Wednesday, February 28, 2024
Uncategorized

ଅବିନାଶ ବାଣୀ (୧)

ଅବିନାଶ ବାଣୀ
(୧)
ଯଦୁନାଥ ମୋର ଲଙ୍ଗୁଟିଆ ସାଙ୍ଗ।ଦିନେ ଜହ୍ନ-ପକ୍ଷ ରାତିରେ ବାହାରିଲୁ ଷଡଙ୍ଗୀ ତଇଲା(ବଗିଚା)ଆଡେ। ଉଦ୍ଦେଶ୍ୟ ଖରିଆ ଶିକାର କରିବା। ଠେକୁଆକୁ ଆମଆଡେ ଖରିଆ କହନ୍ତି।ଷଡ଼ଙ୍ଗୀ ଭାଇନାଙ୍କ ତଇଲାରେ ଗାଈଙ୍କ ପାଇଁ କଅଁଳିଆ ଘାସ ଚାଷ ହେଇଚି।ରାତି ଅଧ ହେଲେ ପାଖ ଟୁବୁରୀ ମୁଣ୍ଡିଆରୁ ଖରିଆ ଘାସ ଖୁଣ୍ଟିବାକୁ ଗଡିବେ।ଯଦୁଆକୁ ଭଲ ଫାଶ ବସେଇ ଆସେ।ସରୁ ତାରରେ ଏମିତି ଫାଶ ତିଆରି କରିଥିବ ଯେ ଖରିଆ ସେଥିରେ ପଡ଼ିଲେ ଆଉ ଖସିବାର ଉପାୟ ନାହିଁ। ଶିକାର କରୁ କରୁ ଧରାପଡିଲେ ଜେଲ୍ ଦଣ୍ଡ।ତେଣୁ ଏଭଳି ଗୋପନ-ଯାତ୍ରାର ଟେର୍ କେହି ଯେପରି ପାଇବେ ନାହିଁ ସେଥିପାଇଁ ଯତ୍ପରୋନାସ୍ତି ଚେଷ୍ଟା କରାଯାଇଥାଏ।

କିନ୍ତୁ ଅବିନ(ଅବିନାଶ) ଭାଇଙ୍କ ଆଖିକୁ ଠକି ହେଲାନାହିଁ।ଉଡନ୍ତା ଚଢେଇର ପର ଗଣିଦବା ଲୋକ ସିଏ।ଦେଖୁ ଦେଖୁ କହିଲେ—କିରେ ଯଦୁଆ-ପଦିଆ, କୁଆଡେ ଅନ୍ଧାରୀ ବିଜେ କିରେ?ଦାରୁଗା’କୁ ଫୋନ କରିବି ?ଚକି ପେଶିବ ଏଇନେ କିଛି ବର୍ଷ।ହଅ, ମାମୁଁ ଘରେ ତ ଖାଇପିଇ ରହିବ,କ୍ଷତି କ’ଣ?

ଅବିନ ଭାଇନାଙ୍କୁ ଆମର ଭାରି ଡର। ଗାଁର ମୁରବୀ ସ୍ଥାନୀୟ ଲୋକ,ଜଙ୍ଗଲ ସଂରକ୍ଷଣ କମିଟିର ମୁଖିଆ । ଦାନ୍ତ ନେଫେଡି କହିଲୁ “ନାଇଁ ମ ଭାଇନା,ଏମିତି ଟିକେ ବୁଲି ଯାଉଚୁ ନାଁ।”
ତାପରେ ଭାଇନା ଶୁଣେଇଲେ ତାଙ୍କର ଅବିନାଶ ବାଣୀ।
କହିଲେ:—–
“ପ୍ରକୃତି ନିୟମ ମାନନ୍ତି,ଜୀବ-ଜନ୍ତୁ ସକଳ,
ବିନା କାରଣରେ ନୁହନ୍ତି କେହି କାହାର କାଳ।
ଉଦରରେ ଭୋଖ ନଥିଲେ,ବାଘ ମାରେନି ଯନ୍ତୁ,
ଚଢେଇ ଝିଣ୍ଟିକା ମାରଇ,ଭୋଖ ଲାଗିବା ହେତୁ।”

