାଇଁ। ସେଥିପାଇଁ ସେ ବ୍ୟାସଦେବଙ୍କୁ ଅନୁରୋଧ କଲେ ସଞ୍ଜୟଙ୍କୁ ଦିବ୍ୟ ଦୃଷ୍ଟି ଦାନ କରିବା ପାଇଁ। ଦିବ୍ୟ ଦୃଷ୍ଟି ପାଇବା ପରେ ସଞ୍ଜୟ ଯୁଦ୍ଧର ଧାରାବାହିକ ବିବରଣୀ ଧୃତରାଷ୍ଟ୍ରଙ୍କ ଆଗରେ ବର୍ଣ୍ଣନା କରିଛନ୍ତି।

    ଗୀତା ଏକ ମହାନ୍ ଗ୍ରନ୍ଥ। ତାର ପ୍ରତିଟି ଶ୍ଳୋକରେ ଅନିର୍ବଚନୀୟ,ଅନବଦ୍ୟ,ଗଭୀର ଜୀବନ-ଦର୍ଶନର ପରିଚୟ ମିଳେ। ପ୍ରତି ଶ୍ଳୋକରେ ଅନ୍ତର୍ଚେତନାର ମହନୀୟ ଭାବ ଝଙ୍କୃତ।ସତେ ଯେପରି ଏକ ଦକ୍ଷ ମନସ୍ତାତ୍ତ୍ୱିକ ମନୁଷ୍ୟର ଶରୀର, ମନ ଓ ଚେତନାକୁ ତନ୍ନତନ୍ନକରି ବିଶ୍ଳେଷଣ କରି ମୁକ୍ତି ଓ ଶାନ୍ତିମାର୍ଗର ଆବଶ୍ୟକୀୟ ପଥ ଦର୍ଶାଇ ଦେଇଛି। କର୍ମଯୋଗ, ଜ୍ଞାନଯୋଗ ଓ ଭକ୍ତିଯୋଗର ଯେଉଁ ଅବତାରଣା ଗୀତାରେ କରାଯାଇଛି ତାହା ଶରୀର, ବୁଦ୍ଧି ଓ ମନ ସହିତ ଯଥାକ୍ରମେ ସମନ୍ଵିତ।ଯୋଗ ଅର୍ଥ ହେଉଛି ଶରୀର ସହିତ ମନ, ଚେତନା ଓ ଜ୍ଞାନର ସମ୍ପୃକ୍ତି।

    “ଅର୍ଜୁନ ବିଷାଦଯୋଗ” ମୁଖ୍ୟତଃ ଯୁଦ୍ଧର ପ୍ରସ୍ତୁତି ବିଷୟରେ ବର୍ଣ୍ଣନା ପାଇଁ ଉଦ୍ଦିଷ୍ଟ ହେଲେ ମଧ୍ୟ ଏହା ଭିତରେ ମନୁଷ୍ୟର ମୂଳପ୍ରକୃତିର ଅନ୍ତଃସ୍ବର ଶୁଣିବାକୁ ମିଳେ, ଯଥା…
    ୧.ଧୃତରାଷ୍ଟ୍ର ଏହି ଯୁଦ୍ଧକୁ ଧର୍ମଯୁଦ୍ଧ ବୋଲି ଗ୍ରହଣ କଲେ ମଧ୍ୟ ଏବଂ ନିଜ ଅଧର୍ମୀ ପୁତ୍ରମାନଙ୍କର ବିନାଶ ଦେଖିପାରୁଥିଲେ ମଧ୍ୟ ବିଜୟର ମହତ ଆକାଂକ୍ଷା ଛାଡି ପାରୁ ନାହାଁନ୍ତି।ମୋର-ତୋର ଭାବରେ(ମାମକା ପାଣ୍ଡବାଶ୍ଚୈବ)ବାନ୍ଧି ହୋଇ ରହିଛନ୍ତି।ଏହା ମନୁଷ୍ୟର ‘ମୋହ’ ପ୍ରକୃତିକୁ ପରିସ୍ଫୁଟ କରୁଛି।

    ୨.ଯୁଦ୍ଧପୂର୍ବରୁ ଦୁର୍ଯ୍ୟୋଧନର ମାନସିକ ଅବସ୍ଥା ଏଠାରେ ଦର୍ଶନୀୟ। ପାଣ୍ଡବବାହିନୀ ତଥା ସେମାନଙ୍କ ସୁଯୋଗ୍ୟ ସେନାପତି ଧୃଷ୍ଟଦ୍ୟୁମ୍ନଙ୍କୁ ଦେଖି ସେ ଭୟଭୀତ; ନିଜ ଉପରୁ ବିଶ୍ବାସ କମିଯାଉଛି,ଗୁରୁଙ୍କ ଉପରୁ ମଧ୍ୟ ବିଶ୍ବାସ ତୁଟି ଯାଉଛି,କାରଣ ପାଣ୍ଡବମାନେ ଗୁରୁଙ୍କର ପ୍ରିୟଶିଷ୍ୟ ହୋଇଥିବାରୁ ସମ୍ଭବତଃ ଦ୍ରୋଣାଚାର୍ଯ୍ୟ ସମସ୍ତ ଶକ୍ତି ପ୍ରୟୋଗ କରି ଯୁଦ୍ଧ କରିବେ ନାହିଁ।

    ଏହିଭଳି ଦୁର୍ଯୋଧନ ମାନଙ୍କର ଅଭାବ ଆଜିର ସମାଜରେ ନାହିଁ।ଏମାନେ ଯୁଦ୍ଧପୂର୍ବରୁ ଅସ୍ତ୍ର ତ୍ୟାଗ କରିଦିଅନ୍ତି। ଯେଉଁ ରାଜାର ନିଜ ସୈନ୍ୟମାନଙ୍କ ଉପରେ ବିଶ୍ବାସ ନଥାଏ ସେ କିପରି ବା ଯୁଦ୍ଧରେ ଜୟଯୁକ୍ତ ହେବ ?

    ଶ୍ଲୋକ ସଂ ୦୧ ଠାରୁ ୦୬ ପର୍ଯ୍ୟନ୍ତ
    ====================
    धृतराष्ट्र उवाच
    धर्मक्षेत्रे कुरुक्षेत्रे समवेता युयुत्सवः ।
    मामकाः पाण्डवाश्चैव किमकुर्वत संजय ॥1-1॥
    संजय उवाच
    दृष्टवा तु पाण्डवानीकं व्यूढं दुर्योधनस्तदा ।
    आचार्यमुपसंगम्य राजा वचनमब्रवीत्‌ ॥1-2।।
    पश्यैतां पाण्डुपुत्राणामाचार्य महतीं चमूम्‌ ।
    व्यूढां द्रुपदपुत्रेण तव शिष्येण धीमता ॥
    अत्र शूरा महेष्वासा भीमार्जुनसमा युधि ।
    युयुधानो विराटश्च द्रुपदश्च महारथः ॥
    धृष्टकेतुश्चेकितानः काशिराजश्च वीर्यवान्‌ ।
    पुरुजित्कुन्तिभोजश्च शैब्यश्च नरपुङवः ॥
    युधामन्युश्च विक्रान्त उत्तमौजाश्च वीर्यवान्‌ ।
    सौभद्रो द्रौपदेयाश्च सर्व एव महारथाः

    କ୍ରମଶଃ……

Click to rate this post!
[Total: 0 Average: 0]

Leave a Reply