Friday, February 23, 2024
Uncategorized

ଆମ ଗାଁ ଆମ ଘର (୧୭)

ଆମ ଗାଁ ଆମ ଘର
୧୭
================================
ପ୍ରକୃତି କୋଳରେ ବିତୁଥିଲା ଜୀବନ…
===================================
ଘର ଚାରିପାଖର ପ୍ରାକୃତିକ ସୌନ୍ଦର୍ଯ୍ୟ ଥିଲା ଅନୁପମ। କୁସୁମୀ ପଠା ଗଛଲତାର ସବୁଜିମା ଓ ଜୀବଜନ୍ତୁ ମାନଙ୍କର ପ୍ରାଚୁର୍ଯ୍ୟରେ ଭରିରହିଥିଲା।ରାଜୁଡା ସମୟରେ ଓଡ଼ିଶାରେ ବଣ୍ୟସମ୍ପଦ କିପରି ସୁରକ୍ଷିତ ହୋଇ ରହିଥିଲା ତତ୍କାଳୀନ ଖଣ୍ଡପଡ଼ା ଥିଲା ତାର ପ୍ରମାଣ।ରାଜୁଡା ସମୟରେ ଜଙ୍ଗଲ ଆଇନ୍ ବିଶେଷ କଡାକଡି ଥିବାରୁ ବଣ ଜଙ୍ଗଲ ବିଭିନ୍ନ ପଶୁପକ୍ଷୀ ଓ ବୃକ୍ଷଲତାରେ ପରିପୂର୍ଣ୍ଣ ହୋଇ ରହିଥିଲା। ସ୍ବାଧୀନତା ପରର ଗଡ଼ଜାତର ଲୋକମାନେ ସେହି ପ୍ରାଚୁର୍ଯ୍ୟ କିଛି ଦିନ ପାଇଁ ଉପଭୋଗ କରି ପାରିଥିଲେ।

ହରଡଚଢ଼େଇ,କୋଚିଲାଖାଇ,ହଂସ,ବତକ,ବଣକୁକୁଡା,ମୟୂର,ଗେଣ୍ଡାଳିଆ,ଚରଡ,କାବେତି,କଇଁଝରୀ,ପାଣିକୁଆ,ହଳଦୀବସନ୍ତ,କୋଇଲି,କୁଆ,କୁମ୍ଭାଟୁଆ,ଶଙ୍ଖଚିଲ,ମାଟିଆଚିଲ,ଭଦଭଦଳିଆ,ଫୁଲଚୁଇଁ,ଵଗ,କାଣ୍ଟିଆବଗ,ନାଲିଶୁଆ,ବାଲିଶୁଆ,ଶାରୀ,ମାଛ ରଙ୍କା,ବାଇଚଢେଇ,ଗୋବରା-ଚଢେଇ, ହୁଁହାଁ, ପେଚା,ଗିର୍ଦ୍ଧିନି/ଶାଗୁଣା,ବାଜ ଇତ୍ୟାଦି ପକ୍ଷୀମାନେ ଆମ ଗାଆଁର ଚତୁର୍ଦ୍ଦିଗରେ ଥିବା ବଣଜଙ୍ଗଲର ଶୋଭା ବଢାଉଥିଲେ।ସକାଳ ହେଲେ,ଘର ପାଖରେ ଥିବା ବାଲୁଙ୍କେଶ୍ୱର ମନ୍ଦିର ପାଖର ବରଗଛରୁ ପକ୍ଷୀଙ୍କ 🐦 କାକଳି ଶୁଣିଲେ ଲାଗୁଥିଲା ସତେ ଯେମିତି କିଏ ବିଭିନ୍ନ ବାଦ୍ୟଯନ୍ତ୍ର ସହିତ ବିଚିତ୍ର ବୀଣା ବାଦନ କରୁଛି।ବାଡିପଟେ ଅତି କମରେ ପାଞ୍ଚଟି ଆମ୍ବଗଛ ଥିଲା।ସୁଆଦରେ ଆମ୍ବ ଗୁଡ଼ିକ ଏକୁ ଆରେକ ବଳି।ସେ ଗଛ ଗୁଡ଼ିକର ଆମେ ଯେଉଁ ନାଁ ଦେଇଥିଲୁ ଏବେ ମଧ୍ୟ ମନେ ଅଛି; ପାଚେରୀ ପାଖକୁ ଲାଗି ଯେଉଁ ଗଛଟି ଥିଲା ତା ନାଁ ଥିଲା ଶିକାଗଛ। ଲମ୍ବାଳିଆ ଟାକୁଆ ଥାଇ ମିଠା ରସର ଆମ୍ବ ସେଥିରେ ଫଳୁଥିଲା। ସେହି ଗଛରେ ଚଢି ଘର ଭିତରକୁ ଚୋର ପଶୁଥିଲେ ବୋଲି କିଛି ଦିନ ଭିତରେ ସେ ଗଛଟି କାଟି ଦିଆଗଲା।ବାଡିପଟେ ଥିବା ଦେଢ଼ ଏକର ପରିମିତ ଜମିରେ ଥିବା ଆମ୍ବଗଛ ଗୁଡ଼ିକର ନାଁ ଥିଲା ବାଡିଗଛ,କଜଳେଇ, ସୁନ୍ଦରୀ,ଚକାଗଛ,ବୁଢାଗଛ ଇତ୍ୟାଦି।

