Thursday, June 13, 2024
Stories

ସାମନ୍ତ ସ୍ମରଣେ(୧)

ସାମନ୍ତ ସ୍ମରଣେ(୧)
(ସାମନ୍ତ ଚନ୍ଦ୍ରଶେଖରଙ୍କ ଜୀବନୀ ଉପରେ ଆଧାରିତ )

ପ୍ରାକ୍ କଥନ
===============================
ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର,ସର୍ବସାଧାରଣରେ ପଠାଣି ସାମନ୍ତ ନାମରେ ପରିଚିତ।ସେ ୧୮୩୫ ମସିହା ଡିସେମ୍ବର ୧୩ ତାରିଖରେ,ତତ୍କାଳୀନ ଖଣ୍ଡପଡା ଗଡଜାତରେ, ରାଜବଂଶରେ ଜନ୍ମ ଗ୍ରହଣ କରିଥିଲେ।ରାଜମୁକୁଟରୁ ବଞ୍ଚିତ ଏହି ରାଜପୁତ୍ର, ଜାଜ୍ଜ୍ୱଲ୍ୟମାନ ଜ୍ୟୋତିର୍ବିଜ୍ଞାନ ମୁକୁଟ ବିମଣ୍ଡିତ ହୋଇ ବିଶ୍ଵଦରବାରରେ ଓଡିଆର ବିଦ୍ମତା,ଅସ୍ମିତା ଓ ସଂସ୍କୃତିର ପ୍ରତୀକ ଥିଲେ। କବିବର ରାଧାନାଥଙ୍କ ଉକ୍ତିରେ,ଉତ୍କଳର ସେହି ଯୋଗ୍ୟତମ ସନ୍ତାନଙ୍କ ଯୋଗୁଁ ଆମେ ସମସ୍ତେ ପବିତ୍ର ହେଲୁ।ଓଡିଆ ଭାଷା ଓ ଜାତିର ଅସ୍ତିତ୍ଵ ଉପରେ ଯେତେବେଳେ ପ୍ରଶ୍ନଚିହ୍ନ ଲାଗିଥିଲା,ସେ ସମୟରେ ସାମନ୍ତକୃତ ସିଦ୍ଧାନ୍ତ ଦର୍ପଣ ଆମକୁ ସମ୍ମାନ ଜନକ ପରିଚୟ ପ୍ରଦାନ କରିଥିଲା।ସେଥିପାଇଁ ପଠାଣି ସାମନ୍ତଙ୍କ କଥା ପଡିଲେ, ସ୍ୱତଃ ମନେପଡେ କବିବର ରାଧାନାଥଙ୍କ କାଳଜୟୀ ବାଣୀ “ସିଦ୍ଧାନ୍ତ ଦର୍ପଣ ହେବନାହିଁ ଲୟ,ନରଦେହେ ଥିବ ଯାବତ ହୃଦୟ।’

ପାଶ୍ଚାତ୍ୟ ବୈଜ୍ଞାନିକ ମାନଙ୍କର “ସୌର କୈନ୍ଦ୍ରିକ” ତଥ୍ୟକୁ ସମର୍ଥନ ନକରି, ସାମନ୍ତ ପୃଥିବୀ କୈନ୍ଦ୍ରିକ ତଥ୍ୟ ସପକ୍ଷରେ ଯେଉଁ ଯୁକ୍ତି ବାଢିଥିଲେ, ତାକୁ ଆଧୁନିକ ବିଜ୍ଞାନ ଗ୍ରହଣ ନକଲେ ମଧ୍ୟ, ତାହା କୌଣସି ପ୍ରକାରେ ତାଙ୍କର ମହାକାଶ ଗବେଷଣାର ଫଳାଫଳକୁ ନ୍ୟୁନ କରେନାହିଁ ,କାରଣ ସାମନ୍ତଙ୍କ ଗବେଷଣାର ମୂଳବସ୍ତୁ ପୃଥିବୀର ଗତି ସମ୍ବନ୍ଧରେ ନଥିଲା।ତାହା ଥିଲା,ଗ୍ରହ ନକ୍ଷତ୍ର ମାନଙ୍କର ଗତି ଏବଂ ସ୍ଥିତ ନିର୍ଭୁଲ ଭାବେ ସ୍ଥିର କରି ତିଥି,ଦିନ ଦଣ୍ଡ  ଇତ୍ୟାଦି ସଠିକ ଗଣନା କରିବା।

