Friday, February 23, 2024
Stories

ଆମ ଗାଁ ଆମ ଘର (୩୯)

ଆମ ଗାଁ ଆମ ଘର
୩୯
==============================
ଯା ଦେବୀ ସର୍ବଭୂତେଷୁ
==============================
ଜ୍ଞାନ ବୁଦ୍ଧି ଓ ବିବେକ ମଣିଷକୁ ଦେଇ ଭଗବାନ ଆଶାକଲେ ଯେ ତା’ର ସଦୁପଯୋଗ କରି ନିଜକୁ ‘ଶ୍ରେଷ୍ଠପ୍ରାଣୀ’ ଭାବରେ ସେ ପ୍ରମାଣିତ କରିବ। କିନ୍ତୁ ଯେଉଁ ମା’ଠାରୁ ସେ ଜନ୍ମ ହେଲା ତା ଉପରେ ଅତ୍ୟାଚାର କଲା, ଯେଉଁ ଭଉଣୀ ତା ହାତରେ ରାକ୍ଷୀ ବାନ୍ଧିଲା,ତାକୁ ରକ୍ଷା କରିବା ବଦଳରେ ଧନଲୋଭରେ ପାଷଣ୍ଡଙ୍କ ହାତରେ ଟେକି ଦେଲା। ଯେଉଁ ପତ୍ନୀକୁ ସାତ ଜନ୍ମର ସାଥୀ କରିବାପାଇଁ ହୋମ ନିଆଁ ଆଗରେ ପଣ କରିଥିଲା ତାକୁ ଯୌତୁକ ଲୋଭରେ ଜିଅନ୍ତା ଜାଳି ଦେଲା।ଏଣେ ମହିଳା ସଶକ୍ତିକରଣ ଭାଷଣ ଦେଇ,ତେଣେ ସାଙ୍ଗମାନଙ୍କ ସହିତ ମିଶି ସାଥି ଝିଅପିଲାକୁ ଗଣ ଧର୍ଷଣ କଲା।ସବୁ ମଣିଷ ଏଭଳି କରୁନଥିଲେ ମଧ୍ୟ କତିପୟଙ୍କ ଅପକର୍ମ ମନୁଷ୍ୟ ଜାତିକୁ ଜୀବଜଗତରେ କଳଙ୍କିତ କରିବାପାଇଁ ଯଥେଷ୍ଟ।ପଶୁ ଆଉ ମଣିଷ ଭିତରେ କଣ ପ୍ରଭେଦ ରହିଲା ପ୍ରଭୁ !

ଅଥଚ ସେହି ମଣିଷ ବିଦ୍ୟା ପାଇବା ଆଶାରେ ନାରୀଶକ୍ତିର ପ୍ରତୀକ ଜ୍ଞାନକଳ୍ପା ସରସ୍ବତୀଙ୍କୁ ପୂଜା କଲା; ଅବିଦ୍ୟା ହାସଲ କରିବା ଆଶାରେ ଚଣ୍ଡୀଚାମୁଣ୍ଡୀ ସାଧନା କଲା, ଧନ ଲୋଭରେ ମହାଲକ୍ଷ୍ମୀଙ୍କ ପାଦତଳେ ମଥା ଟେକିଲା, ଚାକିରିରେ ଉନ୍ନତି ପାଇଁ ବୈଷ୍ଣବୀ ଦେବୀ,କାମାକ୍ଷା ଦେବୀ ଇତ୍ୟାଦିଙ୍କୁ ଗୁହାରି କରିବା ପାଇଁ ପାହାଡ ଚଢିବା ଭଳି କାମ କଲା ।ଜୀବଜଗତରେ ଏହାଠାରୁ ବଳି ଆତ୍ମପ୍ରବଞ୍ଚକ ପ୍ରାଣୀ କିଏ ଅଛି? ତଥାପି ତା ମୁଣ୍ଡରେ ଗୋଟିଏ ତାଜ୍ ବନ୍ଧା ହେଇଚି ଯେ ସେ ‘ଶ୍ରେଷ୍ଠପ୍ରାଣୀ’।

