Wednesday, February 28, 2024
Stories

ଆମ ଗାଁ ଆମ ଘର (୨୭)

ଆମ ଗାଁ ଆମ ଘର
୨୭
===================================
ସେକାଳ ପଖାଳ
===================================
ସତରେ ବିଗତ ୬୦/୭୦ ବର୍ଷ ଭିତରେ ସମୟ ସମ୍ପୂର୍ଣ୍ଣ କଡ଼ ଲେଉଟାଇ ସାରିଛି।ବେଳେ ବେଳେ ଲାଗେ ଆମେ ସ୍ବାଧୀନ ଭାରତର ସେହି ଭାଗ୍ୟବାନ ମଣିଷ ଯେଉଁମାନେ ଆମ ଦେଶରେ ଘଟିଥିବା ଏହି ମହା ପରିବର୍ତ୍ତନର ଜୀବନ୍ତ ସାକ୍ଷୀ।ଷାଠିଏ/ ସତୁରୀ ବର୍ଷତଳେ ଆଜିଭଳି ଗାଁ’ସବୁ ଚକଚକିଆ ନଥିଲା; ପ୍ରାୟ ସମସ୍ତେ ଚାଳଛପର ମାଟି ଘରେ ରହୁଥିଲେ।ଯାନବାହାନ ଭାବରେ ସାଇକେଲ ଖଣ୍ଡେ ଦିଖଣ୍ଡ ଏପଟେ ସେପଟ ହେଉଥିଲା ରାସ୍ତାରେ।ଯାହା ପାଖରେ ରାଜଦୂତ ମୋଟର ସାଇକେଲ ଥିଲା ସେ ବିଶିଷ୍ଟ ଧନିକ ଭାବରେ ପରିଗଣିତ ହେଉଥିଲା। ନଥିଲା ଟିଭି ଓ ଇଣ୍ଟରନେଟ।କାଁ ଭାଁ କା’ ଘରେ କେମିତି ରେଡ଼ିଓ ଥିଲା। ସମ୍ବାଦ ଶୁଣିବା ପାଇଁ ରେଡ଼ିଓ ମାଲିକଙ୍କ ଦୁଆରେ ଭିଡ଼ ଜମିଯାଉଥିଲା।”ସମ୍ବାଦ ପଢୁଛନ୍ତି ଜତିନ୍ ଦାସ୍” ଶବ୍ଦଟି ପିଲାଠୁ ବୁଢା ସବୁରି ତୁଣ୍ଡରେ ରହିଥିଲା।

ମନୋରଂଜନର ମାଧ୍ୟମ ଥିଲା ପାଲା,ଦାଶକାଠିଆ, ଗୋଟିପୁଅ ନାଚ,ଢୁମ୍ପା ସଙ୍ଗୀତ, ରାମଲୀଳା କୃଷ୍ଣଲୀଳା ଇତ୍ୟାଦି।ସାପୁଆ କେଳା,ମୁଣ୍ଡପୋତା କେଳା ଏବଂ ବାଉଁଶରାଣୀ କେଳୁଣୀ ଅନେକ ପ୍ରକାରର ଖେଳ ଦେଖାଉ ଥିଲେ। ସାପୁଆ କେଳା ବିଭିନ୍ନ ପ୍ରକାରର ଗୋଖର ସାପ ଖେଳାଇବା ବେଳେ ଡମ୍ବରୁ ବଜାଇ ମଧୁର ସ୍ଵରରେ ଯେଉଁ ଗୀତ ଗାଉଥାଏ, ଆଃ କି ଶ୍ରୁତିମଧୁର !…ଦିନେ କାଳନ୍ଦୀ କୂଳେ ଖେଳିଲେ କାହ୍ନୁ ତୋ ସଙ୍ଗେ ଯମୁନା ଜଳେ;ତୋ ମୂଷାଖିଆ ପାଟି ଦେଖେଇ ଦେ ମୋ ବଚ୍ଚା ନାଗ।”ଇତ୍ୟାଦି।