“ଵାଡିଗଛ”ର ଆମ୍ବ ଚିନି ଭଳି ସୁଆଦିଆ;ହେଲେ ସେ ଗଛର ଡାଳ ଭାରି ମଟକା ବୋଲି ଆମେ ପରେ ଜାଣିଲୁ।ଖରାଦିନେ ତା ତଳେ ନିଗଣ୍ଡ ଛାଇ।ରବିବାରେ ବେଳେ ବେଳେ ନନା ଦଉଡିଆ ଖଟ ଖଣ୍ଡିଏ ନେଇ ଗଛ ତଳେ ପକାଇ,‌ହାତରେ ବିଞ୍ଚଣା ଖଣ୍ଡେ ଧରି ବିଞ୍ଚି ହଉ ହଉ ଶୋଇ ପଡନ୍ତି। ଦିନକର ଘଟଣା।ନନା ଦିପହରେ ଶୋଉ ଶୋଉ ଛାଇନିଦ ଲାଗି ଯାଇଥିଲା।ବୋଉ ମତେ କହିଲା..ଯା ନନାଙ୍କୁ ଡାକିଦବୁ, ରୋଷେଇ ଶେଷ ହେଲାଣି। ମୁଁ ଦଉଡିଲି ନନାଙ୍କୁ ଡାକିବାକୁ।ଡାକିବି କଣ,ପାଖରେ ପଡିଥିବା ସଉପ ମଶିଣାରେ ଶୋଉ ଶୋଉ ମତେ ବି ନିଦ ହେଇଗଲା। କିଛି ସମୟ ପରେ ବୋଉ ଆମକୁ ଉଠାଇବାରୁ ଆମେ ଘରକୁ ଆସିଲୁ।ଘରେ ପହଞ୍ଚି ନନା ହାତ ଧୋଇ ଖାଇବାକୁ ବସିଛନ୍ତି ନାଁ ନାହିଁ,ବିରାଟ ଶବ୍ଦ କରି ବାରି ଆମ୍ବଗଛର ଗୋଟିଏ ଡାଳ ଦଉଡିଆ ଖଟ ଉପରେ ଭାଙ୍ଗି ପଡ଼ିଲା।ଖଟଟି ଭାଙ୍ଗି ଚୁନା ହୋଇଗଲା।ଆମେ ସମସ୍ତେ ଛାନିଆ।କଣ ହେଇଥାନ୍ତା, ସେଠାରୁ ଆସିବାକୁ ଆଉ ପାଞ୍ଚ ମିନିଟ ଡେରି କରିଥିଲେ !! ସେଦିନ ଘରୁ ଦୁଇଟି ଶବ ମଶାଣିକୁ ଉଠିଥାନ୍ତା। ଆଶ୍ଚର୍ଯ୍ୟ,ବିନା ପବନରେ ଗଛର ଏତେବଡ଼ ଡାଳ କେମିତି ଭାଙ୍ଗି ପଡ଼ିଲା ! ଅନେକ ଲୋକ କହିଲେ ଡାଳ ଉପରେ ଡାହାଁଣୀ ବସି ପଡିଲା, ସେଥିପାଇଁ ଭାଙ୍ଗିପଡିଲା; ନ’ହେଲେ ପବନ ଫବନ କିଛି ନାହିଁ,ତୁଛାଟାରେ ଡାଳ ଭାଙ୍ଗିଗଲା କେମିତି ! ବୋଉ ଆଟିକାରେ ଆଟିକେ ପଣାପାଣି ସଜାଡି ଜାନିକୁ(ପୂଜାରୀ) ଦେଲା,ମଶାଣି ପାଖରେ ଥିବା ଓସ୍ତଗଛ ମୂଳରେ ରଖିଦେଇ ଆସିବାପାଇଁ। ତା ପରଠାରୁ ନନା ଆଉ କେବେ ଦିପହରେ ଗଛତଳେ ଶୁଅନ୍ତିନି ।
“ବାଡି ଆମ୍ବ ଗଛ”ଟି ଭାରି ଝଙ୍କାଳିଆ ଥିଲା। ଅଗଣାରେ ବସିଲେ ଗଛର ଡାଳ ଦେଖାଯାଏ। ସଞ୍ଜବେଳେ ଆମେ ପିଲାମାନେ ଅଝଟ ହେଲେ ଜେଜେମା କହୁଥିଲେ ବାଡିଗଛରେ ଡାହାଣୀ ଅଛି,ଯିଏ କାନ୍ଦିବ ତାକୁ ସେ ଡାହାଣୀ ଟେକିନବ।ଜେଜେମା’ର ଡରାଣ କାମଦିଏ।ଜେଜେମାଙ୍କ କଥା ମୋର ବେଶି ମନେ ନାହିଁ; ଝାପସା ମନେଅଛି।ସୁକାନାନୀ (ସୁକାନ୍ତି ମୋ ବଡ଼ ଭଉଣୀ)ପଚାରେ.. ଆଲୋ ମାଆ !ତୁ ମଲେ ଭୁତ ହେଇ ବାଡିପଟ ଆମ୍ବଗଛ ଡାଳରେ ବସି କଣ ଆମକୁ ଡରେଇବୁ ?” ପାକୁଆ ପାଟିରେ ହସ ଫୁଟେଇ ଜେଜୀମା କହେ ..ଆଉ ! ମୋ ପିଲାଙ୍କୁ ମୁଁ ଡରେଇବି ? ମୁଁ ଖାଲି ଡାଳରେ ବସି ଦେଖିବି,ତମେ ସବୁ କେମିତି ଖେଳୁଚ,ବୁଲୁଚ।”

