Monday, May 20, 2024
Stories

ଆମ ଗାଁ ଆମ ଘର (୧୯)

ଆମ ଗାଁ ଆମ ଘର
୧୯
======================
“ଜକ” ସହିତ ମୁହାଁମୁହିଁ….
======================
ଉଣେଇଶ ତେପନ ମସିହା;ମତେ ପାଞ୍ଚବର୍ଷ ପୂର୍ଣ୍ଣ ହେବାପରେ ଅବଧାନଙ୍କ ଚାଟଶାଳୀରେ ମୋର ପଦାର୍ପଣ।କାନ୍ଦିବୋବେଇ ବଡ଼ କଷ୍ଟରେ ଚାଟଶାଳୀକୁ ମୁଁ ଯାଇଥାଏ।ହାତରେ ସିଲଟ ଓ ଖଡ଼ିମୁଣ୍ଡା,ନାକରେ ଗଙ୍ଗା ଯମୁନା ଦୁଇଧାର;ଦେହରେ ଶାଗୁଆ ରଙ୍ଗ ଉପରେ ଧଳା ଗାରିଗାରିଆ ହାଓ୍ବାନି ସାର୍ଟ ଏବଂ ଖସି ପଡୁଥିବା ପେଣ୍ଟକୁ ଭିଡ଼ି ଧରିବାପାଇଁ ଅଣ୍ଟାରେ ତିନି ହାତିଆ ଖୋର୍ଦ୍ଧା ଗାମୁଛାର ଗାଣ୍ଠ୍।ଗାମୁଛାଟି ମଧ୍ୟ,ନାଶିକା ନିର୍ଗତ ଗଙ୍ଗା ଯମୁନାଙ୍କୁ ନିୟନ୍ତ୍ରଣ କରିବାପାଇଁ ଉଦ୍ଦିଷ୍ଟ ଥିଲା।

ସେତେବେଳେ ଦୁଇପ୍ରକାର ସିଲଟ’ର ବ୍ୟବହାର କରାଯାଉଥିଲା..ମାଟି ସିଲଟ ଓ ଟିଣ ସିଲଟ।ମାଟି ସିଲଟ ହାତରୁ ପଡ଼ି ଅନେକ ଥର ଫାଟିଯାଉଥିବାରୁ ଟିଣ ସିଲଟର ଚାହିଦା ବଢିଥିଲା।ମାଟି ସିଲଟ ଫାଟିଯିବାର ଅନେକ କାରଣ ଭିତରୁ ମୁଖ୍ୟ କାରଣ ଦୁଇଟି ଥିଲା.. ଚାଟଶାଳୀରେ ବସିଥିବା ମେଞ୍ଚେ ପିଲାଙ୍କ ଭିତରେ ମାରପିଟ୍ ହେଲେ ସିଲେଟ ଉପରେ କାହାର ଗୋଡ ପଡିଗଲେ ତାହା ଫାଟିଯାଏ;ଅଥବା ଟିଉସନକୁ ଗଲାବେଳେ/ଫେରିବାବେଳେ, ବୋତାମ ଛିଣ୍ଡା ପେଣ୍ଟକୁ ସମ୍ଭାଳୁ ସମ୍ଭାଳୁ ସିଲଟ ଖସିପଡ଼ି ଫାଟିଯାଏ।ସିଲଟରେ ଗୋଟିଏ ଫଟା ପଡ଼ିଲେ ଚଳିଯାଏ;ଅଧିକ ଫଟା ପଡ଼ିଲେ ନୂଆ ସିଲଟ କିଣା ହୁଏ।ସିଲଟରେ ଅ,ଆ କିମ୍ବା ପଣିକିଆ ଲେଖିବାପାଇଁ ମୁଣ୍ଡାଖଡି/ଖଡିମୁଣ୍ଡା ବ୍ୟବହାର କରାଯାଏ;ଲିଭେଇବା ପାଇଁ ପାଣିଭିଜା କନା ବ୍ୟବହାର କରାଯାଏ।ସିଲେଟରୁ ଶୀଘ୍ର ପାଣି ଶୁଖିବା ପାଇଁ ଗୀତ ବୋଲାଯାଏ…ନଈପାଣି ନଈକି ଯା’, ପୋଖରୀପାଣି ପୋଖରୀକି ଯା’/ମୋ ସିଲଟ ଶୁଖିଯା’।

