Sunday, June 23, 2024
Stories

ଆମ ଗାଁ ଆମ ଘର (୨୮)

ଆମ ଗାଁ ଆମ ଘର
୨୮
==============================
ଅନ୍ଧବିଶ୍ୱାସର ଅନ୍ଧଗଳି
===============================
କୁସୁମୀ ନଈରେ ଯେତେବେଳେ ଶଙ୍ଖ ନଥିଲା,ଖଣ୍ଡପଡ଼ା ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଥିଲା। ଗୋଟିଏ ସ୍ଥାନର ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ ନଦୀ ଉପରେ ପୋଲଟିଏ ରକ୍ତବାହିକା ଧମନୀ ସହିତ ସମାନ।ଗତ ଶତାବ୍ଦୀର ଷାଠିଏ ଦଶକରେ କୁସୁମୀ ନଦୀରେ ପୋଲ ତିଆରି ଆରମ୍ଭ ହେବା ଆୟୋଜନ ଦେଖି ଆମର ଖୁସି କହିଲେ ନସରେ। କୁସୁମୀ ବ୍ରିଜ ତିଆରି ସଙ୍ଗେ ସଙ୍ଗେ କାଳିଗିରି ନାଳ ଉପରେ ମଧ୍ୟ ବ୍ରିଜ୍ କାମ ପାଇଁ ପ୍ରୟାସ ଆରମ୍ଭ ହେଇଗଲା। କାଳିଗିରି ଛୋଟିଆ ନଦୀଟିଏ ହେଲେ କଣ ହେଲା,ସାନ ସାପର ବିଷଟାଣ ଭଳି ମହାନଦୀ ଫୁଲେଇଲେ ସଡ଼କ ଉପରେ ଅଣ୍ଟେ ପାଣି ; ବର୍ଷାଦିନେ ବସ୍ ଚଳାଚଳ ବନ୍ଦ ହୋଇଯାଏ। ଏହି ଦୁଇଟି ପୋଲ ହୋଇଗଲେ, ଏକେତ ଭୁବନେଶ୍ୱର ଯିବାକୁ ଆମକୁ କୋଡ଼ିଏ କିଲୋମିଟର ରାସ୍ତା କମ୍ ପଡିବ; ଦ୍ବିତୀୟରେ ବର୍ଷାଦିନେ ନଦୀ ଆରପାରି ଗାଁ’ଗଣ୍ଡାକୁ ଯିବାରେ ଅସୁବିଧା ହେବନାହିଁ।ରାଜା ସାହେବ ହରିହର ସିଂହ ସେ ସମୟରେ ପୂର୍ତ୍ତବିଭାଗ ମନ୍ତ୍ରୀ। ତେଣୁ ଖଣ୍ଡପଡିଆଙ୍କ ସ୍ଵପ୍ନ ସତ ହେବାକୁ ଯାଉଥାଏ।

କୁସୁମୀ ବ୍ରିଜ୍ କାମ ଆରମ୍ଭ ହେବା ସମୟରେ ଗୁଜବ ଶୁଣାଗଲା ଯେ କଣ୍ଟ୍ରାକ୍ଟର ନରବଳି ଦେଇ କାମ ଆରମ୍ଭ କରିବ। ଏମିତି ଗୁଜବ ଶୁଣି ଆଖପାଖରେ କୁଆ କୋଇଲି ବି ଉଡିଲେ ନାହିଁ।ଏ ବିଷୟରେ ଅଧିକ ଜାଣିବା ପାଇଁ ଥରେ ସନ୍ଧ୍ୟା ସମୟରେ ଆମ ଘରେ ପିଲାଙ୍କ ଭିତରେ ଗୋଟେ ମିଟିଂ ବସିଲା।ବଡ଼ ନାନୀକୁ ସମସ୍ତେ ଘେରି ବସିଥାଉ।ସମସ୍ତେ ଆଖି ମେଲା ମେଲା କରି ନାନୀକୁ ଚାହିଁ ରହିଥାନ୍ତି।ନାନୀ ଗଳା ଖଙ୍କାରି କଥା ଆରମ୍ଭ କଲା..ଦେଖ, ନରବଳି ସେମାନେ ନିଶ୍ଚୟ ଦେବେ;ନହେଲେ ପୋଲ ଭୁଶୁଡି ପଡିବ। ପିଲାଟିଏ ଧରିଆଣି ବଳି ଦେବାର ସମ୍ଭାବନା ଅଧିକ। ” ମୁଁ ପଚାରିଲି.. କୋଉଠୁ ସେ ପିଲା ଆଣିବେ, କେମିତିଆ ପିଲା ବଳି ପାଇଁ ଦର୍କାର ହୁଏ,ପୁଅ ପିଲା ନୁହେଁ ତ ?”
