Wednesday, February 21, 2024
Stories

ମୋ ଗାଁ ମୋ ଘର ୨

  • ମୋ ଗାଁ ମୋ ଘର

    ==============================
    ଦରବାରରେ ବାଣୀଭୂଷଣ ପଣ୍ଡିତେ
    ==============================
    ଖଣ୍ଡପଡାର ଏକାଦଶ ରାଜା ନଟବର ସିଂହଙ୍କ ରାଜଦରବାରରେ ମୋର ଜେଜେବାପା ପଣ୍ଡିତ ବିଦ୍ୟାଧର ବାଣୀଭୂଷଣଙ୍କ ଅନୁଭୂତି ବିଷୟରେ ମୋତେ ବିଶେଷ କିଛି ଜଣାନାହିଁ। ଏତେବଡ ପଣ୍ଡିତ, ନିଶ୍ଚିତ ଭାବରେ ଅନେକ ଶ୍ଳୋକ ଲେଖିଥିବେ/ଆବୃତ୍ତି କରିଥିବେ।ଘରେ ଆମର ଅନେକ ତାଳପତ୍ର ପୋଥି ଥିଲା। ବାଣୀବିହାରରେ ୧୯୭୩ ମସିହାରେ ମୁଁ ଇତିହାସରେ ସ୍ନାତକୋତ୍ତର କରିବା ସମୟରେ ପ୍ରଫେସର କରୁଣା ସାଗର ବେହେରାଙ୍କୁ ଏହି ପୁରାତନ ପୋଥି ବିଷୟରେ ସୂଚନା ଦେଇଥିଲି।ତା ଉପରେ ଗବେଷଣା କରିବା ପାଇଁ ପ୍ରତିଶ୍ରୁତି ଦେଇ ସେହି ପୋଥି ଗୁଡିକ ତାଙ୍କ ପାଖରେ ପହୁଞ୍ଚାଇବା ପାଇଁ ସେ ମୋତେ କହିଥିଲେ। କିନ୍ତୁ ସେଥର ଖରାଛୁଟିରେ ଘରେ ଯାଇ ପହଞ୍ଚି ଦେଖିଲି ସେ ପୋଥି ଗୁଡିକ ଉଇ ଖାଇ ଯାଇଛନ୍ତି।ମୋ ଭଳି ଅପଦାର୍ଥର ଅବହେଳା ଯୋଗୁଁ ରତ୍ନପସରାଟି ମାଟି ପିଣ୍ଡୁଳାରେ ପରିଣତ ହୋଇଗଲା। ବିଦ୍ୟାଧର ବାଣୀଭୂଷଣଙ୍କର ପାଣ୍ଡିତ୍ୟର ପ୍ରମାଣକୁ ସବୁ ଉଇ ଚରିଗଲେ ! ସେତେବେଳେ ଲୋକମାନେ ପ୍ରଚାରସର୍ବସ୍ୱ ନଥିଲେ କିମ୍ବା ନିଜ ଲେଖାକୁ ମୁଦ୍ରଣ କରିବାପାଇଁ ଅର୍ଥ ସେମାନଙ୍କ ପାଖରେ ନଥିଲା। ଆଜି ଆକାଶ ଫଟାଇ ମୁଁ ଯେବେ ଚିତ୍କାର କରିବି..ମୋ ଜେଜେବାପା ବଡ଼ ପଣ୍ଡିତ ଥିଲେ,କିଏ ବିଶ୍ବାସ କରିବ !!ସମୟ ପ୍ରମାଣ ମାଗିବ।ସେ ପ୍ରମାଣସବୁ ଉଇ ହୁଙ୍କାରେ ପରିଣତ ହୋଇଗଲେ।

