Wednesday, February 21, 2024
Stories

ମୋ ଗାଁ ମୋ ଘର (୯)

ମୋ’ଗାଁ ମୋ ଘର

================================
ପୁଣି ଚାଖିଆ ଲେଉଟିଲା।
=================================
ସ୍ବାଧୀନତା ସଂଗ୍ରାମରେ ଯୋଗ ଦେବାରୁ ନନାଙ୍କ ଚାକିରୀ ଚାଲିଗଲା। ଖଣ୍ଡପଡ଼ା ଛାଡ଼ିବା ବେଳେ ହାତରେ ଥିଲା ୨୪ଇଞ୍ଚିଆ ହର୍କ୍ୟୁଲସ୍ ସାଇକେଲଟି ଏବଂ ହୋମିଓପାଥି ବାକ୍’ସ। ଶୁଣାଯାଏ ସେ ଯେତେବେଳେ ଷ୍ଟେଟ୍ ଛାଡ଼ିଲେ ଖବର ପାଇ ରାଜକର୍ମଚାରୀମାନେ ରାଜ୍ୟସୀମା ପର୍ଯ୍ୟନ୍ତ ତାଙ୍କର ପିଛା କରିଥିଲେ। କିନ୍ତୁ ସେମାନଙ୍କ ହାତରୁ ଖସିଯାଇ ସୀମା ପାର ହେବାରେ ତାଙ୍କୁ ସାଇକେଲଟି ସାହାଯ୍ୟ କରିଥିଲା। ପୈତୃକ ଗାଁ ଦିବ୍ୟସିଂହ ପୁରରେ ପହଞ୍ଚି ସେଠାରେ ସେ ପରବର୍ତ୍ତୀ ୯ବର୍ଷ ଅନେକ ବାଧାବିଘ୍ନ ସହିତ ଲଢେ଼ଇ କରିଥିଲେ। ଆୟୁର୍ବେଦ ଚିକିତ୍ସା ସଙ୍ଗେ ସଙ୍ଗେ ହୋମିଓପାଥି ଚିକିତ୍ସା ମଧ୍ୟ ନନାଙ୍କୁ ଭଲ ଭାବରେ ଜଣାଥିଲା। ଏହି ବିଦ୍ୟା ଯୋଗୁଁ ଚାକିରି ହରାଇଥିଲେ ମଧ୍ୟ ସେ କୌଣସି ପ୍ରକାରେ ଘର ସଂସାର ଚଳେଇ ନେଉଥିଲେ। ୧୯୩୯ ମସିହାରୁ ୧୯୪୮ ମସିହା ପର୍ଯ୍ୟନ୍ତ ସେ ଅକଥନୀୟ ଦାରିଦ୍ର୍ୟର ଶିକାର ହୋଇଥିଲେ। କିଛିମାସ ଘରୋଇ କଳାଙ୍ଗ ଏମ ଇ ସ୍କୁଲରେ ଏବଂ ବିଛି ବର୍ଷ ବୋଲଗଡ଼ ଉଚ୍ଚ ବିଦ୍ୟାଳୟରେ(ଘରୋଇ) ଶିକ୍ଷକତା କରିଥିଲେ।ଖଣ୍ଡପଡାରେ ସ୍କୁଲ୍ ସବ୍ ଇନ୍ସପେକ୍ଟର ଥିଲାବେଳେ ମାସିକ ୫୦/୬୦ ଟଙ୍କା ଦରମା ଥିଲା।ବୋଲଗଡରେ ଶିକ୍ଷକତା ସମୟରେ ତାହା କମିଯାଇ ମାସିକ ୧୩ ଟଙ୍କାକୁ ଆସିଗଲା। ସେହି ସମୟରେ ପିତୃବିୟୋଗ;ମୁଣ୍ଡ ଉପରୁ ବରଗଛ ଛାଇ ସତେ ଯେମିତି ଅପସରି ଗଲା।