ଏତେ ଗୌରଚନ୍ଦ୍ରିକା ଦେବାର କାରଣ, ଦିନେ ନାରାୟଣୀଙ୍କ ପୀଠରେ,ଏକ ଭୋଜି ଅବସରରେ କିଛି ପତ୍ନୀ-ପ୍ରପୀଡକ, କନ୍ୟା ପ୍ରପୀଡ଼ିତ,କନ୍ୟାଭୃଣ ନାଶକ ବ୍ୟକ୍ତିଙ୍କୁ ଏକାଠି ହୋଇ ଅପୂର୍ବ ଭକ୍ତି ସହକାରେ ମଥାପାତି କହୁଥିବାର ଶୁଣାଗଲା…ଜଗତର ଜନନୀ , ମାତୃଶକ୍ତିର ପ୍ରତୀକ ମା ନାରାୟଣୀ ! ମୋର ସମସ୍ତ ରିଷ୍ଟ ଦୂରକର ମା !”
ଯେଉଁ ନାରାୟଣୀ ପୀଠ କଥା ମୁଁ କହୁଛି ତାହା ଆମ ଗାଁ ଠାରୁ ମାତ୍ର ଦଶ/ବାର କିଲୋମିଟର ଦୂରରେ ଏବଂ କଣ୍ଟିଲୋ ଠାରୁ ୩ କିଲୋମିଟର ଦୂରରେ ପଥର ଚକଡା଼ ଗାଁ ଉପକଣ୍ଠରେ ମହାନଦୀ କୂଳରେ ଅବସ୍ଥିତ। ଯେଉଁମାନେ ନୀଳମାଧବ ଦର୍ଶନରେ ଆସନ୍ତି ସେମାନେ “ତ୍ରିକ୍ଷେତ୍ର” ଯଥା କଣ୍ଟିଲୋର ନୀଳମାଧବ ପୀଠ, ଧାନଚେଙ୍ଗେଡାର ଲଳିତ ମାଧବ ମନ୍ଦିର ଏବଂ ପଥର ଚକଡାର ନାରାୟଣୀ ପୀଠ ଦର୍ଶନ କରିବା ପାଇଁ ଭୁଲନ୍ତି ନାହିଁ।ନାରାୟଣୀ ମନ୍ଦିର ପରିସରରେ ଅଧିକାଂଶ ସମୟରେ ନିର୍ବନ୍ଧ, ବାହାଘର ,ବ୍ରତଘର,କର୍ଣ୍ଣବେଧ ଇତ୍ୟାଦି ଅନୁଷ୍ଠାନ ଚାଲିଥାଏ। ଅଷ୍ଟଭୁଜା ସିଂହ ବାହିନୀ କୃଷ୍ଣନୀଳବର୍ଣ୍ଣା ମା ନାରାୟଣୀଙ୍କ ମନ୍ଦିରକୁ ଲାଗି ସ୍ବପ୍ନେଶ୍ବର ମହାଦେବଙ୍କ ମନ୍ଦିର।ଶିବ ଏଠାରେ ପଞ୍ଚିମ ମୁଖା।କାଳିକା,ତାରା, ଭୈରବୀ,ଛିନ୍ନମସ୍ତା, ଭୁବନେଶ୍ୱରରୀ, ଧୂମାବତୀ,ବଗଳା ମାତଙ୍ଗୀ ଓ କମଳା ଆଦି ଦେବୀମାନେ ନାରାୟଣଙ୍କ ପାର୍ଶ୍ବଦେବୀ ଭାବରେ ଘେରି ରହିଛନ୍ତି।

କିମ୍ବଦନ୍ତୀ ଉପରେ ଆଧାରିତ ହୋଇଛି ଏହି ପୀଠର ଐତିହ୍ୟ। ଜନଶ୍ରୁତି କହେ ମା’ ନାରାୟଣୀ ଥିଲେ ପୁରାଣ ପ୍ରସିଦ୍ଧ ଗୋଶିଙ୍ଗ ଦୈତ୍ୟର ଆରାଧ୍ୟା ଦେବୀ।ଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ଏଠାରେ ଦୈତ୍ୟ ଗୋଟିଏ ଗୋମେଧ ଯଜ୍ଞ ଅନୁଷ୍ଠାନ କରି ଏକ ସହସ୍ର ଧେନୁ ବଳି ଦେଇଥିଲା। ଏହି ସ୍ଥାନରୁ ଅଳ୍ପଦୂରରେ , ଖଣ୍ଡପଡ଼ା ଅଞ୍ଚଳର ଦ୍ବିତୀୟ ଉଚ୍ଚତମ “ଗୋଶିଙ୍ଗ” ପର୍ବତ ଦଣ୍ଡିୟମାନ।ପର୍ବତର ଶିଖର ଗାଈର ଦୁଇଟି ଶିଙ୍ଗ ଭଳି ଦେଖାଯାଏ। ଜନଶ୍ରୁତି କହେ ଏହି ପର୍ବତ ପାଦଦେଶରେ ଦୈତ୍ୟର ରାଜଧାନୀ “ଜେନାବଳି ପୁର” ଅବସ୍ଥିତ ଥିଲା।ଗୋଶିଙ୍ଗ ଦୈତ୍ୟର ରାଣୀଙ୍କ ନାମ ଥିଲା ପଦ୍ମାବତୀ।ଅଦୂରରେ ମହାନଦୀ କୂଳରେ ପଦ୍ମାବତୀ ନାମକ ବଡ଼ ଗାଁ ଟିଏ ଅଛି।ଗୋଶିଙ୍ଗ ପ୍ରିୟତମା ରାଣୀଙ୍କ ନାମରେ ସେହି ଜନବସତି ସ୍ଥାପିତ କରିଥିବା ଜନଶ୍ରୁତି ସମର୍ଥିତ।