    ମୋ ଜେଜେ ବାଣୀଭୂଷଣଙ୍କ ଦରବାରୀ ଜୀବନ ବିଷୟରେ ଆମକୁ ବିଶେଷ କିଛି ଜଣାନାହିଁ। ନନାଙ୍କଠାରୁ ଅବା ଜାଣି ହୋଇଥାନ୍ତା; କିନ୍ତୁ ସେ କେବେ ନିଜଆଡୁ କହିନାହାନ୍ତି କିମ୍ବା ମୋ ଆଡୁ ମୁଁ ପଚାରି ପାରିନାହିଁ।ଏବେ ଭାବିଲା ବେଳକୁ ଇତିହାସ ଜନଶ୍ରୁତିରେ ପରିଣତ ହୋଇ ସାରିଲାଣି। କେବଳ ଜନଶ୍ରୁତିରୁ ଦରବାରରେ ଘଟିଥିବା ଗୋଟିଏ ରୋଚକ ଘଟଣା ଅବଶ୍ୟ କାନରେ ପଡ଼ିଛି।ଘଟଣାଟି ଦରବାରୀ ପଣ୍ଡିତମାନଙ୍କୁ କୁଳବୃଦ୍ଧ ମଧୁସୂଦନ ଦାସଙ୍କର ଲଘୁ ପରିହାସକୁ ନେଇ। ଘଟଣାଟି ଏହିପରି:—–
    ମଧୁବାବୁ ଖଣ୍ଡପଡ଼ା ରାଜା ନଟବର ସିଂହଙ୍କର ଜଣେ ପ୍ରିୟ ବନ୍ଧୁ ଥିଲେ।ସେ ଦୁହିଁଙ୍କ ବନ୍ଧୁତା ଓକିଲ-ମହକିଲ ସମ୍ପର୍କରୁ ସୃଷ୍ଟି ହୋଇଥିଲା।ସେ ସମୟରେ ମଧୁବାବୁ ଓଡ଼ିଶାର ଏକମାତ୍ର ବିଲାତ ଫେରନ୍ତା ଓକିଲ।ତାଙ୍କ ସମକକ୍ଷ ଓକିଲ ନଥିଲେ କହିଲେ ଚଳେ। ଛବିଶି ଗଡ଼ଜାତ ରାଜାଙ୍କ ଦରବାରକୁ ତାଙ୍କର ଅବାଧ ଯିବାଆସିବା ଥିଲା। ସେମାନଙ୍କ ତରଫରୁ ସେ ଓକିଲାତି କରୁଥିଲେ;ଓକିଲାତି ମୁଖ୍ୟତଃ ରାଜ୍ୟ ରାଜ୍ୟ ଭିତରର ସୀମାବିଵାଦକୁ ନେଇ। ସେଥିପାଇଁ ମଧୁବାବୁଙ୍କ ସବୁ ଗଡ଼ଜାତର ଦରବାରରେ ଖାତିରି ଥାଏ। ଖଣ୍ଡପଡ଼ା ରାଜା ନଟବର ସିଂହ ମଧ୍ୟ ତାଙ୍କୁ ଖୁବ୍ ସମ୍ମାନ ଦେଉଥିଲେ।
    ଥରେ ମଧୁବାବୁ ନଟବରଙ୍କ ଦରବାରକୁ ଆସିଥାନ୍ତି।ତାଙ୍କ ସମ୍ମାନାର୍ଥେ ଶ୍ଳୋକ ଲେଖି ଆବୃତ୍ତି କରିବାପାଇଁ ରାଜା ପଣ୍ଡିତ ସଭା ଡକାଇଲେ। ସେହି ପଣ୍ଡିତମାନଙ୍କ ଭିତରେ ଜେଜେବାପା ବିଦ୍ୟାଧର ବାଣୀଭୂଷଣ ଏବଂ ଉତ୍କଳଭାସ୍କର ସାମନ୍ତ ଚନ୍ଦ୍ରଶେଖର ମଧ୍ୟ ଥାଆନ୍ତି।ଅନ୍ୟ ପଣ୍ଡିତମାନଙ୍କ ସହିତ ବାଣୀଭୂଷଣ ମଧ୍ୟ ମଧୁବାବୁଙ୍କ ଗୁଣଗାନ କରି ଶ୍ଳୋକ ପାଠକଲେ।ହେଲେ ମଧୁବାବୁ ପଣ୍ଡିତ ମାନଙ୍କୁ ପରିହାସ ଛଳରେ ନିମ୍ନୋକ୍ତ ଗଳ୍ପଟି କହିଥିଲେ ଯାହାର ସାରାଂଶ ହେଲା ଯେ ପଣ୍ଡିତମାନେ ‘ପୋଥିବାଇଗଣ’।