ଭାଇନାଙ୍କ ବାଣୀ ଶୁଣିବା ପରେ ମୁଁ କହିଲି “ଭାଇନା,କଥାରେ ତ ଅଛି ନା,ଜୀବ ମାରିଣ ମାଂସ ଖାଇ,ସେ ପ୍ରାଣୀ ବୈକୁଣ୍ଠେ ବସଇ।
ଭାଇନା ବେହଦ୍ ହସିଲେ।କହିଲେ–ଆରେ ମୂର୍ଖ,ସେ ଜୀବ ଏ ଜୀବ ନୁହେଁ;ସେ ଜୀବର ଅର୍ଥ ହେଉଛି “ବାସନା”।ଅନ୍ତର ଭିତରୁ ‘କାମନା’ ଓ ‘ବାସନା’କୁ ଯେ ମାରିପାରିବ,ସେ ମର୍ତ୍ତ୍ୟ-ବୈକୁଣ୍ଠ ଅର୍ଥାତ୍ ଅଖଣ୍ଡ ମାନସିକ ଶାନ୍ତି ପାଇବ।

ଡରି ଡରି କହିଲି—ପ୍ରକୃତିର ତ ନିୟମ—ଯୋର ଯାର ମୁଲକ ତାର।( “survival of the fittest.)ଜଙ୍ଗଲର ଏହି ନିୟମ ତ ସବୁ ପ୍ରାଣୀ ପାଳନ କରିଥାନ୍ତି।ଆମେ ସେ ନିୟମ ପାଳନ କଲେ କ୍ଷତି କ’ଣ?

ଅବିନାଶ ଭାଇନା କହିଲେ,ଏ ନିୟମ ମଣିଷ ଦ୍ଵାରା ଗଢା। ଜୀବଜନ୍ତୁ ତ ସେମାନଙ୍କର ପ୍ରାକୃତିକ ଇଚ୍ଛା ଦ୍ଵାରା (instinct)ପରିଚାଳିତ। ଆବଶ୍ୟକତା ଅନୁସାରେ ସେମାନଙ୍କର ପ୍ରାକୃତିକ ଇଚ୍ଛା କାମ କରିଥାଏ।ଋତୁ ଆସିଲେ ସେମାନେ ମୈଥୁନ କରନ୍ତି,ଭୋଖ ହେଲେ ଖାଦ୍ୟ ଖାଆନ୍ତି। ମଣିଷ ତ ଯେବେ ଇଚ୍ଛା ହେଲା ମୈଥୁନ କଲା,ଭୋଜନ ଉପରେ ଭୋଜନ କଲା। ଶ୍ରେଷ୍ଠ ଜୀବ ଭାବରେ ମଣିଷ ନିଜର ବୁଦ୍ଧି ଦ୍ୱାରା ପରିଚାଳିତ ହେବା ଉଚିତ୍।ନହେଲେ ମଣିଷ ଆଉ ପଶୁ ଭିତରେ ଫରକ ରହିଲା କୋଉଠି ? ନିଜର ଜିହ୍ୱା ଲାଳସା ମେଣ୍ଟାଇବାନିମନ୍ତେ ମଣିଷ କଣ “ଯୋର ଯାର ମୂଳକ ତାର” ନୀତି ଆପଣେଇବା ଉଚିତ୍?”
ଅବିନ ଭାଇନା ପୁଣି ପଦଟିଏ ଗାଇଲେ:—

“ଜୀବ ଜନ୍ତୁ ପାଇଁ ବଣ ସୁନ୍ଦର,
ଜିହ୍ୱା ଲାଳସାରେ ତାଙ୍କୁ ନମାର। ”