ମୁଣ୍ଡପୋତା କେଳା ଭୂଇଁରେ ଗାତ ଖୋଳି ତା’ ଭିତରେ ମୁଣ୍ଡକୁ ମାଟିରେ କିଛି ସମୟ ପାଇଁ ପୋତିଦିଏ।ସବୁ ନାଟ ପେଟପାଟଣା ପାଇଁ। ବାଉଁଶରାଣୀ ଗୋଟିଏ ବାଉଁଶ ଧରି ଶୂନ୍ୟରେ ଥିବା ଦଉଡ଼ି ଉପରେ ଭାରସାମ୍ୟ ରଖି,ଚାଙ୍ଗୁ ବାଜା’ର ତାଳେତାଳେ ଯେଉଁ ପ୍ରକାରର ନୃତ୍ୟ ପରିବେଷଣ କରେ ଆଜିକାଲି ସେପରି କଳାକାର ଦେଖିବାକୁ ସ୍ଵପ୍ନ। ସପ୍ତାହରେ ପ୍ରାୟ ଥରେନା ଥରେ ଜାନୁଘଣ୍ଟିଆ ହାତରେ ପର୍ଶୁ ଧରି , ଜଂଘରେ ଘଣ୍ଟିବାନ୍ଧି ଗାଁ ରାସ୍ତାକୁ “ଜୟ ଶ୍ରୀରାମ” ଧ୍ୱନିରେ ପ୍ରକମ୍ପିତ କରିଦିଏ।କାହା ଦୁଆରକୁ ଜାନୁଘଣ୍ଟିଆ ଭିଖ ମାଗିବାକୁ ଯାଏନି।ଘରୁ ପିଲାମାନେ ତାପାଖକୁ ଆସି ଝୁଲା ମୁଣିରେ ଚାଉଳ ପକାଇ ଦେଇ ଯାଆନ୍ତି।ଏହି ସବୁ ଅଭିନୟରେ କିଛି ସମୟ ପାଇଁ ଗାଁ ଦାଣ୍ଡ ଷ୍ଟେଜରେ ପରିଣତ ହୋଇଯାଉଥିଲା।

ଗାଁର ରୂପ ଭେକ ଅଲଗା ଥିଲା;ଅଣଓସାରିଆ ମାଟିରାସ୍ତା କଡେକଡେ ଲୁହା ଖୁଣ୍ଟରୁ ଝୁଲୁଥିଲା ଦୀପ୍ ଦୀପ୍ କରୁଥିବା ବିଜୁଳି ବଲବ୍;ରାସ୍ତା ଉପରେ ଭଲରେ ବିଜୁଳି ଆଲୁଅ ପଡୁନଥିଲା।ସଞ୍ଜ ହେଲେ ଲଣ୍ଠନ ହାତରେ ଧରି ଯିବାଆସିବା କରିବାକୁ ପଡ଼ୁଥିଲା।ଏବେ ସିନା କିରୋସିନି ମିଳୁନାହିଁ,ସେତେବେଳେ କିରୋସିନି ଯାହାକୁ ଯେତେ। କିରୋସିନି ଲିଟର ଚାରେଣା କି ଆଠେଣା ଥିଲା।ପଚାଶ ପଇସାରେ ବିଶାଏ ମାଛ(କିଲୋଗ୍ରାମ ନୁହେଁ,ବିଶା ଥିଲା ମାପକ ଯନ୍ତ୍ର)। ମାଂସ ବିଶାକୁ ଟଙ୍କାଏ।ଦିନ ମଜୁରୀ ସେତେବେଳେ ତିନି ଚାରିଟଙ୍କା ଥିଲା।ତଅଁଳା ସାଇର ଦିନ ମଜୁରିଆଙ୍କ ମାଇପି ମାନଙ୍କର ଭିଡ ସଞ୍ଜବେଳେ ମଣିକାଣ୍ଡ ସାହିରେ ବିଦ୍ୟାଭାଇନା ଦୋକାନରେ ଜମୁଥିଲା। ସେହି ତିନି ଟଙ୍କା ଭିତରେ ପାହୁଲା ଅଧଲାକର ଡିବି ତେଲ(କିରୋସିନି),ନିକ ତେଲ(ସୋରିଷ ତେଲ),ମଥେଇ(ଜଡାତେଲ କିମ୍ୱା ରାଶି ତେଲ),ନୁଣ (ଲୁଣ),ପିଆଜ, ଆରୁ(ଆଳୁ),ଚାଉର (ଚାଉଳ)ଡାଲି ଇତ୍ୟାଦି ଗୋଟିଏ ଦିନ ପାଇଁ ଯାବତୀୟ ସଉଦା ସେମାନେ କିଣି ପାରୁଥିଲେ।ବିଦ୍ୟା ଭାଇନାଙ୍କ ଦୋକାନ ଗୋଟିଏ କଣନାହିଁ କଣନାହିଁ (what not) ଦୋକାନ ଥିଲା।ସାଧାରଣ ଲୋକଙ୍କର ସବୁ ଚାହିଦା ସେହି ଦୋକାନରୁ ମେଣ୍ଟି ଯାଉଥିଲା। ସେହି ତିନି ଟଙ୍କା ମଜୁରୀରୁ ସବୁ ସଉଦା କିଣିବା ପରେ ଟିକିଏ ଅଫିମ ଏବଂ ଗଞ୍ଜେଇ ପାଇଁ ପଇସା ବଳେଇ ଗୃହିଣୀ ମାନଙ୍କ ଦ୍ବାରା ରଖାଯାଉଥିଲା;ଅଫିମ ଜେଜେ ବା’ ଜେଜିମାଆଙ୍କ ପାଇଁ ଆଉ ଗଞ୍ଜେଇ , ଦିନ ସାରା ଖଟି ୩ଟଙ୍କା ମଜୁରୀ ଆଣୁଥିବା ଘର ମାଲିକ ପାଇଁ।ସଞ୍ଜରେ ସାଇମୁଣ୍ଡରେ ବସି ଖଞ୍ଜଣି ମାଡ ସହିତ ଚିଲମରୁ ଦି’ସୋଡକା ଗଞ୍ଜେଇ ନଟାଣିଲେ ଦେହର ପୀଡ଼ା ମରେନି । ତିନି ଟଙ୍କାରେ ସିନା ଘର ସଉଦା ଚଳିଯାଏ,ତୁଣ (ତରକାରୀ) ଖର୍ଚ୍ଚ କୁଆଡୁ ଆସେ ?ସେମାନଙ୍କ ପାଇଁ ସେଇଟା ବଡ଼ କଥା ନଥିଲା। ମାଛ ପାଇଁ ଥିଲା କୁସୁମୀ ନଈ, ମାଟିଆଳୁ, ଟୁଙ୍ଗା, କଡବା,ଅଷାଢୁଆ ଇତ୍ୟାଦି ପାଇଁ କୁସୁମୀ ପଠା।ବଣଭୂଆ,ଠେକୁଆ,ବଜ୍ରକାପ୍ତା,ଝିଙ୍କ ଇତ୍ୟାଦି ଆଖପାଖ ଜଙ୍ଗଲରୁ ଶିକାର କରି ସେମାନେ ମାଂସର ଚାହିଦା ମେଣ୍ଟଉଥିଲେ।ତାଛଡା ବାରିବଗିଚା ଥିଲା ପରିବା ଚାଷକରି ନିଜେ ଖାଇବା ପରେ ବିକ୍ରିବଟା କରିବାପାଇଁ।ବିଦ୍ୟାଭାଇନାଙ୍କ ଦୋକାନଟି ଖଟିଖିଆଙ୍କ ପାଇଁ ଥିଲା।ଥିଲାବାଲାଙ୍କ ପାଇଁ ବଜାରରେ ଦୁଇଟି ବଡ ଦୋକାନ ଥିଲା; ଦୁଇ ମାଡୁଆଳି/ମାରୁଓ୍ବାଡିଙ୍କ ଦ୍ୱାରା ପ୍ରତିଷ୍ଠିତ ଦୋକାନ।