“ସୁନ୍ଦରୀ ଗଛ”ର ଆମ୍ବର ରଙ୍ଗ ଦେଖିଲେ ଲାଗେ ସତେ ଯେମିତି ଆମ୍ବ ଗୁଡ଼ିକ ଉପରେ କିଏ ସିନ୍ଦୂର ବୋଳି ଦେଇଛି।କଞ୍ଚା ଥିଲାବେଳେ ଆମ୍ବ ଆମ୍ବିଳା ଲାଗେ କିନ୍ତୁ ପାଚିଲେ ଭାରି ସୁଆଦିଆ।”ଚକା” ଆମ୍ବଗଛରେ ଦୁଇ କିସମର ଆମ୍ବ ଫଳେ। ଗୋଟିଏ ପଟରେ ଫଳୁଥିବା ଆମ୍ବ ଛୋଟ, ମିଠା ଓ ଚେପେଟା ଆକାରର; ଆର ପାଖରେ ଗୋଅଲିଆ ମଧ୍ୟମ ଆକାରର ଆମ୍ବିଳା ଆମ୍ବ ଫଳେ। ଗୋଟିଏ ପଟର ଆମ୍ବରେ ଖଟା ଓ ଆଚାର କରାଯାଏ,ଅନ୍ୟପଟେ ଆମ୍ବ ପାଚିଲେ ଖିଆଯାଇଥାଏ।ବାଡି ଗଛମାନଙ୍କରେ ଏତେ ଆମ୍ବ ଫଳେ ଯେ ମନଭରି ଖାଇବା ସଙ୍ଗେ ସଙ୍ଗେ ସାଇପଡିଶା,ବନ୍ଧୁବାନ୍ଧବରେ ବଣ୍ଟା ଯାଏ।

