Monday, May 20, 2024
Stories

ମୋ ଗାଁ ମୋ ଘର (୫)

ମୋ ଗାଁ ମୋ ଘର

================================
ଛୋଟ କାନି, ନାଁ ପିନ୍ଧାକୁ ନାଁ ଦୋସଡାକୁ
================================
ଦେଶରେ ବ୍ରିଟିଶ ଶାସନ,ରାଜ୍ୟରେ ରାଜୁଡା;କିଏ କାହିଁକି ଦୁଃଖ ବୁଝିବେ ପ୍ରଜାଙ୍କର !ଶିକ୍ଷା ନାଆଁରେ ଥିଲା କେତୋଟି ସଂସ୍କୃତ ଟୋଲ୍ ଏବଂ ଲୋୟର ପ୍ରାଇମେରୀ ଆଶ୍ରମ ସ୍କୁଲ୍।ଉଚ୍ଚ ଇଂରାଜୀ ବିଦ୍ୟାଳୟ ସେତେବେଳେ ଖଣ୍ଡପଡ଼ାରେ ନଥିଲା।ସାଧାରଣ ଲୋକଙ୍କ ପାଇଁ ଉଚ୍ଚ ଶିକ୍ଷା ଅର୍ଥ ‘ମାଟ୍ରିକ ପାଶ୍’। ସେଥିପାଇଁ ସମ୍ବଳ କି ସୁବିଧା ନଥିଲା। ତେଣୁ ସେ ସମୟରେ ଉଚ୍ଚ ଶିକ୍ଷା କହିଲେ..”ଅମର ଜୁମର ନିଠେଇ ଘୋଷ/ଆଉ ସବୁପାଠ ଚାଳରେ ଖୋସ।”ଏଠାରେ ଅମର ଅର୍ଥ ଅମର କୋଷ ଏବଂ ଜୁମର ଅର୍ଥ ଜୁମର ବ୍ୟାକରଣ। ଗାଁରେ କେତୋଟି ଚାଟଶାଳୀ ଘର ଥିଲା। ସେଠାରେ ଅ ଆ ,କ ଖ ଏବଂ ପଚିଶି’କ ପଣିକିଆ ଶିକ୍ଷା ଦିଆ ଯାଉଥିଲା। ପଠାଣି ସାଆନ୍ତେ ଯେଉଁ ବାଲ୍ୟ ଗୁରୁଙ୍କ ପାଖରେ ଖଡିଛୁଆଁ କରିଥିଲେ(୧୯୩୭-୩୮ ମସିହାରେ) ସେ କେବଳ ଦଶକ ପର୍ଯ୍ୟନ୍ତ ପଣିକିଆ ଜାଣିଥିଲେ।ସାମନ୍ତଙ୍କ ମଧ୍ୟମପୁତ୍ର ଗଦାଧର ସିଂହ ସାମନ୍ତ “ଶୋକ ଶତକ” ନାମକ କବିତାରେ ପିତାଙ୍କ ପ୍ରତି ଉଲ୍ଲେଖ କରିଛନ୍ତି..”ହେଲ କୃତିବାସ ରଥଙ୍କର ଶିଷ୍ୟ ପ୍ରଥମ ପାଠେ ଆପଣ/ଦଶକ ପର୍ଯ୍ୟନ୍ତ ପଣିକିଆ ମାତ୍ର ଜାଣିଥିଲେ ସେ ବ୍ରାହ୍ମଣ।” ଏହା ଏଠାରେ ଉଲ୍ଲେଖ କରିବାର କାରଣ, ଏପରି ଥିଲା ସେ ସମୟରେ ଖଣ୍ଡପଡ଼ାରେ ଶିକ୍ଷାର ଅବସ୍ଥା।ମୋ ନନା(ପିତା) ମାଇନର ପାସ କରିବା ପରେ ତାଙ୍କ ଉଚ୍ଚ ଶିକ୍ଷା ପାଇଁ ଜେଜେବାପାଙ୍କୁ ଚିନ୍ତା ମାଡ଼ି ବସିଲା।କଣ କରିବେ ! ମାଟ୍ରିକ ପଢେଇବାକୁ ହେଲେ ପୁଅକୁ ବାଙ୍କୀ ପଠାଇବାକୁ ପଡିବ।ହଷ୍ଟେଲରେ ରହି ପାଠ ପଢିଲେ ଅତି କମରେ ୭/୮ଟଙ୍କା ମାସିକ ଖର୍ଚ୍ଚ ଆସିବ। ପଣ୍ଡିତଙ୍କର ମାସିକ ଦରମା ଦଶଟଙ୍କା। ସେଥିରୁ ଆଠଟଙ୍କା ଦେଇଦେଲେ ଘର ଖର୍ଚ୍ଚ କେମିତି ଚଳିବି ? ତଥାପି ପରିବାରର ସୁଖ ଶାନ୍ତିକୁ ପୁଅର ଭବିଷ୍ୟତ ଗଢିବା ପାଇଁ ସେ ଜଳାଞ୍ଜଳି ଦେଇଥିଲେ।ନିଜ ମାସିକ ଦରମା ୧୦ ଟଙ୍କାରୁ ଆଠ ଟଙ୍କା ସେ ପୁଅ ପାଖକୁ ପଠାଇ ଦେଇ ବଳକା ତିନି ଟଙ୍କାରେ ଘର ସଂସାର ଚଳାଇଥିଲେ।

