Wednesday, February 21, 2024
Stories

ମୋ ଗାଁ ମୋ ଘର ୩

  1. ମୋ ଗାଁ ମୋ ଘର

    ବିଦ୍ୟାଧର ବାଣୀଭୂଷଣ ଓ କବିଚନ୍ଦ୍ର କାଳୀଚରଣ
    ===============================
    କବିଚନ୍ଦ୍ର କାଳୀଚରଣଙ୍କୁ ଓଡ଼ିଶାରେ ନଜାଣିଛି କିଏ ?ସେ ଥିଲେ ଅସାମାନ୍ୟ ନାଟ୍ୟକାର,କବି,ସଙ୍ଗୀତଜ୍ଞ,ନୃତ୍ୟବିଦ୍, ପ୍ରାବନ୍ଧିକ,ଗାୟକ, ଅଭିନେତା ଏବଂ ଚଳଚ୍ଚିତ୍ର ଓ ମଞ୍ଚ ନିର୍ଦ୍ଦେଶକ। ଓଡ଼ିଶାରେ ରଙ୍ଗମଞ୍ଚରେ ମହିଳାମାନଙ୍କ ଅଭିନୟ ପାଇଁ ସେ ଥିଲେ ପ୍ରଥମ ଉଦ୍ୟୋକ୍ତା ଓ ସୁଯୋଗ ଦାତା। କଲିକତା ରେଡ଼ିଓ ଷ୍ଟେସନରେ ସେ ପ୍ରଥମ ଓଡ଼ିଆ କଣ୍ଠଶିଳ୍ପୀ।ପ୍ରଥମ ପୂର୍ଣ୍ଣାଙ୍ଗ ଓଡ଼ିଆ ଚଳଚ୍ଚିତ୍ର ‘ଲଳିତା’ ଏବଂ ପ୍ରଥମ ଓଡ଼ିଆ ଡକୁମେଣ୍ଟାରୀ ଫିଲ୍ମର ସେ ଥିଲେ ନିର୍ମାତା।ସେ ଥିଲେ ରାଜ୍ୟ ‘ସଙ୍ଗୀତମହାବିଦ୍ୟାଳୟ’ର ଅନ୍ୟତମ ପ୍ରତିଷ୍ଠାତା ଏବଂ ‘ସଙ୍ଗୀତ ନାଟକ ଏକାଡେମୀ’ର ସେ ଥିଲେ ସଭାପତି।୧୯୭୧ ମସିହାରେ ଆତ୍ମଜୀବନୀ ପୁସ୍ତକ “କୁମ୍ଭାର ଚକ”ପାଇଁ ସେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ। କିନ୍ତୁ ସେ ତାହା ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ‘ଉତ୍କଳ ଦୀପିକା’ ଓ ‘ମୁକୁର’ର ସେ ଥିଲେ ସମ୍ପାଦକ।
    ଏହି ମହାତ୍ମାଙ୍କର କର୍ମମୟ ଜୀବନର ଆରମ୍ଭ ହୋଇଥିଲା ଖଣ୍ଡପଡ଼ା ଗଡ଼ଜାତରୁ।ମୋର ଜେଜେବାପା ବିଦ୍ୟାଧର ବାଣୀଭୂଷଣଙ୍କ ସାନିଧ୍ୟରେ ସେ ଆସିବାପରେ ଅପୂର୍ବ ଗୁରୁ-ଶିଷ୍ୟ ପରମ୍ପରା ସୃଷ୍ଟି ହୋଇଥିଲା।ସେ ବିଷୟରେ ବିଶଦ ଆଲୋଚନା କରିବା ପୂର୍ବରୁ କାଳୀଚରଣଙ୍କ ଖଣ୍ଡପଡ଼ା ଆଗମନ ବିଷୟରେ ଏଠାରେ କିଞ୍ଚିତ ଆଲୋକପାତ କରାଯାଉ।ବାଙ୍କୀ ନିବାସୀ କାଳୀଚରଣ ମୂଳତଃ ବଡମ୍ବା ଗଡ଼ ନିବାସୀ ଥିଲେ। ବଡ଼ମ୍ବା ଗଡ଼ରେ ତାଙ୍କର ଜନ୍ମ। ବଡ଼ମ୍ବା ରାଜପରିବାର ସହିତ ତାଙ୍କର ଭଲ ସମ୍ପର୍କ ରହିଥିଲା।ତାଙ୍କ ଜେଜେବାପା ନିମାଇଁ ଚରଣ ପଟ୍ଟନାୟକ ବଡମ୍ବା ଅଞ୍ଚଳର ଜଣେ ନାମଜାଦା ବ୍ୟକ୍ତି ଥିଲେ ଏବଂ ରାଜପରିବାର ନିକଟତମ ବ୍ୟକ୍ତି ଥିଲେ। ପିତାଙ୍କ ମୃତ୍ୟୁ ପରେ ଏକଦା କାଳୀଚରଣ ବାଙ୍କୀରୁ ବଡମ୍ବା ଆସି ରାଜପ୍ରସାଦରେ ଆତିଥ୍ୟ ନେଉଥିବା ସମୟରେ କଣ୍ଟିଲୋ ନୀଳମାଧବ ପୀଠ ଦର୍ଶନ କରିବା ପାଇଁ ମନ ବଳାଇଲେ। ଖରାଦିନ; ମହାନଦୀ ପାରହୋଇ କଣ୍ଟିଲୋ ଯିବାପାଇଁ ବଡମ୍ବା ରାଜା କାଳୀଚରଣଙ୍କୁ ଉଆସରେ ଥିବା ହାତୀଟିଏ ଯୋଗାଇଦେଲେ। ହାତୀ ପିଠିରେ ବସି ଯୁବକ କାଳୀଚରଣ ନୀଳମାଧବ ପୀଠରେ ପହଞ୍ଚିଲେ। ଯୋଗକୁ ସେଦିନ ଖଣ୍ଡପଡ଼ା ରାଜା ରାମଚନ୍ଦ୍ର ସିଂହ ମଧ୍ୟ ନୀଳମାଧବ ଦର୍ଶନପାଇଁ ମନ୍ଦିରରେ ବିଜେ କରିଥିଲେ।

