Wednesday, February 28, 2024
Stories

ସାମନ୍ତ ସ୍ମରଣେ (୭)

ସାମନ୍ତ ସ୍ମରଣେ
…………୭………
ଦୀପମ୍ ନାନ୍ୟଦୀପମ୍ ଜ୍ଞାନଦୀପମ୍
…………………………………….
ଜଣେ ସ୍ଥିତପ୍ରଜ୍ଞ ବ୍ୟକ୍ତି ପାଇଁ “ଅସମ୍ଭବ” ବୋଲି କିଛି ଶବ୍ଦ ନଥାଏ। ନହେଲେ ଖଣ୍ଡିଏ ବାଉଁଶ ବାଡି ସାହାଯ୍ୟରେ, ଉଇନ୍ ଷ୍ଟନ ଚର୍ଚିଲ୍ ଙ୍କ ଦ୍ୱାରା ତାଛଲ୍ୟଭାବେ ନାମିତ ଜଣେ ନଗ୍ନ-ଫକୀର, ପ୍ରବଳ ପରାକ୍ରାନ୍ତ ଗୋରା ସରକାରଙ୍କୁ ଦରିଆ ପାରି କରି ପାରିଥାଆନ୍ତା ନା ରାଜଶକ୍ତିର ତାଛଲ୍ୟ ସତ୍ବେ ଜଣେ ଦୃକ୍ ସିଦ୍ଧାନ୍ତବାଦୀ ଜ୍ୟୋତିର୍ବିଦ ଦୁଇଖଣ୍ଡି ବାଉଁଶ କାଠି ସାହାଯ୍ୟରେ ସମଗ୍ର ଆକାଶ ମଣ୍ଡଳର ତାରା ଗଣି ପାରି ଥାନ୍ତା?
ସାମନ୍ତ ଚନ୍ଦ୍ରଶେଖର ନାମକ ଏହି ଜାଜ୍ଜ୍ୱଲ୍ୟମାନ  ଜ୍ଞାନ ଦୀପକୁ କେତେକ ବ୍ୟକ୍ତିବିଶେଷ ଉପଯୁକ୍ତ ସମ୍ମାନ ଦେଇନଥାନ୍ତି।ସେମାନଙ୍କ ମତରେ ସାମନ୍ତ ଚନ୍ଦ୍ରଶେଖର; ମହାବିଦ୍ୟାଳୟ ବା ବିଶ୍ବବିଦ୍ୟାଳୟ ଶିକ୍ଷା ନପାଇ ମଧ୍ୟ ପ୍ରକ୍ଷାତ ଜ୍ୟୋତିର୍ବିଦ ହୋଇ ପାରିଥିଲେ।
ଦୁଇ,ଚାରିପଦ ଇଁରାଜୀ ଶିଖିବାକୁ ଯେବେ ଏମାନେ ଜ୍ଞାନ ନାମରେ ନାମିତ କରନ୍ତି,ତାହେଲେ ତାହା ଜ୍ଞାନର ଅପଳାପ ମାତ୍ର।ସେହି ତଥାକଥିତ ଇଁରାଜୀରେ ଜ୍ଞାନ ଅର୍ଜନ କରିବାପାଇଁ ଖଣ୍ଡପଡାରେ ସେ ସମୟରେ ଇଁରାଜୀ ବିଦ୍ୟାଳୟଟିଏ ମଧ୍ୟ ନଥିଲା।ସଂସ୍କୃତ ଶିକ୍ଷା ଥିଲା ଉଚ୍ଚ ଶିକ୍ଷାର ମାନଦଣ୍ଡ।ଇଁରାଜୀ ଭାଷାପ୍ରେମୀ ବଂଧୁମାନଙ୍କୁ ଗୋଟିଏ ପ୍ରଶ୍ନ…….ଇଁରାଜୀରେ ପାଠ ନପଢି ମଧ୍ୟ ଆଜି ଚୀନ୍,ଜାପାନ୍,କୋରିଆ,ଫ୍ରାନ୍ସ ଇତ୍ୟାଦି ଦେଶ କିପରି ଏତେ ଉନ୍ନତ?
ସେ ସବୁ ଛାଡି ଆସନ୍ତୁ ସାମନ୍ତଙ୍କ ଜ୍ଞାନ ଦର୍ପଣକୁ ଟିକିଏ ଅବଲୋକନ କରିବା।ସେ ସମୟରେ ତାଳପତ୍ର ପୋଥିରେ, ଓଡିଆ ଭାଷାରେ କାବ୍ୟ,କବିତା ସବୁ ଲିଖିତ ହୋଇ ରହୁଥିଲା।ତେଣୁ ଓଡିଆ ଲିପି ବ୍ୟତୀତ ଅନ୍ୟ ଲିପି ଲେଖିବା ବା ପଢିବାର ଆବଶ୍ୟକତା ଚନ୍ଦ୍ରଶେଖରଙ୍କ ପାଇଁ ନଥିଲା।