ଗମନାଗମନ ପାଇଁ ସେ ସମୟରେ ବସ ଚଳାଚଳ ନଥିଲା କହିଲେ ଚଳେ।ସକାଳୁ ଗୋଟିଏ ସରକାରୀ ବସ ନୟାଗଡ଼ ଦେଇ ଭୁବନେଶ୍ୱର ଯାଉଥିଲା,ଫେରୁଥିଲା ରାତି ଦଶଟା ବେଳକୁ। କାଳିଗିରି ଏବଂ କୁସୁମୀ ନଦୀ ଉପରେ ସେ ସମୟରେ ଶଙ୍ଖ/ପୋଲ ହୋଇନଥିଲା। ତେଣୁ ନୟାଗଡ଼ ବାଟଦେଇ ଭୁବନେଶ୍ୱରକୁ ବସ୍ ଯିବାଆସିବା କରୁଥିଲା।ମୋର ସମସାମୟିକ ବିଶିଷ୍ଟ ଶିକ୍ଷାବିତ୍ ଡଃ ବ୍ରଜବନ୍ଧୁ ପଣ୍ଡାଙ୍କ ଘର ବନମାଳୀ ପୁର ନିକଟସ୍ଥ ମରଦାବାଡି। ଡଃ ପଣ୍ଡା କହନ୍ତି ଯେ ପୁରୀ କଲେଜରେ ପଢ଼ୁଥିବା ସମୟରେ ସେ ଖଣ୍ଡପଡ଼ାରୁ ଯିବାପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ। ପ୍ରଥମେ ବନମାଳୀ ପୁରରୁ ଖଣ୍ଡପଡା ଆସିବାପାଇଁ ଗାମୁଛା ପିନ୍ଧି କୁସୁମୀ ନଦୀ ପାର ହେବାକୁ ପଡୁଥିଲା।ତାପରେ ପ୍ୟାଣ୍ଟସାର୍ଟ ବଦଳେଇ,ଓଦା ଗାମୁଛାକୁ ଚିପୁଡି ବ୍ୟାଗରେ ରଖି, ଖଣ୍ଡପଡ଼ା ଜେଲ ଛକରୁ ଓ ଆର୍ ଟି ବସ୍ ଧରି ନୟାଗଡ଼ ବାଟଦେଇ ଖୋର୍ଦ୍ଧାରେ ପହଞ୍ଚୁଥିଲେ। ଖୋର୍ଦ୍ଧାରୁ ଆଉ ଗୋଟିଏ ବସ୍ ଧରି ଜଟଣୀରେ ପହଞ୍ଚିବାକୁ ହେଉଥିଲା। ଜଟଣୀରୁ, ଟ୍ରେନରେ,ଟଙ୍କାଏ ଖର୍ଚ୍ଚରେ ଟିକେଟ କାଟି ପୁରୀରେ ପହଞ୍ଚୁଥିଲେ।ସତରେ କି କଷ୍ଟ ! ଆମମାନଙ୍କର ଅନୁଭୂତି ଆମ ପିଲାମାନେ ପାଇବେ କୁଆଡୁ ! ସେ ସଂଘର୍ଷ ଭିତରେ ପ୍ରାପ୍ତିର ଅଦମ୍ୟ ଉତ୍ସାହ ଓ ଆନନ୍ଦ ଥିଲା। ଡକ୍ଟର ପଣ୍ଡାଙ୍କ ଅନୁରୂପ ଥିଲା ମୋର ସଂଘର୍ଷ।