ଭକ୍ତି ସହିତ ନମସ୍କାର କରିବାକୁ ‘ଅବଧାନ’ କୁହାଯାଏ। ଏହି ଅର୍ଥରୁ ଅବଧାନ ଶବ୍ଦର ସୃଷ୍ଟି।ଆମ ଅବଧାନଙ୍କ ନାଁ ଥିଲା ଭଗବାନ ସାଆନ୍ତେରା।ତାଙ୍କ ଶିକ୍ଷାଗତ ଯୋଗ୍ୟତାର ଦୌଡ କେତେଦୂର ଥିଲା ମତେ ଜଣାନାହିଁ, କିନ୍ତୁ “ଅ ଆ ରୁ ‌ହ କ୍ଷ” ପର୍ଯ୍ୟନ୍ତ ବର୍ଣ୍ଣ ଏବଂ ପଚିଶିକ ପର୍ଯ୍ୟନ୍ତ ପଣିକିଆ ସେ ପଢେଇ ପାରୁଥିଲେ।ତାଙ୍କ ଘର ଧୋବାସାହି ସାମ୍ନା ଦୁଆର ସାହିରେ ଥିଲା। ଚାଟଶାଳୀରେ କୋଡ଼ିଏ କି ପଚିଶି ପିଲା,ମାଛ ହାଟର ପରିବେଶ। ଅବଧାନେ ଘର ଭିତରକୁ ଟିକିଏ ଚାଲିଗଲେ କିଏ କାହାର ଚୁଟି ଭିଡିଦେଲାଣି ତ କିଏ କାହାର ପିଚା ଚିମୁଟି ଦେଲାଣି।କେଁ କାଁ ଭେଁ ଭାଁ ପରିବେଶ।ଅବଧାନେ ଆସିଲେ ପିନ୍ ଡ୍ରପ୍ ସାଇଲେନସ୍।

ମୋର ଖଡିଛୁଆଁ ହେବାପରେ ଖାଲି ଅ ଆ ଦୁଇଟି ବର୍ଣ୍ଣ ଘୋଷି ମନେ ରଖିବାପାଇଁ ମତେ ଦୁଇମାସ ଲାଗିଗଲା।ଚାଟଶାଳୀରେ ମୋର ପାଠପଢ଼ାର ଅବଧି ଥିଲା ଦୁଇବର୍ଷ।ତାପରେ ଥାନାପାଖ ମଡେଲ ସ୍କୁଲରେ ନାଁ ଲେଖାହେଲା। ସେଠାରେ ଚାରୋଟି କ୍ଲାସ୍ ଥାଏ… ଶିଶୁ ପ୍ରଥମ ଦ୍ବିତୀୟ ତୃତୀୟ।ମୋର ବୟସ ଟିକିଏ ବହପେଇ ଯାଇଥିବାରୁ ଦୁଇବର୍ଷ କମେଇ ନାଁ ଲେଖାଯାଇଥାଏ। ସେଠାରେ ବ୍ରାହ୍ମଣ ସାହିର ଲୋକନାଥ ମିଶ୍ର ନାମକ ଜଣେ ଶିକ୍ଷକ ଥାଆନ୍ତି।ତାଙ୍କୁ ଦୂରରୁ ଦେଖି ପିଲାଙ୍କର ଏକ ହୋଇଯାଏ।ସ୍କୁଲରେ ପହଞ୍ଚି ମତେ ଲାଗିଲା ମୁଁ ବରଗଛ ପତ୍ର ଭିତରେ ଲୁଚିଥିବା ଗୋଟିଏ ନିରିହ ହରଡଚଢ଼େଇ ଏବଂ ସେ ବନ୍ଧୁକଧାରୀ ଶିକାରୀ।ଅବଶ୍ୟ ମୋ ନନା ବୈଦ୍ୟନାଥ ଷଡଙ୍ଗୀଙ୍କ ପ୍ରତି ତାଙ୍କର ସଖ୍ୟଭାବ ଯୋଗୁଁ ତାଙ୍କ ପାଖରୁ ମୁଁ ଦଣ୍ଡ ପାଉନଥିଲି।ପିଲାଙ୍କୁ ପାଠ ନଆସିଲେ ସେ ବେତରେ ଭୀଷଣ ମାଡ଼ ଦେଉଥିଲେ।ବେଳେବେଳେ ପିଲାଙ୍କୁ ଉପରକୁ ଟେକି ତଳେ କଚାଡି ଦେଉଥିଲେ।ପିଲା ମାଡ଼ ଖାଇଲେ, ଆଜିକାଲି ଭଳି, ସେ ସମୟରେ ବାପା ମାଆ ସ୍କୁଲକୁ ଆସି ଅଭିଯୋଗ କରୁନଥିଲେ। ଓଲଟି ପିଲାକୁ କହୁଥିଲେ ଠିକ୍ ହେଇଚି,ପାଠ ପଢୁନୁ ବୋଲି ମାଡ଼ ଖାଉଚୁ, ଏଣିକି ଭଲକରି ପଢେ।

