Monday, May 20, 2024
Stories

ମୋ ଗାଁ ମୋ ଘର ୪

  • ମୋ ଗାଁ ମୋ ଘର

    ================================
    ପଣ୍ଡିତଙ୍କ ସରଳ ଜୀବନଯାତ୍ରା
    ================================
    ମୋ ଜେଜେବାପା ବିଦ୍ୟାଧର ବାଣୀଭୂଷଣ ନିହାତି ସରଳ ଏବଂ ଧର୍ମଭୀରୁ ମଣିଷଟିଏ ଥିଲେ।ତାଙ୍କ ଜୀବନ ଯାପନ ପ୍ରଣାଳୀରୁ ତତ୍କାଳୀନ ସାମାଜିକ ଚଳଣିର ଏକ ନିଖୁଣ ଚିତ୍ର ଦେଖିବାକୁ ମିଳେ।
    “ସାମନ୍ତ ଚନ୍ଦ୍ରଶେଖରଙ୍କ ଜୀବନୀ” ପୁସ୍ତକର ରଚୟିତା ସ୍ବର୍ଗତ ପଣ୍ତିତ ଚନ୍ଦ୍ରଶେଖର ମିଶ୍ର କାବ୍ୟତୀର୍ଥ ଉକ୍ତ ପୁସ୍ତକରେ ଲେଖିଛନ୍ତି–ପୂଜ୍ୟପାଦ ବାଣୀଭୂଷଣ ମହୋଦୟ ଯେପରି ମାନସିକ ପରିଶ୍ରମରେ , ସେହିପରି ଶାରୀରିକ ପରିଶ୍ରମରେ ଅତ୍ୟନ୍ତ ଦକ୍ଷ ଥିଲେ।ଭୋଗ ବିଳାସ ତାଙ୍କ ହୃଦୟକୁ ସ୍ପର୍ଶ କରିପାରିନଥିଲା ଏବଂ ସେ ଭଗବତ୍ ଭକ୍ତିରେ ନିମଜ୍ଜିତ ରହି ନିର୍ଲିପ୍ତ ଭାବରେ ଗାର୍ହସ୍ଥ୍ୟ ପ୍ରତିପାଦନ କରୁଥିଲେ।ତାଙ୍କୁ ସନ୍ତୋଷର ଅବତାର କହିଲେ ଅତ୍ୟୁକ୍ତି ହେବନାହିଁ।ସ୍ଥୂଳତ ସେ ମହାଶୟ ଜଣେ ଆଦର୍ଶ ପୁରୁଷ ଥିଲେ।”
    ବାଣୀଭୂଷଣଙ୍କ ବିଷୟରେ ଶୁଣିବାକୁ ମିଳେ ଯେ ସେ ଅତ୍ୟନ୍ତ ମୀତବ୍ୟୟୀ ଥିଲେ।ପାଦରେ ଖଡମ ବା କଠଉ ସେ ବ୍ୟବହାର କରୁଥିଲେ। ଏପରି କଠାଉରେ ଥିବା ‘ଗୋବ’କୁ ବୁଢ଼ା ଆଙ୍ଗୁଠି ଏବଂ ତତ୍ ସଂଲଗ୍ନ ଆଙ୍ଗୁଠି ମଝିରେ ଚାପି ଚାଲିବାକୁ ପଡ଼ିଥାଏ। ଚାଲିଲା ବେଳେ ଖଡଖଡ ଶବ୍ଦ ହେଉଥିବାରୁ ଏହାକୁ ଖଡମ୍ ମଧ୍ୟ କୁହାଯାଏ। ପଣ୍ଡିତଙ୍କ କଠାଉ ବା ଖଡମଟି ଆମ ଘରେ ବହୁଦିନ ପର୍ଯ୍ୟନ୍ତ ଥିଲା।