Monday, May 20, 2024
Stories

ସାମନ୍ତ ସ୍ମରଣେ (୧୮)

  • ସାମନ୍ତ ସ୍ମରଣେ
    ……….୧୮…………
    ପରୋପକାରାୟ ସ୍ବର୍ଗାୟ
    (An account of the life and work of Samanta Chandrasekhar,the wonder Astronomer of 19th Century)
    ………………………….
    ସାମନ୍ତ ଚନ୍ଦ୍ରଶେଖରଙ୍କ ଚରିତ୍ର ଅଧ୍ୟୟନ କଲେ ମନେହୁଏ କୌଣସି ଦେବତା, ମର୍ତ୍ତ୍ୟର ଜୀବନ ଜଞ୍ଜାଳର ଅନୁଭବ ନେବା ସଙ୍ଗ ସଙ୍ଗେ ମାନବ ସମାଜର ଉପକାର କରିବା ପାଇଁ ବୋଧହୁଏ ମର୍ତ୍ତ୍ୟ ମଣ୍ଡଳକୁୁ ଓହ୍ଲାଇ ଆସିଥିଲେ।ତା ନହେଲେ ଏତେ ଚାରିତ୍ରିକ ଉତ୍କର୍ଷତା ଜଣେ ସାଧାରଣ ମଣିଷ ପାଖରେ କଣ ସମ୍ଭବ!

    ବଦାନ୍ୟତା ଓ ଅତିଥି ସେବା ସାମନ୍ତଙ୍କ ଜୀବନ ଯାପନ ପ୍ରଣାଳିର ଅଭିନ୍ନ ଅଂଶ ଥିଲା।ନିଜେ ଧନବାନ ନଥିଲେ ମଧ୍ୟ,
    ଅନେକ ଗରିବ ବ୍ରାହ୍ମଣଙ୍କୁ ନିଜ ପୈତୃକ ଭୂସମ୍ପତିରୁ ଅନେକ ଭୂମି ଦାନ କରି ଯାଇଛନ୍ତି।
    ଭୁଲରେ ମଧ୍ୟ ସେ କେବେ ଧର୍ମ ପଥରୁ ବିଚ୍ୟୁତ ହେଉନଥିଲେ।ସର୍ବଦା ସେ କହୁଥିଲେ….”ଧର୍ମ ଏକ ପୋତ ଗଢିଛନ୍ତି ବିଧି; ତରିବାକୁ ଏହି ସଂସାର ବାରିଧି”।ଥରେ ତାଙ୍କ ଖଞ୍ଜା ମୌଜା(ଯେଉଁ ଗ୍ରାମ ସେ ଖଞ୍ଜା ଆକାରରେ ରାଜାଙ୍କଠାରୁ ପାଇଥିଲେ)ଶାଳପଡା ଯାଇଥି୍ଲେ।ସେଠାରେ ତାଙ୍କର ଜଣେ ରଇତ ତାଙ୍କ ପାଦ ଧୋଇଦେବା ସମୟରେ ପାଦଧୁଆ ପାଣି ନିକଟସ୍ଥ ଅଶ୍ବତ୍ଥ ଗଛ ମୂଳକୁ ଗଡିଗଲା।ମହାନ ଉପକାରୀ ଏହି ବୃକ୍ଷକୁ ‘ବିଷ୍ଣୁବୃକ୍ଷ’ ମଧ୍ୟ କୁହାଯାଏ।ବିଷ୍ଣୁ ବୃକ୍ଷ ମୂଳକୁ ପାଦଧୁଆ ପାଣି ଗଡିଯିବାର ଦେଖି, ସାମନ୍ତ ଦୁଃଖିତ ହୋଇ
    ପ୍ରାୟଶ୍ଚିତ ଉଦ୍ଦେଶ୍ୟରେ ପୂଜାପାଠ,ହୋମ ଇତ୍ୟାଦି କରାଇଥିଲେ।

    ବାଡି ବଗିଚାରେ କିଛି ନୂଆ ଫଳ ଫଳିଲେ, ସାମନ୍ତ ପ୍ରଥମେ ଠାକୁରଙ୍କୁ,ତତ୍ପରେ ବ୍ରାହ୍ମଣଙ୍କୁ ଦାନ କରିବାପରେ ଅବଶିଷ୍ଟ ନିଜେ ଗ୍ରହଣ କରୁଥିଲେ।ସାମନ୍ତଙ୍କ ଦୁଆରୁ କେବେହେଲେ ଅତିଥି ଖାଲି ହାତରେ ଫେରୁନଥିଲେ।ଅତିଥି ଅସନ୍ତୁଷ୍ଟହୋଇ ଖାଲିହାତରେ ଦୁଆରୁ ଫେରିଗଲେ ଗୃହସ୍ଥର ପୁଣ୍ୟ ହାନି ହୁଏ ବୋଲି ସାମନ୍ତଙ୍କର ଧାରଣା ଥିଲା।ସେଥପାଇଁ ଘରର ସମସ୍ତଙ୍କୁ ସାବଧାନ କରାଯାଇଥିଲା ଯେପରି କେହି ଅତିଥି ଅଭ୍ୟାଗତ ଖାଲି ହାତରେ ଦୁଆରୁ ଫେରି ନଯାଏ।ପ୍ରତିଦିନ ଭିକ୍ଷା ଦେବାପାଇଁ ମଧ୍ୟ କିଛି ଚାଉଳ ଦାଣ୍ଡଘରେ(ବାଟ ଘରେ)ଗଚ୍ଛିତ କରି ରଖାଯାଇଥାଏ।