ମୋର ତୃତୀୟ ଶ୍ରେଣୀ ବର୍ଷ ମଡେଲ ସ୍କୁଲର ମରାମତି ଦର୍କାର ପଡ଼ିଲା। ତେଣୁ ଆମକୁ ଅମଲାପଡା ନିକଟସ୍ଥ,ଟେନିସ କ୍ରୋର୍ଟ ପାଖ କ୍ଳବ୍’ଘରେ ଯାଇ ପାଠ ପଢିବାକୁ ପଡ଼ିଲା। ସେଠାରେ ସ୍ଥାନ ଅଭାବରୁ,ଖରାରେ ବରଗଛ ତଳେ ବସି ପଢିବାକୁ ପଡେ।ଦିନେ ମୁଁ ନନାଙ୍କ ପାଖରେ ଅଭିଯୋଗ କଲି.. ମୁଁ ବାହାରେ ଖରାରେ ବସି ପାଠ ପଢିପାରିବି ନାହିଁ।ନନା ହାଇସ୍କୁଲ ହେଡମାଷ୍ଟରଙ୍କ ସହିତ କଣ କଥାବାର୍ତ୍ତା କଲେ କେଜାଣି,ମତେ ତା ପରଦିନ ହାଇସ୍କୁଲରେ ଚତୁର୍ଥ ଶ୍ରେଣୀରେ ନେଇ ବସେଇ ଦେଲେ। ସେଦିନ ଚତୁର୍ଥ ଶ୍ରେଣୀରେ ଚହଳ ପଡ଼ିଗଲା।ମତେ ସମସ୍ତେ ଗୋଠଛଡା ବାଛୁରୀ ଭଳି ଦେଖୁଥାନ୍ତି।ଉପସ୍ଥାନ ଖାତାରେ ମୋ ନାଁ ନଥାଏ।ରୋଲ୍ ନମ୍ବର ଡକାହେଲାବେଳେ ପ୍ରେଜେଣ୍ଟ୍ ସାର୍ କହିବାର ଆବଶ୍ୟକତା ନଥାଏ। କିନ୍ତୁ ଷଡମାସିକ ଓ ବାର୍ଷିକ ପରୀକ୍ଷା ଗୁଡ଼ିକ ମୁଁ ଦେଉଥାଏ।ଅଙ୍କ ଛଡ଼ା ସବୁ ବିଷୟରେ ମୁଁ ପାଶ୍ କରିଯାଉଥାଏ। ତେଣୁ ନାଁ ଲେଖା ନହୋଇଥିଲେ ମଧ୍ୟ ବର୍ଷକୁ ବର୍ଷ ମୁଁ ଉପର କ୍ଲାସକୁ ଡେଇଁ ଡେଇଁ ଯାଉଥାଏ।ଏହିପରି ତିନିବର୍ଷ(ଚତୁର୍ଥ ରୁ ଷଷ୍ଠ) ବିନା ନାଁ’ ଲେଖାରେ ମୋର କଟିଗଲା।ସପ୍ତମ ଶ୍ରେଣୀରେ ବାଧ୍ୟହୋଇ ନାଁ ଲେଖେଇବା ପାଇଁ ପଡିଲା;କାରଣ ସେହି ଶ୍ରେଣୀରେ ବୋର୍ଡ଼ ପରୀକ୍ଷା ଦେବାକୁ ପଡେ।ମୋର ଅନଧିକାର ଉପସ୍ଥିତିକୁ ନାପସନ୍ଦ କରୁଥିବା କିଛି ସାଙ୍ଗ ମତେ କହିଲେ..ରହ ମ ଧନ,ଏଇଠି ଅଟକି ଯିବୁ;ଅଙ୍କରେ ପାସ୍ କଲେ ସିନା ଅଷ୍ଟମକୁ ଯିବୁ।” ମୋ ଭାଗ୍ୟକୁ ସପ୍ତମ ଶ୍ରେଣୀରେ ଅଙ୍କରେ ପାସ୍ ନମ୍ବର ରହିଗଲା ଏବଂ ଅଷ୍ଟମ ଶ୍ରେଣୀକୁ ପ୍ରମୋଶନ୍ ହେଲା।

