Wednesday, February 28, 2024
Stories

ସାମନ୍ତ ସ୍ମରଣେ(୧୬)

ସାମନ୍ତ ସ୍ମରଣେ
……….୧୬……..
ବନ୍ଧୁ ସାଆନ୍ତଙ୍କ ଚିନ୍ତା
(An  account of the life and work of Samanta Chandrasekhar,the wonder Astronomer of 19th century)
……………………….
ମହାପୁରୁଷ ମାନଙ୍କର ସଂସାର ପ୍ରତି ଉଦାସୀନତା କିଛି ନୂଆ କଥା ନୁହେଁ।ଯଶୋଧାରାଙ୍କର ପରମ ସୌନ୍ଦର୍ଯ୍ୟ ଗୌତମଙ୍କୁ ସଂସାର ବନ୍ଧନରେ ବାନ୍ଧି ପାରି ନଥିଲା।ଗୌରାଙ୍ଗ ମହାପ୍ରଭୁଙ୍କୁ ମଧ୍ୟ କାମିନୀ କାଞ୍ଚନ ମୋହ ସଂସାର ମାୟାରେ ଛନ୍ଦି ପାରି ନଥିଲା।ଏକଥା ଭାବି ଭାବି ଚନ୍ଦ୍ରଶେଖରଙ୍କ ପିତା ଶ୍ୟାମବନ୍ଧୁ(ବନ୍ଧୁ ସାଆନ୍ତେ) ବଡ ଚିନ୍ତିତ ଥିଲେ;କାରଣ ବିବାହ ପରେ ପାଞ୍ଚ ବର୍ଷ ବିତି ଯାଇଥିଲେ ମଧ୍ୟ ଚନ୍ଦ୍ରଶେଖର ଘର ସଂସାରପ୍ରତି ଆଗ୍ରହ ଦେଖାଉ ନଥିଲେ।ଚନ୍ଦ୍ରଶେଖରଙ୍କ ଅଧିକାଂଶ ସମୟ ଆକାଶରେ ଗ୍ରହ,ନକ୍ଷତ୍ର ମାନଙ୍କ ପର୍ଯ୍ୟବେକ୍ଷଣ ଓ ଗବେଷଣାରେ କଟିଯାଉଥିଲା।ବାକି ସମୟ ପଠନ,ପାଠନ,ଦେବାର୍ଚ୍ଚନା,କୋଷ୍ଠି /ଜାତକ ତିଆରି ତଥା ସଂସ୍କୃତ/ସାହିତ୍ୟ ଆଲୋଚନା ଇତ୍ୟାଦିରେ କଟିଯାଉଥିଲା।ଏଣେ ନବବଧୂ ସୀତାଦେବୀ ଦେବୋପମ ପତି ପାଇ ନିଜକୁ ଧନ୍ୟା ମନେକରି ଅନେକ ଭକ୍ତିଗ୍ରନ୍ଥ ଓ ପୁରାଣ ପାଠରେ ନିଜକୁ ସଂପୂର୍ଣ୍ଣ ନିୟୋଜିତ କରି ପରମ ଆନନ୍ଦ ଲାଭ କରୁଥିଲେ।ପାରିବାରିକ ସମ୍ଭୋଗ କଥା ତାଙ୍କ ମନକୁ ସ୍ପର୍ଶ କରୁନଥିଲା।ପରିବାରର ସମସ୍ତ ଦାୟିତ୍ବ ତାଙ୍କଉପରେ ନ୍ୟସ୍ତ ଥିଲା।
