ସାମନ୍ତ ସ୍ମରଣେ (୧୩)….. ବଣ ମଲ୍ଲୀର ମହକ
ସାମନ୍ତ ସ୍ମରଣେ
……….୧୩……..
ବଣମଲ୍ଲୀର ମହକ
…………………….
“ସ୍ବଦେଶେ ପୂଜ୍ୟତେ ରାଜା;
ବିଦ୍ବାନ୍ ସର୍ବତ୍ର ପୂଜ୍ୟତେ।”
ଅନ୍ଧାରୀ ମୁଲକ ଖଣ୍ଡପଡାର ବଣ ଜଙ୍ଗଲରେ ଫୁଟିଥିବା ମଲ୍ଲୀଟିର ସୁବାସ ଧୀରେ ଧୀରେ ପ୍ରସାରିତ ହେବାକୁ ଲାଗିଲା।ଚନ୍ଦ୍ରଶେଖରଙ୍କ ପୁତୁରା, ରାଜା ନଟବର ସିଂହଙ୍କ ବିବାହ ଉତ୍ସବ ସମୟ।ବାହାଘର ପାରିକୁଦ ଗଡ଼ରେ ଅନୁଷ୍ଠିତ ହେଉଥାଏ। ଦାଦା ସାମନ୍ତ ଚନ୍ଦ୍ରଶେଖର ବରଯାତ୍ରୀ ମେଳରେ ଉପସ୍ଥିତ ଥିଲେ।ସେତେବେଳକୁ ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥ ପ୍ରଣୟନ ହୋଇ ସାରିଥାଏ।ଜ୍ୟୋତିର୍ବିଜ୍ଞାନୀ ଚନ୍ଦ୍ରଶେଖରଙ୍କର ସୂକ୍ଷ୍ମସିଦ୍ଧାନ୍ତ ଏବଂ ଗଣିତ ଜ୍ୟୋତିଷ ସମ୍ବନ୍ଧରେ ଅଳ୍ପେ ବହୁତେ ଓଡିଶାର ଗଣ୍ୟମାନ୍ୟ ବ୍ୟକ୍ତି ସମୂହ ଅବଗତ ହୋଇସାରିଥିଲେ।ମାନଦଣ୍ଡ ସାହାଯ୍ୟରେ ସାମନ୍ତ କିପରି ନିର୍ଭୁଲ ଭାବରେ ପାହାଡ,ପର୍ବତ,ବୃକ୍ଷାଦିର ଉଚ୍ଚତା ଓ ଦୂରତ୍ବ ମାପି ପାରୁଥିଲେ ସେ କଥା ମଧ୍ୟ ଅଜଣା ନଥିଲା।
ମଞ୍ଜୁଷା ଗଡର ରାଜାସାହେବ ଜଗନ୍ନାଥ ରାଜମଣିଦେବ ଉପରୋକ୍ତ ବିବାହ ଉତ୍ସବକୁ ଅତିଥି ଭାବେ ଆସିଥିଲେ।ସାମନ୍ତଙ୍କ ପାଣ୍ଡିତ୍ୟର ପରିଚୟ ପାଇ ସେ ସାମନ୍ତଙ୍କୁ ମଞ୍ଜୁଷା ଗଡକୁ ନିମନ୍ତ୍ରଣ କରି ନେଲେ।ସେଠାରେ ମହେନ୍ଦ୍ର ପର୍ବତର ଉଚ୍ଚତା ନିର୍ଣୟ କରିବାପାଇଁ ସାମନ୍ତଙ୍କୁ ଅନୁରୋଧ କରାଗଲା। ସାମନ୍ତ ନିଜର ମାନଯନ୍ତ୍ର ସାହାଯ୍ୟରେ ପର୍ବତର ଦୂରତା ଏବଂ ଉଚ୍ଚତା ମାପି ଜଣାଇ ଦେଲେ।