ଏହି ଆଲୋଚନା ଚାଲୁ ଚାଲୁ ଗାଁର କିଛି ଲୋକ ସେଠାରେ ପହଁଚିଗଲେ। ଅବୀନ ଭାଇନଙ୍କ ମଣ୍ଡପ ଆଲୋଚନା ଚକ୍ରରେ ପରିଣତ ହୋଇଗଲା।ଆମେ ଆମର ଶିକାର ଆଶାକୁ ସେଇଠି ସମାପ୍ତ କରି ଆଲୋଚନାରେ ବସିପଡିଲୁ। ଯଦୁ କହିଲା “ଆମେ ସିନା ନୀତିବାଦୀ ହୋଇ ଜୀବହିଂସା କଥା କହୁଚେ,ଅନେକ ଲୋକ ତ ଜୀବ ହତ୍ୟା କରୁନାହାନ୍ତି କିନ୍ତୁ ମାଛ ମାଂସ ଖାଉଛନ୍ତି।ସେମାନେ କଣ ହିଂସ୍ର ଭାବରେ ଗଣାହେବେ?

ଭାଇନା କହିଲେ ସେମାନେ ପରୋକ୍ଷରେ ଜୀବ ହିଂସାକୁ ପ୍ରଶୟ ଦେଉଛନ୍ତି।
“ନକର ପଛେ ନିଜେ ହିଂସା,
ରଖିବ ଯେବେ ମାଂସେ ଆଶା,
ପରୋକ୍ଷରେ ସେ ଜୀବ ହିଂସା।”

ଯଦୁନାଥ କହିଲା ” ହିଂସା ନାଗିବ ବୋଲି କଣ ମାଛ ମାଉଁସ ଟିକେ ଖାଇବାନି ? ଡାକ୍ତର ପରା କହୁଚି ମାଉଁସରେ ପ୍ରୋଟିନ ଅଛି,ଖାଇଲେ ଦିହରେ ବଳ ହବ,ଆଉ ତମେ ଆପଣେ ଇମିତି କଣ କହୁଚ ?
ଅବିନାଶ ଭାଇନା ଆଉ ପଦଟିଏ ଶୁଣେଇଲେ:—-

“ବାଘ ଖାଏ ନାହିଁ ଘାସ,
ଗାଈ ଖାଏ ନାହିଁ ମାଂସ,
ଯେଉଁ ଜୀବ ଘାସ, ମାଂସ ଚରୁଥାଏ,
ନାଆଁଟି ତା’ର ମଣିଷ।”

ଆରେ, ଶାକାହାରୀ ଖାଦ୍ୟରେ ସବୁ ପ୍ରକାର ଖାଦ୍ୟପ୍ରାଣ ଅଛି।ଡାଲି ଜାତୀୟ ଖାଦ୍ୟରେ ଢେର୍ ସାରା ପ୍ରୋଟିନ ଅଛି। ଶାକାହାରୀ ଖାଦ୍ୟ ଦେହ ପାଇଁ ଭଲ। ମଣିଷର ଦାନ୍ତ ଗଢଣରୁ ଜଣାଯାଏ ଯେ ,ଗାଈ ଏବଂ ହରିଣ ଭଳି, ଶାକାହାରୀ ପ୍ରାଣୀ ଭାବରେ ତା’ର ଜନ୍ମ।କୁକୁର,ବିରାଡ଼ି,ବିଲୁଆ,ବାଘ ଇତ୍ୟାଦି ମାଁସାହାରୀ ପ୍ରାଣୀ ମାନଙ୍କର ଯେଉଁ ଭଳି ତୀକ୍ଷ୍ମ (କାନାଇନ୍) ଦାନ୍ତ ଥାଏ,ମଣିଷର ସେଭଳି ନଥାଏ।ତେଣୁ ଶରୀର ଗଠଣ ହିସାବରେ ମଣିଷ ଶାକାହାରୀ ପ୍ରାଣୀ।

ଗାଁ ଭାଇଙ୍କ ଭିତରୁ ଜଣେ କହିଲା:—ତମେ କହୁଚ ସିନା ଅବିନାଶ ଭାଇନା, ଜୀବଜନ୍ତୁ ମାରିବାନି ବୋଲି,କେତେ କ୍ଷତି କରୁଛନ୍ତି ସେମାନେ ! ଫସଲ ରଖେଇ ଦଉସୁନ୍ତି ?
ଅବିନ ଭାଇନା ଆଉ ପଦଟିଏ ଗାଇଲେ:——

“ମାଙ୍କଡ ଖାଇଲେ କାଙ୍କଡ଼ କଷି,
ହାତୀ ଖାଇଗଲେ ଧାନ,
ଆମେ ତ ତାଙ୍କର ବାସ ଉଜାଡିଲେ,
ଖାଇବେ ସେମାନେ କଣ ?”