ନାନୀ କହିଲା..ଯୋଉ ପୁଅ ପିଲା ଦେହରେ ଖଣ୍ଡିଆ ଖାବରା ଦାଗ ନଥିବ,ସେମିତିକା ପିଲା ବାଛି ବାଛି ସେ ବଳିଦେବେ। ନିଛାଟିଆ ଯାଗାରେ ପିଲା ଦେଖିଲେ ଶଙ୍ଖିଆକଟା ତାକୁ ଔଷଧ ଶୁଂଘେଇ ଅଚେତା କରିଦବ,ଆଉ ମୁଣି ଭିତରେ ପୁରେଇ ନେଇଯିବ। ତାକୁ ଗାଧୁଆ ପାଧୁକା କରି ନୂଆଲୁଗାଟିଏ ପିନ୍ଧେଇବ, ମୁଣ୍ଡରେ ସିନ୍ଦୂର ଚନ୍ଦନ ଲଗେଇବ, ଖାଇବାକୁ ଭୋଗ ଦବ,ଆଉ ତାପରେ ତଣ୍ଟି ପାଖରୁ ଖଚ୍ଚାକ୍ କରି କାଟିଦେଇ ଖପରାରେ ରକ୍ତ ସଂଗ୍ରହ କରି ଦେବୀଙ୍କୁ ପୂଜା କରିବା ପରେ ପୋଲ ପାଇଁ ଖୋଳା ହେଉଥିବା ଗାତରେ ନେଇ ଢାଳିଦବ। ତାହେଲେ ଯାଇଁ ପୋଲ ମଜବୁତ୍ ହବ ଆଉ ପୋଲକାମ ବିନା ବାଧାବିଘ୍ନରେ ସୁରୁଖୁରୁରେ ସରିବ।

ନାନୀ ଏମିତି କହିଯାଉଥାଏ ସତେ ଯେମିତି ନିଜେ କୋଉଠି ନରବଳି ଦେଖିକି ଆସିଛି। ନାନୀ କଥା ଶୁଣି ଛାନିଁଆ ହୋଇ ପ୍ରଥମେ ମୁଁ ମୋର ଦେହମୁଣ୍ଡ ଚେକ୍ କଲି କୋଉଠି ଖଣ୍ଡିଆ ଖାବରା ଚିହ୍ନ ଅଛି କି ନାହିଁ।ବାଁପଟ ବାହୁରେ ବିସିଜି ଟିକା ଚିହ୍ନ ଦେଖି ଖୁସି ହେଇଗଲି;ଯା’ହଉ ଶଙ୍ଖିଆକଟା ମତେ ନେବନାହିଁ।ବଡ଼ ଭାଇନା କହିଲା..ଏତେ ଖୁସି ହେବା ଦରକାର ନାହିଁ। ଶଙ୍ଖିଆକଟା ଜାଣିପାରିବ ଏଇଟା ଟିକା ଚିହ୍ନ ବୋଲି,ଖଣ୍ଡିଆ ଖାବରା ଚିହ୍ନ ନୁହଁ।ବିଶେଷଜ୍ଞ ମତାମତ ପାଇଁ ଆମେ ନାନୀ ମୁହଁକୁ ଅନେଇଲୁ,ସତେ ଯେମିତି ନାନୀଠାରୁ ବଳି ବିଶେଷଜ୍ଞ(ଏକସ୍ପର୍ଟ) ଏ ବାବଦରେ କେହି ଦ୍ବିତୀୟ ନାହିଁ।ନାନୀ କହିଲା.. ଠିକ୍ ଠିକ୍,ବେଣୁ ଯାହା କହୁଛି ଠିକ୍।ଟୀକା ଚିହ୍ନକୁ ଖଣ୍ଡିଆ ଚିହ୍ନ ବୋଲି ଧରାଯିବନି।” ସେଇଠୁ ମୋର ପିଳେହି ପାଣି।ବାରିପଟକୁ ଦିନବେଳେ ବି ଗଲିନି,କାଳେ ଶଙ୍ଖିଆକଟା ମତେ ଟେକିନେଇ ପୋଲରେ ବଳି ଦେଇଦବ।