ସାମନ୍ତଙ୍କ ନିର୍ଣ୍ଣୟ ,ଆଗରୁ ନିର୍ଣ୍ଣିତ ଉଚ୍ଚତା ସହିତ ଆଶ୍ଚର୍ଯ୍ୟ ଜନକ ଭାବେ ମେଳ ଖାଇଗଲା।ଗୁଣମୁଗ୍ଧ ମଞ୍ଜୁଷା ରାଜା ଏକଥା ମାଡ୍ରାସ ପ୍ରେସିଡେନସି କୁ ଜଣାଇ ଦେଇଥିଲେ।ମାଡ୍ରାସ୍ ପ୍ରେସିଡେନସୀ(ଯାହାକୁ କି ସେତେବେଳେ St.George Fort ବୋଲି କୁହାଯାଉଥିଲା)ଅଧୀନରେ ମାନ୍ଦ୍ରାଜ,ମାଲବାର୍ ,ଉତ୍ତର କେରଳ,ଲାକ୍ଷାଦ୍ବୀପ,ଉପକୂଳ ଆନ୍ଧ୍ର,ରାୟସୀମା,ବ୍ରହ୍ମପୁର, ଓଡିଶାର ଗଞ୍ଜାମ ଜିଲ୍ଲା,ବେଲାରି,ଦକ୍ଷିଣ କାନାଡା ଏବଂ ଉଡୁପି ଅଞ୍ଚଳ ଇତ୍ୟାଦି ଅନ୍ତର୍ଭୁକ୍ତ ଥିଲା।ତେଣୁ ପ୍ରାୟ ସମଗ୍ର ଦକ୍ଷୀଣ ଭାରତରେ ସାମନ୍ତଙ୍କୁ ଲୋକମାନେ ଜଣେ ପ୍ରବୀଣ ଜ୍ୟୋତିଷ ଭାବେ ଜାଣିବାକୁ ପାଇଲେ।
ସେହିବର୍ଷ ସୂର୍ଯ୍ୟପରାଗ ତିଥି ଗଣନାକରି ତାହା ବିଲାତରେ ଦୃଶ୍ୟମାନ ହେବ ବୋଲି ସାମନ୍ତ ଗଣନାକରି କହିବାରୁ ମଞ୍ଜୁଷା ରାଜା ପୁନର୍ବାର ମାଡ୍ରାସ୍ ପ୍ରେସିଡେନସୀକୁ ଜଣାଇ ଦେଇଥିଲେ।କିନ୍ତୁ ଦକ୍ଷିଣ ଭାରତର ଜଣେ ପ୍ରସିଦ୍ଧ ପଣ୍ଡିତ ରଘୁନାଥ ଆଚାର୍ଯ୍ୟ, ଚନ୍ଦ୍ରଗ୍ରହଣ ବିଲାତରେ ଦୃଶ୍ୟମାନ ହେବନାହିଁ ବୋଲି କହିଥିଲେ।ସାମନ୍ତଙ୍କଦ୍ବାରା ନିର୍ଦ୍ଧାରିତ ସମୟରେ ବିଲାତରେ ଚନ୍ଦ୍ରଗ୍ରହଣ ଘଟିବାରୁ, ସାମନ୍ତଙ୍କ ଯଶ ଦେଶ ବିଦେଶରେ ବ୍ୟାପିଯାଇଥିଲା।
ଥରେ ସାମନ୍ତ ଗଣନା କରି ରଘୁନାଥ ଆଚାର୍ଯ୍ୟଙ୍କୁ ଜଣାଇଥିଲେ ଯେ ଅପରାହ୍ନରେ ଶୁକ୍ରଗ୍ରସ୍ତ ସୂର୍ଯ୍ୟପରାଗ ଘଟିବ ଏବଂ ତାହା ନିର୍ଧାରିତ ସମୟରେ ସଂଘଟିତ ହେଲା।ଗଣନାକରି ସାମନ୍ତ ଏକଦା ସୂଚନା ଦେଇଥିଲେଯେ ଆମେରିକାରେ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ ଏବଂ ତାହାହିଁ ନିର୍ଦ୍ଦିଷ୍ଟ ସମୟରେ ଘଟିଥିଲା।ଏହାଦ୍ବାରା ସାମନ୍ତଙ୍କର ଖ୍ୟାତି ଦେଶ ବିଦେଶରେ ପ୍ରସାରିତ ହୋଇଥିଲା।
