Wednesday, February 28, 2024
Devotional Poems

ଗୀତାଜ୍ଞାନ(୧୪)

ଗୀତା ଜ୍ଞାନ (୧୪)
===============================
ଶ୍ରୀମଦ୍ଭଗବଦ୍ ଗୀତା
୩ୟ ଅଧ୍ୟାୟ
କର୍ମଯୋଗ
ଭାବାନୁବାଦ
(ଶ୍ଳୋକ ସଂଖ୍ୟା ୨୫ ରୁ ୩୨)
===============================
ସଂସାର ସଂଗ୍ରହ ନିମନ୍ତେ ସାଧାରଣ ମନୁଷ୍ୟ,*
କରେ ଯେଉଁ କର୍ମ ଜଗତେ ହୋଇ ଆସକ୍ତିବଶ;**
ଆସକ୍ତି ରହିତ ବିଦ୍ୱାନ ଘର-ସଂସାର ପାଇଁ,
ସେହି କାର୍ଯ୍ୟ ମଧ୍ଯ କରଇ ଏହି ସଂସାରେ ଥାଇ।

ଜ୍ଞାନୀର ଅଟଇ କର୍ତ୍ତବ୍ୟ ଭଲ ମାର୍ଗ ଦେଖାଇ,
ପ୍ରେରିତ କରିବ ଅଜ୍ଞାନ ଜନେ ସୁକର୍ମ ପାଇଁ।
ସେହି ପଥେ ଯାଇ ଅଜ୍ଞାନ ଗଣା ହେବ ଗୁଣୀରେ,
କର୍ମଯୋଗୀର ଏ ଦାୟିତ୍ଵ ସମାଜ ମଙ୍ଗଳରେ।
ନିଜ କାମ ଯେବେ ସଠିକେ ତତ୍ତ୍ବଜ୍ଞାନୀ କରିବେ,#
ବୁଦ୍ଧିଭ୍ରମ ନୋହି ଅଜ୍ଞାନ ତାହା ଅନୁସରିବେ। ##

ସତ୍ତ୍ବ,ରଜ,ତମ ଗୁଣ ଯେ ରହିଛି ମନୁଷ୍ୟର,
“ପ୍ରକୃତି” ତା ନାମ ଅଟେ ସେ କର୍ତ୍ତା ସବୁ କର୍ମର।
ସବୁ କାମ ସେହୁ କରାଏ ସଂସାରେ ପ୍ରତିକ୍ଷଣ,
ନିଜେ କରେ ବୋଲି ଅହଂରେ ବିଚାରେ ମୂଢଜନ।
ଏହି ପ୍ରଭେଦ ଯେ ଜାଣଇ ତତ୍ତ୍ବଜ୍ଞାନୀ ମନୁଷ୍ୟ,
‘କର୍ମ’ରୁ ‘ଗୁଣ’କୁ ଅଲଗା କରି ଦେଖେ ଅବଶ୍ୟ।
ସତ୍ଵ,ରଜ,ତମ ଗୁଣରେ ଜ୍ଞାନୀ ନୁହେଁ ଆସକ୍ତ,
ଗୁଣକୁ କ୍ରିୟାରୁ ବିଯୁକ୍ତ କରି ସେ କର୍ମରତ।

ଅଜ୍ଞାନ ମନୁଷ୍ୟ ହୁଅନ୍ତି ତିନି ଗୁଣେ ମୋହିତ,
ମନ୍ଦବୁଦ୍ଧି ହେତୁ ସକାମ କର୍ମେ ହୋଇ ଆସକ୍ତ।
ସେହି ତତ୍ତ୍ଵ-ଜ୍ଞାନ ଜାଣନ୍ତି ଯେତେକ ଗୁଣିଜନ,
ଅଜ୍ଞାନ ମାନଙ୍କୁ କରନ୍ତୁ ସନ୍ମାର୍ଗରେ ଚାଳନ।

ହେ ଅର୍ଜୁନ ! ବିବେକ ଦ୍ବାରା ବୁଦ୍ଧି ପରିଚାଳିତ-
କରି ଏ ସଂସାରେ କର୍ତ୍ତବ୍ୟ କର ତୁ ସମାହିତ ।
ଜଗତ କଲ୍ୟାଣକାରୀ ଏ ରଣ କର ଅର୍ଜୁନ,
ମୋହ ମାୟା ତେଜି କର୍ତ୍ତବ୍ୟ-କର୍ମ କର ସମ୍ପନ୍ନ।
କର ଯୁଦ୍ଧ ପାର୍ଥ ହୃଦୟ କରି ସନ୍ତାପହୀନ,
ଫଳାଫଳ ହିତ ଅହିତ କର ମୋତେ ଅର୍ପଣ।