ସେ ସମୟରେ ଲୋକେ ରୋଗ ବଇରାଗରେ ପଡିଲେ ଚିକିତ୍ସା ପାଇଁ ଖଣ୍ଡପଡ଼ାରେ ଡାକ୍ତର ଖାନା ନଥିଲା।ଥରେ ହଇଜା ପଡ଼ିଲେ ପୋକ ମାଛି ପରି ଲୋକ ମରୁଥିଲେ।ଦଶ ପନ୍ଦର ଦିନ ଭିତରେ ଗୋଟିଏ ଗୋଟିଏ ଗାଁ ସଫା ହୋଇଯାଉଥିଲା। ମଶାଣିରୁ ନିଆଁ ଲିଭୁନଥିଲା। ଏକମାତ୍ର ଉପାୟ ଥିଲା ଠାକୁରାଣୀକୁ ପଣା ପାଣି ଦେଇ ସନ୍ତୁଷ୍ଟ କରିବା।

ଏହା ତ ଜେଜେ ବାପାଙ୍କ ଅମଳର କଥା।ଆମ ସମୟର ଗୋଟିଏ କଥା ମନେ ପଡୁଛି।ଦେଶ ସ୍ବାଧୀନ ହୋଇଥିଲେ ମଧ୍ୟ ଏବଂ ଶିକ୍ଷା କ୍ଷେତ୍ରରେ କିଛିଟା ଉନ୍ନତି ହୋଇଥିଲେ ମଧ୍ୟ ଅନ୍ଧବିଶ୍ୱାସ ଯାଇନଥାଏ।୧୯୫୫ ମସିହା କଥା।ଥରେ ତଅଁଳା ସାଇ ମୁଣ୍ଡରେ ଜଣକୁ ଠାକୁରାଣୀ ଲାଗିଥାନ୍ତି। ଠାକୁରାଣୀ ଲାଗିବା ବ୍ୟକ୍ତିକୁ(ପୁରୁଷ/ସ୍ତ୍ରୀ) କାଳିସୀ କୁହାଯାଏ।ସେଦିନ ଗୋଟିଏ ମଧ୍ୟମ ବୟସର ସ୍ତ୍ରୀଲୋକ (୩୦ ରୁ ୩୫ ବର୍ଷର)ଲୁଗାପଟା ଅସ୍ତବ୍ୟସ୍ତ କରି,ବାଳ ମୁକୁଳା କରି “ଖାଇବି,ଖାଇବି” କହି ଡେଉଁଥାଏ।ସେ ସ୍ଥାନରେ ପ୍ରବଳ ଭିଡ଼ ଜମିଯାଇଥାଏ। ତା’ ପାଖରେ ପଣା ପାଣି ଯାହା ସବୁ ରଖାଯାଉଥାଏ,ଢକ ଢକ କରି ପିଇ ଯାଉଥାଏ।ହାତରେ ଥାଏ ତାର ଗୋଟିଏ ବେତ। ଲୋକମାନେ (ଗୁହାରିଆ) ଯେ ଯାହାର ଗୁହାରି ନେଇ ତା ଆଗରେ ଯୋଡହସ୍ତରେ ଠିଆ ହେଲେ ସେ ଗୁହାରିଆ ପିଠିରେ ପାହାରେ ଦି’ ପାହାରେ ବେତମାଡ ଦେଇ ତାର ନିଷ୍ପତ୍ତି ଶୁଣାଉଥାଏ।