ସ୍ବାଧୀନତା ସଂଗ୍ରାମର ମଶାଲ ଧରି ମହାତ୍ମା ଗାନ୍ଧୀ ସେ ସମୟରେ ଓଡ଼ିଶା ଆସି,୧୯୩୪ ମସିହାରେ ମେ’ ମାସ ୫ ତାରିଖ ରୁ ୧୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପଦଯାତ୍ରା କରିଥିଲେ।ନନା କହନ୍ତି,ମେ’ମାସ ଆଠ ତାରିଖରେ ଗାନ୍ଧୀଜୀ ପୁରୀରେ ପହଞ୍ଚି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ମୂର୍ତ୍ତି ଉନ୍ମୋଚନ କରିଥିଲେ ଏବଂ ପୁରୀରୁ କଟକ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ସେହି ପଦଯାତ୍ରାରେ ନନା ଯୋଗ ଦେଇଥିଲେ।

ସ୍ବାଧୀନତା ସଂଗ୍ରାମରେ ଯୋଗଦେଇ ନନା ଚାକିରି ହରାଇ ବହୁକୁଟୁମ୍ବୀ ପରିବାର ଚଳାଇବା ପାଇଁ ଏକ ପ୍ରକାର କାଙ୍ଗାଳ ଜୀବନ ଯାପନ କରିଥିଲେ ମଧ୍ୟ ସ୍ବାଧୀନତା ପରେ ସଂଗ୍ରାମୀ ପେନସନ ପାଇବାପାଇଁ ଦଉଡ଼ି ଦଉଡ଼ି ତାଙ୍କ ଚପଲ ଘୋରି ହୋଇଯାଇଥିଲା,କାରଣ ଷ୍ଟେଟ୍ ଛାଡି ଚାଲିଯାଇଥିବାରୁ ତାଙ୍କର ଜେଲ୍ ରେକର୍ଡ ନଥିଲା।ପ୍ରଥମେ କିଛିଦିନ ପେନସନ ପାଇବାପରେ ଜେଲ୍ ରେକର୍ଡ ଦେଇନପାରିବାରୁ ତାଙ୍କ ପେନସନ ନାକଚ ହୋଇଯାଇଥିଲା। ଅପର ପକ୍ଷରେ ଚୋରି ହାରି କରି ଜେଲ୍ ଯାଇଥିବା କିଛି ବ୍ୟକ୍ତି ଜେଲ୍ ରେକର୍ଡ ବଳରେ ସଂଗ୍ରାମୀ ପେନସନ୍ ପାଇବାରେ ସମର୍ଥ ହୋଇଥିଲେ ବୋଲି ଶୁଣାଯାଏ।ଅବଶ୍ୟ ସ୍ବର୍ଗତ ରଘୁନାଥ ସିଂହ ସାମନ୍ତଙ୍କ ସୁପାରିଶ ଯୋଗୁଁ ଜୀବନର ଶେଷ ସମୟରେ ନନାଙ୍କର ସ୍ବାଧୀନତା ସଂଗ୍ରାମୀ ପେନସନ ମଞ୍ଜୁର ହୋଇଥିଲା। ମନେଅଛି, ଯେଉଁଦିନ ସେ ଶେଷ ନିଶ୍ବାସ ଛାଡ଼ିଲେ ସେଦିନ ସକାଳେ ମଞ୍ଜୁରି କାଗଜ ଘରେ ପହଞ୍ଚିଲା।ନନା କୋମାରେ ଥିଲେ; ତେଣୁ ପେନସନ ମଞ୍ଜୁରି କଥା ସେ ଜାଣିପାରି ନଥିଲେ।