ଆମେ ସମସ୍ତେ ସେଥିପାଇଁ ଦାୟୀ।

“ଜଙ୍ଗଲ କରିଲେ ସଫା,
ପ୍ରକୃତି ର ଭାରସାମ୍ୟ ବିଗିଡିବ,
ପ୍ରକୃତି ହୋଇବ ଖପ୍ପା।”

ଅବିନାଶ ଭାଇନା ,ଜଙ୍ଗଲର ଜୀବଜନ୍ତୁଙ୍କୁ ନେଇ ତାଙ୍କ ଗୁରୁବାଣୀ ଶୁଣେଇ ଚାଲିଥାନ୍ତି,ଆମେ ଆଁ କରି ଶୁଣୁଥାଉଁ।

“ଜୀବ ଜନ୍ତୁ ମାନେ ନୁହନ୍ତି ଜଂଗଲୀ
ମଣିଷଙ୍କ ଠାରୁ ବଳି,
ମଣିଷ ପିନ୍ଧଇ ଭଦ୍ରଲୋକ ମୁଖା,
ସାରୁ ମଧ୍ୟେ ମାରୁ ଭଳି।”

“ହଜିଗଲେ ଥରେ ଜଙ୍ଗଲ ଭିତରେ
ମିଳଇ ପରମ ଶାନ୍ତି,
ନିସର୍ଗ,ନିରୋଳା ସବୁଜ ସୌନ୍ଦର୍ଯ୍ୟ
ଆଣେ ଅସରନ୍ତି ତୃପ୍ତି।”

“ଜଙ୍ଗଲ ଆମର ମାଆ,
ଏନ୍ତୁଡ଼ିଶାଳ ଟି ସେହି,
ତାକୁ ନଷ୍ଟ କଲେ ମାତୃହତ୍ୟା ଦୋଷ,
ଲାଗିବ ଜୀବନେ ଭାଇ।”

ଭାଇନା ଶେଷରେ ଯେଉଁ ଅବିନାଶ-ବାଣୀଟି ଶୁଣେଇଲେ, ତାକୁ ଶୁଣିବାପରେ ଆମେ ଶିକାର କଥା ଭୁଲିଗଲୁ।ସେ ବାଣୀଟି ଥିଲା:——

“ଶିକ୍ଷା ମିଳିଥାଏ ଜଙ୍ଗଲ ଭିତରେ
ଦେଖିଲେ ଜୀବଙ୍କ ଖେଳ,
ଦୟା,କ୍ଷମା, ସୌନ୍ଦର୍ଯ୍ୟର ଗନ୍ତାଘର,
ଏହି ପ୍ରକୃତିର କୋଳ,
ସୃଷ୍ଟି ଭାରସାମ୍ୟ ପାଇଁ,
ଜଙ୍ଗଲ ଜୀବନ ଆବଶ୍ୟକ ଭାଇ,
ନଷ୍ଟ ତାକୁ କର ନାହିଁ।”

ଏହା ପରଠାରୁ ଜଙ୍ଗଲ ସଂରକ୍ଷଣ କମିଟିରେ ଯେ ଆମେ ଦୁହେଁ ଖାଲି ମିଶିଗଲୁ ତାହା ନୁହେଁ,ଦିନ ରାତି ଆମର ନଜର ରହିଲା କିଏ କେବେ ଟୁବୁରୀ ଜଙ୍ଗଲ ନଷ୍ଟ କରୁନିତ;ଜୀବଜନ୍ତୁ ମାରୁନାହିଁ ତ…..

Click to rate this post!
[Total: 0 Average: 0]

Leave a Reply