ଘରେ ଅନେକ କାବ୍ୟ କବିତା ଲିଖିତହୋଇଥିବା ତାଳପତ୍ର ପୋଥିଗୁଡିକ ଜୀର୍ଣ୍ଣ ହୋଇ ପଡିବାରୁ ଚନ୍ଦ୍ରଶେଖର ସେଗୁଡିକୁ ଲେଖନୀରେ ଅତି ସୁନ୍ଦର ଅକ୍ଷରରେ ନୂତନ ତାଳପତ୍ରପୋଥିରେ ଉତାରି ଦେଉଥିଲେ।ତାଙ୍କର ସ୍ମରଣ ଶକ୍ତି ଏତେ ଉଚ୍ଚ ଥିଲା ଯେ ସେଗୁଡିକ ପଢି ଉତାରୁ ଉତାରୁ ସେଥିରୁ ଅଧିକାଂଶ ତାଙ୍କର ମନେ ରହି ଯାଉଥିଲା।ମଜାକଥା ହେଲା,ଚନ୍ଦ୍ରଶେଖର କାଗଜ,କଲମ ଆଦୌ ବ୍ୟବହାର କରୁନଥିଲେ।କାରଣ ତାଙ୍କର ଧାରଣା ଥିଲା ଯେ ନାନା ପ୍ରକାର ଅମେଧ୍ୟ ପଦାର୍ଥ ମିଶି କାଗଜର ସୃଷ୍ଟି ହୋଇଛି।
ଶ୍ରୀହର୍ଷଙ୍କ ରଚିତ ନୈଷଧ କାବ୍ୟରେ ତାଙ୍କର ଏତେ ପାଣ୍ଡିତ୍ୟ ଓ ରୁଚି ଥିଲାଯେ ଯଦ୍ୟପି କୌଣସି ବ୍ୟକ୍ତି ତାଙ୍କୁ ସେଥିରୁ ଶ୍ଲୋକଟିଏ ବୁଝାଇ ଦେବାପାଇଁ ଅନୁରୋଧ କଲା,ସେ ତାଙ୍କର ଦୈନନ୍ଦିନ କାର୍ଯ୍ୟ ପରିତ୍ୟାଗକରି ସେହିକାର୍ଯ୍ୟରେ ଲାଗିପଡୁଥିଲେ।
ଏହା ବ୍ୟତିତ ଅନେକ ସ୍ମୃତିଶାସ୍ତ୍ର ଯଥା ମନୁସଂହିତା,ପରାଶର ସଂହିତା,ଯାଜ୍ଞବଳ୍କ୍ୟ,ଗଦାଧର ପଦ୍ଧତି,ସଂହ ବାଜପେୟୀ,ଏବଂ ରଘୁନନ୍ଦନ ସ୍ମୃତି ଇତ୍ୟାଦି ଅଧ୍ୟୟନ କରିଥିଲେ ଓ ତନ୍ମଧ୍ୟରୁ ଅଧିକାଂଶ କଣ୍ଠସ୍ଥ କରିଥିଲେ।ଜ୍ୟୋତିଶାସ୍ତ୍ର, ବିଶେଷତଃ ପାଞ୍ଜିପ୍ରସ୍ତୁତ ସମୟରେ ସ୍ମୃତିର ଆବଶ୍ୟକତାକୁ ଆଖିଆଗରେ ରଖି ସେ ସ୍ମୃତି ପଠନରେ ଗଭୀର ମନୋନିବେଶ କରିଥିଲେ।
ସାମନ୍ତ ଚନ୍ଦ୍ରଶେଖର ୧୨ ବର୍ଷ ବୟସରେ ବାଉଁଶ ଖଡିକା ସାହାଯ୍ୟରେ ଭୂଗୋଳ ଓ ଖଗୋଳ ଯନ୍ତ୍ର ନିର୍ମାଣ କରିଥିଲେ।
ପାଟୀ ଗଣିତ ଓ ବୀଜ ଗଣିତକୁ ସମ୍ପୂର୍ଣ ଆୟତ୍ତକରି ମାତ୍ର ତେରବର୍ଷ ବୟସରେ ସେ ଦିନବେଳେ ଛାୟା ମାପୁଥିଲେ ଏବଂ ରାତିରେ ଉଜାଗରରହି ତାରା ମାନଙ୍କରଦୂରତା ମାପୁଥିଲେ।ନିଜର କଳ୍ପନା ବଳରେ ସେ ଦୁଇଖଣ୍ଡି କାଠି ସାହାଯ୍ୟରେ ମାନଯନ୍ତ୍ରଟିଏ ନିର୍ମାଣକରି ମହାକାଶ ଗବେଷଣାରେ ଲାଗିପଡିଲେ।
କ୍ରମଶଃ……….

Click to rate this post!
[Total: 0 Average: 0]

Leave a Reply