ଅନୁସରଣ ଯେ କରଇ ଶ୍ରଦ୍ଧା ରଖି ମୋ’ବାଣୀ,
ଦୋଷାଦୋଷ ନବାଛି;ପାରେ କର୍ମ-ବନ୍ଧନ ଜିଣି।
ହୋଇ ଅବିବେକୀ ଦୋଷ ଯେ ଦେଖେ ମୋର ବାଣୀରେ,
ଅଜ୍ଞାନ,ମୂଢ ସେ ପତନ ହୁଏ ତାର ସଂସାରେ।
===============================
ଟୀକା
===============================
*ସଂସାର ସଂଗ୍ରହ….ଘର-ସଂସାର, ପେଟପାଟଣା ପାଇଁ ଯେଉଁ ବସ୍ତୁ ସଂଗ୍ରହ କରାଯାଏ।
** ଆସକ୍ତି.. ବିଶେଷ ଅନୁରାଗ/ସାଂସାରିକ ଭୋଗ ପ୍ରତି ଅନୁରାଗ
# ତତ୍ତ୍ଵଜ୍ଞାନୀ.. ଏଠାରେ କର୍ମଯୋଗ ତତ୍ତ୍ବ ଜାଣିଥିବା ଜ୍ଞାନୀ।
## ଅନୁସରିବେ…ଅନୁସରଣ କରିବେ।
==================================
ଅନ୍ତଃଦୃଷ୍ଟି
=============================≠====
ସାଧାରଣ ଲୋକ, ଯେଉଁମାନେ ଘର-ସଂସାର, ପେଟପାଟଣା ପାଇଁ କର୍ମକରନ୍ତି ସେମାନେ କର୍ମଯୋଗେ ବା ନିଷ୍କାମ କର୍ମର ଅର୍ଥ କ’ଣ ବୁଝିବେ ? ସେମାନେ ତ ସଂସାର ଅନୁରାଗର ବଶବର୍ତ୍ତୀ ହୋଇ କର୍ମ କରନ୍ତି। କେଉଁ କାର୍ଯ୍ୟ ଠିକ୍, କେଉଁ କାର୍ଯ୍ୟ ଭୁଲ୍, କେଉଁ କାର୍ଯ୍ୟ କରଣୀୟ ବା ଅକରଣୀୟ , ସେମାନେ କଣ ବା ବୁଝିବେ? ସମାଜରେ ଥିବା ଜ୍ଞାନୀ ଲୋକମାନଙ୍କର ବା ନେତୃତ୍ବ ନେଉଥିବା ବ୍ୟକ୍ତି ମାନଙ୍କର କାର୍ଯ୍ୟକୁ ସାଧାରଣ ବ୍ୟକ୍ତି ଉଦାହରଣ ଭାବେ ଗ୍ରହଣ କରି ସତ୍କର୍ମରେ ନିଜକୁ ନିୟୋଜିତ କରିବେ ବୋଲି ଆଶା କରିବା କଥା। ସେମାନଙ୍କୁ ସମାଜ କଲ୍ୟାଣକାରୀ ମାର୍ଗରେ ନିୟୋଜିତ କରିବା ଦାୟିତ୍ବ ଜ୍ଞାନୀ-ବ୍ୟକ୍ତିମାନଙ୍କର।ନିଜ ସୁକର୍ମଦ୍ବାରା ଜ୍ଞାନୀଲୋକମାନେ ସମାଜରେ ସାଧାରଣ ଲୋକଙ୍କ ପାଇଁ ଉଦାହରଣ ହେବା ଆବଶ୍ୟକ।

ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କର୍ମଯୋଗ ସମ୍ବନ୍ଧୀୟ ଏକ ଗୁଢ-ତତ୍ତ୍ବର ଅବତାରଣା କରିଛନ୍ତି।ମନୁଷ୍ୟର ସବୁ କର୍ମ ତା’ର ତ୍ରିଗୁଣ (ସତ୍ତ୍ବ,ରଜ,ତମ) କରିଥାନ୍ତି।ଏହାକୁ ସେ “ଗୁଣ-ବିଭାଗ” ବୋଲି ନାମିତ କରିଛନ୍ତି।କାର୍ଯ୍ୟ କରଣକୁ ସେ “କର୍ମ-ବିଭାଗ”ବୋଲି ନାମିତ କରିଛନ୍ତି। ସ୍ବୟଂ (କର୍ତ୍ତା ବା ଜୀବାତ୍ମା) କର୍ମ ବିଭାଗକୁ ‘ଗୁଣ ବିଭାଗ’ରୁ ଅଲଗା ବା ନିର୍ଲିପ୍ତରଖି କର୍ତ୍ତବ୍ୟକର୍ମ କଲେ ତାର କାର୍ଯ୍ୟ ସମାଜମଙ୍ଗଳକାରୀ ହେବ ବୋଲି ଶ୍ରୀକୃଷ୍ଣ କହିଛନ୍ତି।

ସ୍ବୟଂ ଯେତେବେଳେ ନିଜର ବୁଦ୍ଧିକୁ ବିବେକ ଦ୍ବାରା ପରିଚାଳିତ କରି କର୍ମକରେ, ସେତେବେଳେ ତାହା ସଂସାର-ମଙ୍ଗଳକାରୀ କାମନାବିହୀନ କର୍ତ୍ତବ୍ୟ-କର୍ମରେ ପରିଣତ ହୋଇଥାଏ। କର୍ମଯୋଗୀ ଏହି ଧର୍ମକୁ ଅନୁସରଣ କରି ତାର ଫଳାଫଳକୁ ପରମାତ୍ମାଙ୍କ ଉପରେ ଛାଡ଼ିଦେବା ଉଚିତ ବୋଲି ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି। ଏଠାରେ ଶ୍ରୀକୃଷ୍ଣ ହେଉଛନ୍ତି “ବିବେକ” ଏବଂ ଅର୍ଜୁନ ହେଉଛନ୍ତି “ବୁଦ୍ଧି”।

ପରମାତ୍ମାଙ୍କ ନିର୍ଦ୍ଦେଶିତ କର୍ମଯୋଗର ଏହି ବାଣୀ ବା ନିୟମ,ଶ୍ରଦ୍ଧାସହିତ ବିନା ଯୁକ୍ତିତର୍କରେ ଯେଉଁମାନେ ଗ୍ରହଣ କରିବେ ସେମାନେ କର୍ମବନ୍ଧନରୁ ମୁକ୍ତିଲାଭ କରିବେ। ଯେଉଁମାନେ ମୂଢତା ଯୋଗୁଁ ଦୋଷଦୃଷ୍ଟି ରଖି ଏହା ପାଳନ କରିବେ ନାହିଁ, ସେମାନଙ୍କର ପତନ ନିଶ୍ଚିତ।

ଯେଉଁ ସମୟରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଏହି କର୍ମଯୋଗ ବୁଝାଇଥିଲେ ସେ ସମୟରେ ଅନେକ ଦୁଷ୍ଟବ୍ୟକ୍ତି କୁକର୍ମ କରି, ବେଦୋକ୍ତ ବାଣୀ ଅନୁସରଣ ନକରି ସମାଜର ଭାରସାମ୍ୟ ନଷ୍ଟକରି,ପ୍ରଜା ପ୍ରପୀଡନ କରୁଥିଲେ। ଶ୍ରୀକୃଷ୍ଣଙ୍କର ଅର୍ଜୁନଙ୍କୁ ଏହି ଉପଦେଶ ସମୟୋପଯୋଗୀ ଥିଲା। ପାଞ୍ଚ ହଜାର ବର୍ଷରୁ ଉର୍ଦ୍ଧ୍ବ ସମୟ ବିତିଗଲାଣି। ତଥାପି ଆଧୁନିକ ସମୟରେ କର୍ମଯୋଗର ଉପାଦେୟତା ହ୍ରାସ ପାଇନାହିଁ।କେବଳ ଆମ ସମାଜରେ ଶ୍ରୀକୃଷ୍ଣ ଏବଂ ଅର୍ଜୁନମାନଙ୍କର ଅଭାବ ରହିଛି, ତାହା କାର୍ଯ୍ୟକାରୀ କରିବାପାଇଁ।
===================================
କ୍ରମଶଃ…..

Click to rate this post!
[Total: 0 Average: 0]

Leave a Reply