ଉଣେଇଶ ଚଉଷଠି ମସିହା କଥା।ସେତେବେଳେ ଖଣ୍ଡପଡାର ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ଚାରିପାଖ ପ୍ରାୟ ନିଛାଟିଆ ଥିଲା।ସ୍କୂଲକୁ ମୁହଁକରି ଠିଆହେଲେ, ପଛପଟେ ହରିଜନ ସାଇର ବାରିପଟେ ଥିବା ପୋଖରୀ ଓ ବିଲବାଡିର ଇଲାକା;ବାଁପଟେ ମେଘନାଦ ପାଚେରୀ ଘେରା ଜେଲ୍;ଡାହାଣପଟେ ବିସ୍ତୃତ ଖେଳ ପଡିଆ ଏବଂ ସ୍କୂଲର ପଛପଟେ ଜନମାନବ ଶୂନ୍ୟ ଅଞ୍ଚଳ। ଆଉଟିକେ ଆଗକୁ ରାଜାଙ୍କ ନାଗେନା ଫଳ ବଗିଚା।ସ୍କୂଲକୁ ଘେରି ରହିଥିବା ପାଚେରୀ ଭିତରେ ଛାତ୍ରାବାସ ଓ ଛାତ୍ରାବାସକୁ ଲାଗି ପରିଚାଳକଙ୍କ ବାସଗୃହ।ସଞ୍ଜ ହେଲେ ସେ ଅଞ୍ଚଳରେ ଖେଳିଯାଉଥିଲା ଅଖଣ୍ଡ ନୀରବତା।ମୁଁ ସେ ସମୟରେ ନବମ ଶ୍ରେଣୀର ଛାତ୍ର। ଛାତ୍ରାବାସର ପରିଚାଳକ ଥିଲେ ପ୍ରବୀଣ ଇଂରାଜୀ ଶିକ୍ଷକ, ଦିବ୍ୟସିଂହପୁର ନିବାସୀ ଲୋକନାଥ ଷଡଙ୍ଗୀ।ସେ ଥିଲେ ମୋର କୁଟୁମ୍ବ-କକେଇ।ମୋ ନନା ବୈଦ୍ୟନାଥ ଷଡଙ୍ଗୀ ସେ ସମୟରେ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ବୟୋବୃଦ୍ଧ ଶିକ୍ଷକ। ସେତେବେଳକୁ ତାଙ୍କୁ,ଛାତ୍ରଙ୍କଠାରୁ ଆରମ୍ଭ କରି ଶିକ୍ଷକ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ବୁଢା ସାର୍ ବୋଲି ଡାକିଲେଣି।ବୁଢା ସାରଙ୍କ ପୁଅ ହୋଇଥିବାରୁ ମତେ ସାଙ୍ଗସାଥିମାନେ ଥଟ୍ଟାମଜାରେ ବୁଢାପିଲା ବୋଲି ଡାକୁଥିଲେ।କ୍ଲାସର କିଛି ସାଙ୍ଗ ମତେ କକେଇ ଡାକିବା ଆରମ୍ଭ କରିଦେଇଥିଲେ। ଏହି କକେଇ ଡାକଟି ମୋର ସାଙ୍ଗ ସାରଙ୍ଗଧର ସାହୁ ଆରମ୍ଭ କରିଥିଲା।ତା ବାପା କପିଳେନ୍ଦ୍ର ସାହୁ ମୋ ନନାଙ୍କୁ ବାପାବୋଲି ଡାକୁଥିଲେ। ବାପାଙ୍କ ଭାଇ ହିସାବରେ ମୁଁ ସାରଙ୍ଗର କକେଇ ନହୋଇ ଆଉ କ’ଣ ହେବି? ସେଇଠୁ ଆରମ୍ଭ ହେଲା କକେଇ ଡାକ ଯେ କ୍ଲାସସାରା ସବୁ ସାଙ୍ଗ ମତେ କକେଇ ବୋଲି ଡାକିଲେ।ଆଜି ମୁଁ ଖଣ୍ଡପଡ଼ାରେ ଅଧେ ଲୋକଙ୍କର କକେଇ।