କୁସୁମୀ ଶଙ୍ଖରେ ନରବଳି ଦେବାକଥା ଯେ ସମ୍ପୂର୍ଣ୍ଣ ଗୁଜବ ଏଥିରେ ସନ୍ଦେହ ନାହିଁ। କିନ୍ତୁ କଥା ହେଲା ସେ ସମୟରେ ଏଭଳି ଗୁଜବ ଉଠିବାର କିଛି ଐତିହାସିକ କାରଣ ରହିଥିଲା।ରାମସେ କୋବଡେନ୍’ଙ୍କ ଫ୍ୟୁଡେଟୋରି ଷ୍ଟେଟସ୍ ଅଫ୍ ଓଡ଼ିଶା ପୁସ୍ତକରୁ ଜଣାଯାଏ ଯେ ବ୍ରିଟିଶ ଅମଳରେ ମଧ୍ୟ କନ୍ଧମାଳ ଅଞ୍ଚଳରେ ଆଦିବାସୀମାନେ ହଳଦୀ ପଦାରେ ମେରିଆ ବା ନରବଳି ଦେଉଥିଲେ।ବହୁ ପ୍ରୟାସ ପରେ ବ୍ରିଟିଶ ସରକାର ଏହି ଘୃଣ୍ୟ ପ୍ରଥାର ଉଚ୍ଛେଦ କରିଥିଲେ। ଏହି ପ୍ରଥା ଯେଉଁ ସମୟରେ ବଳବତ୍ତର ଥିଲା କନ୍ଧମାନେ ଶଙ୍ଖିଆକଟାଙ୍କ ମାଧ୍ୟମରେ ନରବଳି ପାଇଁ ଆମ ଅଞ୍ଚଳରୁ ମଧ୍ୟ ପିଲା ଚୋରି କରୁଥିଲେ। ସେହି ଡର ଲୋକଙ୍କ ମନରେ ଏପରି ଘର କରିଯାଇଥିଲା ଯେ ପରବର୍ତ୍ତୀ ସମୟରେ ପୂଜା ପାର୍ବଣ ଅବସରରେ ମଧ୍ୟ କିଛି ଲୋକଙ୍କର ବିଶ୍ବାସ ଥିଲା ଯେ ନିଜର ମାନସିକ ପୂରଣ ପାଇଁ ସାଧକ ଦେବୀମାନଙ୍କ ପାଖରେ ମଧ୍ୟ ନରବଳି ଦେଇଥାଏ। ଓଡ଼ିଶାର ଡେମୋଗ୍ରାଫି ବିଷୟରେ ମତାମତ ଦେଇ ପଣ୍ଡିତ ଦିବଙ୍ଗତ କୃପାସିନ୍ଧୁ ମିଶ୍ର ତାଙ୍କ ଉତ୍କଳ ଇତିହାସ ପୁସ୍ତକରେ ଲେଖିଛନ୍ତି ଯେ ଉତ୍କଳକୁ ଆର୍ଯ୍ୟ ବଂଶଜ ମାନେ ଆସିବା ପୂର୍ବରୁ ଆଦିମ ଅଧିବାସୀ ମାନେ ବସବାସ କରୁଥିଲେ।ଆର୍ଯ୍ୟମାନଙ୍କ ଆଗମନ ପରେ ସେମାନଙ୍କ ଭିତରୁ କିଛି ଆର୍ଯ୍ୟ ମାନଙ୍କର ବଶ୍ୟତା ସ୍ବୀକାର କରି ସେମାନଙ୍କ ସେବାକଲେ ଏବଂ କିଛି ବଣପାହାଡ ଅଧ୍ୟୁଷିତ ଗଡ଼ଜାତ ଅଞ୍ଚଳକୁ ଯାଇ ସେଠାରେ ବସବାସ କଲେ। ସେମାନଙ୍କ ମଧ୍ୟରେ ପ୍ରମୁଖ ଥିଲେ କନ୍ଧ କୋହ୍ଲ ସାନ୍ତାଳ ଜୁଆଙ୍ଗ ଗୋଲା,ତଅଁଳା ଭଳି ଜନଜାତିର ଲୋକ ।