ଓସାର ଧଡି ଥିବା ଧୋତିର ଅଧା ଅଣ୍ଟାରେ ପିନ୍ଧି ଅପର ଅର୍ଦ୍ଧ ବେଢାଣ ଭାବେ ବ୍ୟବହାର କରି ସେ ବାହାରକୁ ଯାଉଥିଲେ; ଅର୍ଥାତ୍ ସେ ଏକ-ବସ୍ତ୍ର ପରିହିତ ଥିଲେ।ଖରା, ବର୍ଷା ସମୟରେ ମୁଣ୍ଡକୁ ଘୋଡାଇବା ପାଇଁ ସେ ତାଳପତ୍ର ଛତା ବ୍ୟବହାର କରୁଥିଲେ।ବାଡିରେ ବଗିଚା କାମ ସମୟରେ କିମ୍ବା ପାଇଖାନା ଯିବା ସମୟରେ ତାଳପତ୍ର ଝାମ୍ପି ବ୍ୟବହାର କରୁଥିଲେ।ରାଜାଙ୍କ ଡାକରା ଆସିଲେ ଦରବାରକୁ ଯିବାପାଇଁ ସ୍ବତନ୍ତ୍ର ପରିଧାନ ସେ ବ୍ୟବହାର କରୁଥିଲେ। ସାଧାରଣତଃ ନାଲି ପାଟବସ୍ତ୍ର ପିନ୍ଧି କାନରେ ସୁନାର କୁଣ୍ଡଳ ଝୁଲାଇ,କଠାଉ ପିନ୍ଧି,ଛାତି ବାହୁ ଓ କପାଳରେ ଚନ୍ଦନ ଲଗାଇ,ବେକରେ ରୁଦ୍ରାକ୍ଷ ମାଳ ପକାଇ ସେ ରାଜଦରବାରକୁ ଯାଉଥିଲେ।
    ଆଜିକାଲି ଭଳି ସେ ସମୟରେ ଧାନକଳ ନଥିଲା।ଢିଙ୍କିରେ ଧାନ କୁଟି, ରୋଷେଇ ପାଇଁ ସେ ଚାଉଳ ବାହାର କରୁଥିଲେ।ଢିଙ୍କିରେ ଧାନ କିମ୍ବା ଚୁଡ଼ା କୁଟିବା ସମୟରେ ସେ ପତ୍ନୀଙ୍କୁ ସହଯୋଗ କରୁଥିଲେ, ଅର୍ଥାତ୍ ନିଜେ ଧାନ କୁଟୁଥିଲେ; ପତ୍ନୀ ଢ଼ିଙ୍କି ମୁଣ୍ଡରେ ବସି ଧାନ ମୋହୁଁ ଥିଲେ।ଥରେ ପାହାନ୍ତି ପହରରେ ନିଦ ମଳମଳ ଆଖିରେ ଧାନ ମୋହୁଁ ମୋହୁଁ ପଣ୍ଡିତାଣୀଙ୍କ ହାତରେ ଢ଼ିଙ୍କି ପୁଆର ସମା ମାଡହେଲା।ନିଦ ଛାଡ଼ିଗଲା,ହେଲେ ଯନ୍ତ୍ରଣାରେ ପଣ୍ଡିତାଣୀ ଛଟପଟ ହେଲେ।ହାତ ନହୁନୁହାଣ।ପଣ୍ଡିତେ କବିରାଜୀ ଓଷଦ ଓ ମଲମ ଦେଇ ସିନା ଭଲ କରିଦେଲେ,ହେଲେ ମାସେ ଯାଏଁ ପଣ୍ଡିତିଆଣୀ ଡାହାଣ ହାତରେ ଖିଆପିଆ କରି ପାରିଲେନି।