ଏତିକି ବେଳେ ଜାନି(ପୂଜାରୀ) ସେଠାରେ ପହଞ୍ଚି ପଚାରିଲା..ତୁ କିଏ ମାଆ ? କାହିଁକି ଏଠିକି ଆସିଚୁ ?” ଡିଆଁ ଡେଇଁ ଅବ୍ୟାହତ ରଖି,କାଳିସୀ ଲାଗିଥିବା ମହିଳାଟି କହିଲା… ମୁଁ “ବାଡିଠାକୁରାଣୀ”, କୋଡ଼ିଏ ମୁଣ୍ଡ ଏ ସାଇରୁ ଖାଇବି।ସେ ଏକେଣାମୁଣ୍ଡ ବାହ୍ମୁଣ ଘରୁ(ଆମ ଘରୁ) ତିନି ମୁଣ୍ଡ ନେବି।”

ଜାନି ପଚାରିଲା.. କାହିଁକି ମାଆ ?ବାହ୍ମୁଣ ଘର କଣ ତୋର କ୍ଷତି କଲେ?”ରାଗରେ ଚିହିଁକି ଉଠି ଡ଼ିଆଁ ଡେଇଁ ତିନିଗୁଣ ବଢେଇ ଦେଇ ‘କାଳେସୀ’ କହିଲା..କଣ ନକଲା ସିଏ ?ବଇଦା ବାହ୍ମୁଣ(ମୋ ନନା ବୈଦ୍ୟନାଥ ଷଡଙ୍ଗୀ) ମୋ ଆଗେରେ ସାଇକେଲରୁ ନଓହ୍ଲେଇ, ଘଣ୍ଟି ଟିଣ୍ ଟିଣ୍ କରି ପଳେଇଲା।ସିଏ କ’ଣ ଜାଣିନି ମୁଁ “ବାଡିଠାକୁରାଣୀ” ବୋଲି ?ଏତେ ଉଦ୍ଧତ ! ଦଉଚି ତାକୁ।”

ମୋ ବୋଉ କାନରେ ଏସବୁ କଥା ପଡ଼ିଲା। ପିଲାମାନେ ତାର ଜୀବନ। ନନା(ବାପା)ବଜାରରୁ ଫେରିଲା ବେଳକୁ ବୋଉ କାନ୍ଦି ବୋବେଇ ନୟାନ୍ତ। କଦଳୀ,ନବାତ,ଛେନା ଇତ୍ୟାଦି ଯୋଗାଡ଼ କରିବାରେ ବ୍ୟସ୍ତ ଠାକୁରାଣୀକୁ ପଣା ଦେଇ ସନ୍ତୁଷ୍ଟ କରିବାପାଇଁ।ନନା, ବୋଉ ଉପରେ ବିରକ୍ତ ହୋଇ କହିଲେ..ବନ୍ଦ କର ଏ ସବୁ ପ୍ରହସନ। ଠାକୁରାଣୀ ଫାକୁରାଣୀ ସବୁ ନାଟକ।”
କହିବା ବାହୁଲ୍ୟ, ସେଥର ଆମ ଘରୁ ବାଡିରେ(ହଇଜାରେ) କେହି ଗଲେ ନାହିଁ।

