Friday, April 12, 2024
Stories

ସାମନ୍ତ ସ୍ମରଣେ (୮)

ସାମନ୍ତ ସ୍ମରଣେ
…………୮……….
ସାଧନାର କଣ୍ଟକିତ ପଥ
………………………….
ଷୋଡଶ ଶତାବ୍ଦିରେ ୟୁରୋପରେ ଟିକୋ ବ୍ରାହେ(Tycho Brahe)ନାମକ ଜଣେ ସମ୍ଭ୍ରାନ୍ତବଂଶୀୟ ଜ୍ୟୋତିର୍ବିଜ୍ଞାନୀ ଦୃକ୍ ସିଦ୍ଧ ସିଦ୍ଧାନ୍ତକୁ ଭିତ୍ତିକରି ନିଜର ଗବେଷଣା ଚଳାଇଥିଲେ।ସୌରଜଗତ ସମମ୍ବନ୍ଧରେ ଟିକୋ ଏବଂ ସାମନ୍ତଙ୍କ ମତ ଏକ ଥିଲା। ଟିକୋଙ୍କର ଗବେଷଣାର ପଥରେ ରାଜଅନୁଗ୍ରହର ପୁଷ୍ପବୃଷ୍ଟି ହେଉଥିଲା।ମାତ୍ର ଆମ୍ଭ ଭାରତୀୟ ଟିକୋ ଚନ୍ଦ୍ରଶେଖରଙ୍କ ସାଧନାପଥରେ ରାଜନିଗ୍ରହର ଅନୁଭବଥିଲା।
ଚନ୍ଦ୍ରଶେଖରଙ୍କ ପିତା ଶ୍ୟାମବନ୍ଧୁ ଖଣ୍ଡପଡା ଗଡଜାତର ସପ୍ତମ
ବଘେଲ୍ ବଂଶୀ ରାଜା ନୃସିଂହ ଭ୍ରମରବରଙ୍କର ପଞ୍ଚମ ପୁତ୍ର ଥିଲେ।ଜ୍ୟୋଷ୍ଠପୁତ୍ର ରାଜଗାଦୀରେ ବସିବାପରେ ଅନ୍ୟ ରାଜପୁତ୍ର ମାନଙ୍କର ଭାଗ୍ୟବିଡମ୍ବନା ସହଜରେ ଅନୁମେୟ।ରାଜବାଟୀରୁ ବିତାଡିତହୋଇ ଭାଈ ସାଆନ୍ତ ଭାବେ ସେମାନେ ଜାଗିରୀଭୋଗକରି ପରିବାର ପୋଷଣ କରନ୍ତି ।ରାଜ୍ୟ ଶାସନ କରୁଥିବା ରାଜାଙ୍କର ଯେବେ ଅକାଳ ମୃତ୍ୟୁହୁଏ ଅଥବା ସେ ଯେବେ ଅପୁତ୍ରିକହୋଇ ସ୍ବର୍ଗାରୋହଣ କରନ୍ତି ତାହେଲେ ସେମାନଙ୍କମଧ୍ୟରୁ କେହି କେହି ଗାଦିସୀନ ହେବାର ସୁଯୋଗ ପାଆନ୍ତି।ଗାଦିସୀନ ରାଜା ଓ ଅନ୍ୟ ଭାଇ ମାନଙ୍କ ମଧ୍ୟରେ ପାରିବାରିକ ସମ୍ପର୍କ ରହିଥିଲେମଧ୍ୟ ଅନ୍ତର୍ନିହିତ ଇର୍ଷା ରହିବା ସ୍ବାଭାବିକ୍ କାରଣ ଗୋଟିଏ ମା ପେଟରୁ ଜନ୍ମହୋଇଥିଲେମଧ୍ୟ ଜଣେ ରାଜାହୋଇ ଅମାପ ପ୍ରଭୁତ୍ବ ଏବଂ ଐଶ୍ବର୍ଯ୍ୟ ଭୋଗକଲାବେଳେ ଅନ୍ୟଭାଇମାନେ ରାଜଅନୁଗ୍ରହରେ ବିଷଦନ୍ତହୀନ ସର୍ପପରି ପଡିରହିବାକୁ ବାଧ୍ୟ।ଭାଇସାଆନ୍ତ ଭାବେ ସେମାନେ ପ୍ରଜାଙ୍କର ଅତୁଟ ସମ୍ମାନ ପାଇଲେମଧ୍ୟ ଏକ ଆହତ ଅଭିମାନ ସେମାନଙ୍କୁ ସର୍ବଦା ଯାବୁଡି ଧରିଥାଏ।