ଟିକିଏ ପଛକୁ ଯାଇ ସ୍ବାଧୀନତା ସଂଗ୍ରାମ ସମୟରେ ଅଟକିବା। ୧୯୪୭ ମସିହାରେ ଦେଶ ସ୍ଵାଧୀନତା ପାଇଲା। କିନ୍ତୁ ୧୫ ଅଗଷ୍ଟ,୧୯୪୭ ମସିହାରେ ଖଣ୍ଡପଡ଼ା ସ୍ବାଧୀନ ହୋଇ ନଥିଲା। ବ୍ରିଟିଶ ସରକାର ଦେଶ ଛାଡି ଚାଲି ଯିବା ସମୟରେ କଳିର ମଞ୍ଜି ପୋତିଦେଇ ଗଲେ। ଭାରତୀୟ ୟୁନିୟନ ସହିତ ମିଶିବା ନମିଶିବା ନିଷ୍ପତ୍ତି ସେମାନେ ଦେଶୀୟ ରାଜାମାନଙ୍କ ଉପରେ ଛାଡ଼ିଦେଇ ଗଲେ। ହାଇଦ୍ରାବାଦ,ଜୁନାଗଡ଼, କାଶ୍ମୀର ଭଳି ଅନେକ ବଡ଼ ରାଜ୍ୟ ଭାରତୀୟ ୟୁନିୟନ ସହିତ ଯୋଗ ଦେବାପାଇଁ ରାଜି ହେଲେ ନାହିଁ। ସେମାନଙ୍କ ସହିତ ମଧ୍ୟ ଅନେକ ଛୋଟ ଛୋଟ ରାଜ୍ୟ ନିଜର ସାର୍ବଭୌମତ୍ବ ବଜାୟ ରଖି ସ୍ବତନ୍ତ୍ର ଦେଶ ଭାବେ ରହିବାପାଇଁ ନିଷ୍ପତ୍ତି ନେଲେ। ସେଭଳି ରାଜ୍ୟମାନଙ୍କ ମଧ୍ୟରେ ଖଣ୍ଡପଡ଼ା ଅନ୍ୟତମ ଥିଲା। ଏହି ଦେଶୀୟ ରାଜ୍ୟମାନଙ୍କୁ ଭାରତୀୟ ସଂଘ ସହିତ ମିଶାଇବା ପାଇଁ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଯେଉଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ ଇତିହାସ ତାର ସାକ୍ଷୀ। ଡିସେମ୍ବର ମାସ ୧୯୪୭ ମସିହାରେ କଟକ ବାରବାଟି ଷ୍ଟାଡିୟମଠାରେ, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅଧ୍ୟକ୍ଷତାରେ ଦେଶୀୟ ରାଜ୍ୟ ମାନଙ୍କର ଯେଉଁ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା ସେ ବୈଠକରେ ଅନ୍ୟ ଅନେକ ଗଡ଼ଜାତ ରାଜାଙ୍କ ସହିତ ଖଣ୍ଡପଡ଼ା ରାଜା ହରିହର ସିଂହ ମଧ୍ୟ ନିଜ ରାଜ୍ୟ ଖଣ୍ଡପଡ଼ାକୁ ଭାରତୀୟ ସଂଘ ସହିତ ଯୋଡିବା ପାଇଁ ସ୍ବାକ୍ଷର କରିଥିଲେ। ହାଇଦ୍ରାବାଦ ଓ ଜୁନାଗଡ ଭଳି ଟାଣୁଆ ରାଜ୍ୟକୁ ସାମରିକ ପଦକ୍ଷେପ ନେଇ ଭାରତୀୟ ସଂଘ ସହିତ ଯଦି ମିଶାଇ ଦିଆ ଯାଇ ପାରିଲା; ସେମାନଙ୍କ ତୁଳନାରେ ଖଣ୍ଡପଡ଼ା ଭଳି କ୍ଷୁଦ୍ର ରାଜ୍ୟ ବା କ’ଣ !