    ମଧୁବାବୁ କହିଲେ… ଏକଦା ଜଣେ ପଣ୍ଡିତଙ୍କ ଘରଣୀ ନିକଟସ୍ଥ କୂଅକୁ ପାଣି ଆଣିବାପାଇଁ ବାହାରିଗଲେ ଏବଂ ଯିବା ପୂର୍ବରୁ ସ୍ବାମୀଙ୍କୁ କହିଗଲେ, ଟିକିଏ ଲକ୍ଷ୍ୟ ରଖିଥିବ,କାଳେ ଚୁଲିରେ ବସିଥିବା ଡାଲି ଉତୁରି ପଡିବ। ବ୍ରାହ୍ମଣୀ ଚାଲିଯିବା ପରେ ସତକୁ ସତ ଆଟିକାରେ ଡାଲି ଉତୁରିବା ଆରମ୍ଭ ହେଲା।ପଣ୍ଡିତେ ଉଚୁରା ବନ୍ଦ କରିବା ପାଇଁ ଚଣ୍ଡୀପାଠ ଠାରୁ ଆରମ୍ଭ କରି ଯାହା ମନ୍ତ୍ର ତନ୍ତ୍ର ଜାଣିଥିଲେ ପଢ଼ିଲେ। ତଥାପି ଡାଲି ଉତୁରା ବନ୍ଦ ହେଲାନାହିଁ।ଏ ସମୟରେ ପଣ୍ଡିତାଣୀ ପାଣିଗରା ଧରି ସେଠାରେ ପହଞ୍ଚି କହିଲେ…ମଲା ମଲା,ଡାଲି ଉତୁରି ପଡ଼ିଲାଣି,ତୁମକୁ ଦିଶୁନାହିଁ?”ଏହା କହି ପଣ୍ଡିତାଣୀ ଆଟିକାରେ ମୁଠାଏ ପାଣି ଛାଟି ଦେବାରୁ ଡାଲି ଉତୁରିବା ବନ୍ଦ ହେଲା।ଏହା ଦେଖି ପଣ୍ଡିତେ କହିଲେ..ଡାଲି ଆଟିକା ମୋର ସପ୍ତପଦୀ ଚଣ୍ଡୀପାଠ ଶୁଣିଲାନି,ଅଥଚ ତୁମର ମୁଠାଏ ପାଣିରେ ଶାନ୍ତ ପଡ଼ିଗଲା !”

    ଗପଟି କହିସାରି ମଧୁବାବୁ କହିଲେ.. ପଣ୍ଡିତମାନେ ସିନା ପାଠ ପଢିଥାନ୍ତି,ହେଲେ ସେମାନଙ୍କର ଟିକିଏ ବୁଦ୍ଧି କମ୍।ପୋଥିବାଇଗଣ ଓ ବାରିବାଇଗଣ ଭିତରେ ସେମାନେ ଫରକ ଜାଣିପାରନ୍ତି ନାହିଁ।”
    ମଧୁବାବୁଙ୍କର ଏପରି ବକ୍ରୋକ୍ତିରେ ପଣ୍ଡିତମାନେ ଅପମାନିତ ମନେ କଲେ ସିନା, କିନ୍ତୁ ନୀରବ ରହିଲେ।ନିଜ ନିଜ ଭିତରେ ମୁହଁ ଚୁହାଁ ଚୁହିଁ ହେଲେ। ମଧୁବାବୁଙ୍କୁ କିଏ ପୁଣି ଉତ୍ତର ଦେବ ? ସ୍ୱର୍ଗକୁ ନିଶୁଣି ନାହିଁ;ବଡଲୋକଙ୍କୁ ଉତ୍ତର ନାହିଁ।