ଗ୍ରହ ନକ୍ଷତ୍ର ମାନଙ୍କ ଗତି ଓ ସ୍ଥିତିର ଦୃକସିଦ୍ଧ ସିଦ୍ଧାନ୍ତ ସ୍ଥିର କରିବା ଅବସରରେ ସେ ଏପରି ଧାରଣାରେ ଉପନୀତ ହୋଇଥିଲେ ଯେ ପୃଥିବୀ ସ୍ଥିର ଏବଂ ସୂର୍ଯ୍ୟ ଅନ୍ୟ ଗ୍ରହମାନଙ୍କ ସହିତ ତା ଚାରି ପଖରେ ଘୂର୍ଣ୍ଣୟମାନ। ତେବେ ଦୃକସିଦ୍ଧ ସିଦ୍ଧାନ୍ତ କଣ?ପ୍ରାଚୀନ କାଳରେ ଆର୍ଯ୍ୟ ମୁନି,ଋଷି ଏବଂ ଜ୍ୟେତିର୍ବିଦ ମନିଷୀଗଣ ନିଜର ଗଣନା ଅନୁଯାୟୀ ବିଭିନ୍ନ ଗ୍ରହ,ନକ୍ଷତ୍ର , ସୂର୍ଯ୍ୟ,ଚନ୍ଦ୍ରଙ୍କର ଗତି ଏବଂ ସ୍ଥିତି ନିରୂପଣ କରି ଯାଇଛନ୍ତି।
ପିତାଙ୍କଠାରୁ ଫଳିତ ଜ୍ୟୋତିଷରେ ସମ୍ୟକ ଜ୍ଞାନ ଆହରଣ କରିଥିବା ଚନ୍ଦ୍ରଶେଖର, ପିଲାବେଳୁ ଗଣନାକରି ଜାଣି ପାରିଲେ ଯେ ସ୍ବଚକ୍ଷୁରେ ଗ୍ରହ,ନକ୍ଷତ୍ରଙ୍କ ଗତିଓ ସ୍ଥିତି ଅନୁଶୀଳନ କରି ଯେଉଁ ଦୃକସିଦ୍ଧ ସିଦ୍ଧାନ୍ତ ମିଳୁଛି, ତାହା ପୂର୍ବରୁ ଜ୍ୟୋତିର୍ବିଦ ମାନଙ୍କ ଦ୍ୱାରା ହୋଇଥିବା ଗଣନାଠାରୁ ପୃଥକ।ଫଳରେ ପୂରାତନ ପଞ୍ଜିକାରେ ଥିବା ଦିନ,ଦଣ୍ଡ,ଲିତା ଆଦିରେ ପ୍ରଭେଦ ତଥା ଭୁଲ୍ ଦେଖାଯାଉଛି।ଫଳତଃ ପାଜ୍ଞି ଉପରେ ନିର୍ଭର କରୁଥିବା ହିନ୍ଦୁସମାଜର ବିବାହ,ବ୍ରତ,ତଥା ଅନ୍ୟାନ୍ୟ ପର୍ବ ପର୍ବାଣି ପାଳନରେ ଘୋର ବିଭ୍ରିଟ ପରିଲକ୍ଷିତ ହେଉଛି।ତେଣୁ ସାମନ୍ତ ଚନ୍ଦ୍ରଶେଖର ଘୋର ଅଧ୍ୟବସାୟ କରି,ରାତି,ରାତି ଅନିଦ୍ରାରହି, ଦୁଇଖଣ୍ଡି ବାଉଁଶ କାଠି ସାହାଯ୍ୟରେ ସମସ୍ତ ଗ୍ରହ,ତାରା ମାନଙ୍କର ଗତି ଓ ସ୍ଥିତି ନିରୂପଣ କରି ଦୃକ୍ ସିଦ୍ଧ ସିଦ୍ଧାନ୍ତ ଅନୁଯାୟୀ ଦିନ,ଦଣ୍ଡ,ଲିତା ଆଦି ପୁନଃନୀର୍ଣ୍ଣୟ କରିଥିଲେ।