ଭଗବତୀଚରଣ ସ୍ମୃତିତୀର୍ଥ ନାମକ କଲିକତାର ଜଣେ ପଣ୍ଡିତ ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥ ପାଠକରି ସଂସ୍କୃତରେ ପାଞ୍ଚଟି ପ୍ରଶ୍ନ ସନ୍ଦେହ ମୋଚନ ପାଇଁ ପଚାରିଥିଲେ।ସାମନ୍ତ ସେ ପ୍ରଶ୍ନଗୁଡିକର ସଠିକ୍ ତଥା ସନ୍ତୋଷଜନକ ଉତ୍ତର ଦେଇଥିବାରୁ ସେ ସାମନ୍ତଙ୍କର ଭୂୟସୀ ପ୍ରଶଂସା କରିଥିଲେ।ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥ ପ୍ରକାଶିତ ହେବାପରେ କେତେକ ସ୍ବନାମଧନ୍ୟ ପଣ୍ଡିତ ଯଥା ପଣ୍ଡିତ ବାସୁଦେବ ଶାସ୍ତ୍ରୀ ଏବଂ ପଣ୍ଡିତ ସୁଧାକର ଦ୍ବିବେଦୀ ସନ୍ଦେହ ମୋଚନପାଇଁ ଅନେକ ଗୁଡିଏ ପ୍ରଶ୍ନ ପଚାରି ତାର ସଠିକ ଉତ୍ତର ପାଇ ପାରିଥିଲେ।
ସାମନ୍ତଙ୍କର ଗଭୀରଜ୍ଞାନର ଆଭାସ ପାଇ ,କଲିକତା ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ମହେଶ ଚନ୍ଦ୍ର ନ୍ୟାୟରତ୍ନ ୧୮୯୩ ମସିହାରେ ଓଡିଶା ଆସି,ସାମନ୍ତଙ୍କୁ କଟକକୁ ଡକାଇ ମାନଯନ୍ତ୍ର ଦେଖିବାପାଇଁ ଚାହିଁଥିଲେ।ସାମନ୍ତ ତାଳପତ୍ରରେ ସଙ୍ଗେ ସଙ୍ଗେ ମାନଯନ୍ତ୍ରଟିଏ ନିର୍ମାଣ କରି ତାଦ୍ବାରା ବୃକ୍ଷ ଆଦିର ଉଚ୍ଚତା ମାପି ଦେଖାଇଥିଲେ।ସାମନ୍ତଙ୍କ ପାଣ୍ଡିତ୍ୟରେ ପରମପ୍ରୀତ ନ୍ୟାୟରତ୍ନ ଗୋଟିଏ ପଣ୍ଡିତ ସଭା ଡକାଇ ସାମନ୍ତଙ୍କ ସହିତ ସଂସ୍କୃତରେ ଆଲୋଚନା ଚଳାଇଥିଲେ।ସାମନ୍ତଙ୍କର ଅନର୍ଗଳ ସଂସ୍କୃତ ଭାଷଣ ଓ ବିଶ୍ଲେଷଣ ଶୁଣି ନ୍ୟାୟରତ୍ନ ଚମତ୍କୃତ ହୋଇଥିଲେ।
ଅନ୍ୟକେହି ନୁହେଁ;ସାମନ୍ତଙ୍କୁ ନ୍ୟାୟରତ୍ନଙ୍କ ଦୃଷ୍ଟିକୁ ଆଣିଥିଲେ ଗୁଣଗ୍ରାହୀ କବିବର ରାଧାନାଥ ରାୟ।
କ୍ରମଶଃ…….