Sunday, May 19, 2024
Stories

ସାମନ୍ତ ସ୍ମରଣେ (୨୨)

ସାମନ୍ତ ସ୍ମରଣେ
…………..୨୨………
ଗୁରୁ ହିଁ ସାକ୍ଷାତ ଈଶ୍ବର
(An account of the life and work of Samanta Chandrasekhar,the wonder Astronomer of 19th Century.)
……………………………………………………..
ଅଜ୍ଞାନ ତିମିରାନ୍ଧସ୍ୟ ଜ୍ଞାନାଞ୍ଜନଶଲାକୟl,
ଚକ୍ଷୁରୁନ୍ମିଳିତଂ ଯେନ ତସ୍ମୈ ଶ୍ରୀଗୁରବେ ନମଃ।
ଜ୍ଞାନାଞ୍ଜନ ଲଗାଇ ଗୁରୁ ଆଖି ଆଗରୁ ଅଜ୍ଞାନର ଅନ୍ଧକାର ଦୂର କରନ୍ତି।ତେଣୁ ସେ ପ୍ରାତଃ ନମସ୍ୟ ଏବଂ ତାଙ୍କ ଆସନ ଈଶ୍ବରଙ୍କ ଠାରୁ ମଧ୍ୟ ଊର୍ଦ୍ଧ୍ବରେ।ଭାରତୀୟ ସଂସ୍କୃତିର ଏହି ଗୁରୁଶିଷ୍ୟ ପରଂପରା ସାମନ୍ତ ଚନ୍ଦ୍ରଶେଖର ଅକ୍ଷରେ ଅକ୍ଷରେ ମାନିଥିଲେ।ଶିକ୍ଷାଗୁରୁ ଏବଂ ଦୀକ୍ଷାଗୁରୁଙ୍କର ଦର୍ଶନ ମାତ୍ରେ ସେ ସାଷ୍ଟାଙ୍ଗ ପ୍ରଣିପାତ କରୁଥିଲେ।

ସେହି ସଂସ୍କୃତଶାସ୍ତ୍ରୀ ସାମନ୍ତ ଚନ୍ଦ୍ରଶେଖର ଯେତେବେଳେ ଗଣିତ ଜ୍ୟୋତିଷ ଶାସ୍ତ୍ରରେ ଏବଂ ଜ୍ୟୋତିର୍ବିଜ୍ଞାନରେ ଅଗାଧ ପାଣ୍ଡିତ୍ୟର ଅଧିକାରୀ ହେଲେ,ଭାରତର ବିଭିନ୍ନ ସ୍ଥାନରୁ ଶିଷ୍ୟ ମାନଙ୍କର ସୁଅ ତାଙ୍କ ପାଖକୁ ଛୁଟିଲା।ସେମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ମେଦିନୀପୁର ଅନ୍ତର୍ଗତ ନନ୍ଦିଗ୍ରାମର ରୁଦ୍ରନାରାୟଣ ଜ୍ୟୋତିର୍ଭୂଷଣ ଭଟ୍ଟାଚାର୍ଯ୍ୟ।ସେ ସାମନ୍ତଙ୍କ ଘରେ ରହି ପ୍ରାୟ ଦୁଇ ବର୍ଷ କାଳ ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥକୁ ଗଭୀର ଭାବେ ଅଧ୍ୟୟନ କରିଥିଲେ।ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥର ସମସ୍ତ ୨୫୦୦ ଶ୍ଲୋକ ବଙ୍ଗଳା ଭାଷାରେ ଅନୁବାଦ କରିଥିଲେ।ତାକୁ ମୂଳାଧାରକରି ସେ ବଙ୍ଗଳାରେ “ରୁଦ୍ରପଞ୍ଜିକା”ନାମରେ ଗୋଟିଏ ପଞ୍ଜିକା ପ୍ରଚଳନ କରିଥିଲେ।ଏହି ପଞ୍ଜିକା ସାମନ୍ତଙ୍କର ଦୃକ୍ ସିଦ୍ଧ ସିଦ୍ଧାନ୍ତ ଉପରେ ଆଧାରିତ।ସରଳ,ଅମାୟୀକ,ଏବଂ ଜ୍ଞାନର ଅବତାର ସାମନ୍ତଙ୍କ ପାଖରେ ରହି ସେ ଗୁରୁଶିଷ୍ୟ ପରଂପରାର ଅଭୂତପୂର୍ବ ଅନୁଭବ ନେଇ ସ୍ବ ଦେଶକୁ ଫେରିଗଲା ପରେ ସାମନ୍ତଙ୍କର ପାଣ୍ଡିତ୍ୟ ଏବଂ ଦୃକ୍ ସିଦ୍ଧ ସିଦ୍ଧlନ୍ତର ଚମତ୍କାରିତା ବିଷୟରେ ଚାରିଆଡେ ପ୍ରଚାର କରିଦେଲେ।ଫଳରେ ବଙ୍ଗଳାରେ ସାମନ୍ତଙ୍କର ପ୍ରସିଦ୍ଧି ବଢିବାରେ ଲାଗିଲା।ବଙ୍ଗ ସରକାର ,ସାମନ୍ତଙ୍କଠାରୁ ପ୍ରଶିକ୍ଷଣ ନେବାପାଇଁ କେତେକ ପଣ୍ଡିତ ଓ ଜ୍ୟୋତିର୍ବିଦଙ୍କୁ ପଠାଇଥିଲେ।ଦୁର୍ଭାଗ୍ୟକୁ ସେମାନେ ଖଣ୍ଡପଡା ଆସିବା ପରିବର୍ତ୍ତେ ଖନ୍ତାପଡା ନାମକ ଏକ ସ୍ଥାନରେ ପହଞ୍ଚି,ସାମନ୍ତଙ୍କୁ ଖୋଜା ଖୋଜି କରି, ନପାଇ ବଙ୍ଗ ଦେଶକୁ ଫେରି ଯାଇଥିଲେ।ଏଥିରୁ ଅନୁମାନ କରାଯାଇପାରେ, ଯୋଗାଯୋଗ ବ୍ୟବସ୍ଥା ସେତେବେଳେ କେତେ ଖରାପ ଥିଲା।ସେମାନଙ୍କର ବିଫଳତାର କାହାଣୀ ଶୁଣି ରେଭେନ୍ସା କଲେଜର ବିଜ୍ଞାନ ପ୍ରଫେସର ଯୋଗେଶଚନ୍ଦ୍ର ରାୟ ସାମନ୍ତଙ୍କ ଅନୁସନ୍ଧାନରେ ଥିଲେ ଏବଂ କବିବର ରାଧାନାଥ ରାୟଙ୍କ ଠାରୁ ସାମନ୍ତଙ୍କ ବିଷୟରେ ଜାଣିବା ପରେ ସାକ୍ଷାତ ଅପେକ୍ଷାରେ ଥିଲେ।

