Wednesday, February 21, 2024
Palli Kabita

ପଲ୍ଲୀ କବିତା (ସେକାଳ ପଖାଳ…..)

  • ପଲ୍ଲୀଗୀତ 20
    ———-
    ସେକାଳ ପଖାଳ ନାହିଁ ଲୋ ବଉଳ
    ସବୁ ବଦଳି ଗଲାଣି,
    ଅଛି ସେଇ ଗାଁ,ନଈ,ବଣ ବୁଦା,
    ନାହିଁ ସେ ପବନ ପାଣି।

ନାଲି ଚାଉଳର ଦହି ପଖାଳକୁ
ମନ ହେଉଥିଲା ରଙ୍କ,
ତା ଦେହରେ ନେମ୍ବୁ ପତର ମକଚା
ଦିଆ ହୋଇଥାଏ ଛୁଙ୍କ।

କଖାରୁ ବଡିର ମୁଶୁ ମୁଶୁ ଭଜା
ମୁଗ-ସଜନା ଖରତା,
ଝୁମ୍ପୁଲୀ ଫୁଲର ଜୀରାବଟା ପିଠଉରେ
ଭଜା ଗୋଲ୍ ବଡା।

ରସାଳ ସଜନାଛୁଇଁ ଭଜା ପୁଣି
କଞ୍ଚାଆମ୍ବ-ଲୁଣ ପାଗ,
ତୋରାଣିରେ ରନ୍ଧା ଦଣ୍ଡେଇ ସାଙ୍ଗକୁ
ପଟାଳି କୋଶଳା ସାଗ।

ମୁଗଦିଆ ନେଉଟିଆ ସାଗ ପୁଣି
ବିଲ ଚୁଙ୍ଗୁଡି ବେସର,
ଜୀରାବଟାଦିଆ ବାଉଁଶ କରଡି-
ଭଜା ସୁଆଦ ଅପାର।

ବାଲିଛତୁ ସଙ୍ଗେ କଖାରୁ ଫୁଲର
ଚାଉଳ-ପିଠଉ ଭଜା
ଟିକି ଟିକି ହୁଙ୍କାଛତୁର ସନ୍ତୁଳା-
ସହିତେ ପଖାଳ ମଜା।

ମୁକ୍ତକେଶୀ ବାଇଗଣ ସଙ୍ଗେ ମିଶି
ରସାଳ ବାରି ଝୁଡଙ୍ଗ,
କଷି କଖାରୁର ସୁଖିଲା ସନ୍ତୁଳା
ଭୁଲିହେବ କି ଲୋ ସାଙ୍ଗ?

ଖାତିଆରୁ ଧରା ମାଗୁର ଝୋଳକୁ
ଗୁଆଘିଅ ଦିଆ ଅନ୍ନ,
ଟୁସି କଲରାର ସୋରା ସୋରା ଭଜା
ମୋହି ନେଉଥିଲା ମନ।

ସୋରିଷ ସାଗର ଚକା ବଡା ଆଉ
ମୁଗପକା ଆଳୁସାଗ,
ବାଜିଥିଲେ ଥରେ ପାଟିରେ ସୁଆଦ
ରହିଥିବ ଯୁଗ ଯୁଗ।

କଦଳି ଭଣ୍ଡାର ଭଜା, ମଂଜାରାଇ
ତୋଡିମୁଣ୍ଡ ତରକାରୀ,
ଯିଏ ଖାଇଛନ୍ତି ଗାଁରେ ଆଜି ସେ
ସହରେ ହୁଅନ୍ତି ଝୁରି।

ମନକୁ ଆସୁଚି ଆଜିଲୋ ବଉଳ,
କାହିଁ ଗାଁ ସମସରି?
ଘୋରା ମଣ୍ଡାପିଠା,ପୁରିଆ କାକେରା
ବୋଉହାତ ତରକାରୀ ।

ନଡିଆ ପୁରର କାକରା ସାଙ୍ଗକୁ
ବସାଦହି ହେଲେ ଯୋଗ,
ବଡ ସୁଆଦିଆ ,ଜଗନ୍ନାଥଙ୍କର
ମନ୍ଦିରରେ ହୋଏ ଭୋଗ।

ଆଜି ଏଇଠେଇଁ ଥାଉଲୋ ବଉଳ
ପଡିଚି କେତେ ପାଇଟି,
ଘରକାମ ଟିକେ ସରିଯାଉ ପୁଣି
ଲଗେଇବା ଆମ ଖଟି।

Click to rate this post!
[Total: 0 Average: 0]

Leave a Reply