    ସେତେବେଳକୁ କାଳୀଚରଣଙ୍କ ବୟସ ମାତ୍ର ବାଇଶି ବର୍ଷ।ଟୋକା ଟାକେଳିଆ ସମୟ।ଭଲ ଗୀତ ଗାଆନ୍ତି ଓ ଚଉପଦୀ (ଚତୁଷ୍ପଦୀ) ଲେଖନ୍ତି। ରାଜା ରାମଚନ୍ଦ୍ର ଜଣେ ସଙ୍ଗୀତପ୍ରିୟ ଗୁଣଗ୍ରାହୀ ବ୍ୟକ୍ତି ବୋଲି କାଳୀଚରଣ ଆଗରୁ ବଡମ୍ବା ରାଜାଙ୍କଠାରୁ ଶୁଣିଥିଲେ। ରାଜାଙ୍କ ପାଖରେ ନିଜ ପ୍ରତିଭାର ପରିପ୍ରକାଶ କରି କିଛି ଆନ୍ତରିକତା/ପ୍ରଶଂସା ପାଇବା ଆଶାରେ କାଳୀଚରଣ,ବୃହଦମ୍ବାଙ୍କୁ ସ୍ମରଣ କରି ସଙ୍ଗେ ସଙ୍ଗେ ଗୋଟିଏ ଚଉପଦୀ ରଚନା କରି ରାଜାଙ୍କୁ ଭେଟି ଦେଲେ। ବଡ଼ମ୍ବାର ନିମାଇଁ ପହ୍ନାକଙ୍କ ନାତି ବୋଲି ପରିଚୟ ପାଇବା ପରେ ରାଜା କାଳୀଚରଣଙ୍କୁ ପାଖକୁ ଡାକି ଚଉପଦୀଟି ଗାଇବାପାଇଁ କହିଲେ। ସୁଲଳିତ କଣ୍ଠରେ କାଳୀଚରଣ ଯେଉଁ ଚଉପଦୀଟି ଗାଇଲେ ତାର ଘୋଷା ଥିଲା:–