ସେ ସମୟରେ ମାଙ୍କଡ ମାନଙ୍କର ପ୍ରାଦୁର୍ଭାବ ନଥିଲା।ବଣ ଜଙ୍ଗଲରେ ସେମାନଙ୍କ ପାଇଁ ପ୍ରଚୁର ଖାଦ୍ୟ ଥିଲା;ମାଙ୍କଡ ଜଙ୍ଗଲ ଛାଡ଼ି ଗାଁ ଭିତରକୁ ଆସୁନଥିଲେ।ଏବେ ଠିକ୍ ଓଲଟା।ଏବେ ଗାଁ ଛାଡି ସେମାନେ ଜଙ୍ଗଲକୁ ଯାଉ ନାହାଁନ୍ତି।ଏବେ ଗାଁରେ ଆମ ବାଡିରେ ଆଠଟି କଲମୀ ଆମ୍ବଗଛ ଅଛି, କିନ୍ତୁ ଗୋଟିଏ ବି ଆମ୍ବ ଆମ ପାଟିରେ ବାଜୁ ନାହିଁ।ସବୁ ବଜରଙ୍ଗ୍’ବଲ୍ଲୀଙ୍କର ପିଲାକବିଲା, ସାଙ୍ଗସାଥୀ ଉଦରସ୍ତ କରୁଛନ୍ତିି। ସେମାନଙ୍କର କଣ ବା ଦୋଷ ! ସେମାନଙ୍କ ଜଙ୍ଗଲ ତ ଆମେ ଉଜାଡିଲେ, ସେମାନେ ଖାଇବେ କଣ,ରହିବେ କୋଉଠି ?

ବିଭିନ୍ନ ପ୍ରକାରର ଚଢେଇଙ୍କ କଥା ଉପରେ ଉଲ୍ଲେଖ କରିଛି;ସେ ସମୟରେ ଏକ ପ୍ରକାର ଚଢ଼େଇ ରାତି ଅଧରେ ପିଲାକାନ୍ଦିବା ଭଳି ସ୍ବର କରି ବୋବାନ୍ତି ।ଭୟରେ ଦେହ ଶୀତେଇ ଉଠେ। ହୁଁ ହାଁ ଚଢ଼େଇ ତ ମଣିଷ କଣ୍ଠ ନକଲ କରି ରାତିରେ ଡାକେ ହୁଁ ଉଁ ଉଁ… ହାଁ ଆଁ ଆଁ..ସେ ଶବ୍ଦ ଶୁଣି ପିଳେହି ପାଣି।