ନାରାୟଣୀଙ୍କ ଆଗରେ ଯେଉଁ ସ୍ଥାନରେ ଗୋଶିଙ୍ଗ ଗୋମେଧ ଯଜ୍ଞ କରିଥିଲା ସେଠାରେ ଏବେ ଗୋଟିଏ ମଧ୍ୟମ ଧରଣର ପୋଖରୀ ରହିଛି। ପୋଖରୀ ଭିତରୁ ପଡ଼ିଥିବା ପଥର ପାହାଚ ଗୁଡ଼ିକ ଉଚ୍ଚା। ପୋଖରୀ ଜଳ ମଧ୍ୟରେ ୧୦’*୧୫’ ଚଉଡ଼ା -ଲମ୍ବାର ଯଜ୍ଞକୁଣ୍ଡ ରହିଛି ବୋଲି ଲୋକେ କହନ୍ତି। ସତ୍ୟତା ଅନୁସନ୍ଧାନ ସାପେକ୍ଷ।

ଜନଶ୍ରୁତି କହେ ଗୋଶିଙ୍ଗ ଦ୍ବାରା ଗାଈଗୋରୁ ବଳି ଦିଆଯାଇଥିବାରୁ ଏହାର ଜଳ ଅପବିତ୍ର। ତେଣୁ ଏବେ ମଧ୍ୟ ଗାଈ ବା ମଇଁଷି ସେ ପୋଖରୀର ଜଳ ସ୍ପର୍ଶ କରନ୍ତି ନାହିଁ;ଅନ୍ୟ କିଛି ପଶୁପକ୍ଷୀ ଜଳପାନ କରିବା ଦେଖାଯାଇଛି। ଅବଶ୍ୟ କେତେକଙ୍କ ମତରେ ଗାଈ/ମଇଁଷିମାନେ ଉଚ୍ଚ ପଥର ପାହାଚରେ ସିନା ଉପରକୁ ଉଠି ଆସିବେ; କିନ୍ତୁ ତଳକୁ ଗଡ଼ି ପାରିବେ ନାହିଁ। ଏହି ଯୁକ୍ତି ଅବଶ୍ୟ ଅନୁଧ୍ୟାନ ଯୋଗ୍ୟ। ଗାଈଗୋରୁ ଜଳପାନ ନକରିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ଭାବରେ ଆଖପାଖ ଅଞ୍ଚଳରେ ଆଲୋଚିତ ବିଷୟ। ପୋଖରୀରେ ଜନସାଧାରଣ ସ୍ନାନ କରିବା ମଧ୍ୟ ନିଷେଧ,କାରଣ ସେହି ଜଳ ଦେବକାର୍ଯ୍ୟ ପାଇଁଁ ବ୍ୟବହୃତ।
ନାରାୟଣୀଙ୍କ ମନ୍ଦିରକୁ ଲାଗି ସ୍ବପ୍ନେଶ୍ବର ମହାଦେବଙ୍କ ମନ୍ଦିର।ଆଗରୁ ଏଠାରେ ମନ୍ଦିର ନଥିଲା।ମା’ନାରାୟଣୀ ଓ ସ୍ବପ୍ନେଶ୍ବର ମହାଦେବ କାହିଁ କେଉଁ କାଳରୁ ମୁକ୍ତ ଆକାଶ ତଳେ ପୂଜା ପାଉଥିଲେ।କଣ୍ଟିଲୋ ପାଟଣାର ଖୁଦ ବେହେରା ନାମକ ଜଣେ ଧର୍ମପ୍ରାଣ ବ୍ୟକ୍ତି ଉଭୟ ନାରାୟଣୀ ଓ ସ୍ବପ୍ନେଶ୍ବର ମନ୍ଦିର ନିର୍ମାଣ କରାଇଛନ୍ତି ବୋଲି ଶୁଣାଯାଏ।