ଗାଦିସୀନ ରାଜା ମଧ୍ୟ ରାଜଅନୁଗୃହିଆଙ୍କ କାନକୁହାରେ ବିଶ୍ବାସକରି ଭାଇସାଆନ୍ତ ପରବାରର ପ୍ରସିଦ୍ଧିରେ ବେଳେ ବେଳେ ଈର୍ଷାନ୍ବୀତ ହୋଇପଡନ୍ତି।
ସାମନ୍ତ ଚନ୍ଦ୍ରଶେଖରଙ୍କକ୍ଷେତ୍ରରେ ଏପରି କିଛି ହୋଇଥିଲା।ସେ ସମୟରେ ସାମନ୍ତଙ୍କ ପୁତୁରା ନଟବର ସିଂହ ଗାଦିସୀନ ଥିଲେ।ସେ ଜଣେ ଉତ୍ତମ ରାଜାଥିଲେ ମଧ୍ୟ କାନକୁହା ରାଜଅନୁଗୃହିଆଙ୍କ ପ୍ରରୋଚନାରେ ଚନ୍ଦ୍ରଶେଖରଙ୍କ ପାଣ୍ଡିତ୍ୟ ଓ କ୍ଷାତିରେ ଈର୍ଷାନ୍ବୀତ ଥିଲେ।
ସେହିପରି ଦଶମ ରାଜା କୁଞ୍ଜବିହାରୀ ସିଂହଙ୍କ ସହିତ ଚନ୍ଦ୍ରଶେଖରଙ୍କ ପିତା ଶ୍ୟାମବନ୍ଧୁଙ୍କର ସାମୟିକ ମନୋମାଳିନ୍ୟ ଘଟୁଥିଲା।
ଏଭଳି ମନୋମାଳିନ୍ୟଯୋଗୁଁ ଥରେ ଶ୍ୟାମବନ୍ଧୁ କୁଞ୍ଜବିହାରୀ ସିଂହଙ୍କ ମୁଖଦର୍ଶନ ନକରିବାର ପ୍ରତିଜ୍ଞା ନେଇଥିଲେ।ନିଜ ଘରଆଗରେ ରାଜବାଟି ଦିଗକୁ ଗୋଟିଏ ବାଉଁଶ ବାରଣଖୁଣ୍ଟି ଭାବରେ ପୋତାହେଲା।ତାହାଥିଲା ପଶ୍ଚିମଦିଗ।ଘରୁବାହାରିଲାବେଳେ ଶ୍ୟାମବନ୍ଧୁ ପଶ୍ଚିମ ଦିଗକୁ ଚାହୁଁନଥିଲେ।
ତିଗିରିଆର ତତ୍କାଳିନ ରାଜା ଏସମ୍ବାଦପାଇ ଶିବିକା ପଠାଇ ଶ୍ୟାମବନ୍ଧୁ ଓ ଚନ୍ଦ୍ରଶେଖରଙ୍କୁ ତିଗିରିଆ ରାଜପ୍ରାସାଦକୁ
କିଛିଦିନପାଇଁ ନେଇ ଆତିଥ୍ୟ ପ୍ରଦାନ କରିଥିଲେ।ସେଠାରେ ଚନ୍ଦ୍ରଶେଖର ପ୍ରାୟ ନଅ ମାସ ରହିଯାଇଥିଲେ।ତାହା ଜ୍ଞାନପିପାଶୁ ଚନ୍ଦ୍ରଶେଖରଙ୍କପାଇଁ ବରଦାନ ସଦୃଶ ହୋଇଥିଲା।ସେତେବେଳେ ତିଗିରିଆରେ ଭୁବନେଶ୍ବର ବଡପଣ୍ଡା ନାମକ ଜଣେ ବିଚକ୍ଷଣ ପଣ୍ଡିତ ଥିଲେ।ଚନ୍ଦ୍ରଶେଖର ତାଙ୍କନିକଟରୁ ବିଦ୍ବନ୍ମୋଦ ତରଙ୍ଗିଣୀ,ତର୍କ ସଂଗ୍ରହ ଓ ଷଡଦର୍ଶନ ପ୍ରଭୃତି ଶିକ୍ଷାକରିଥିଲେ।
କ୍ରମଶଃ…….

Click to rate this post!
[Total: 0 Average: 0]

Leave a Reply