    ଆଜିକାଲି ସିନା ଆମ୍ଭମାନଙ୍କର ଘର ଭିତରେ ଦୁଇ ଦୁଇଟି ପାଇଖାନା ରହିଛି,ସେ ସମୟରେ , ଘରଠାରୁ ଦୂରରେ, ବାଡିର ଶେଷ ମୁଣ୍ଡରେ ତାଟିବୁଜା ପାଇଖାନା ରହିଥାଏ।ଘର ପାଖକୁ ଲାଗି ପାଇଖାନା ରହିଲେ ସେଘରୁ ଲକ୍ଷ୍ମୀ ଛାଡି ଯାଆନ୍ତି ବୋଲି ବିଶ୍ବାସ। ପାଇଖାନାରେ ଚାରୋଟି ଇଟା ପଡିଥାଏ।ତା ଉପରେ ଗୁରୁଶଙ୍କା ସମ୍ପୂର୍ଣ୍ଣ କରାଯାଏ।ସକାଳୁ ଆଟିକା ଓ ଅଣକଧାରୀ ବ୍ୟକ୍ତି ତାହା ସଫାକରି ଗାଁ ବାହାରେ ନେଇ ପକାନ୍ତି।ଝାଡାଯିବା କାର୍ଯ୍ୟକୁ “ପୋଖରୀପାଣି” ବୋଲି କୁହାଯାଏ; ଗୁରୁଶଙ୍କା ବାଡିପଟେ ପାଇଖାନାରେ କରାଯାଉ ଅଥବା ପୋଖରୀ ହୁଡାତଳେ ଅଥବା ନଈକୂଳରେ,କୃତ କର୍ମଟିର ନାମ “ପୋଖରୀପାଣି” ହିଁ କୁହାଯାଉଥିଲା। ପୋଖରୀପାଣି ସମୟରେ ସେଥିପାଇଁ ସ୍ୱତନ୍ତ୍ର ଭାବରେ ରଖାଯାଇଥିବା ଲୁଗା ବା ଗାମୁଛା ବ୍ୟବହାର କରାଯାଉଥିଲା। ତାକୁ ଛୁଆଁଲୁଗା କୁହାଯାଉଥିଲା। “ପୋଖରୀ ପାଣି” ପରେ ଅଣ୍ଟାପାଣି କରି(ଅଣ୍ଟା ପର୍ଯ୍ୟନ୍ତ ଗାଧୋଇ) ଗାମୁଛାଟି ଧୋଇ ଶୁଖାଇ,ପୂର୍ବରୁ ପରିଧାନ କରିଥିବା ବସ୍ତ୍ର ପୁନଃପରିଧାନ କରାଯାଉଥିଲା।
    ସାମନ୍ତ ଚନ୍ଦ୍ରଶେଖରଙ୍କ ପୋଖରୀପାଣି କାର୍ଯ୍ୟ,(ସେ ମୋ ଜେଜେ ବାପାଙ୍କ ସମସାମୟିକ ଥିଲେ)ବଡ଼ କୌତୁହଳପ୍ରଦ ଥିଲା।ସାଆନ୍ତେ ଛୁଆଁଲୁଗା ପରିଧାନ କରି ,ହାତରେ ଖଣତିଟିଏ ଧରି ପୋଖରୀପାଣି କରିବାକୁ ଯାଆନ୍ତି।ମଳତ୍ୟାଗ କରିବା ସ୍ଥାନକୁ ଖଣତିରେ ଅଳ୍ପ ଖୋଳିଦେଇ, ସେଠାରେ ଗୁରୁଶଙ୍କା ସମାପନକରି,ତା ଉପରେ ମାଟି ଘୋଡେଇ ଦେଇ, ଶୌଚକାର୍ଯ୍ୟ ସମାପନ କରି ଫେରନ୍ତି। ଛୁଆଁ ଲୁଗା ପରିତ୍ୟାଗ କରି ,ଅଣ୍ଟାପାଣି ହୋଇ ଘରେ ପ୍ରବେଶ କରନ୍ତି।
