Sunday, May 19, 2024
Stories

ଆମ ଗାଁ ଆମ ଘର (୩୬)

ଆମ ଗାଁ ଆମ ଘର
୩୬
==================================
ଖଣ୍ଡପଡାରେ ବାଞ୍ଛା ଭାଇନା
==================================
ଆମ ପିଲାଦିନେ ଟିଭି,ମୋବାଇଲ୍, ଇଣ୍ଟରନେଟ ଇତ୍ୟାଦି ନଥିଲା। ରେଡ଼ିଓ ଥିଲା କିନ୍ତୁ ସମସ୍ତଙ୍କ ଘରେ ନଥିଲା। ଚିନ୍ ସହିତ ୧୯୬୨ ରେ ଏବଂ ପାକିସ୍ତାନ ସହିତ ୧୯୬୫ ରେ ଯୁଦ୍ଧ ସମୟରେ ଖବର ଶୁଣିବା ପାଇଁ ସାଇରେ ଯା’ଘରେ ରେଡ଼ିଓ ଥାଏ,ସେଠି ଭିଡ ଜମିଯାଏ।ଯୁଦ୍ଧ ସମ୍ବାଦ ଶୁଣିବା ସମୟରେ ଛୁଞ୍ଚିପକା ନିରବତା ( ପିନଡ୍ରପ୍ ସାଇଲେନସ୍)।ସେଠି ଯଦି କିଏ ପାଟିତୁଣ୍ଡ କଲା ଗଳାରେ ଅର୍ଦ୍ଧଚନ୍ଦ୍ର ଦେଇ ବିଦା କରାଯାଏ। ମନୋରଞ୍ଜନ ପାଇଁ ପ୍ରମୁଖ ଆଧାର ଥିଲା ରେଡ଼ିଓ।ସୁଗମ ସଂଗୀତ ହେଉ କିମ୍ବା ଭଜନ, ପାଲା କିମ୍ବା ଦାସକାଠିଆ କାଠବାକସ ଭିତରେ ଥିବା ରେଡ଼ିଓଟି ଥିଲା ସମସ୍ତଙ୍କ ଅତି ଆପଣାର ବନ୍ଧୁ।ସେ ଥିଲା ଏକାଧାରରେ ଭାଇ ବନ୍ଧୁ ଓ ପ୍ରେମିକା।