ହଁ, ଛାତ୍ରାବାସର ପରିଚାଳକ ଲୋକନାଥ ଷଡ଼ଙ୍ଗୀଙ୍କ କଥା କହୁକହୁ ବାଟବଣା ହୋଇ କୁଆଡେ ଚାଲିଗଲିଣି।ମୋର ସେତେବେଳେ ନବମ ଶ୍ରେଣୀ; ଦିନେ ଲୋକନାଥ ସାରଙ୍କ ପାଖକୁ, ସନ୍ଧ୍ୟା ସମୟରେ ‘ଡାଫୋଡିଲସ୍’ କବିତାଟି ବୁଝିବାପାଇଁ ଯାଇଥାଏ।ରତ ରତ ସଞ୍ଜବେଳୁ ଆସିଥିଲେ ମଧ୍ୟ ପାଠ ବୁଝା ସରୁ ସରୁ ରାତି ଆଠ।ଶୀତ ଦିନ।ଅଧରାତି ପରି ଲାଗୁଥାଏ।କୃଷ୍ଣପକ୍ଷ।ନିର୍ଜନ ରାସ୍ତାରେ କେମିତି ଫେରିବି,ଜାଣି ପାରୁନଥାଏ।ପିଲାଦିନୁ ମନରେ ଭୂତଭୟ ରକ୍ତଗତ ହୋଇ ରହିଥାଏ।କିନ୍ତୁ ମୁଁ ଥିଲି ସାମାନ୍ୟ ମୁହଁହୁରୁଡା। ସବୁବେଳେ କହୁଥିଲି “ମୁଁ ଭୂତ ଫୁତକୁ ଡରେନି।” କିନ୍ତୁ ମୋର ବେଶି ଭୟ ଥିଲା ସ୍କୁଲ୍ ସାମ୍ନାରେ,ରାସ୍ତା ଆରପାଖରେ ଥିବା ବୁଢା ନିମ୍ବ ଗଛକୁ;ତା ତଳେ ପଡିଥିଲା ଭଙ୍ଗା ମାଠିଆ,ନାଲିକନା ଗୁଡା ସିନ୍ଦୁରବୋଳା କୁଡୁଆ,ସରା ଆଉ ଘଡି।ଗଛରେ କେଉଁକାଳରୁ ପିଟା ହୋଇଥିଲା ଅଡୁଆ ବାଳ ଉପରେ ଲୁହାକଣ୍ଟା।ଲୋକେ କହୁଥିଲେ ଗୁଣିଆ ଭୂତ କିଳିଚି।’କିଛି ଦୂରରେ ,ବିଲ ଭିତରେ,ଯୋଗିଆ ହରିଜନର ବେକେଉଚ୍ଚର ସମାଧି।ଚୁନ ବୋଳା ହେଇଥିବାରୁ ଅନ୍ଧାର ଭିତରେ ବି ଧଳାବାଳ ଜଟିଆ ଭୂତ ବସିଲାପରି ଲାଗୁଥିଲା।

ମନ କଥା ଜାଣିଲାପରି ଲୋକନାଥ ସାର୍ କହିଲେ ‘କିରେ, ଘରକୁ ଫେରିବାକୁ ଡର ଲାଗିବ କି’ରେ?ହଷ୍ଟେଲରୁ ପିଲା ଦି’ଜଣ ପଠେଇବି ତୋ ସାଙ୍ଗରେ?’ ମୁଁ କହିଲି “ନାଁ କକେଇ,ମତେ କିଛି ଡର ଭୟ ନାହିଁ।ଆଜିକାଲି ପରି ସେ ସମୟରେ ରାସ୍ତାରେ ବିଜୁଳି ଆଲୁଅ ନଥିଲା।ସ୍କୂଲ ପରିସରରୁ ବାହାରି ଆସିବାପରେ ଛାତି ଧଡ ଧଡ ହେଲା।ରକ୍ତ ସଂଚାଳନର ବେଗ ବଢିଗଲା।ଛାତି ଭିତରେ ଦୁମ୍ ଦୁମ୍ ହାତୁଡି ପିଟିଲାପରି ଲାଗିଲା।କୃଷ୍ଣ ପକ୍ଷ।କିଟି କିଟି ଅନ୍ଧାର।ହାତରେ ଟର୍ଚ୍ଚ କି ଲଣ୍ଠନ୍ ନାହିଁ।ଦିଦିନ ତଳେ କୁନ୍ଦୁରା ସାଇର ଜଣକୁ ଏଇଠି ସାପ କାମୁଡିଥିଲା।ନିମ ଗଛ ପାଖରେ ପହଞ୍ଚିଲା ବେଳକୁ ମୋ ଦେହରେ ସତେ’ବା ଜୀବନ ନାହିଁ।ଗାୟତ୍ରୀ ମନ୍ତ୍ର ମନେ ପକେଇବାକୁ ଚେଷ୍ଟାକଲା।ମନେ ପଡିଲାନି, ଲାଗିଲା ପଛରେ କିଏ ଜଣେ ଆସୁଚି।ପଛକୁ ଫେରି ଚାହିଁବାର ସାହସ ନଥିଲା।ସାରଙ୍କ ପାଖରେ ସିନା ମୁହଁ ଫୁଟାଣି;ଏବେ କିନ୍ତୁ ପଛପଟ କଞ୍ଚାପାଣି।

