Thursday, June 13, 2024
Palli Kabita

କୁଷୁନିଆ ପାଇଁ ଗୁରୁବାଣୀ…… ପଲ୍ଲୀ କବିତା

  • ପଲ୍ଲୀଗୀତ 21
    ————-
    (କୁଷୁନିଆ ପାଇଁ ଗୁରୁବାଣୀ)
    ————————————–
    ବାଟିଏ ତୋ ଚାଷ,ତୁ ନିତି ଉପାସ,
    କ’ଣ ମିଳୁଚି ବେଟା?
    ‘ବାବା’ଟିଏ ଯେବେ ହେବୁ ବାପଧନ
    ଦି’ଦିନେ ପିଟିବୁ କୋଠା।

କୁଷୁନିଆଁ ନାଁ ଛାଡି ‘କୃଷ୍ଣ ବାବା’
ନାମ ତୁହି ବୋଲାଇବୁ,
ମୁହଁରେ ତୁ ରାମ ନାମ ଗାଉଥିବୁ
ଅଣ୍ଟିରେ ଛୁରୀ ଖୋସିବୁ।

ରଖି ଲମ୍ବା ଦାଢି ପ୍ରବଚନ ଝାଡି
ଦେହରେ ପାଉଁଶ ବୋଳି,
ଜବର ଦଖଲ କରି ପାଞ୍ଚ ବାଟୀ
ମଠଟିଏ ଦବୁ ତୋଳି।

ମାତାଜୀ ନାମରେ ସେ ମଠଭିତରେ
ରଖିବୁ ଦଶଟି ଗୋରୀ,
ବେଙ୍କ ବାଲାଂସ ବଢିଯିବ ବେଟା
ଶ୍ରାବଣର ନଈପରି।

ମେଜିକି ଶିଖିବୁ,ହାତରୁ ବିଭୂତି,
ଲଡୁ ଆଦି ଝରୁଥିବ,
ନିର୍ବାଚନ ବେଳେ ନେତାଙ୍କ ମୁଣ୍ଡରେ
ସେ ବିଭୂତି ଝଡୁଥବ।

ମନ୍ତିରୀ ସନ୍ତିରୀ କନ୍ଟ୍ରାକ୍ଟରଗିରୀ
ଧନ୍ଦାଥିବ ଯାହାଙ୍କର,
ଭୁଲେଇ ଭୁତେଇ ସତ ମିଛ କହି
ଅଣ୍ଟି ଝାଡିବୁ ତାଙ୍କର।

ଆଣ୍ଠୁଆ ବାବା ତୁ ହବୁ କୁଷୁନିଆଁ
ଗୋପୀ ଖିରପାନେ ମାତି,
ଗମ୍ଭୀରା ଭିତରେ ରାସଲୀଳା ତୋର
ଲାଗିଥିବ ସବୁ ରାତି।

ରଖି ଧଳା ଦାଢି,ଚଇତନ ଭିଡି
ନାଚୁଥିବୁ ଟିଙ୍ଗି ଟିଙ୍ଗି,
ବେକରେ ତୋ ମଲ୍ଲୀମାଳ ଝୁଲୁଥିବ
ପିନ୍ଧିଥିବୁ ଧଳା ଲୁଙ୍ଗୀ ।

ପୁଅ ଝିଅ ପାଇଁ, ଆସୁଥିବେ ଧାଇଁ
ଯେତେ ସବୁ ବାଂଝ ନାରୀ,
ଇଚ୍ଛାପୂର୍ଣ୍ଣ  ପାଇଁ ,ଗମ୍ଭୀରାକୁ ନେଇ
କରିବୁ କନ୍ଦର୍ପଗିରୀ।

ଏତେ ସୁଖ ଯେବେ ଅଛି ଏ ଧନ୍ଦାରେ
କାହିଁକି ଏକୁ ଛାଡିବୁ?
ଚାଷବାସ କରି କାଦୁଅ ପଙ୍କରେ
କିଆଁ ନଟପଟ ହବୁ?

Click to rate this post!
[Total: 0 Average: 0]

Leave a Reply