ଯେଉଁ ସଭାରେ ଓଡ଼ିଶାର ଦେଶୀୟ ରାଜାମାନଙ୍କର ମୁକୁଟ ବାରବାଟି ଠାରେ ଭୂଲୁଣ୍ଠିତ ହେଲା, ସେହି ସଭାର ଚିତ୍ରୋତ୍ତୋଳନ ଦାୟିତ୍ଵ କବିଚନ୍ଦ୍ର କାଳୀଚରଣଙ୍କୁ ଦିଆ ଯାଇଥିଲା। କବିଚନ୍ଦ୍ର ତାଙ୍କ ‘କୁମ୍ଭାରଚକ’ ପୁସ୍ତକରେ ଲେଖିଛନ୍ତି…..

” ଲାଲବାଗ୍; କାଠଯୋଡ଼ି କୂଳରେ ସେ ପୁରୁଣା କମିଶନର୍ କୋଠି।ପ୍ରଶସ୍ତ ହଲ୍’ର ଚାରିପଟେ ଚଉକି।ଗୋଟି ଗୋଟି ହୋଇ ଓଡିଶା ଫ୍ୟୁଡେଟୋରି ଷ୍ଟେଟର ରାଜାମାନେ, କେତେ ବସିଥାନ୍ତି,କେତେ ଆସୁଥାନ୍ତି।ମୋର ଆଖି ଆଉ ଅନାଇଁ ପାରୁନଥାଏ। ଏହି ରାଜାମାନଙ୍କ ଭିତରୁ ଅନେକଙ୍କ ସାଙ୍ଗରେ ମୋର ଖୁବ୍ ଜଣାଶୁଣା ଥିଲା।କେତେ ରାଜା ମତେ ଗାୟକ ରୂପେ,ସଙ୍ଗୀତଜ୍ଞ ରୂପେ କେତେ ସାହାଯ୍ୟ ସହାନୁଭୂତି ଦେଇ ଉତ୍ସାହିତ କରିଛନ୍ତି ।ଏଇ ଓଡ଼ିଶାର ରାଜା ତ ପୁଣି ଶ୍ରୀମନ୍ଦିର, କୋଣାର୍କ ଗଢିଛନ୍ତି। ହଁ, ଏକଥା ସତ ଯେ ଏଥିରୁ କେହି କେହି ଅତ୍ୟାଚାରୀ ଥିଲେ। କିନ୍ତୁ ପାଞ୍ଚ ଆଙ୍ଗୁଠି କଣ ସମାନ ବୋଲି ବିଚାରିବା ?
କିଛି ବେଳ ପରେ ସର୍ଦ୍ଦାର ପଟେଲ୍ ଆସିଲେ।ଅଳ୍ପ କଥାବାର୍ତ୍ତା ପରେ ରାଜ୍ୟ ହସ୍ତାନ୍ତର ଲାଗି ସ୍ବୀକୃତି ପତ୍ରରେ ଗୋଟି ଗୋଟି କରି ରାଜାମାନେ ସ୍ବାକ୍ଷର କଲେ। ନକରି ଆଉ ଗତ୍ୟନ୍ତର କଣ ?କେବଳ ମୟୂରଭଞ୍ଜ ରାଜା ରାଜି ହେଲେ ନାହିଁ। ସର୍ଦ୍ଦାରଙ୍କ ଏକା କଲମ ଗାରରେ ପରମ୍ପରା ମଥାରେ କୁରାଢି ଚୋଟ ବାଜିଲା।୧୯୪୭ ଡିସେମ୍ବର ୧୩ ତାରିଖ ଦିନ ଓଡ଼ିଶାର ଏକ ଐତିହାସିକ ପରିବର୍ତ୍ତନ ଘଟିଲା।ଓଡିଶା ରାଜାମାନଙ୍କ ମଥାରୂ ମୁକୁଟ ଖସି ପଡିବା ସମୟର ମୂକସାକ୍ଷୀ ମୁଁ।”