ବାଁ ପଟକୁ ଥିବା ସ୍କୂଲ ପଡିଆକୁ ଚାହିଁଲି ।ଇଲୋ ବୋଉଲୋ,ଖାଇଲା ! ଦୂରରୁ ଗୋଟାଏ ନିଆଁହୁଳା ମାଡି ଆସିଲାପରି ଲାଗିଲା।”ଜକ” କଥା ସବୁବେଳେ ଶୁଣି ଆସିଛି।ଜକ ,ନିଆଁହୁଳା ହୋଇ ଦି’ଗୋଡ ସନ୍ଧିରେ ପଶିଗଲେ,ମୃତ୍ୟୁ ନିଶ୍ଚିତ।ସାହାସକରି ମାଡିବସିଲେ,ସୁନାମୁଣ୍ଡାରେ ପରିଣତ ହେଇଯାଏ ବୋଲି ଶୁଣିଥିଲି।ଜକକୁ ମାଡିବସିବାର ସାହସ ବା କୋଉଠୁ କାହାର ଅଛି ! ଆଗେ ପୈତୃକ ପ୍ରାଣ ବଞ୍ଚିଯାଉ।
ପୁଣି ଭାବିଲି ‘ଗୁହଚରୀ’ ନୁହେଁତ?ଶୁଣିଥିଲି କିଛି ସ୍ତ୍ରୀ’ଲୋକ ,ଲଙ୍ଗଳା ହୋଇ,ଉପରକୁ ଗୋଡଟେକି ଗୁହ ଚରୁଥାନ୍ତି।ପାଟିରୁ ନିଆଁ ବାହାରୁଥାଏ।ଯିଏ ତାଙ୍କ ହାବୁଡେ ପଡେ,ତାର ତଣ୍ଟିଚିପି ରକ୍ତ ପିଇଯାଆନ୍ତି।

ଦେହ,ମୁଣ୍ଡ ଶୀତେଇ ଉଠିଲା।”ମାଆ ଲୋ ଖାଇଲା” ବୋଲି ଚିତ୍କାର କରି ,ହାୱାଇ ଚପଲକୁ ହାତରେ ଧରି,ପ୍ରାଣବିକଳରେ ଘରକୁ ଦଉଡିଲି ।ଘରେ ପହଞ୍ଚି ବେହୋସ।ଆଠଦିନ ଜରରେ ପଡିଲି।ଘଟଣାଟି ସ୍କୁଲରେ ବିଜୁଳି ବେଗରେ ବ୍ୟାପି ଯାଇଥିଲା।
ଘଟଣାର ପରଦିନ ଲୋକନାଥ ସାର୍ ଏବଂ ଖେଳସାର୍ ଅନୁଧ୍ୟାନ କରିବାକୁ ଖେଳ ପଡିଆ ଭିତରକୁ ଗଲେ।ପଡିଆର ପୂର୍ବ କୋଣରେ ଗଦାଏ ପାଉଁଶ ଦେଖିବାକୁ ମିଳିଲା।ରାତିରେ କିଏ ନଡା ଜାଳି ନିଆଁ ପୋଉଁଥିଲା ବୋଲି ସମସ୍ତେ ଭାବିଲେ।

  1. କ୍ରମଶଃ…..
Click to rate this post!
[Total: 0 Average: 0]

Leave a Reply