ହଇଜା ଭଳି ଆଉ ଏକ ବଡ଼ ରୋଗ ଥିଲା ବସନ୍ତ ଓ ତା ସାନଭାଇ ହାଡଫୁଟି। ଏହି ଦୁଇଭାଇ ମଣିଷକୁ ବିକଳାଙ୍ଗ କରି ଛାଡୁଥିଲେ। ଅନେକଙ୍କ ସୁନ୍ଦର ମୁହଁକୁ ସାରା ଜୀବନ ପାଇଁ ଅସୁନ୍ଦର କରି ଦେଉଥିଲା ବସନ୍ତ ରୋଗ। ସେହିଭଳି ଏକ ମାରାତ୍ମକ ରୋଗ ଥିଲା ଲେପ୍ରୋସି।ଏହାକୁ ଲୋକେ “ବଡରୋଗ” ବୋଲି କହୁଥିଲେ। ଖଣ୍ଡପଡ଼ାର ରାସ୍ତା ଘାଟରେ ଅନେକ ଲେପ୍ରୋସି ରୋଗୀ(୧୯୫୫ ରୁ ୬୬ ଭିତରେ) ଏଇ ଆଖି ଦେଖିଛି। ଏହା ଡିଆଁରୋଗ ନହେଲେ ମଧ୍ୟ ଲୋକଙ୍କର ଧାରଣା ଥିଲା ଯେ ରୋଗୀକୁ ଛୁଇଁଲେ ରୋଗ ଡେଇଁବ।ଲୋକଙ୍କ ଆଖିରେ ଘୃଣାଭାବ ଦେଖି ଅନେକ ରୋଗୀ ଜୀଇଁବା ଇଚ୍ଛା ଛାଡ଼ିଦେଇ ଆତ୍ମହତ୍ୟା କରୁଥିଲେ।

ଆମ ଘର ପାଖରେ ଥିବା ଶିବ ମନ୍ଦିର ବେଢ଼ାରେ ଲେପର ରୋଗୀ ଜିଭ କାଟିଦେଇ,ବେଲ ପତ୍ର ଉପରେ ଥୋଇ,ଆରୋଗ୍ୟ ହେବା ମାନସିକ ରଖି ମାସେ କାଳ ଅଧିଆ ପଡ଼ନ୍ତି। ଅତି କମରେ ଦୁଇ ତିନୋଟି ରୋଗୀଙ୍କର ଏହି ପ୍ରକାର ଲୋମହର୍ଷଣକାରୀ କାଣ୍ଡ ଏଇ ଆଖି ଦେଖିଛି।ଶିବ କଣ ସେମାନଙ୍କୁ ଭଲ କରିଦେବେ ନାଁ ନଷ୍ଟ ହୋଇଥିବା ଅଙ୍ଗ ପ୍ରତ୍ୟଙ୍ଗ କଅଁଳେଇ ପାରିବେ? କିଛି ଲୋକ ଅଧିଆ ପଡି ଅନାହାରରେ ପ୍ରାଣ ହରାଇଛନ୍ତି ତ କିଛି ଲୋକ ପୋକମାଛି ହୋଇ ମରିଛନ୍ତି। ଦେହର ଘା’ରେ ପୋକ ହେଲେ ସହଜରେ ରୋଗୀ ଭଲ ହୁଏନାହିଁ। ଏହାକୁ “ମାଛିଆ ପାତକ” କହି ନିଜ ଲୋକମାନେ ମଧ୍ୟ ଘୃଣା କରନ୍ତି।ଘର ବାସନରେ ଖାଇବାକୁ ଦିଅନ୍ତି ନାହିଁ; ବାଉଁଶ ଚାରିଖଣ୍ଡ ପୋତି, ଉପରେ ତାଟି ପକେଇ ତା’ତଳେ ରୋଗୀକୁ ପକାଇ ଦିଅନ୍ତି। ଯନ୍ତ୍ରଣାରେ ଛଟପଟ ହୋଇ ରୋଗୀ ମରିଯାଏ।