ସେ ସମୟରେ ଆମେ ଦେଖିଥିବା ଚଢ଼େଇ ମାନଙ୍କ ମଧ୍ୟରୁ ଅନେକ ଲୋପ ପାଇଗଲେଣି; ବାକି କିଛି ବିଲୁପ୍ତ ହେବା ଅବସ୍ଥାରେ। ସେମାନଙ୍କ ଘର ତ ମଣିଷ ଭାଙ୍ଗିଦେଲା; ଖାଦ୍ୟରେ ନିଜେ ବିଷ ଖାଇ ସେମାନଙ୍କୁ ମଧ୍ୟ ଦେଲା.. କେମିତି ବା ବଞ୍ଚିଥାନ୍ତେ ସେମାନେ ! ଚାଳଘର ଭାଙ୍ଗିଦେଇ ଘରଚଟିଆ ଖୋଜିଲେ ମିଳିବ କୋଉଠି !!
ପିଆଶାଳ,ଅଶନ,କୁସୁମ,ଆମ୍ବ,ଜାମୁ,ବର, ଓସ୍ତ, ନାନାପ୍ରକାର ଗୁଳ୍ମ ଓ ବେତନଟୀରେ କୁସୁମୀ ନଦୀ କୂଳର ଜଙ୍ଗଲ ପରିପୂର୍ଣ୍ଣ ହୋଇ ରହିଥିଲା।ଜଙ୍ଗଲ ମାନଙ୍କରେ କଲରାପତରିଆ ବାଘ,ଭାଲୁ, ହେଟାବାଘ, ଗାଡଭାଲୁ,ହରିଣ ସମ୍ବର, କୁଟରା, ବାର୍ହା, ଗୟଳ, ଗୁରାଣ୍ଡି ,ଖରିଆ, ବଜ୍ରକାପ୍ତା, ବାଲି-ହରିଣ, ଝିଙ୍କ,ମାଙ୍କଡ🐒,ବଣ-କୁକୁର,ବଣଭୂଆ,ଗୋଧି,ନେଉଳ, ନେପାଳୀ ମୂଷା, ଧଳା ମୂଷା, ଅଜଗର, ଅହିରାଜ, ବିଭିନ୍ନ ପ୍ରଜାତିର ସାପ ଇତ୍ୟାଦି ପଶୁ ଓ ସରୀସୃପ ମାନେ ରହିଥିଲେ।ନେପାଳୀ ମୂଷାମାନେ ଗୋଟିଏ ଗଛ ଡାଳରୁ ଅନ୍ୟଗଛ ଡାଳକୁ ଡେଇଁବା ଦୃଶ୍ୟ,ଏବେ ପଞ୍ଚଷଠି ବର୍ଷପରେ ବି ଆଖି ଆଗରେ ଭାସି ଯାଉଛି।ଏବେ ଆଉ ସେ ଜଙ୍ଗଲ ନାହିଁ କି ସେ ପଶୁପକ୍ଷୀ ନାହାଁନ୍ତି।

ସ୍ବାଧୀନତା ପରେ ଜଙ୍ଗଲ ଆଇନ୍ ବଳବତ୍ତର ଥିଲେ ମଧ୍ୟ କଡ଼ାକଡ଼ି ନଥିଲା।ବେଳେ ବେଳେ ଶିକାରୀମାନେ ହରିଣ,କୁଟ୍ରା ଇତ୍ୟାଦି ଜାଲରେ ପକାଇ ହେଉ କିମ୍ବା ବନ୍ଧୁକରେ ହେଉ ମାରୁଥିଲେ।କୋଚିଲାଖାଇ ଚଢେଇ ଓ ହରଡ ଚଢ଼େଇ ମାରିବାପାଇଁ ଅନେକ ସମୟରେ ଶିକାରୀ ଆମ ଘରପାଖ ବରଗଛ ମୂଳକୁ ଆସନ୍ତି। ରଘୁନାଥ ସିଂହ ନାମକ ଜଣେ ବ୍ୟକ୍ତି ଛର୍ରା ବନ୍ଧୁକ ଧରି ଚଢ଼େଇ ଶିକାର କରିବାକୁ ଆସନ୍ତି। ସେତେବେଳେ ମତେ ଛଅ ବା ସାତ ବର୍ଷ। ତାଙ୍କ ବରାଦ ଅନୁସାରେ ମୁଁ ଛିଣ୍ଡା କନା ବା ତୁଳା ଘରୁ ନେଇ ତାଙ୍କୁ ଦିଏ। ତାହା ସେ ବନ୍ଧୁକରେ କିପରି ବ୍ୟବହାର କରନ୍ତି ଜାଣେନା, କିନ୍ତୁ ଥରେ ଛର୍ରା ବନ୍ଧୁକ ମାରି ସେ ତିନି ଚାରୋଟି ଚଢେଇ ମାରନ୍ତି। ନିରିହ ଚଢ଼େଇ ଗୁଡ଼ିକର ରକ୍ତାକ୍ତ ଦେହ, ଗଛରୁ ତଳେ ପଡ଼ିବାର ଦେଖି ମତେ କାନ୍ଦ ଲାଗୁଥିଲା।ପରେ ଅନେକଥର ସେହି ଶିକାରୀଙ୍କୁ ଦେଖି ମୁଁ ଘରେ ଲୁଚୁବାରେ ଲାଗିଲି। ବାଲୁଙ୍କେଶ୍ୱରଙ୍କୁ ପ୍ରାର୍ଥନା କରୁଥିଲି…ହେ ପ୍ରଭୁ ! ପରଜନ୍ମରେ ମତେ ଚଢ଼େଇ କରିବ ନାହିଁ।”