    କିନ୍ତୁ ସେଠାରେ ବସିଥିବା ପଠାଣି ସାଆନ୍ତେ ନୀରବ ରହି ପାରିଲେନି।ତାଙ୍କର ବା କାହାକୁ ଡର ! ସେ ନିମ୍ନୋକ୍ତ ଶ୍ଳୋକଟି ପାଠକଲେ, ଯାହା ମଧୁବାବୁଙ୍କ ପରିହାସର ଉପଯୁକ୍ତ ଉତ୍ତର ଥିଲା।
    “ଧୀରୋଽପ୍ୟଧୀରାକୃତ ଧୀରବର୍ଗୋ
    ମୂଢାତ୍ ପରାଭବି ମ ବଶ୍ୟମେତି।
    ହୀରୋପି ନୀରପ୍ରତିମାଶ୍ଚଲୋହୋ
    ମେଷସ୍ୟ ଶୃଙ୍କାଦପି ଯାତି ଭଙ୍ଗମ୍।।”

    ଅର୍ଥାତ୍ ବହୁ ପଣ୍ଡିତଙ୍କୁ ପରାଜିତ କରିଥିବା ମହାପଣ୍ଡିତ ମଧ୍ୟ ମୂଢଠାରୁ ପରାଜୟ ଲାଭ କରିଥାଏ, ଯେପରି ପଥର ଓ ଲୁହାକୁ କାଟି ପାରୁଥିବା ହୀରା ମଧ୍ୟ ସମୟରେ ମେଣ୍ଢା ଶିଂଘମାଡରେ ଭାଙ୍ଗିଯାଏ।
    ଶ୍ଳୋକର ଅର୍ଥ ଶୁଣିବା ପରେ ରାଜା ନଟବର ସିଂହ ଏବଂ ମଧୁବାବୁଙ୍କ ମୁହଁ ମଳିନ ପଡ଼ିଗଲା। ପଣ୍ଡିତମାନଙ୍କୁ ପ୍ରକାରାନ୍ତରେ ହୀରା ଏବଂ ବାରିଷ୍ଟର ଦାସଙ୍କୁ ମୂଢ ସହିତ ତୁଳନା କରାଗଲା ବୋଲି ଏକ ସୂଚନାତ୍ମକ ଧାରଣା ସୃଷ୍ଟି ହେଲା।
    ତାପରଦିନ ମଧୁବାବୁ ସାମନ୍ତ ଚନ୍ଦ୍ରଶେଖରଙ୍କ ଘରକୁ ଯାଇ ନାନାପ୍ରକାର ମଧୁର ଆଳାପ କରି କହିଲେ.. “ମୁଁ କାଲି ଆପଣମାନଙ୍କ ମନରେ କଷ୍ଟଦେଲି। ମୋର ଉକ୍ତି ଆପଣଙ୍କ ପାଇଁ ଉଦ୍ଦିଷ୍ଟ ନଥିଲା।ଏହା ଲଘୁ ପରିହାସ ମୂଳକ ଥିଲା।ଆପଣ ତ ଉତ୍କଳର ଚନ୍ଦ୍ରମା ସଦୃଶ।” ଏହାପରେ ମହାନୁଭବ ସାମନ୍ତ କହିଲେ..ମୋ ମନରେ ତ କିଛି କଷ୍ଟ ହୋଇନାହିଁ, ବରଂ ମୁଁ ଆପଣଙ୍କୁ ମୂଢଫୂଢ କରି କେତେ କଣ କହିଲି। ଏମିତି ହୁଏ। ତାହା ଧର୍ତ୍ତବ୍ୟ ନୁହେଁ।”