ଗଡ଼ଜାତ ବାହାରେ ଖାସମାହାଲ ଅଞ୍ଚଳରେ କେଉଁଠି କେମିତି ଏଲ୍ ଏମ୍ ପି ଡାକ୍ତର ପାଖକୁ ଚିକିତ୍ସା ପାଇଁ କିଛି ଲୋକ ଯାଆନ୍ତି। କିନ୍ତୁ ସାଧାରଣ ଲୋକେ ଯିବାପାଇଁ ପାଖରେ ପଇସା କାହିଁ? ଝଡାଫୁଙ୍କା,ପଠାଣ ଡେଉଁରିଆ, ପଣାପାଣି, ଚେରମୂଳି ଔଷଧ ହିଁ ରୋଗ ଉପଶମର ଉପାୟ ଥିଲା। ରାଜା ନଟବର ସିଂହ,ରୋଗରେ ପଡିଲେ କେବେ କୌଣସି ଡ଼ାକ୍ତରଙ୍କୁ ରାଜ୍ୟବାହାରୁ ଡକାଇ ନିଜର ଚିକିତ୍ସା କରୁନଥିଲେ;କେବଳ କବିରାଜି ଓଷଦ ଉପରେ ସେ ନିର୍ଭର କରୁଥିଲେ।

ହଁ, ଜେଜେବାପା ବିଦ୍ୟାଧର ବାଣୀଭୂଷଣଙ୍କ କଥା କହୁଥିଲି ପରା ?ଆଗରୁ ତ କହିଛି,ତାଙ୍କର ଛୋଟିଆ କାନି, ପିନ୍ଧିବାକୁ ଗଲେ ବେଢାଣକୁ ନିଅଣ୍ଟ। ତଥାପି ସେହି ଅଭାବ ଅସୁବିଧା ଭିତରେ ସେ ପିଲାଙ୍କୁ ଉପଯୁକ୍ତ ଶିକ୍ଷା ଦେବାପାଇଁ ଆପ୍ରାଣ ଚେଷ୍ଟା କରୁଥିଲେ। ତିନୋଟି ଝିଅ ଓ ଦୁଇଟି ପୁଅଙ୍କୁ ନେଇ ଜେଜେ ଓ ଜେଜୀଙ୍କ ସଂସାର।ସେ ସମୟରେ ନାରୀଶିକ୍ଷାକୁ ବିଲକୁଲ୍ ଗୁରୁତ୍ବ ଦିଆ ଯାଉନଥିଲା। ବରଂ ଝିଅ ମାନଙ୍କୁ ଘର କରଣା ଶିଖେଇ ବାଲ୍ୟ କାଳରୁ ହାତରୁ ଦି’ହାତ କରିଦେବା ସମାଜରେ ସବୁ ପରିବାରର ଲକ୍ଷ୍ୟ ଥିଲା।”ଘିଅ ଏବଂ ଝିଅ,ରହଣିଆ ହେଲେ ଗନ୍ଧାନ୍ତି” ବୋଲି କଥନିକା ଥିଲା। ତେଣୁ ବାଲ୍ୟ ବିବାହ ସମାଜରେ ସାଧାରଣ କଥା ଥିଲା।
କିନ୍ତୁ ପଣ୍ଡିତେ ତିନି ଝିଅଙ୍କୁ ଯଥା ସମ୍ଭବ ଶିକ୍ଷା ଦେଇଥିଲେ।ନିଜେ ପଣ୍ଡିତ ଥିବାରୁ,ନିଜେ କନ୍ୟାମାନଙ୍କ ପାଖରେ ବସି ସାଧାରଣଗଣିତ, ସାହିତ୍ୟ ଓ ସଂସ୍କୃତରେ ଉପଯୁକ୍ତ ଶିକ୍ଷା ଦେଇଥିଲେ।

କ୍ରମଶଃ…

Click to rate this post!
[Total: 0 Average: 0]

Leave a Reply