ମଞ୍ଚରେ ଅଭିନୀତ ହେଉଥିବା ରାମଲୀଳା, କୃଷ୍ଣଲୀଳା,ଭାରତ ନାଟ,ଗୋଟିପୁଅ ନାଚ,ମେଜିକ୍ ସୋ ଇତ୍ୟାଦି ମଧ୍ୟ ମନୋରଞ୍ଜନର ଅନ୍ୟାନ୍ୟ ଆଧାର ଥିଲା। ଏହା ଛଡ଼ା ସେ ସମୟରେ ବାଞ୍ଛାନିଧି ଶତପଥୀ (ବାଞ୍ଛା ଭାଇନା)ଙ୍କ ଏକକ ନାଟକ ପରିବେଷଣ ଏକ ସ୍ବତନ୍ତ୍ର ଆକର୍ଷଣ ଥିଲା। ବାଞ୍ଛାନିଧି ଶତପଥୀଙ୍କୁ କିଏ ନଜାଣେ ? ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠାରେ ସେ ଜଣେ ଉଚ୍ଚକୋଟୀର କଳାକାର ଭାବରେ ଜଣାଶୁଣା ଥିଲେ। ଓଡ଼ିଶାର ପୁରପଲ୍ଲୀରେ ଏବଂ ସ୍କୁଲ୍ କଲେଜ ମାନଙ୍କରେ ବାଞ୍ଛା ଭାଇନାଙ୍କ ଏକକ ଅଭିନୟ ଯିଏ ବା ଦେଖିଚି ତାହା ସେ ଜୀବନସାରା ଭୁଲି ପାରିବ ନାହିଁ।ନିଜେ ଷ୍ଟେଜ ବାନ୍ଧିବା ଠାରୁ ଆରମ୍ଭ କରି ,ନିଜେ ଗ୍ରୀନରୁମରେ ଡ୍ରେସିଂ ପେଣ୍ଟିଙ୍ଗ ହୋଇ ମଞ୍ଚରେ ନାୟକ, ନାୟିକା, ନାରୀ ପୁରୁଷ, ବିଦୂଷକ ବିଦୂଷିକା ଇତ୍ୟାଦି ସମସ୍ତ ଅଭିନୟ ବାଞ୍ଛା ଭାଇନା ଏକାକୀ କରନ୍ତି।ଉଦାହରଣ ସ୍ବରୂପ ବିଲ୍ବମଙ୍ଗଳ ନାଟକରେ ସେ ନିଜେ ହୁଅନ୍ତି ବିଲ୍ବମଙ୍ଗଳ,ତାଙ୍କ ସ୍ତ୍ରୀ କଲ୍ୟାଣୀ,ଘରର ହଳିଆ ନଟିଆ ଏବଂ ଗଣିକା ଚିନ୍ତାମଣି,ସବୁକିଛି।ସ୍ବର ପରିବର୍ତ୍ତନ କରି ନାରୀ କଣ୍ଠରେ ସଂଳାପ କହନ୍ତି। ବିଭିନ୍ନ ପ୍ରକାରର ପଶୁପକ୍ଷୀ ମାନଙ୍କ ସ୍ବର ଯଥା କୁକୁର,ବିଲେଇ,ନେଉଳ, ବିରାଡ଼ି, ବାଘ ଇତ୍ୟାଦିଙ୍କ ଅବିକଳ ନକଲ କରନ୍ତି ବାଞ୍ଛା ଭାଇନା। କଣ୍ଠସ୍ୱର ବ୍ୟବହାର କରି ସେ ମଞ୍ଚରେ ସୃଷ୍ଟି କରିପାରୁଥିଲେ ଆବଶ୍ୟକତା ଅନୁସାରେ, କେତେବେଳେ ଝଡତୋଫାନ ତ କେତେବେଳେ ଶାନ୍ତସ୍ନିଗ୍ଧ ବାତାବରଣ। ଶବର ବେଶରେ ବାଘଛାଲ ପିନ୍ଧି ହାତରେ ଡେଙ୍ଗା ଧରି ସେ ମଞ୍ଚରେ ପ୍ରବେଶ କରିବା ସମୟରେ ଦର୍ଶକଙ୍କ କରତାଳିରେ ରଙ୍ଗମଞ୍ଚ ଦୁଲୁକି ଉଠେ। ଅତି ସୁନ୍ଦର ଚେହେରା ଥିଲା ବାଞ୍ଛା ଭାଇନାଙ୍କର। ସବୁପ୍ରକାରର ଚରିତ୍ର ପାଇଁ ଉପଯୁକ୍ତ ଥିଲା ତାଙ୍କ ଚେହେରା। କଣ୍ଠସ୍ୱର ମଧ୍ୟ ଖୁବ୍ ସୁନ୍ଦର ଥିଲା।ବାଦ୍ୟଯନ୍ତ୍ର ବ୍ୟବହାର ନକରି ମଧ୍ୟ ମଞ୍ଚରେ ସେ ସୃଷ୍ଟି କରିପାରୁଥିଲେ ସଙ୍ଗୀତର ବାତାବରଣ।ତାଙ୍କ ମଞ୍ଚ ଅଭିନୟରେ ଗଳ୍ପକଥନ ମଧ୍ୟ ଏକ ପ୍ରମୁଖ ଅଙ୍ଗ ଥିଲା। କଣ୍ଠ ପରିବର୍ତ୍ତନ ଦ୍ବାରା ପ୍ରାୟ ୩୨ ପ୍ରକାର ସ୍ବର ବ୍ୟବହାର କରି ସେ ଗଳ୍ପକଥନ ଓ ଅଭିନୟ ସମୟରେ ଦର୍ଶକଙ୍କୁ ବାନ୍ଧି ରଖୁଥିଲେ। ଅନେକ ସମୟରେ ଖଣ୍ଡପଡ଼ା ଆସି ସେ ବିଭିନ୍ନ ବିଦ୍ୟାଳୟରେ ଏବଂ ମୁକ୍ତମଞ୍ଚରେ ଅଭିନୟ କରି ଯାଇଛନ୍ତି।ମଞ୍ଚରେ ଅଭିନୟ କରିବା ସମୟରେ ବିଦୂଷକ ଠାଣିରେ ସେ ଯେପରି ତରତରରେ ସଂଳାପ କହନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦିଏ।ଉଦାହରଣ ସ୍ବରୂପ:–
“ଖଣ୍ଡପଡ଼ା ଗଣିତ, ଘୁମୁସର ସାହିତ୍ୟ,ପାରଳା ଖେମୁଣ୍ଡି ସଙ୍ଗୀତ,ନୟାଗଡ଼ ସଂସ୍କୃତି, ଧରାକୋଟ ରାଜନୀତି,ପଞ୍ଚଭୂତିର ଜଡ଼ା,ତୁହୁରହାଡ ଖଡା,ବାଲେଶ୍ବରିଆ ମଶା,ଖଲିକୋଟିଆ ଭାଷା,ସୋନପୁରିଆ ମାଈଙ୍କର କାନମୂଳିଆ ଖୋସା, ଖଣ୍ଡପଡ଼ା ଗାଈ, ରଣପୁର ମାଈ,ଯାଜପୁରିଆ ଭାଇ,ଭଦରଖିଆ ଗାଈ,ଆଠଗଡ଼ ଦହି, ଭୁବନେଶ୍ୱର ଖଇ, ଢେଙ୍କାନାଳ ଭେଣ୍ଡି, ଜଗତସିଂହପୁର ଫାଣ୍ଡି, ଗଞ୍ଜାମର ପାଣ୍ଡିଆ ସୁବୁଦ୍ଧି ଗୁଣ୍ଡି, ପୁରୀରେ ଠୁଳ କାର୍ତ୍ତିକ ମାସରେ ରାଣ୍ଡି।”