    ଆଜିକାଲି ଭଳି ସେ ସମୟରେ ରାସ୍ତାଘାଟରେ କିମ୍ବା ଘରେ ବିଜୁଳି ଆଲୁଅ ନଥିଲା। ସନ୍ଧ୍ୟା ହେଲେ ଲଣ୍ଠଣ ଧରି ପଣ୍ଡିତେ ବାହାରକୁ ଯିବା ଆସିବା କରୁଥିଲେ। ବାଡିରେ କିଛି ‘ଗବ’ ବା ଜଡାଗଛ ଲାଗିଥିଲା। ସେହି ଜଡ଼ାମଞ୍ଜିକୁ ରାନ୍ଧି,ତେଲ ବାହାର କରି ତାହା ଡବି/ଡିବି/ଦୀପରେ ପକାଇ ରାତିରେ ଘରର ଅନ୍ଧକାର ଦୂର କରୁଥିଲେ।ଡିବି ଓ ଦୀପ ଜାଳିବା ପାଇଁ କରଞ୍ଜ ତେଲ ମଧ୍ୟ ବ୍ୟବହାର କରାଯାଉଥିଲା।
    ସେ ସମୟରେ ଦ୍ରବ୍ଯ-ବିନିମୟ ଅର୍ଥନୀତି ଗାଁ ମାନଙ୍କରେ ବେଶ୍ ପ୍ରଚଳିତ ଥିଲା।ଧାନ,ଚାଉଳ ବଦଳରେ ତେଲ ଲୁଣ ପନିପରିବା ମିଳିଯାଉଥିଲା। ପଣ୍ଡିତଙ୍କର ଦିବ୍ୟସିଂହ ପୁରରେ ଚାରିମାଣ ପୈତୃକ ଜମି ଥିଲା।ସେଥିରୁ ଯାହା ଭାଗ ଧାନ ମିଳୁଥିଲା ସେଥିରେ ନିଅଣ୍ଟିଆରେ ହେଉପଛେ ଯେନତେନ ପ୍ରକାରେଣ ପଣ୍ଡିତେ ସାତପ୍ରାଣୀ କୁଟୁମ୍ବଙ୍କ ଭାତିଆ ଚଳାଉଥିଲେ। ସଂସ୍କୃତ ଟୋଲରୁ ଯେଉଁ ଦଶଟଙ୍କା ଦରମା ମିଳୁଥିଲା, ସେଥିରେ ତେଲଲୁଣ,ଲୁଗାପଟା, ମାଛଶୁଖୁଆ ଖର୍ଚ୍ଚ ଚଳିଯାଉଥିଲା।ଅଧଲାକୁ ବିଶେ ମାଛ,ସପ୍ତାହକ ଚଳିଯାଉଥିଲା।

କ୍ରମେ ପଣ୍ଡିତଙ୍କର ପରିବାର ଛୋଟରୁ ବଡ ହେଲା; ପ୍ରଥମେ ଆଗ ପଛ ହୋଇ ତିନୋଟି ଝିଅ ଘରକୁ ଆସିଲେ।ସାନ ଝିଅଟି ପେଟରେ ଥିଲାବେଳେ ପଣ୍ଡିତିଆଣୀ(ମୋ ଜେଜୀ ମା)ଖରାଖିଆ ବୈଦ୍ୟନାଥଙ୍କ ପାଖରେ ମାନସିକ କରିଥିଲେ..ପୁଅଟିଏ ହେଲେ ନାଁ’ ଦେବି ବୈଦ୍ୟନାଥ,ଝିଅ ହେଲେ ବୈଦେହୀ। ତେଣୁ ମୋ ସାନ ପିଇସୀ ନାନୀଙ୍କ ନାଁ ରହିଲା ବୈଦେହୀ।ତା’ପରେ କୋଳକୁ ଆସିଲେ ପୁଅଟିଏ। ନାଁ ଦିଆଗଲା ବୈଦ୍ୟନାଥ(ମୋ ପିତା)। ବୈଦ୍ୟନାଥଙ୍କ ଆଗମନର ତିନି ବର୍ଷପରେ ଆଉ ଗୋଟିଏ ପୁଅ।