ବଡ଼ ସାଙ୍ଗ ମୋର ଜଗୁନିଆ
- ପଲ୍ଲୀଗୀତ 22
————
ବଡ ସାଙ୍ଗ ମୋର ଜଗୁନିଆଁ,
ପିଲାଦିନୁ ଦୋସ୍ତି ଲଙ୍ଗୁଟିଆ,
କାନ୍ଦି କାନ୍ଦି ଦିନେ କହିଲା”ମୋ ବୁଢୀ
ପେଟ ରୋଗେ ହେଲା ଆଲିଜିଆ।”
କହିଲି “ପରୱା କରନା ତୁ,
ଡାକତର ମୋର ପୁଅ ଜୀତୁ,
କଟକରେ ତାର ବଡ କିଳିନିକି
ବୁଢୀକି ସେଠିକି ନେଇଯା ତୁ।”
କଥାମାନି ମୋର ସାଙ୍ଗ ଗଲା,
ଆଠ ଦିନଯାଏ ନଫେରିଲା,
ନଅ ଦିନଠି ସେ ଫୁନୁରେ ଯାହା
ବଖାଣିଲା ହଂସା ଉଡିଗଲା।
କହିଲା “ମୋ ଅଣ୍ଟା ଭାଙ୍ଗିଲାଣି
କୋଡିଏ ହଜାର ଗଣିଲିଣି,
ଫଟଉଠା,ଗୁହ,ମୂତ,ଶିଙ୍ଘାଣିର
ପରୀକ୍ଷା ନିରୀକ୍ଷା ସରିଲାଣି।
ତଥାପି ରୋଗଟା ଜାଣିବାକୁ,
ବଡ କଷ୍ଟ ହୁଏ ତୋ ପୁଅକୁ,
ପାଞ୍ଚ ହଜାରେ ସେ ମାଗୁଚେଇଁ
ଛେନା ଗୁଡ କି ପରୀକ୍ଷା କରିବାକୁ।
ଗରୀବ ନୋକ ମୁଁ ଯିବିମରି
ସକାଳୁ ଗାଁ’କୁ ଯିବି ଫେରି,
ବିଲଖଣ୍ଡେ ଯାହା ବିକିଥେଲି ଭାଇ
ସବୁ ପଇସା ମୋ ଗଲା ସରି।”
ପୁଅକୁ ଫୁନୁ ନଗେଇଲି,
“ଏ କିକଲୁ ଜୀତୁ?”ପଚାରିଲି।
“ଜଗୁନୀ କକାକୁ ନଣ୍ଡା କରିବାକୁ
ତତେ କଣ ମୁଁ କହିଥେଲି?”
ନେଉଟାଣି ପୁଅ କହିଲା ଯା
କାନମୁଣ୍ଡା ହେଲା ଭାଁ ଭାଁ
“ପାଠ ପଢାରେ ଯା ଖରଚ ହେଇଚି
କେମିତି ପାଇବି କହ ବାଆ?”
ଫେରି ଆସିଲା ସେ ଜଗୁନିଆଁ
କରି କିଛି ଟୁଣୁ କୁଟୁଣିଆଁ,
ବୁଢୀ ପେଟରୋଗ ଭଲକଲା ସିନା
ନଧରିଲା ଡାକତର ନାଆଁ।