ସେମାନଙ୍କ ଭିତରୁ ଯେଉଁମାନେ ଦେବାଦେବୀଙ୍କୁ ପୂଜା କରୁଥିଲେ ସେମାନଙ୍କୁ ଜାନୀ କୁହାଯାଉଥିଲା।ଏବେ ମଧ୍ୟ ଡୁମଣୀ,ପାଟ୍ଟଚଣ୍ଡୀ ଆଦି ଦେବୀ ମାନଙ୍କୁ ଅଣବ୍ରାହ୍ମଣ ଶୁଦ୍ର (ତଅଁଳା)ଜାତିର ପୂଜାରୀମାନେ ପୂଜାର୍ଚ୍ଚନା କରନ୍ତି।୧୫୯୯ ଖ୍ରୀଷ୍ଟାବ୍ଦରେ ଖଣ୍ଡପଡ଼ାର ପ୍ରଥମ ରାଜା ଯଦୁନାଥ ସିଂହ ଯେତେବେଳେ ଏଠାରେ ରାଜ୍ୟ ପ୍ରତିଷ୍ଠା କଲେ ସେତେବେଳେ ଦଶଖଣ୍ଡ ପଡ଼ାରେ ସ୍ଥାନୀୟ ଅଧିବାସୀମାନଙ୍କର ମୁଖିଆମାନେ ଶାସନ କରୁଥିଲେ। ଏହି ଦଶଖଣ୍ଡ ପଡ଼ାକୁ ଏକତ୍ର କରି ସେ ଖଣ୍ଡପଡ଼ା ରାଜ୍ୟ ସ୍ଥାପନ କରିଥିଲେ।ବର୍ତ୍ତମାନ ଖଣ୍ଡପଡ଼ାର ରାଜବାଟୀ ଯେଉଁଠାରେ ଅଛି ତାର ଅନତି ଦୂରରେ ବାଲିଗଡ ବା ପୋତାଗଡ ବୋଲି ଗୋଟିଏ ରାଜ୍ୟ ଥିଲା। ସେହି ବାଲିଗଡର ଶାସନ କରୁଥିଲେ ଡୁମାଳ ନାମକ ଜଣେ ଶୁଦ୍ର ବ୍ୟକ୍ତି।ତାଙ୍କ ଆରାଧ୍ୟ ଦେବୀ ଥିଲେ ଡୁମାଳୁଣୀ ବା ଡୁମଣୀ ଠାକୁରାଣୀ। ବର୍ତ୍ତମାନ ବ୍ରାହ୍ମଣ ସାହିର ମଝିରେ ଢୁମଣୀଙ୍କ ଆସ୍ଥାନ ଅବସ୍ଥିତ।ତଅଁଳା ଜାତିର ଜଣେ ବ୍ୟକ୍ତି ବର୍ତ୍ତମାନ ସେହି ଠାକୁରାଣୀଙ୍କ ପୂଜକ ବା ଜାନୀ। ଖଣ୍ଡପଡ଼ାରେ ଢୁମଣୀ, ପାଟଚଣ୍ଡୀ,ଉମାଦେବୀ ଏବଂ ଶୁଳିଆ ଠାକୁରାଣୀଙ୍କ ପୀଠରେ ପଣା ପାଣି ବ୍ୟତୀତ ପଶୁବଳି ଦେବା ପ୍ରଥା ଆଗରୁ ରହିଛି। ଏଥିରୁ ସ୍ପଷ୍ଟ ଅନୁମେୟ ଯେ ବହୁ ପୁରାତନ କାଳରୁ ଖଣ୍ଡପଡ଼ା ଅଞ୍ଚଳରେ ଦେବାଦେବୀମାନେ ଶୁଦ୍ର ଜାତିର ପୂଜକ ମାନଙ୍କ ଦ୍ବାରା ପୂଜା ପାଉଥିଲେ ଏବଂ ଠାକୁରାଣୀଙ୍କ ସମୀପରେ ପଶୁବଳି ପ୍ରଥା ପ୍ରଚଳିତ ଥିଲା।