ପୁଅ ଜନ୍ମ ହେବା ସମୟରେ ପୋଷାଶାରୀ ଡାକଦେଲା “ଚକ୍ରଧର,ଚକ୍ରଧର”। ତେଣୁ ନବାଗତଙ୍କ ନାମ ରଖାଗଲା ଚକ୍ରଧର। ପରିବାର ବଢିବା ସଙ୍ଗେ ସଙ୍ଗେ ପଣ୍ଡିତଙ୍କର ବଢିଲା ଅପ୍ରମିତ ଦୁଃଖ। ତଥାପି କବିରାଜୀରୁ ଓ ଶିକ୍ଷାଦାନରୁ ଶିଷ୍ୟମାନଙ୍କ ଠାରୁ ଯେଉଁ ପାହୁଲେ ଅଧଲେ ମିଳୁଥିଲା ସେଥିରେ ସଂସାର, ନନ୍ଦିଘୋଷ ଭଳି ନହେଲେ ମଧ୍ୟ ଶଗଡ଼ ଗାଡ଼ି ଭଳି ସୁରୁଖୁରୁରେ ଗଡି ଚାଲୁଥିଲା।

ସେ ସମୟରେ ପରାଧୀନ ଭାରତରେ ଗଡ଼ଜାତ ମାନଙ୍କରେ ଏଭଳି ଆର୍ଥିକ ଅବସ୍ଥା ପ୍ରାୟ ସମସ୍ତଙ୍କର ରହିଥିଲା।କାରଣ ଖୋଜିବାକୁ ବେଶି ଦୂର ଯିବାକୁ ପଡ଼ିବ ନାହିଁ।ସେ ସମୟରେ ଭାରତର ଶାସନ ବ୍ୟବସ୍ଥା ଦୁଇ ଭାଗରେ ବିଭକ୍ତ ହୋଇଥିଲା ଯଥା ବ୍ରିଟିଶ ସରକାରଙ୍କ ଅଧୀନସ୍ଥ ଶାସନ ଏବଂ କରଦରାଜ୍ୟ ଅଧୀନସ୍ଥ ଶାସନ। ସମସ୍ତ କରଦ ରାଜ୍ୟ ସମେତ ଗଡ଼ଜାତ ରାଜା ମାନଙ୍କଠାରୁ କର ଆଦାୟ କରିବା ପରେ, କିଛି ସାମରିକ କଟକଣା ଲଗାଇ ସେହି ରାଜ୍ୟ/ଅଞ୍ଚଳ ମାନଙ୍କର ସାର୍ବଭୌମ ଶାସନ କ୍ଷମତା ଗୋରା ସରକାର ସେହି ରାଜ୍ୟର ରାଜାମାନଙ୍କ ଉପରେ ଛାଡି ଦେଇଥିଲେ। ମୁଖ୍ୟତଃ କୃଷି ଉପରେ ଲୋକମାନେ ନିର୍ଭର କରୁଥିଲେ। ରାଜ୍ୟମାନଙ୍କରେ କୃଷିର ଉନ୍ନତି ପାଇଁ ବ୍ରିଟିଶ ସରକାର କୌଣସି ପଦକ୍ଷେପ ନେଉ ନଥିଲେ। ରାଜାମାନେ ପ୍ରଜାମାନଙ୍କଠାରୁ ବିଭିନ୍ନ ପ୍ରକାରର କର ସିନା ଆଦାୟ କରୁଥିଲେ,କୃଷି କ୍ଷେତ୍ରରେ ଉନ୍ନତ ପାଇଁ କୌଣସି ପଦକ୍ଷେପ ନେଉ ନଥିଲେ। ମରୁଡ଼ିର ମୁକାବିଲା କରିବା ପାଇଁ ଜଳସେଚନର କିଛି ବ୍ୟବସ୍ଥା ନଥିଲା। ପ୍ରଜାମାନଙ୍କର ଚାଷବାସ ବ୍ୟତୀତ ଆୟର ଅନ୍ୟ କୌଣସି ପନ୍ଥା ନଥିଲା। ଫଳରେ ବର୍ଷା ଅଭାବରୁ ଯେତେବେଳେ ମରୁଡି