ସାମନ୍ତ ସ୍ମରଣେ (୧୨) ସାମନ୍ତ ଚନ୍ଦ୍ରଶେଖରଙ୍କ ମଧୁବାବୁଙ୍କ ସଙ୍ଗେ ମଧୁର ତର୍କ
ସାମନ୍ତ ସ୍ମରଣେ
……….୧୨……..
ସାମନ୍ତ ଚନ୍ଦ୍ରଶେଖରଙ୍କର ମଧୁବାବୁଙ୍କ ସଙ୍ଗେ ମଧୁର ତର୍କ
……………………………………………………….
ଉତ୍କଳ ସମ୍ମିଳନୀ ମାଧ୍ୟମରେ ଖଣ୍ଡ ବିଖଣ୍ଡିତ ଓଡିଶାର ଏକତ୍ରିକରଣ କରିବାକୁ ପ୍ରଚେଷ୍ଟା ଚଳାଇଥିଲେ ଯେଉଁ ଉତ୍କଳ ଗୌରବ ମଧୁସୂଦନ ଦାସ୍,ସେ ଥିଲେ ସାମନ୍ତ ଚନ୍ଦ୍ରଶେଖରଙ୍କ ସମୟର ଜଣେ ବଳିଷ୍ଠ ବ୍ୟକ୍ତିତ୍ବ।ସେ ‘ବାରିଷ୍ଟର ଦାସ୍’ ବା ‘ମିଷ୍ଟର ଦାସ୍’ ନାମରେ ସାରା ଓଡିଶାର ଘରେ ଘରେ ପରିଚିତ ଥିଲେ।ସେ ସମୟରେ ପ୍ରତ୍ୟେକ ଓଡିଆ ବାଳକ,ବାଳିକା ମଧୁବାବୁଙ୍କପରି ଓକିଲ ହେବାକୁ ସ୍ବପ୍ନଦେଖି ଗାଉଥିଲେ….ପାଠ ପଢିବି,ଓକିଲ ହେବି,ଘୋଡା ଚଢିବି,ମଧୁବାବୁ ସଙ୍ଗେ ଲଢିବି”।ମଧୁବାବୁଙ୍କ ସହିତ ସାମନ୍ତ ଚନ୍ଦ୍ରଶେଖରଙ୍କର ଏକଦା ଏକ ରୋଚକ ଏବଂ ମଧୁର ତର୍କ ବିତର୍କ ହୋଇଥିଲା।
ମଧୁବାବୁ,ଖଣ୍ଡପଡାର ତତ୍କାଳୀନ ରାଜା ନଟବର ସିଂହଙ୍କର ପ୍ରିୟ ବନ୍ଧୁ ଥିଲେ। ଏକଦା ମଧୁବାବୁଙ୍କର ଖଣ୍ଡପଡା ଆଗମନ ସମୟରେ ନଟବର ସିଂହ ଏକ ପଣ୍ଡିତ ସଭାର ଆୟୋଜନ କରି ତାଙ୍କୁ ସମ୍ବର୍ଦ୍ଧନା ଦେବାପାଇଁ ସ୍ଥିର କଲେ।ସଭାରେ ଖଣ୍ଡପଡାର ନାମଜାଦା ସଂସ୍କୃତ ପଣ୍ଡିତ ମାନଙ୍କ ସମେତ ସାମନ୍ତ ଚନ୍ଦ୍ରଶେଖର ମଧ୍ୟ ଉପସ୍ଥିତ ଥିଲେ।ପଣ୍ଡିତମାନେ ମଧୁବାବୁଙ୍କର ପ୍ରଶଂସାକରି ଶ୍ଲୋକମାନ ପାଠ କରିଥିଲେ।ହେଲେ ମଧୁବାବୁ ପଣ୍ଡିତ ମାନଙ୍କୁ ଆକ୍ଷେପକରି ହେଉ କିମ୍ବା ପରିହାସ ଛଳରେ ହେଉ,ନିମ୍ନୋକ୍ତ ଗଳ୍ପଟି କହିଥିଲେ,ଯାହାର ସାରାଂଶ ହେଲା ଯେ ପଣ୍ଡିତମାନେ ନିର୍ବୁଦ୍ଧିଆ……
“ଏକଦା ଜଣେ ବ୍ରାହ୍ମଣ ପଣ୍ଡିତଙ୍କ ସହଧର୍ମିଣୀ ଚୁଲିରେ ଡାଲି ବସେଇଦେଇ ନିକଟସ୍ଥ କୁଅକୁ ପାଣି ଆଣିବାପାଇଁ ବାହାରିଲେ ଏବଂ ସ୍ବାମୀଙ୍କୁ କହିଗଲେ”ଟିକିଏ ଲକ୍ଷ ରଖିଥିବ,କାଳେ ଡାଲି ଉତୁରି ପଡିବ।ବ୍ରାହ୍ମଣୀ ଚାଲିଯିବାପରେ ସତକୁ ସତ ଆଟିକାରେ ଡାଲି ଉତୁରିବାକୁ ଆରମ୍ଭକଲା।ପଣ୍ଡିତେ ଉତୁରା ବନ୍ଦ କରିବାପାଇଁ ଚଣ୍ଡିପାଠ ଠାରୁ ଆରମ୍ଭକରି ଯାହା ମନ୍ତ୍ର,ତନ୍ତ୍ର ଜାଣିଥିଲେ ପଢିଲେ,ତଥାପି ଡାଲିଉତୁରା ବନ୍ଦ ହେଲାନାହିଁ।ଏ ସମୟରେ ପଣ୍ଡିତାଣୀ ପାଣିଗରା ଧରି ସେଠାରେ ପହଞ୍ଚି ସ୍ବାମୀଙ୍କୁ କହିଲେ…ମଲା,ମଲା ଡାଲି ଉତୁରି ପଡିଲାଣି,ତମକୁ ଦିଶୁନି? ଏହାକହି ପଣ୍ଡିତାଣୀ ଆଟିକାରେ ମୁଠେ ପାଣି ଛାଟିଦେବାରୁ ଡାଲିଉତୁରା ବନ୍ଦ ହେଲା।ଏହାଦେଖି ପଣ୍ଡିତେ କହିଲେ ଡାଲି ଆଟିକା ମୋର ସପ୍ତପଦୀ ଚଣ୍ଡିପାଠ ଶୁଣିଲା ନାହିଁ,ଅଥଚ ତମର ମୁଠାଏ ପାଣିରେ ଶାନ୍ତପଡିଗଲା !