ଏମିତି ତରତର ହୋଇ ବାଞ୍ଛା ଭାଇନା ବଚନିକା କରନ୍ତି ଯେ ଦର୍ଶକ ଆଁ’କରି ଚାହିଁ ରହନ୍ତି। ଏହା ଗୋଟିଏ ଉଦାହରଣ ମାତ୍ର। ବାଞ୍ଛା ଭାଇନାଙ୍କ ପେଡିରେ ଏମିତି ଅଗଣିତ ବଚନିକା ସାଇତା ହୋଇ ରହିଥିଲା। ନୟାଗଡ଼ର ରାଜା କୃଷ୍ଣଚନ୍ଦ୍ର ସିଂହ ତାଙ୍କ ପ୍ରତିଭା ଦେଖି ଅତ୍ୟନ୍ତ ଆନନ୍ଦିତ ହୋଇ ତାଙ୍କୁ ଗଳ୍ପସାଗର ଉପାଧିରେ ଭୂଷିତ କରିଥିଲେ। ଏପରି “ଏକକ ମଞ୍ଚକଳା” ପ୍ରଦର୍ଶନ ଏତେ ନିଖୁଣ ଭାବରେ ଏ ପର୍ଯ୍ୟନ୍ତ ଅନ୍ୟ କାହା ଦ୍ଵାରା ହୋଇଥିବା ଅନ୍ତତଃ ମୋ ଜ୍ଞାତସାରରେ ନାହିଁ।