    ସୁଧା ସିନ୍ଧୁ ରେ,
    କାହିଁ ଲୁଚାଇଲୁ ଧନ ପୂର୍ଣ୍ଣ ଇନ୍ଦୁ ରେ !
    ଭଣତି ପଦଟି ଥିଲା:–
    ‘ସ୍ବପ୍ନେ ଜାଗରଣେ ହୋଇ ବଣା,
    କ୍ଷଣେ କ୍ଷଣେ ଦିଶୁ ବିଚକ୍ଷଣା,
    କିଣାଠାରୁ ମୁଁ ଅଧିକ କିଣା
    ରାମଚନ୍ଦ୍ର ନୃପ ଭାଷେ ମନେଥିବି ବନ୍ଧୁ,
    ସୁଧା ସିନ୍ଧୁ ରେ…..

    କାଳୀଚରଣଙ୍କ ପ୍ରତିଭା ଦେଖି ରାଜା ଏପରି ମୁଗ୍ଧ ହୋଇଗଲେ ଯେ ତାଙ୍କୁ ଆଉ ବଡମ୍ବା ଗଡକୁ ଫେରିବାକୁ ଦେଲେ ନାହିଁ;ସାଙ୍ଗରେ ଖଣ୍ଡପଡ଼ା ନେଇ ଆସିଲେ।ମାହୁନ୍ତ ହାତୀକୁ ନେଇ ବଡମ୍ବା ଫେରିଗଲା। ଖଣ୍ଡପଡ଼ା ରାଜା ରାମଚନ୍ଦ୍ର ସିଂହଙ୍କ ଦରବାରରେ କବି/ସଙ୍ଗୀତଜ୍ଞ ହୋଇ ରହିଲେ କାଳୀଚରଣ।ଇତି ମଧ୍ୟରେ ଖଣ୍ଡପଡ଼ା ଅଞ୍ଚଳର ଆଶ୍ରମ ସ୍କୁଲ୍ ଓ ସଂସ୍କୃତଟୋଲର ପରିଦର୍ଶକ ଭାବରେ ତାଙ୍କ ପାଇଁ ନିଯୁକ୍ତି ପତ୍ର ସମ୍ବଲପୁର କମିଶନର ଅଫିସରୁ ଆସିଗଲା।
    ସଂସ୍କୃତ ଟୋଲ୍ ପରିଦର୍ଶନ ସମୟରେ କାଳୀଚରଣ ବିଦ୍ୟାଧର ବାଣୀଭୂଷଣଙ୍କ ପାଣ୍ଡିତ୍ୟରେ ଅଭିଭୂତ ହୋଇ ତାଙ୍କର ଶିଷ୍ୟ ଓ ସ୍ତାବକ ପାଲଟି ଗଲେ।”କୁମ୍ଭାର ଚକ”ପୁସ୍ତକରେ କବିଚନ୍ଦ୍ର ତାଙ୍କ ବିଷୟରେ ଯାହା ଲେଖିଛନ୍ତି ତାହା ନିମ୍ନରେ ଅବିକଳ ଉଦ୍ଧାର କରାଗଲା :–