ଏଣେ ମଞ୍ଜୁଷା ଗଡର ରାଜା,ସାମନ୍ତଙ୍କ ଜ୍ଞାନ ଓ ଗୁଣରେ ମୁଗ୍ଧ ହୋଇ ,ତାଙ୍କଠାରୁ ଜ୍ୟୋତିଷ ବିଦ୍ୟା ଶିକ୍ଷା କରିବା ପାଇଁ ତିନିଜଣ ପଣ୍ଡିତ ଯଥା ଗଦାଧର ବିଦ୍ୟାଭୂଷଣ,କୃଷ୍ଣଚନ୍ଦ୍ର ବାଣୀଭୂଷଣ ଓ ଶ୍ରୀଧର ପ୍ରହରାଜଙ୍କୁ ପଠାଇ ଥିଲେ।ସେମାନଙ୍କ ମଧ୍ୟରୁ ଗଦାଧର ବିଦ୍ୟାଭୂଷଣ ଅତ୍ୟନ୍ତ ଯୋଗ୍ୟ ଓ ମେଧାବୀ ଛାତ୍ର ଥିଲେ।ସେ ସାମନ୍ତଙ୍କ ଘରେ ରହି ଦୁଇବର୍ଷ କାଳ କଠିନ ପରିଶ୍ରମ କରି ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥ ଭିତରକୁ ପ୍ରବେଶ କରି ପାରିଥିଲେ।ଏଥିରୁ ଅନୁମେୟ,ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥକୁ ବୁଝିବା ଏବଂ ତା ଭିତରକୁ ପ୍ରବେଶ କରିବା ବଡ ବଡ ପଣ୍ଡିତଙ୍କ ପାଇଁ କିପରି କଷ୍ଟସାଧ୍ୟ ଥିଲା।

ଏତଦ୍ ବ୍ୟତୀତ ତାଳଚେରର ଦାମୋଦର ବାଣୀଭୂଷଣ ଏବଂ ଖଉରୁଣୀ ଗ୍ରାମ ନିବାସୀ ସଦାଶିବ ଖଡିରତ୍ନ,ସାମନ୍ତଙ୍କ ଠାରୁ ଜ୍ୟୋତିଷ ବିଦ୍ୟା ଓ ସୂକ୍ଷ୍ମ ପଞ୍ଜିକା ସମ୍ବନ୍ଧରେ ଅଧ୍ୟୟନ କରିଥିଲେ।ଶିକ୍ଷାଲାଭ ପରେ ସଦାଶିବ ଖଡିରତ୍ନ ନିଜ ନାମରେ ସୂ କ୍ଷ୍ମ ପଞ୍ଜିକା ପ୍ରଚଳନ କରିଥିଲେ।

ଖଣ୍ଡପଡାର ରାଜବଲ୍ଲଭ ମିଶ୍ର ନାମକ ସାମନ୍ତଙ୍କର ଜଣେ ଶିଷ୍ୟ,ସିଦ୍ଧାନ୍ତ ଦର୍ପଣ ଅଧ୍ୟୟନକରି ,ସାମନ୍ତଙ୍କ ତତ୍ତ୍ଵାବଧାନରେ ସୂକ୍ଷ୍ମ ପଞ୍ଜିକା ପ୍ରଚଳନ କରିଥିଲେ।
ଅଧ୍ୟୟନ ସମୟରେ ସାମନ୍ତ, ଛାତ୍ରମାନଙ୍କର ରହଣି ଓ ଖାଦ୍ୟପେୟର ବ୍ୟବସ୍ଥା କରୁଥିଲେ।

ଏପରି ଜ୍ଞାନଗୁରୁଙ୍କ ସଂସର୍ଗରେ ଆସି ଶିଷ୍ୟମାନେ ନିଜକୁ ଅତ୍ୟନ୍ତ ଭାଗ୍ୟବାନ ମନେକରୁଥିଲେ।ଶିଷ୍ୟ ମାନଙ୍କଦ୍ୱାରା ପରିବେଷ୍ଟିତ ସାମନ୍ତ ତାରା ମାନଙ୍କ ଗହଣରେ ଚନ୍ଦ୍ର ପରି ପ୍ରତୀୟମାନ ହେଉଥିଲେ।
କ୍ରମଶଃ…………

Click to rate this post!
[Total: 0 Average: 0]

Leave a Reply