ପୁରୀ ଗଜପତି ମହାରାଜା ରାମଚନ୍ଦ୍ର ଦେବ ତାଙ୍କୁ “ଭାରତୀ ଭୂଷଣ”ଉପାଧିରେ ସମ୍ମାନିତ କରିଥିଲେ। ମୁଖ୍ୟମନ୍ତ୍ରୀ ବିଶ୍ବନାଥ ଦାଶ ତାଙ୍କୁ “କଳାନିଧି” ଉପାଧିରେ ଭୂଷିତ କରିଥିଲେ। ଅନେକ ପୁରସ୍କାର ଓ ଉପଢ଼ୌକନର ଅଧିକାରୀ ହୋଇଥିଲେ ବାଞ୍ଛା ଭାଇନା। କିଛି ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଛନ୍ତି ଯଥା… ମହାଲକ୍ଷ୍ମୀ ପୂଜା, ଶ୍ରୀଲୋକନାଥ,ନବଜନ୍ମ, ଦସ୍ୟୁ ରତ୍ନାକର ଏବଂ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଇତ୍ୟାଦି।
ବାଞ୍ଛା ଭାଇନା ନୟାଗଡ଼ ଜିଲ୍ଲାର ଓଡ଼ଗାଁ ନିକଟସ୍ଥ ରାବେରା ନରେନ୍ଦ୍ର ପୁର ଶାସନରେ ଗୋଟିଏ ଦରିଦ୍ର ବ୍ରାହ୍ମଣ ପରିବାରରେ ୧୯୧୯ ମସିହାରେ ଜନ୍ମ ହୋଇଥିଲେ। ସଂଘର୍ଷମୟ ଥିଲା ତାଙ୍କ ଜୀବନ। ପୁରାଣ ପଣ୍ଡାରୁ ତାଙ୍କ କଳାକାର ଜୀବନର ଆରମ୍ଭ।ମଧୁର ସ୍ଵରରେ ବିଭିନ୍ନ ରାଗରାଗିଣିରେ ପୁରାଣ ଗାଇ ସେ ଶ୍ରୋତାଙ୍କୁ ବିମୁଗ୍ଧ କରିପାରୁଥିଲେ।ଜୀବନରେ ସେ ବହୁ ଝଡଝଞ୍ଜାର ସମ୍ମୁଖୀନ ହୋଇଥିଲେ ।ମାତ୍ର ଛବିଶି ବର୍ଷ ବୟସରେ ପ୍ରଥମ ପତ୍ନୀ ତିଳୋତ୍ତମା ଏବଂ ୬ମାସର ଶିଶୁ କନ୍ୟା ହଇଜା ରୋଗରେ ପ୍ରାଣ ହରାଇଥିଲେ। ସେହି ରୋଗରେ ଆକ୍ରାନ୍ତ ହୋଇ ପିତା ମଧ୍ୟ ଆରପାରିକୁ ଚାଲିଗଲେ।ହଇଜା ଭୟରେ ରାବେରା ଗାଁରେ ତାଟି କବାଟ ପଡ଼ିଗଲା।ଶବ ଉଠାଇବା ପାଇଁ ଲୋକ ମିଳିଲେ ନାହିଁ।ନିଜ କାନ୍ଧରେ ପରିବାରବର୍ଗଙ୍କ ଶବ ବୋହି ଶ୍ମଶାନରେ ଦାହ କରିବାକୁ ପଡ଼ିଥିଲା ତାଙ୍କୁ।

ଜଣେ ବିଦୂଷକର ପରିଚୟ ବଡ଼ ବିଚିତ୍ର।ଅନ୍ତର ଭିତରେ କାନ୍ଦୁଥିଲେ ମଧ୍ୟ ଦର୍ଶକ ମାନଙ୍କୁ ହସାଇବା ପାଇଁ ତାକୁ ହସିବାକୁ ପଡେ। ବାଞ୍ଛା ଭାଇନା ଜୀବନରେ କେବେ ହାରି ନାହାଁନ୍ତି। ଦୁଃଖର ବୋଝକୁ ମୁଣ୍ଡେଇ ଅଣ୍ଟାଭିଡି ଆଗେଇ ଯାଇଛନ୍ତି। ସତ୍ୟଭାମା ଦେବୀଙ୍କ ସହିତ ଦ୍ବିତୀୟ ବିବାହ କରିଛନ୍ତି ଏବଂ ଏକକ ମଞ୍ଚ କଳାକୁ ପେଶା ଭାବେ ଆଦରି ନେଇଛନ୍ତି।

ଏହି ଅନନ୍ୟ କଳାକାର ଦୀର୍ଘକାଳ ଗାଁ ଗାଁ ବୁଲି ଅଭିନୟ କରିବା ପରେ ୮୫ ବର୍ଷ ବୟସରେ ୨୦୦୪ ମସିହାରେ ପ୍ରାଣତ୍ୟାଗ କରିଥିଲେ। ବ୍ରହ୍ମପୁର ଟାଉନ୍ କ୍ଳଵରେ ତାଙ୍କର ଶେଷ ଅଭିନୟ ଥିଲା।ଆମମାନଙ୍କ ଭଳି କିଛି ଭାଗ୍ୟବାନ ତାଙ୍କ ଅନନ୍ୟ ମଞ୍ଚକଳାର ଦର୍ଶକ ଭାବେ ନିଜକୁ ଭାଗ୍ୟବାନ ମନେକରୁ।

(କିଛି ତଥ୍ୟ ଶ୍ରୀଯୁକ୍ତ ପାଣ୍ଡବ ନାୟକଙ୍କ ‘ନୟାଗଡ଼ ପରିକ୍ରମା’ ପୁସ୍ତକ ଉପରେ ଆଧାରିତ।ଲେଖକ ତାଙ୍କ ପାଖରେ କୃତଜ୍ଞତା ଜଣାଉଛି)।
କ୍ରମଶଃ…..

Click to rate this post!
[Total: 0 Average: 0]

Leave a Reply