ସବୁ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଏବଂ ରୋଗ ବଇରାଗରୁ ମୁକ୍ତି ପାଇବା ପାଇଁ ଠାକୁରାଣୀ ମାନଙ୍କ ଆଗରେ ପଶୁ ବଳିଦେବା ପ୍ରଥା ରହିଥିଲା।ଏବେ ପଶୁବଳି ନିଷିଦ୍ଧ ହେଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ନିଷିଦ୍ଧ ହୋଇ ପାରିନାହିଁ।
ଏହି ସବୁ କାରଣରୁ ଆମେ ପିଲାଦିନୁ ନରବଳି, ଭୂତ, ପ୍ରେତ, ହାଡବାଈ, ଗୁହଚରୀ, ଠାକୁରାଣୀ ଉଭା ହୋଇ ଅଭିଶାପ ଦେବା ଇତ୍ୟାଦି ଗପ ଶୁଣି ଶୁଣି ମନରେ ଆମର ସେହି ସମ୍ବନ୍ଧୀୟ ଭୟ ବସା ବାନ୍ଧି ରହିଥିଲା। ଉଚ୍ଚ ଶିକ୍ଷା ପାଇଁ ଖଣ୍ଡପଡ଼ା ଛାଡିବାପରେ ଏସବୁ ଡର ଧୀରେ ଧୀରେ ମନରୁ ଉଭେଇ ଯାଇଥିଲା।

ଅବଶ୍ୟ ହାଡବାଈ,ଗୁହଚରୀ,ଭୂତ ଏବଂ ପ୍ରେତଙ୍କ ସହିତ ମୋର କେବେ ମୁହାଁମୁହିଁ ହୋଇନଥିଲା। କିନ୍ତୁ ଥରେ ଏମିତି ଗୋଟିଏ ଘଟଣା ଘଟିଲା ଯାହା ମୋ ମନର ଡରକୁ ଦୃଢ଼ କରିଦେଇଥିଲା। ଉଣେଇଶ ଚଉଷଠି ମସିହା କଥା।ସେ ବର୍ଷ କାର୍ତ୍ତିକ ମାସରେ ଆମେ ତିନି ଭାଇ କୁସୁମୀ ନଈରେ ଜାଲ ପକେଇ ମାଛ ଧରୁଥାଉଁ। ଏମିତି ଯାଉଁ ଯାଉଁ ନଦୀର ତଳମୁଣ୍ଡକୁ କିଛି ଦୂର ଚାଲିଗଲୁ। ଏହି ସମୟରେ ଧାନଗହୀର ଭିତରୁ ଗଡ଼ି ଆସୁଥିବା ପାଣି ଧାର ସହିତ ପ୍ରଚୁର ମାଛ ନଈ ଭିତରକୁ ଚାଲି ଆସୁଥିବା ଆମେ ଲକ୍ଷ୍ୟ କଲୁ। ସେ ସମୟରେ ଧାନ ବିଲରେ ବାଣିଜ୍ୟିକ ସାର୍ ବ୍ୟବହାର କରାଯାଉନଥିଲା। ତେଣୁ ଧାନ ବିଲ ମାନଙ୍କରେ କଉ,ଗଡିଶା,କଣ୍ଟିଆ,ଝିମାଣି,ତୋଡି,କେରାଣ୍ଡି,ଦଣ୍ଡେଇ,ବାଲି ଗିରିଡା,ସେରେଣା, ଚିଙ୍ଗୁଡ଼ି,ଶିଙ୍ଗୀ,ପାତୁଆ,ପୋବତା ଇତ୍ୟାଦି ଛୋଟମାଛ ଭରପୁର