ଗପଟି କହିସାରି ମଧୁବାବୁ କହିଲେ…ପଣ୍ଡିତମାନେ ସିନା ପାଠ ପଢିଥାନ୍ତି;ହେଲେ ସେମାନଙ୍କର ଟିକିଏ ବୁଦ୍ଧି କମ୍।ପୋଥିବାଇଗଣ ଓ ବାରିବାଇଗଣ ଭିତରେ ଫରକ ଜାଣିପାରନ୍ତିନାହିଁ।
ମଧୁବାବୁଙ୍କର ଏପରି ବକ୍ରୋକ୍ତିରେ ଉପସ୍ଥିତ ପଣ୍ଡିତମାନେ ନିରବ ରହିଲେ।ମଧୁବାବୁଙ୍କୁ କିଏ ଅବା ଉତ୍ତର ଦେବ?ସ୍ବର୍ଗକୁ ନିଶୁଣି ନାହିଁ;ବଡଲୋକଙ୍କୁ ଉତ୍ତର ନାହିଁ।
କିନ୍ତୁ ସାମନ୍ତ ଚନ୍ଦ୍ରଶେଖର ସ୍ଥିରହୋଇ ରହିପାରିଲେ ନାହିଁ ଏବଂ ନିମ୍ନ ଶ୍ଲୋକଟି ଗାଇଲେ…..
“ଧୀରୋଅପ୍ୟଧୀରାକୃତ ଧୀରବର୍ଗୋ ମୂଢାତ୍ ପରାଭବି ମ ବଶ୍ୟମେତି,
ହୀରୋପି ନୀରପ୍ରତିମାଶ୍ଚଲୋହୋ ମେଷସ୍ୟ ଶୃଙ୍ଗାଦପି ଯାତି ଭଙ୍ଗମ୍”
ଅର୍ଥାତ୍ ବହୁ ପଣ୍ଡିତମାନଙ୍କୁ ପରାଜିତ କରିଥିବା ମହାପଣ୍ଡିତ ମଧ୍ୟ ମୂଢଠାରୁ ପରାଜୟଲାଭ କରିଥାଏ;ଯେପରିକି ପଥର ଓ ଲୁହାକୁ ଖଣ୍ଡ,ଖଣ୍ଡ କରିପାରୁଥିବା ହୀରାମଧ୍ୟ ସମୟରେ ମେଣ୍ଢା ଶିଂଘମାଡରେ ଭାଙ୍ଗିଯାଏ।
ଶ୍ଲୋକର ଅର୍ଥ ଶୁଣିବାପରେ ରାଜା ନଟବର ସିଂହ ଏବଂ ମଧୁବାବୁଙ୍କ ମୁହଁ ମଳିନ ପଡିଗଲା।ଉପସ୍ଥିତ ପଣ୍ଡିତମାନେ ପ୍ରମାଦ ଗଣିଲେ କାରଣ ପଣ୍ଡିତମାନଙ୍କୁ ହୀରା ଏବଂ ବାରିଷ୍ଟର ଦାସଙ୍କୁ ମୂଢ ସହିତ ତୁଳନା କରାଗଲା ବୋଲି ସମସ୍ତଙ୍କର ହୃଦ୍ ବୋଧ ହେଲା।ସାମନ୍ତ କିନ୍ତୁ ନିର୍ଭୀକ ରହିଥିଲେ।
ତା ପରଦିନ ମଧୁବାବୁ ସାମନ୍ତଙ୍କ ଘରକୁଯାଇ ନାନା ପ୍ରକାର ମଧୁର ଆଳାପକରି କହିଲେ”ମୁଁ କାଲି ଆପଣଙ୍କ ମନରେ ବଡ କଷ୍ଟଦେଲି।କିନ୍ତୁ ମୋର ଉକ୍ତି ଆପଣଙ୍କପାଇଁ ଉଦ୍ଦିଷ୍ଟ ନଥିଲା।ଆପଣତ ଉତ୍କଳର ଚନ୍ଦ୍ରମା ସଦୃଶ।ମୋର ଉକ୍ତିଟି ଲଘୁ ପରିହାସ ମୂଳକ ଥିଲା।”
ଏହାପରେ ମହାନୁଭବ ସାମନ୍ତ କହିଲେ”ମୋ ମନରେ ତ କିଛି କଷ୍ଟ ହୋଇନାହିଁ।ବରଂ ମୁଁ ଆପଣଙ୍କୁ ମୂଢ,ଫୁଢ କରି କେତେ କଣ କହିଦେଲି।ଏମିତି ହୁଏ।ତାହା ଧର୍ତ୍ତବ୍ୟ ନୁହେଁ।”
କ୍ରମଶଃ…………