ସାମନ୍ତ ସ୍ମରଣେ (୧୧) ସାମନ୍ତ ଚନ୍ଦ୍ରଶେଖରଙ୍କ ଦେବୋପମ ଚରିତ୍ର
ସାମନ୍ତ ସ୍ମରଣେ
ସାମନ୍ତ ଚନ୍ଦ୍ରଶେଖରଙ୍କ ଦେବୋପମ ଚରିତ୍ର
——————— ————————
………..୧୧……….
ଚରିତ୍ର ଶବ୍ଦଟି ଖାଲି ତିନୋଟି ବର୍ଣ୍ଣର ସମଷ୍ଟି ନୁହେଁ ,ଏହା ଏକ ଜୀବନ ମାର୍ଗ।ସେଥିପାଇଁ କୁହାଯାଇଛି”ଥିଲେ ଥାଉ ପଛେ ଗୁଣ ହଜାର,ଚରିତ୍ର ନଥିଲେ ସବୁ ଅସାର”।ଚନ୍ଦ୍ରଶେଖରଙ୍କର ଦେବୋପମ ଚରିତ୍ର ତାଙ୍କ ପାଣ୍ଡିତ୍ୟପୂର୍ଣ୍ଣ ମସ୍ତକ ଉପରେ ସୁବର୍ଣ୍ଣ ମୁକୁଟ ସଦୃଶ ଜାଜ୍ବଲ୍ଯମାନ ହେଉଥିଲା।ଧର୍ମପତ୍ନୀ ସୀତା ଦେବୀ ଅତୁଳନୀୟ ସୌନ୍ଦର୍ଯ୍ୟ ଓ ପାତିବ୍ରତ୍ୟ ସହ ନିଷ୍ଠା, ସଂସ୍କାର,ଧର୍ମପରାୟଣତା,ସୁଶିକ୍ଷା,ରୁଚୀମନ୍ତ ଘରକରଣା ଓ ସମୟାନୁବର୍ତ୍ତିତା ଆଦି ଅନେକ ବନ୍ଦନୀୟ ଗୁଣାବଳୀର ଅଧିକାରିଣୀ ଥିଲେ।
ସାମନ୍ତ ଓ ସୀତାଦେବୀ ଥିଲେ ପରଷ୍ପରର ପରିପୂରକ,ଉଭୟେ ଖାଣ୍ଟି ୨୪ କ୍ୟାରେଟ ସୁନା।ଜଣେ ଚନ୍ଦ୍ର ହେଲେ ଅନ୍ୟଜଣେ ତାର ଶୀତଳ ଜ୍ୟୋସ୍ନା,ଜଣେ ଫୁଲ ହେଲେ ଅପର ତାର ସୁଗନ୍ଧ,ଏବଂ ଜଣେ ସଂଗୀତ ହେଲେ ଅନ୍ୟଜଣକ ଥିଲେ ତାର ସୁର।ପରମେଶ୍ବରଙ୍କର ଆଶୀର୍ବାଦ ନଥିଲେ ଯୋଗ୍ୟ ସହିତ ଯୋଗ୍ୟର ମିଳନ ହୁଏ ନାହିଁ।ସୀତାଦେବୀ ଏବଂ ଚନ୍ଦ୍ରଶେଖରଙ୍କ ମିଳନ ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ବିଶ୍ବସମ୍ରାଟଙ୍କ ଆଶୀର୍ବାଦ ସହିତ ହୋଇଥିଲା।
ଶ୍ରୀମଦ୍ଭଗବଦ୍ଗୀତାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି:-
“ଜ୍ଞାନବିଜ୍ଞାନ ତୃପ୍ତାତ୍ମା କୂଟୋସ୍ଥୋ ବିଜିତେନ୍ଦ୍ରିୟଃ,
ଯୁକ୍ତ ଇତ୍ୟୁଚତେ ଯୋଗୀ ସମଲୋଷ୍ଟାଶ୍ମକାଂଚନଃ।”
(ଷଷ୍ଠ ଅଧ୍ୟାୟ,ଅଷ୍ଟମ ଶ୍ଳୋକ)