ପଡୁଥିଲା, ଲୋକମାନେ ପୋକ ମାଛି ପରି ମରୁଥିଲେ। ଆଜିକାଲି ଭଳି ସେ ସମୟରେ, ମରୁଡ଼ିର ମୁକାବିଲା କରିବା ପାଇଁ ଗୋରା ସରକାରଙ୍କ ଦ୍ବାରା ଖାଦ୍ୟ ମହଜୁଦ ବ୍ୟବସ୍ଥା ନଥିଲା। ଉନବିଂଶ ଶତାବ୍ଦୀରେ ଭାରତରେ ପ୍ରାୟ ଚବିଶି ଥର ଦୁର୍ଭିକ୍ଷ ପଡ଼ିଥିଲା ଏବଂ ପୋକମାଛି ପରି ଲୋକେ ପ୍ରାଣ ହରାଇଥିଲେ।୧୮୬୬ ମସିହାରେ ଓଡ଼ିଶାରେ ଯେଉଁ ଅଶ୍ରୁତପୂର୍ବ ନଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା ସେଥିରେ ଓଡ଼ିଶାର ପ୍ରାୟ ଏକ ତୃତୀୟାଂଶ ଲୋକ ପ୍ରାଣ ହରାଇଥିଲେ।ବୁଭୁକ୍ଷୁମାନଙ୍କ କ୍ଷୁଧା ମେଣ୍ଟାଇବା ପାଇଁ ଗଛରେ ପତ୍ର ମଧ୍ୟ ରହିଲା ନାହିଁ।ମୃତ୍ୟୁର ଏହି ତାଣ୍ଡବ ଲୀଳା ଆଗରେ ଗଡ଼ଜାତ ରାଜା ଏବଂ ବ୍ରିଟିଶ ଶାସନ ନାଚାର ଥିଲେ। ଏହା ଦୁର୍ଭିକ୍ଷ ଜନିତ ମୃତ୍ୟୁ ନଥିଲା, ବରଂ ଥିଲା ବ୍ରିଟିଶ ସରକାରଙ୍କ ଗଣହତ୍ୟା। ପ୍ରକୃତିର ନିର୍ମମ ମାଡ଼ ସଙ୍ଗେ ସଙ୍ଗେ ସରକାରୀ ଉଦାସୀନତା ଗଡଜାତରେ ଲୋକମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଥିଲା। ରାଜ୍ୟର ଏହି ଅର୍ଥନୈତିକ ପୃଷ୍ଠଭୂମିରେ ବିଦ୍ୟାଧର ପଣ୍ଡିତଙ୍କ ଘରକରଣା ଦୁଃଖେ ସୁଖେ ଚାଲିଥିଲା। ଦୁଃଖରେ ସୁଖରେ ସମାଜରେ ସଭିଙ୍କ ମୁହଁରେ ଥିଲା ଗୋଟିଏ କଥା..”ସର୍ବ ନିର୍ବାହକୋ ହରିଃ”। ଏହାକୁ ଦରିଦ୍ର ଅଷ୍ଟାକ୍ଷରୀ ନାମ କହିଲେ ଅତ୍ୟୁକ୍ତି ହେବନାହିଁ। ଯେତେବେଳେ ମଣିଷ ଅସହାୟ ହୋଇଯାଏ, ସେତେବେଳେ ସେ ହରିଙ୍କ ପାଖରେ ନିଜକୁ ସମର୍ପଣ କରିଦିଏ।

କ୍ରମଶଃ….

Click to rate this post!
[Total: 4 Average: 4.8]

Leave a Reply