ଏବେ ଗାଁ’ରେ ଚାଳଘରଟିଏ ଦେଖିବାକୁ ସ୍ବପ୍ନ। ସେତେବେଳେ ସମସ୍ତଙ୍କ ଘର ଚାଳ ଛପର;ଆମ ଗାଁରେ “ଏକଚାଳିଆ ସାହି” ନାମରେ ସାହିଟିଏ ଥିଲା; ଅନେକ ଘର ପାଇଁ ଗୋଟିଏ ଚାଳ। ଯେତେବେଳେ ଘରପୋଡ଼ି ହୁଏ ଜଣଙ୍କ ଘରୁ ନିଆଁ ଲାଗି ସମସ୍ତଙ୍କ ଘର ପୋଡିଯାଉଥିଲା।ବେଳେ ବେଳେ ଗୋଟିଏ ସାଇର ନିଆଁ ଅନ୍ୟ ସାଇକୁ ଡେଇଁ ସେଠାରେ ଘରସବୁ ପୋଡିଦିଏ। ଗାଁରେ ନିଆଁ ଲାଗିଲେ ଗରାରେ ପାଣି ଧରି ଲୋକେ ନିଜ ନିଜର ଚାଳ ଉପରେ ବସିଯାଆନ୍ତି; ନିଆଁ ଝୁଲ ପଡିଲେ ପାଣି ଢ଼ାଳି ଲିଭାଇବା ପାଇଁ। ବହୁଦିନ ପରେ ନିଆଁ ଲିଭାଇବାକୁ ଦମକଳଟିଏ ଖଣ୍ଡପଡ଼ା ପାଇଁ ଆସିଲା। କିନ୍ତୁ ସେଥିରେ ଲାଭ ଅପେକ୍ଷା ଲୋକଙ୍କର କ୍ଷତି ବେଶି ହେଉଥିଲା। ନିଆଁ ଲିଭିବା ପରେ ଦମକଳ ପହଞ୍ଚି ଘର ଉପରେ ଯେଉଁ ପାଣିମାଡ କରୁଥିଲା ସେଥିରେ ବାକି ଯାହାକିଛି ଥିଲା ମାଟିରେ ମିଶିଯାଉଥିଲା।ଘରପୋଡ଼ି ପରେ ଘର ସଜାଡ଼ିବା କାଠିକର ପାଠ। ଖରାଦିନେ ନିଆଁ ଲାଗିଲେ ଜଳି ଯାଇଥିବା ଘରର ଛପର ପାଇଁ ନଡ଼ା କୁଆଡୁ ମିଳିବ ?ଘରଟି ମାଟିରେ ମିଶିବା ହିଁ ସାର ହୁଏ। ସେଥିପାଇଁ କୁହାଯାଉଥିଲା “ଘରପୋଡ଼ି ଠାରୁ ବିପଦ ନାହିଁ;ଘୋଡାଚଢାଠାରୁ ସମ୍ପଦ ନାହିଁ।”ଏହି କଥନିକାଟି ଆଜିକାଲି ପ୍ରଯୁଜ୍ୟ ନୁହେଁ। ସେ ସମୟରେ ନିଜେ ଖାଇପିଇ ବଞ୍ଚିବା କଷ୍ଟକର ଥିଲା,ଘୋଡାଟିଏ ରଖି ତା’ର ଦାନାପାଣି ଉଠେଇବା କଣ ସହଜ କଥା ?
କ୍ରମଶଃ…..

Click to rate this post!
[Total: 0 Average: 0]

Leave a Reply