ସେଥିପାଇଁ ତାଙ୍କପାଖରେ କୌଣସି ଯନ୍ତ୍ରପାତି ନଥିଲା।ଦୂର ବୀକ୍ଷଣ ଯନ୍ତ୍ରଟିଏ ମଧ୍ୟ ନଥିଲା।ସାମନ୍ତ ଚନ୍ଦ୍ରଶେଖରଙ୍କର ଏହି ନିର୍ଭୁଲ ଗଣନାର ଫଳ ସ୍ବରୂପ ଆଗାମୀ ଦଶ ହଜାର ବର୍ଷପାଇଁ ବିଶୁଦ୍ଧ ପଞ୍ଜିକା ଗଣନା କରାଯାଇ ପାରିବ।ଏବେ ପ୍ରତି ଓଡିଆର ପ୍ରାଣକେନ୍ଦ୍ର ପ୍ରଭୁ ଜଗନ୍ନାଥଙ୍କର ସମସ୍ତ ନୀତି ନିୟମ ସାମନ୍ତଙ୍କର ଗଣନା ଅନୁଯାୟୀ ପ୍ରସ୍ତୁତ ପଞ୍ଜିକା ଦ୍ବାରା ନିରୂପିତ କରାଯାଉଛି।

ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥରେ ସାମନ୍ତ ଚନ୍ଦ୍ର ଶେଖର ,ଗ୍ରହ ନକ୍ଷତ୍ର ମାନଙ୍କ ର ଗତି ଓ ସ୍ଥିତି ର ଦୃକସିଦ୍ଧ ସିଦ୍ଧାନ୍ତ ପ୍ରତିପାଦିତ କରିବା ସଙ୍ଗେ ସଙ୍ଗେ ପୃଥିବୀ ଚାରିପାଖରେ ସୂର୍ଯ୍ୟଙ୍କ ଘୂର୍ଣ୍ଣନକୁ ନେଇ ମଧ୍ୟ ଅକାଟ୍ୟ ଯୁକ୍ତି ପରିବେଷଣ କରିଛନ୍ତି।
ସିଦ୍ଧାନ୍ତ ଦର୍ପଣ ଜ୍ୟୋତିର୍ବିଜ୍ଞାନର ଏକ ଶ୍ରେଷ୍ଠ ଗ୍ରନ୍ଥ ହେବା ସଙ୍ଗେ ସଙ୍ଗେ ସଂସ୍କୃତ ସାହିତ୍ୟର ଏକ ଅମୂଲ୍ୟ ମଣି ମଧ୍ୟ।
ଏ ଗ୍ରନ୍ଥରେ ସାମନ୍ତଙ୍କର ସଂସ୍କୃତ ସାହିତ୍ୟରେ ଅଗାଧ ପାଣ୍ଡିତ୍ୟର ପ୍ରତିଫଳନ ଦେଖିବାକୁ ମିଳେ।

ଏହି ପୁଣ୍ୟଶ୍ଳୋକ ମହାତ୍ମାଙ୍କର ଜୀବନରେ ଘଟିଥିବା ଅନେକ ଜଣା ଅଜଣା ଘଟଣା ଲୋକସ୍ମୃତି ଅନ୍ତରାଳରେ ରହିଯାଇଛି।ସେ ସମସ୍ତ ଜନମାନସ ସମକ୍ଷରେ ଉପସ୍ଥାପନ କରିବା ଏହି ଧାରାବାହିକର ଲକ୍ଷ।

କ୍ରମଶଃ———

Click to rate this post!
[Total: 1 Average: 5]

Leave a Reply