୧୯୪୮ ମସିହା, ଜାନୁଆରୀ ମାସରେ ଖଣ୍ଡପଡ଼ା ରାଜତନ୍ତ୍ରରୁ ସ୍ବାଧୀନତା ପାଇଲା।ଦେଶ ସ୍ବାଧୀନ ହେବାପରେ ନନାଙ୍କୁ ଖଣ୍ଡପଡ଼ା ଫେରିବା ପାଇଁ ଆଉ କିଛି ବାଧା ନଥିଲା।ତା ପୂର୍ବରୁ ୧୯୪୪ ମସିହାରେ ରାଜା ହରିହର ସିଂହ,ଖଣ୍ଡପଡାରେ ରାମଚନ୍ଦ୍ର ମଧ୍ୟ ଇଂରାଜୀ ବିଦ୍ୟାଳୟକୁ ସମ୍ପ୍ରସାରିତ କରି ରାମଚନ୍ଦ୍ର ଉଚ୍ଚବିଦ୍ୟାଳୟ ପ୍ରତିଷ୍ଠା କରିସାରିଥାନ୍ତି। ବିଦ୍ୟାଳୟଟି ସିନା ପ୍ରତିଷ୍ଠା ହୋଇଗଲା, ଶିକ୍ଷା ଦେବାପାଇଁ ଉପଯୁକ୍ତ ଗୁଣୀ ଶିକ୍ଷକ ମାନଙ୍କର ଆବଶ୍ୟକତା ପଡ଼ିଲା।ହରିହର ସିଂହ ନନାଙ୍କ ଶିକ୍ଷାଦାନ ଦକ୍ଷତା ବିଷୟରେ ଭଲ ଭାବରେ ଜାଣିଥିଲେ। ଅଗତ୍ୟା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଭାବେ ଯୋଗ ଦେବାପାଇଁ ରାଜା ନନାଙ୍କୁ ଆମନ୍ତ୍ରିତ କଲେ।

ମଳୁ ଲୋଡୁଥିଲା କାକରପାଣି/ବଇଦ ବୋଇଲା ଦିଅ ତୋରାଣି।ଖଣ୍ଡପଡ଼ାରୁ ଦୂରେଇ ରହି ନନାଙ୍କ ମନ ଛଟପଟ ହେଉଥିଲା।ଢୁମ୍ପା ସଙ୍ଗୀତ ଆସର,ଡ୍ରାମା ପେଣ୍ଡାଲ୍, ସାଂସ୍କୃତିକ କାର୍ଯ୍ୟକ୍ରମ, ବଣଭୋଜି ଏବଂ ଗଞ୍ଜପା (ଏକ ପ୍ରକାର ଖେଳ)ପାଲିର ଡ଼ାକ ତାଙ୍କୁ ବ୍ୟତିବ୍ୟସ୍ତ କରୁଥିଲା।ଖଣ୍ଡପଡ଼ା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ସହକାରୀ ଶିକ୍ଷକ ପଦ ପାଇଁ ନିଯୁକ୍ତି ପତ୍ର ପାଇ ନନା ଦିବ୍ୟସିଂହ ପୁର ଛାଡି ଖଣ୍ଡପଡ଼ା ଫେରିଆସିଲେ।ନନାଙ୍କ ପ୍ରତ୍ୟାବର୍ତ୍ତନରେ ଖଣ୍ଡପଡ଼ାରେ ଥିବା ବୁଦ୍ଧିଜୀବୀ ଓ ସଂସ୍କୃତି/ସାହିତ୍ୟ ପ୍ରେମୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଗଲା।
“ଢୁମ୍ପା ସଙ୍ଗୀତ” ଏବଂ “ଗଞ୍ଜପା ଖେଳ” ଉପରେ କିଛି ପାଠକଙ୍କ ମନରେ ପ୍ରଶ୍ନ ଉଠିଛି। ପରବର୍ତ୍ତୀ ଅଧ୍ୟାୟରେ ତାହା ଆଲୋଚନା କରିବା।

କ୍ରମଶଃ….

Click to rate this post!
[Total: 0 Average: 0]

Leave a Reply