    “ସେତେବେଳେ ସେଠା ସଂସ୍କୃତ ପଣ୍ଡିତଙ୍କ ଭିତରେ ସ୍ଵର୍ଗତ ପଣ୍ଡିତ ବିଦ୍ୟାଧର ବାଣୀଭୂଷଣ ଜଣେ ରସଜ୍ଞ ବ୍ୟକ୍ତି ଥିଲେ। ଶକୁନ୍ତଳା କାବ୍ୟ ପଢ଼ାଇବା ବେଳେ ତାଙ୍କ ଆଖି ଲୁହ ଛଳଛଳ ହୋଇଯାଏ; ପୁଣି କେବେ ପାନଖିଆ ମୁହଁରେ ରସିକତା ଫୁଟିଉଠେ।ଶ୍ଳୋକ ବୁଝାଇବା ସମୟରେ ବାଣୀଭୂଷଣଙ୍କ ଲୋମ ଟାଙ୍କୁରି ଉଠିବାର ମୁଁ ଦେଖିଛି।ଏ’ଭାବ ସହିତେ ପଣ୍ଡିତେ ଜୟଦେବକୃତ ଗୀତଗୋବିନ୍ଦର ‘ଦେହି ପଦ ପଲ୍ଲବ ମୁଦାରଂ’ ର ତୁଳନା କରନ୍ତି।
    ସେହିପରି ନୈଷଧ କାବ୍ୟ ପଢ଼ାଇବା ସମୟରେ ଦମୟନ୍ତୀଙ୍କ ବିରହରେ ପୀଡ଼ିତ ମହାରାଜା ନଳ, ସନ୍ଧ୍ୟା ଆଗମନରେ ଉଦ୍ୟାନରେ ବସି,ଡାହାଣିଆ ଖରା ପଡ଼ିଥିବା ପାଚିଲା ବେଲକୁ ଦମୟନ୍ତୀଙ୍କ କୁଚ ଭ୍ରମରେ ବର୍ଣ୍ଣିତ ଶ୍ଳୋକର ଅର୍ଥ ବୁଝାଇବାବେଳେ ବାଣୀଭୂଷଣ ଆତ୍ମହରା ହୋଇ ପଡନ୍ତି।

    ମେଘଦୂତମ୍ କାବ୍ୟରେ ରାମଗିରି ବର୍ଣ୍ଣନାରୁ ‘ମାଳ’ଶବ୍ଦ ଇତ୍ୟାଦିର ବ୍ୟବହାର ଦେଖି, ମହାକବି କାଳିଦାସ ଆମ ଓଡ଼ିଶାର ଜୟପୁରର ରାମଗିରିରେ ବସି କାବ୍ୟ ରଚନା କରିଥିଲେ ବୋଲି ମୋ ମନରେ ଧାରଣା ଜନ୍ମାଇଥିଲେ ଏହି ବାଣୀଭୂଷଣ । ମୁଁ ଏଭଳି ପଣ୍ଡିତ ଦେଖିନାହିଁ। ବଡ଼କଥା ହେଲା ସେ ପୋଥି ନଧରି, ଶ୍ଳୋକ ଗୁଡିକର ଖାଲି ମୂଳ ଉଖାରିଦେଲେ ଗଳଗଳ ଗାଇଦେଇ ଯାଆନ୍ତି। ମୁଁ ତାଙ୍କ ସ୍ମରଣଶକ୍ତି ଦେଖି ତାଟକା ହୁଏ। ଷାଠିଏରୁ ବେଶି ବୟସର ବୁଢ଼ା,ମାତ୍ର ମନରେ ସେ ଯୁବା। ମୁଁ ତାଙ୍କରି ପାଖରୁ ଗୁଡ଼ିଏ ସଂସ୍କୃତ ଗ୍ରନ୍ଥ ପଢିଲି। ମୁଁ ଗସ୍ତକୁ ନଯିବା ବେଳେ ଦି’ପହରିଆ ସେ ନିଶ୍ଚିତ ଭାବେ ବସାକୁ ଆସି ଦି’ଘଣ୍ଟା ଅନ୍ତତଃ ପଢ଼ାଇ ଦେଇ ଯାଆନ୍ତି।ପଣ୍ଡିତେ ସଂସ୍କୃତ ଟୋଲରୁ ଦରମା ପାଉଥିଲେ ମାତ୍ର ଦଶଟଙ୍କା। ସେଥିରେ କେବେହେଲେ ତାଙ୍କର ଅସୁଖୀ, ଅସନ୍ତୋଷିଆ ହେବାର ମୁଁ ଦେଖିନାହିଁ କି ଶୁଣି ନାହିଁ।