    ଅତିଥି ଉପସ୍ଥିତ ହେଲେ ସାମନ୍ତ ନିଜେ ତାଙ୍କର ଅଭ୍ୟର୍ଥନା କରି ଖାଦ୍ୟପେୟର ବ୍ୟବସ୍ଥା କରୁଥିଲେ।ନିଜେ ଭୋଜନ କରିବା ପୂର୍ବରୁ କୌଣସି ଅତିଥି ଅଭ୍ୟାଗତ ଉପସ୍ଥିତ ହେଲେ,ସାମନ୍ତ ପ୍ରଥମେ ତାଙ୍କ କଥା ବୁଝି ପରେ ନିଜେ ଭୋଜନ କରୁଥିଲେ।ଅତିଥିଙ୍କ ଭୋଜନ ସମୟରେ ସାମନ୍ତ ନିଜେ ଭୋଜନ ପରିବେଷଣ କରୁଥିଲେ ଏବଂ ନାନାପ୍ରକାର ଆମୋଦ ଦାୟକ କଥାକହି ଅତିଥିଙ୍କର ମନକୃ ତୃପ୍ତ କରୁଥିଲେ।ଅତିଥି ସନ୍ତୁଷ୍ଟ ହେଲେ ସାମନ୍ତ ନିଜେ ପରମ ସନ୍ତୋଷ ଲାଭ କରୁଥିଲେ।
    “ଜୀବେ ଦୟା,ନାମେ ଶ୍ରଦ୍ଧା”,ତାଙ୍କ ଦିନଚର୍ଯ୍ୟାର ଅଭିନ୍ନ ଅଂଶ ଥିଲା।ଜୀବ ମାନଙ୍କ ପ୍ରତି ମନରେ ଦୟାଭାବ ପୋଷଣ କରି ସେ ମାଛ,ମାଂସ ଇତ୍ୟାଦି ଭୋଜନ କରୁନଥିଲେ।ଗୋ ସେବା ତାଙ୍କର ଦୈନନ୍ଦିନ କାର୍ଯ୍ୟ ଥିଲା।ପିମ୍ପୁଡି ମାନଙ୍କୁ ଆହାର ଦେବାପାଇଁ ସେମାନଙ୍କ ଗାତରେ ଗୁଡ,ଚିନି ଆଦି ମିଠାଦ୍ରବ୍ୟ ପକାଉଥିଲେ।ମଶା କାମୁଡିଲେ ସେମାନଙ୍କୁ ନମାରି ଖାଲି ତଡି ଦେଉଥିଲେ ।ବୁଢା,ପରିତ୍ୟକ୍ତ ଗାଇ,ଗୋରୁ ମାନଙ୍କର ସେବା ଓ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରାଉଥିଲେ।

    ମନରେ ନଥିଲା ଅର୍ଥଲୋଭ।ବିନା ପାରିଶ୍ରମିକରେ ଅନେକ ଲୋକଙ୍କର କୋଷ୍ଠୀ ବା ଜାତକ ତିଆରି କରି ଦେଉଥିଲେ।କୌଣସି ବ୍ୟକ୍ତି ଅନୁରୋଧ କଲେ ରାଜା ମହାରାଜାଙ୍କ ପାଖକୁ ସୁପାରିସ୍ ପତ୍ର ପଠାଉ ଥିଲେ।
    ଅତ୍ୟନ୍ତ କ୍ଷମାଶୀଳ ଥିଲେ ସାମନ୍ତ।କେହି ତାଙ୍କ ପାଖରେ ଅପରାଧ କଲେ,ଅଧର୍ଯ୍ୟହୋଇ ନିଜର ମାନସିକ ସନ୍ତୁଳନ ହରାଉ ନଥିଲେ।ଉଦାର ହୃଦୟରେ କ୍ଷମା ଦେଉଥିଲେ;ତିରସ୍କାର ମଧ୍ୟ କରୁନଥିଲେ।କେବଳ ଦୋଷର ସୂଚନା ଦେଇ ଦେଉଥିଲେ।

    ଏ ସମସ୍ତ ଦେବୋପମ ସଂସ୍କାର ସାମନ୍ତ ବଂଶର ଅସ୍ମିତା ଥିଲା ଏବଂ ତାକୁ ସାମନ୍ତ ଚନ୍ଦ୍ରଶେଖର ନିଜ ଚରିତ୍ରରେ ପ୍ରତିଫଳିତ କରି ପରବର୍ତ୍ତି ସମୟର ଆଦର୍ଶ ଭାବେ ନିଜକୁ ପ୍ରତିପାଦିତ କରିଥିଲେ।
    ସମୟ କେବଳ ଚଞ୍ଛଳ ନୁହେଁ,ଚଞ୍ଚକ ମଧ୍ୟ।ବେଳେ ବେଳେ ଏହି ଆଭିଜାତ୍ୟ ଓ ଅସ୍ମିତାକୁ ଅଯାଚିତ ଭାବରେ ସମୟ ଅଯୋଗ୍ୟଙ୍କୁ ଦାନ କରେନାହିଁ।ଆମେମାନେ ବୋଧହୁଏ ସେହି ଅଯୋଗ୍ୟ ଦାୟାଦ।
    କ୍ରମଶଃ………

Click to rate this post!
[Total: 0 Average: 0]

Leave a Reply