ବେଳେ ବେଳେ ମହାନଦୀ କୂଳରେ ଥିବା ସାତକୋଶିଆ ଜଙ୍କଲରୁ ମହାବଳବାଘ,ହାତୀ ଇତ୍ୟାଦି କୁସୁମୀ କୂଳରେ ଥିବା ଜଙ୍ଗଲକୁ ଚାଲି ଆସନ୍ତି।ରାତିରେ ବାଘ ହେଣ୍ଟାଳ ଶୁଣାଯାଏ।ଭୟରେ କେହି କୁସୁମୀ କୂଳ ମାଡନ୍ତି ନାହିଁ।ବାଘ,ଗୋଠରୁ ଗାଈ/ବାଛୁରୀ ଭିଡ଼ିନେଇ ନଈପଠାରେ ଥିବା ଘଞ୍ଚ ଜଙ୍ଗଲକୁ ଚାଲିଯାଏ।ସେ ସମୟରେ ଆମେ କହୁ..ବାଘ ମଢ ପକେଇଛି।ବାଘ ବେଶି ଦିନ ମଢ(ମଲାଜନ୍ତୁ) ପାଖରେ ରହେ ନାହିଁ।ଦୁଇ ଚାରିଦିନ ପରେ ସାତ କୋଶିଆ ବା ଚନ୍ଦକା ଜଙ୍ଗଲକୁ ଚାଲିଯାଏ।

ଭାଲୁମାନଙ୍କ ପ୍ରାଦୁର୍ଭାବ ଅତି କଷ୍ଟ ଦାୟକ ଥିଲା।ନଈକୂଳରେ ଥିବା ଆଖୁ କିଆରୀରେ ବେଳେ ବେଳେ ଭାଲୁ ଲୁଚିରହି ଚାଷୀକୁ ଆକ୍ରମଣ କରୁଥିଲେ।ଭାଲୁ ରାମ୍ପୁଡା ଠାରୁ କଷ୍ଟଦାୟକ ଯନ୍ତ୍ରଣା ଆଉ କିଛି ନାହିଁ।ଆଖୁ ବିଲରେ ଭାଲୁ ରାମ୍ପୁଡାର ଶିକାର ହୋଇଥିବା ଗୋଟିଏ ଚାଷୀକୁ ଦେଖିବାର ଦୁର୍ଭାଗ୍ୟ ଅଧୀନର ଜୀବନରେ ଘଟିଛି।ଭାଲୁ, ଲୋକଟିକୁ ଏମିତି ରାମ୍ପୁଡିଥିଲା ଯେ ତା’ର ଅନ୍ତ ବୁଜୁଳା ବାହାରିପଡିଥିଲା ଏବଂ ଗୋଟିଏ ଆଖି ତାଡି ହୋଇ ଯାଇଥିଲା; ତଥାପି ଡାକ୍ତରଖାନା ଯିବା ପର୍ଯ୍ୟନ୍ତ ଲୋକଟି ବଞ୍ଚିଥିଲା। ଗୋଟିଏ ହାତରେ, ବାହାରି ପଡୁଥିବା ଅନ୍ତବୁଜୁଳାକୁ ସମ୍ଭାଳି ଥିଲା;ଆର ହାତଟି ଆଖି ଉପରେ ରଖିଥିଲା।