କୂଟ ବା ଲେହି ହେଉଛି ଏକ ଲୌହପିଣ୍ଡ,ଯାହା ଉପରେ ଲୁହା,ସୁନା,ରୂପା ଇତ୍ୟାଦିର ବସ୍ତୁ ଗଢାଯାଏ,ମାତ୍ର ଏହା ଏକରୂପହୋଇ ରହେ ଅର୍ଥାତ୍ ଏହାର ରଙ୍ଗ ବଦଳେନାହିଁ।ସେହିପରି ସିଦ୍ଧମହାପୁରୁଷମାନେ ବିଭିନ୍ନ ପରିସ୍ଥିତିର ସମ୍ମୁଖୀନ ହୋଇମଧ୍ୟ ‘କୂଟ’ଭଳି ନିର୍ବିକାର ରହନ୍ତି।ସବୁ ପରିସ୍ଥିତିରେ ସମଭାବାପନ୍ନ ରହି ସେମାନେ କର୍ତ୍ତବ୍ୟକର୍ମ ପାଳନ କରନ୍ତି।ଏହି ଗୁଣ ମନୁଷ୍ୟକୁ ସଂସ୍କାର ଦାନ କରିଥାଏ।ସାମନ୍ତ ପରିବାରର ସଂସ୍କାର ସାମନ୍ତଙ୍କୁ ଦେବୋପମ ଚରିତ୍ର ପ୍ରଦାନ କରିଥିଲା।ସେହି
ଦେବୋପମ ଚରିତ୍ର ଯୋଗୁଁ ତାଙ୍କ ପାଦତଳେ ସମସ୍ତଙ୍କ ମସ୍ତକ ନଇଁଯାଉଥିଲା ।ପାଣ୍ଡିତ୍ୟ,ସ୍ମରଣଶକ୍ତି,ଧର୍ମନିଷ୍ଠା,କର୍ତ୍ତବ୍ୟପରାୟଣତା,ବଦାନ୍ୟତା,ଅତିଥିସେବା,ଦୟା,କ୍ଷମା,ପରୋପକାରିତା,ଧର୍ଯ୍ୟ,କଷ୍ଟସହିଷ୍ଣୁତା,ବିନୟ,ସୌଜନ୍ୟ ଓ ନିର୍ଭୀକତା ଆଦି ସମସ୍ତ ମହାପୁରୁଷ ଲକ୍ଷଣ ଚନ୍ଦ୍ରଶେଖରଙ୍କଠାରେ ପରିପୂର୍ଣ୍ଣହୋଇ ରହିଥିଲା।
ସ୍ମୃତିଶାସ୍ତ୍ରରେ ତାଙ୍କର ଗଭୀର ପାଣ୍ଡିତ୍ୟ ତତ୍କାଳୀନ ଅନେକ ପଣ୍ଡିତଙ୍କୁ ବିସ୍ମିତ କରିଥିଲା।ପୁରୀ ମୁକ୍ତିମଣ୍ଡପ ପଣ୍ଡିତସଭାରେ ସ୍ମୃତି ସଂପର୍କୀୟ ବିଷୟରେ କିଛି ସନ୍ଦେହ ଜାତହେଲେ ସାମନ୍ତଙ୍କ ନୀର୍ଣ୍ଣୟକୁ ମାନି ନିଆଯାଉଥିଲା।
ତାଙ୍କର ପୂଜା,ଅର୍ଚ୍ଚନା ଏବଂ ଭକ୍ତି ସମସ୍ତ ଆସକ୍ତିଶୂନ୍ୟ ଥିଲା।ଏତେବଡ ସଂସ୍କୃତଶାସ୍ତ୍ରୀ ହୋଇମଧ୍ୟ ଭଗବତ୍ ବିଷୟ ବ୍ୟତୀତ ଅନ୍ୟ ରସଯୁକ୍ତ କବିତା ରଚନା ନକରିବା ତାଙ୍କର ବିଶେଷତ୍ବ ଥିଲା।ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥରେ ଜ୍ୟୋତିର୍ବିଜ୍ଞାନ ସମ୍ବନ୍ଧୀୟ ରଚନା ବ୍ୟତୀତ ଅନ୍ୟ ସମସ୍ତ ଶ୍ଲୋକ ଭଗବାନଙ୍କ ଆରାଧନା ପାଇଁ ରଚିତ ହୋଇଥିଲା।