ଏକମାତ୍ର ପୁତ୍ର ଏବଂ ନବବଧୂଙ୍କର ଏପ୍ରକାର ଦାମ୍ପତ୍ୟ ସମ୍ଭୋଗ ପ୍ରତି ଉଦାସୀନତା ପିତା ଶ୍ୟାମବନ୍ଧୁଙ୍କୁ ଚିନ୍ତିତ କରି ପକାଇ ଥିଲା।ଶ୍ୟାମବନ୍ଧୁଙ୍କର ମନେପଡିଗଲା କିପରି ବିଗତ ଦିନରେ ଅପତ୍ୟହାନୀ ପରେ ପୁଅଟିଏ ପାଇବାପାଇଁ ସେ ସସ୍ତ୍ରୀକ କେତେ ପୂଜା,ପାଠ ଓଷା,ଉପାସ,ଦେବାର୍ଚ୍ଚନା ଇତ୍ୟାଦି କରିବା ପରେ ପ୍ରଭୁ ଶିବଙ୍କ କୃପାରୁ ଚନ୍ଦ୍ରଶେଖରଙ୍କୁ କୋଳରେ ପାଇଛନ୍ତି।ସେହି ପୁତ୍ର ଆଜି ସଂସାରପ୍ରତି ଉଦାସୀନତା ଦେଖାଇଲେ ତାଙ୍କର ବଂଶରକ୍ଷା ହେବ କିପରି?
ଏଣେ ସାଇ ପଡିଶା,ଗାଁ ଗଣ୍ଡାରେ ଲୋକେ ଚନ୍ଦ୍ରଶେଖର ଓ ସୀତାଦେବୀଙ୍କ ପୁରୁଷତ୍ବ ଓ ମାତୃତ୍ବ-ଶକ୍ତି ଉପରେ ସନ୍ଦେହ ପ୍ରକାଶ କରିବା ଆରମ୍ଭ କରିଦେଲେଣି।ଶ୍ୟାମବନ୍ଧୁ ମନେକଲେ ଯେ ଆଉ ଅପେକ୍ଷା ନକରି ପଠାଣିଙ୍କୁ ତାଙ୍କର ବଂଶରକ୍ଷା ଦାୟିତ୍ବ ବିଷୟରେ ସଚେତନ କରାଇ ଦେବା ଉଚିତ।ତା ନହେଲେ ସେ ସେମିତି ମହାକାଶରେ ଗ୍ରହ,ତାରାଙ୍କ ମଧ୍ୟରେ ବିଚରଣ କରୁଥିବେ।
ଚନ୍ଦ୍ରଶେଖରଙ୍କୁ ପାଖକୁ ଡାକି ସଂଭ୍ରମତାର ସହିତ ଶ୍ୟାମବନ୍ଧୁ କହିଲେ”ମୋର ଅପତ୍ୟହାନୀ ପରେ ତୁମେ ମୋର ଏକମାତ୍ର କୁଳ ପ୍ରଦୀପ।କିନ୍ତୁ ତୁମେ ସର୍ବଦା ଆକାଶ ମାର୍ଗରେ ବିଚରଣ କଲେ ମୋର ବଂଶରକ୍ଷା ହୋଇପାରିବଟି?ଏପରି କରିବାଦ୍ବାରା ପିତୃଲୋକରେ ମଧ୍ୟ ତୁମେ ଅକ୍ଷମଣୀୟ ହୋଇ ରହିବ।ଆଜିଠାରୁ ମୋର ପାଦଛୁଇଁ ପ୍ରତିଜ୍ଞାକର ଯେ ତୁମେ ବଂଶରକ୍ଷା କାର୍ଯ୍ୟରେ ବ୍ରତୀ ହେବ”
ସାମନ୍ତ ପିତାଙ୍କ ଉଦ୍ବେଗର କାରଣ ବୁଝିପାରି ସଲ୍ଲଜ ମୁଖରେ ବିଦାୟ ନେଲେ।ସୀତାଦେବୀଙ୍କ ସହିତ ମଧୁମୟ ଦାମ୍ପତ୍ୟ ଜୀବନ ଅତିବାହିତକରି ପାଞ୍ଚଗୋଟି ପୁତ୍ର ଓ ଛଅଗୋଟି କନ୍ୟାଙ୍କର ଜନକ ହୋଇଥିଲେ।ପତ୍ନୀଙ୍କର ଅଗାଧ ସ୍ନେହ,ଭକ୍ତି ଓ ସହଯୋଗ ହେତୁ ତାଙ୍କ ଗବେଷଣାରେ ତିଳେମାତ୍ର ବାଧା,ବିଘ୍ନ ଆସିନଥିଲା।
କ୍ରମଶଃ…………

Click to rate this post!
[Total: 0 Average: 0]

Leave a Reply