ଅନୁପମ ଏହି ସ୍ଥାନର ସୌନ୍ଦର୍ଯ୍ୟ।ଉତ୍ତରରେ ମହାନଦୀ,ଦକ୍ଷିଣରେ ଗୋଶିଙ୍ଗ ପର୍ବତମାଳା,ପୂର୍ବରେ ପଥର ଚକଡା଼ ଗ୍ରାମ ଏବଂ ପଶ୍ଚିମରେ କୁମାରୀକା ନଦୀ।ବଣ ଭୋଜି କରିବା ପାଇଁ ଏଠାରେ ସବୁବେଳେ ଭିଡ଼ ଲାଗି ରହିଥାଏ।

ଦୃଢ଼ ବିଶ୍ବାସ ହିଁ ଆମ ହିନ୍ଦୁ ଧର୍ମର ଆଧାର।ଲୋକଙ୍କ ବିଶ୍ବାସ ରହିଛି ଯେ ଏହି ପୀଠରେ ଜାଗର ଅମାବାସ୍ୟା ଏବଂ କାର୍ତ୍ତିକ ପୂର୍ଣ୍ଣିମାରେ ଶୁଦ୍ଧପୂତ ଭାବରେ ସ୍ନାନ କରି,ବନ୍ଧ୍ୟା ସ୍ତ୍ରୀ, ପୋଖରୀ ଭିତରୁ ଅଣ୍ଡାଳି ପାଇଥିବା ପଦାର୍ଥ,ମା’ନାରାୟଣୀଙ୍କୁ ସ୍ମରଣ କରି ଗର୍ଭସ୍ଥ କଲେ ନିଶ୍ଚୟ ପୁତ୍ରବତୀ ହେବେ। ବାରମାସରେ ଏଠାରେ ତେର ପର୍ବ ଲାଗିରହିଥାଏ।ପ୍ରତିବର୍ଷ ଆଶ୍ଵିନ ଶୁକ୍ଳ ମହାଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ଏହି ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥାଏ।ପାର୍ବଣ ସମୟରେ ଦେବୀ ଦୁର୍ଗାଙ୍କ ରୂପରେ ଏଠାରେ ମା ନାରାୟଣୀ ପୂଜା ପାଆନ୍ତି।

ନିକଟ ଅତୀତରେ ଏଠାରେ ଗୋଟିଏ ପାନ୍ଥଶାଳା ନିର୍ମାଣ କରାଯାଇଛି। ପାନ୍ଥଶାଳାକୁ ଲାଗି ଭୋଜିଭାତ ରନ୍ଧନ ଓ ଭୋଜନ ପାଇଁ ଗୋଟିଏ ମୁକ୍ତ ମଣ୍ଡପ ରହିଛି।ପୀଠ ପରିସରରେ ଥିବା ଅନେକ ଗୁଡ଼ିଏ ଅଶ୍ୱତ୍ଥ ଓ ତେନ୍ତୁଳି ଗଛ ଯାତ୍ରୀ/ପର୍ଯ୍ୟଟକ ମାନଙ୍କୁ ଅଖଣ୍ଡ ଛାୟା ପ୍ରଦାନ କରନ୍ତି।
ଭୁବନେଶ୍ୱର ଠାରୁ ୭୫ କିଲୋମିଟର ଦୂରରେ ଏହି ସ୍ଥାନଟି।
ଶାନ୍ତ ଗମ୍ଭୀର ବାତାବରଣରେ, ମୋ ଗାଁଠାରୁ ଅନତି ଦୂରରେ ଥିବା ଏହି ପବିତ୍ର ପୀଠକୁ ଥରେ ଆସି “ତ୍ରିକ୍ଷେତ୍ର” ଦର୍ଶନ କରନ୍ତୁ।
କ୍ରମଶଃ……

କୁଳମଣି ଷଡଙ୍ଗୀ

Click to rate this post!
[Total: 0 Average: 0]

Leave a Reply