ଭଗବତ୍ ପ୍ରେମ ବ୍ୟତୀତ ପିତା,ମାତା,ଦୀକ୍ଷାଗୁରୁ ଓ ଶିକ୍ଷାଗୁରୁ ମାନଙ୍କପ୍ରତି ତାଙ୍କର ଅଚଳା ଭକ୍ତି ଏବଂ ସମର୍ପଣ ଭାବ ଥିଲା।ଗୁରୁଙ୍କୁ ସେ ଯେଉଁ ସ୍ଥାନରେ ଦେଖୁଥିଲେ,ଧୂଳି,କାଦୁଅ ବା ଘାସ ପତ୍ର,ଯାହାକିଛିଥାଉ ,ସେଠାରେ ତତ୍କାଳ ଦଣ୍ଡପ୍ରଣାମ କରୁଥିଲେ।ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥ ରଚନାର ଆରମ୍ଭରେ ସେ ପ୍ରଥମେ ଗୁରୁ ଓ ପିତାଙ୍କୁ ପ୍ରଣାମ କରି ସେମାନଙ୍କର ଅନୁଗ୍ରହ ପ୍ରାର୍ଥନା କରିଛନ୍ତି।ବ୍ରାହ୍ମଣ ମାନଙ୍କପ୍ରତି ତାଙ୍କର ପରମ ଭକ୍ତିଥିଲା।ଅନ୍ତଃଶୁଦ୍ଧି ସହିତ ବାହ୍ୟଶୁଦ୍ଧି ମଧ୍ୟ ତାଙ୍କ ଚରିତ୍ରର ବିଶେଷତ୍ବ ଥିଲା।ବିଭିନ୍ନ କାର୍ଯ୍ୟ ସମୟରେ ସେ ଭିନ୍ନ ଭିନ୍ନ ବସ୍ତ୍ର ପରିଧାନ କରୁଥିଲେ ଯଥା ଶେଯଛୁଆଁ ଲୁଗା,ଦିନପିନ୍ଧା ଲୁଗା,ପୋଖରୀଛୁଆଁ ଲୁଗା,ଦେବାର୍ଚ୍ଚନା ଲୁଗା ଇତ୍ୟାଦି।ଉଚ୍ଛିଷ୍ଟଦୋଷ,ସ୍ପର୍ଶଦୋଷ,ଓ ଲେପଦୋଷ;ଏହି ତିନୋଟି ଦୋଷ ଯେ ପାଳନ ନକରେ ସେ ପ୍ରକୃତ ହିନ୍ଦୁ ନୁହେଁ ବୋଲି ତାଙ୍କର ମତ ଥିଲା।ସେ “ନିତ୍ୟାଚାର ପଦ୍ଧତି”,ଏବଂ “ସୂରିସର୍ବସ୍ବ”ପ୍ରଭୃତି ଶାସ୍ତ୍ର ଅନୁସାରେ ସବୁପ୍ରକାର କର୍ମ ଅନୁଷ୍ଠାନ କରୁଥିଲେ।ଜପ,ଧ୍ୟାନ ପୂର୍ବରୁ ପ୍ରଥମେ ଜଳଶେଚନ କରି ଚେଳାସନଓ ସ୍ବସ୍ତିକାସନରେ ବସି ଜପ,ଧ୍ୟାନ କରୁଥିଲେ।ଦୁର୍ବଳ ଶରୀରସତ୍ବେ ହିନ୍ଦୁଧର୍ମର ସମସ୍ତ ବ୍ରତ,ଉପବାସ ଆଦି ସେ ଯଥାବିଧି ପାଳନ କରୁଥିଲେ।ଶିବରାତ୍ରୀ ସମୟରେ ସାରାରାତି ଉଜାଗରରହି ବ୍ରାହ୍ମଣମାନଙ୍କସହିତ ଶ୍ଲୋକପାଠ ଓ ତର୍ଜମାକରି ସେ ଜାଗର ଜାଳୁଥିଲେ।ଘରେହେଉ ବା ବାହାରେ ହେଉ,କୌଣସି ଧର୍ମକାର୍ଯ୍ୟ କଲାବେଳେ ସେ ଶାସ୍ତ୍ରର ସମସ୍ତ ନିୟମ ପାଳନ କରୁଥିଲେ।
କ୍ରମଶଃ……….