    ବସା ପଛପଟକୁ ଲାଗି ପୋଖରୀ ହୁଡ଼ା।ପୋଖରୀଟି ପଦ୍ମ ବଣରେ ଭରା। ଖରାଦିନେ ଦି’ପହରିଆ ଗରମ ବେଳେ ବାଣୀଭୂଷଣଙ୍କ ବରାଦରେ ପୋଖରୀରୁ ପଦ୍ମପତ୍ର ଅଣାଇ ଆମେ ପାରିଦେଇ ବସୁ।ହେଲେ ଅଳ୍ପ ବେଳ ପରେ ସେ ପୁରା ଶୁଖିଯାଏ। ପଣ୍ଡିତେ ହସି ହସି କହନ୍ତି…କବିମାନେ ବିରହିଣୀର ବିରହ ଶଯ୍ୟାରେ ପଦ୍ମପତ୍ର ବିଛାଇବା କଥା ଲେଖିଛନ୍ତି, ଏଇମିତି ଶୁଖି ଯାଉଥିବ ଓ ସଖୀମାନେ ଥରକୁ ଥର ପଦ୍ମପତ୍ର ବିଛାଉଥିବେ ସିନା ! ଉଠେ ହସରୋଳ। ଏଇମିତି ରସ ହସ ଭିତରେ କାବ୍ୟର ଆଲୋଚନା ଚାଲେ। ଖର୍ଚ୍ଚ ହୁଏ କେବଳ ଗୁଡ଼ିଏ ଗୁଣ୍ଡିମିଶା ପାନଖିଲ। ମୁଁ ତାଙ୍କ ଟୋଲ୍ ପରିଦର୍ଶନ କରିବାପାଇଁ ଯାଏ ବେଳେ ବେଳେ। ପଣ୍ଡିତ ମହାଶୟେ ମୋତେ ସେତେବେଳେ ତାଙ୍କ ହାକିମ ଭଳି ଦେଖନ୍ତି ବୋଲି ଭାରି ଲାଜମାଡେ।ତାଙ୍କୁ ଏକଥା କେତେଥର କହିଛି।ସେ ଉତ୍ତର ଦିଅନ୍ତି –ସେଥିରେ କଣ ଅଛି,
    ସ୍ଥଳ ବିଶେଷେ ଦିବ୍ୟ ପୂଜା ପାଇ,
    ଯେଉଁ ସ୍ଥାନେ ଯେଉଁ ବିଧି ଯୋଗାଇ।
    ତାଙ୍କ ପାଣ୍ଡିତ୍ୟ,ତାଙ୍କ ରସିକତା,ତାଙ୍କର ଯୋଗ୍ୟତା ପାଖରେ ମୁଣ୍ଡ ନଇଁଯାଏ। ଆଜି ଆଉ ଏଭଳି ମହାତ୍ମା କଣ ମିଳିବେ ?”

    ଆଜି କବିଚନ୍ଦ୍ର ନାହାଁନ୍ତି;ମୋ ଜେଜେ ବାଣୀଭୂଷଣ ମଧ୍ୟ ନାହାଁନ୍ତି।ଖାଲି ରହିଯାଇଛି କର୍ପୁର ବାସ୍ନା ଉଠୁଥିବା “କୁମ୍ଭାର ଚକ”ର କିଛି ପୃଷ୍ଠା।

    କ୍ରମଶଃ….

Click to rate this post!
[Total: 0 Average: 0]

Leave a Reply