ରହିଥିଲେ। ନଦୀର ଯେଉଁ ଯାଗାରେ ଗହୀରର ପାଣି ଧାର ପଡୁଥିଲା ସେଠାରେ ଆମେ ଜାଲ ବସେଇ ଦେଲୁ। ସଙ୍ଗେ ସଙ୍ଗେ ପ୍ରାୟ ଅଧକିଲୋ ଚୁନା ମାଛ ଜାଲରେ ପଡ଼ିଗଲେ। ସେହିଠାରୁ ଆମର ଘରକୁ ମାଛ ବୁହା ଆରମ୍ଭ ହେଲା।

ଦିନସାରା ମାଛ ବୋହିବା ପରେ,ସେ ଦିନ ରାତିରେ ମଧ୍ୟ ଆମେ ବାହାରିଲୁ ଜାଲରେ ପଡିଥିବା ମାଛ ଆଣିବାପାଇଁ।
ରାତି ଅଧାରୁ ଅଧିକ ହେବ।ଆଗରେ ବଡ଼ ଭାଇନା, ମଝିରେ ମୁଁ ଏବଂ ପଛରେ ସାନ ଭାଇନା। ହାତରେ ଥାଏ ଗୋଟିଏ ଗୋଟିଏ ଠେଙ୍ଗା ଏବଂ ଛଅ ଶେଲିଆ (ବ୍ୟାଟେରୀ) ଲମ୍ବା ଟର୍ଚ୍ଚ। ପ୍ରଥମେ ମଶାଣି ପଡ଼ିଲା। ମଶାଣି ମଝିରେ ସାହାଡ଼ା ବୁଦାକୁ ଲାଗି ଦିକ୍ ଦିକ୍ ହେଉଥାଏ ଜୁଇର ରଡନିଆଁ। ମଶାଣି ପାର ହୋଇ ଚିତ୍ରକାର ‘ଆମ୍ବତୋଟା’ ଛୁଇଁଲୁ।ଯାଗାଟି ଗାଁ ଠାରୁ ଦୂର ଏବଂ ଶୂନଶାନ ଅଞ୍ଚଳ।ଆଗରେ ନଈକୂଳରେ ଏକ ବିରାଟ ଝଙ୍କାଳିଆ ଆମ୍ବଗଛ। ପବନ ବହିବା ସ୍ଥିର ହୋଇଯାଇଥାଏ। ଆକାଶରେ ଦଶମୀ କି ଏକାଦଶୀର ଜହ୍ନ। କୁସୁମୀର ନିର୍ମଳ ଜଳଧାରରେ ଜହ୍ନ ଆଲୁଅ ଚିକ୍ ଚିକ୍ ମାରୁଥାଏ। ଆମେ ଗଛ ତଳେ ପହଞ୍ଚୁ ପହଞ୍ଚୁ ଗଛ ଉପରେ କିଏ ଯେମିତି ଟ୍ରକରେ ଟ୍ରକେହବ ବାଲି ଅଜାଡ଼ି ଦେଲା।ଭୟଙ୍କର ଶବ୍ଦ ହେଲା। କିନ୍ତୁ ତଳେ ଗୋଟିଏ ବି ବାଲି କଣା ପଡ଼ୁନଥାଏ । ଆମେ ତିନିଜଣ ଛାନିଆଁ।ପାଟିରେ କଥା ଲେଉଟୁ ନଥାଏ।ନିର୍ଜନ ପରିବେଶକୁ ମୁଖରିତ କରି ଆକାଶରେ ଟିଁ ଟିଁ କରି ଟିଟ୍ଟିଭ ଉଡିଗଲା।ଆମେ ସେହିଠାରୁ ଫେରିଲୁ; ଆଗକୁ ଯିବାପାଇଁ ସାହସ ହେଲାନାହିଁ।
କ୍ରମଶଃ…..

Click to rate this post!
[Total: 0 Average: 0]

Leave a Reply