    ୧୯୦୫ ମସିହାରେ ରାଜା ନଟବର ସିଂହଙ୍କ ଦେହାନ୍ତ ପରେ ଖଣ୍ଡପଡ଼ାର ରାଜ ସିଂହାସନ ଦ୍ବାଦଶ ରାଜା ରାମଚନ୍ଦ୍ର ସିଂହ ଆରୋହଣ କଲେ। ରାଜା ନିଜେ ପାଠୁଆ ନଥିବାରୁ ଦରବାରୀ ପଣ୍ଡିତମାନଙ୍କର ଚାହିଦା ଦରବାରରେ ସେତେ ନଥିଲା। କବିଚନ୍ଦ୍ର କାଳୀଚରଣ “କୁମ୍ଭାର ଚକ”ପୁସ୍ତକରେ ରାଜା ରାମଚନ୍ଦ୍ରଙ୍କର ପାଠ ବିଷୟରେ ଲେଖିଛନ୍ତି… ରାଜା ପାଠଶାଠ ବେଶି କିଛି ପଢିଥିବାର ମନେ ହୁଏନାହିଁ। ଆଦେଶନାମା ଅଥବା କୌଣସି ସରକାରୀ କାଗଜରେ କେବେ ସେ ତାଙ୍କ ପୂରା ନାମ ସ୍ବାକ୍ଷର କରିବା ଜଣାନାହିଁ।ସେ କେବଳ ଲେଖୁଥିଲେ…’ଶ୍ରୀରାଜେ’। ଏହି ତିନୋଟି ଅକ୍ଷର ତାଙ୍କ ପାଠପଢ଼ାର ଦୌଡ଼ ଚିହ୍ନାଇଦିଏ।” ରାମଚନ୍ଦ୍ର ସିଂହଙ୍କର ଛାନ୍ଦ ଚଉପଦୀ ଗାଉଣା ବାଜଣା ଇତ୍ୟାଦିରେ ଅବଶ୍ୟ ଅଧିକ ରୁଚି ରହିଥିଲା।

    ମଣିଷର ମନେ ରଖିବା ଶକ୍ତି ବହୁତ କମ୍।ଘରେ ଶ୍ରାଦ୍ଧ ସମୟରେ ପୁରୋହିତ ଆମକୁ ଅଣଜେଜେ,ପଣଜେଜେଙ୍କ ନାଁ ପଚାରିଲେ ଆମର ମନେ ପଡେନାହିଁ। ତେଣୁ ଜଗନ୍ନାଥ,ବଳଭଦ୍ର ସୁଭଦ୍ରା ଇତ୍ୟାଦି ନାଁ କହି ଆମେ ଶ୍ରାଦ୍ଧ ସମାପନ କରୁ। ପ୍ରାଚୀନ ଓଡ଼ିଶାର କିମ୍ବା ଭାରତର ଇତିହାସ ଅନେକାଂଶରେ ଅନୁମାନ ସିଦ୍ଧ।ମୋ ଗାଁ ଏବଂ ମୋ ପରିବାରର ଗୋଟିଏ ଶତାବ୍ଦୀ ତଳର ଘଟଣାବଳୀ ଆଜି କିମ୍ବଦନ୍ତୀରେ ପରିଣତ ହେବାପାଇଁ ଯାଉଛି,କାରଣ ଆମ ପୂର୍ବଜମାନେ ସେମାନଙ୍କ ସମୟର ଘଟଣାବଳୀକୁ ଲିପିବଦ୍ଧ କରି ନାହାଁନ୍ତି। କବିଚନ୍ଦ୍ର କାଳୀଚରଣ କୁମ୍ଭାର ଚକରେ ଯେବେ ଖଣ୍ଡପଡ଼ା, ରାମଚନ୍ଦ୍ର ସିଂହ ଏବଂ ବିଦ୍ୟାଧର ବାଣୀଭୂଷଣଙ୍କ ବିଷୟରେ ଲେଖି ନଥାନ୍ତେ, ମୁଁ ମୋ ଗାଆଁ ଓ ଜେଜେବାପାଙ୍କ ବିଷୟରେ ଅନେକ କଥା ଜାଣିପାରିନଥାନ୍ତି।
    ତେଣୁ କବି ଓ ଲେଖକ ମାନଙ୍କୁ ମୋର ଅନୁରୋଧ ଜନ୍ମଭୂମି,କାଳ,ପାତ୍ର ସମ୍ବନ୍ଧୀୟ ସତ୍ଯଘଟଣା ଗୁଡିକ ଲିପିବଦ୍ଧ କରିଯାଆନ୍ତୁ; ଇତିହାସ ଆପଣଙ୍କୁ ଆଶୀର୍ବାଦ କରିବ।
    କ୍ରମଶଃ…

Click to rate this post!
[Total: 0 Average: 0]

Leave a Reply