ବିଶ୍ବପ୍ରସିଦ୍ଧ ଥିଲା ଆମ ଗାଁର ଆମ୍ବ।ଦେଶର ବିଭିନ୍ନ ସ୍ଥାନରୁ ଅତି ସୁମିଷ୍ଟ,ରସାଳ,ଭିନ୍ନ ଭିନ୍ନ ବାସ୍ନା ଯୁକ୍ତ ଆମ୍ବର ଚାରା ଅଣାଇ ରାଜା କୁଞ୍ଜବିହାରୀ ସିଂହ ଏବଂ ନଟବର ସିଂହ ବିଶାଳ ଆମ୍ବତୋଟାମାନ ସୃଷ୍ଟି କରିଥିଲେ। “ନନ୍ଦନ ବନ” ନାମରେ ପ୍ରସିଦ୍ଧ ଆମ୍ବ ବଗିଚାଟିଏ ଥିଲା ରାଜାଙ୍କର। ସେଥିରେ ୧୮୦୦୦ ଆମ୍ବ ଏବଂ ପଣସ ଗଛ ରୋପଣ କରାଯାଇଥିଲା।”ନନ୍ଦନବନ”ବାସ୍ତବରେ ସ୍ବର୍ଗର ନନ୍ଦନକାନନର ଶୋଭାଶ୍ରୀ ଧାରଣ କରିଥିଲା।ରାଜବାଟୀକୁ ଲାଗି ଜଗନ୍ନାଥ ମନ୍ଦିର;ରାଜା ନିଜେ ଶ୍ରୀଜୀଉଙ୍କ ପରମ ଭକ୍ତ। ରାଜୁଡା ସମୟରେ ଜ୍ୟେଷ୍ଠ ମାସରେ ଦୁଇ ବା ତିନି ଥର ଏକ ଲକ୍ଷ ସୁମିଷ୍ଟ ପାଚିଲା ଆମ୍ବ ଜଗନ୍ନାଥଙ୍କ ନିକଟରେ ଅମୃତ ମଣୋହି କରାଯାଉଥିଲା।

“ନନ୍ଦନବନ” ବ୍ୟତୀତ କୌତୁକ ବନ, ମେଘମାଳ,ଇନ୍ଦ୍ରବନ ଇତ୍ୟାଦି ବହୁତ ଆମ୍ବ ବଗିଚା ଏହି ଖଣ୍ଡପଡ଼ାର ବିଭିନ୍ନ ସ୍ଥାନରେ ରହିଥିଲା।ମିଠା ଏବଂ ସ୍ୱାଦକୁ ନେଇ କି ସୁନ୍ଦର ନାମ ଦିଆଯାଇଥିଲା ଆମ୍ବଗୁଡିକର !! ଚ୍ୟୁତସାର,ଅମୃତ-ରସାବଳୀ, ରାଧା-ସୁନ୍ଦରୀ, କୃଷ୍ଣ ବଲ୍ଲଭ, ଜଗନ୍ନାଥ ବଲ୍ଲଭ, ଗୋପୀନାଥ ବଲ୍ଲଭ, ଅମୃତ ପାଣି,ଛେନାପଣା,ଗଜଦନ୍ତ, କୃଷ୍ଣତୁଳସୀ,କୁମୁଦା ସୁନ୍ଦରୀ,କର୍ପୁରକେଳୀ,ବିଲମରିଚିଆ,ଭେଲେଇ,ବାସୁମାଣୁଆ,
ତୋଟା ସୁନ୍ଦରୀ ଇତ୍ୟାଦି ନାମ ଦିଆଯାଇଥିଲା ଆମ୍ବଗୁଡ଼ିକର। ରକ୍ଷଣାବେକ୍ଷଣ ଅଭାବରୁ ଏବେ ଅଧିକାଂଶ ଗଛ ଲୋପ ପାଇ ଗଲେଣି।ରଘୁପତି ନାହାଁନ୍ତି କି ଉତ୍ତରକୋଶଳ ନାହିଁ । ନାଁହାନ୍ତି ମଧ୍ୟ ଯଦୁପତି ! ନାହିଁ ମଥୁରା କଟକ !! ବିଗତ ପଚାଶ ବର୍ଷ ଭିତରେ ସମୟର ଚକ ୩୬୦ ଡିଗ୍ରୀ ଘୂରି ଯାଇଛି।

କ୍ରମଶଃ….

Click to rate this post!
[Total: 0 Average: 0]

Leave a Reply