Wednesday, February 28, 2024
Stories

ମୋ ଗାଁ ମୋ ଘର (୧୬)

ମୋ ଗାଁ ମୋ ଘର
୧୬
=================================
ଆମେ ବି ଦିନେ ଚାଷୀ ଥିଲୁ
================================
କିଛି ନଥିଲା ସେତେବେଳେ।ମହୁଫେଣାରୁ ମହୁ ଖାଇ ଗୋରା ସରକାର ଶିଠା ଫିଙ୍ଗିଦେଲା ଚାଲିଗଲେ। ଦେଶ ସ୍ବାଧୀନ ହେବାପରେ ପଞ୍ଚବାର୍ଷିକ ଯୋଜନା ଗୁଡ଼ିକର ସଫଳ ରୂପାୟନ ହେବାପରେ ହିଁ ଦେଶରେ ସବୁଜ ବିପ୍ଳବ ଆସିଲା ଏବଂ ଦୁର୍ଭିକ୍ଷରୁ ରକ୍ଷା ମିଳିଲା। କିନ୍ତୁ ସ୍ବାଧୀନତା ପରର କିଛି ବର୍ଷ ଜନସାଧାରଣଙ୍କ ପାଇଁ ଭୀଷଣ ପରୀକ୍ଷାର ବର୍ଷ ଥିଲା। ସମ୍ପୂର୍ଣ୍ଣ ଉନବିଂଶ ଶତାବ୍ଦି ଏବଂ ବିଂଶ ଶତାବ୍ଦିର ପ୍ରଥମ ଭାଗରେ ବାରମ୍ବାର ମରୁଡି ଜନିତ ଦୁର୍ଭିକ୍ଷ ଯୋଗୁଁ ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିଲା। ଚାକିରି ବାକିରି କ୍ଵଚିତ ଥିଲା।ଭିକ ମାଗି ପେଟ ପୋଷିବା ପାଇଁ ଜାନୁଘଣ୍ଟିଆ,କେନ୍ଦେରାଯୋଗୀ ଏବଂ ହାଡକଙ୍କାଳସାର ବୁଭୁକ୍ଷୁ ମାନଙ୍କର ଭିଡ ପ୍ରାୟଦିନ ଲାଗି ରହୁଥିଲା।

ଚାଷ ଉପରେ ପେଟର ଭରସା।ଅମାରରେ ଧାନ ଏବଂ ଓଳିଆରେ ମୁଗ ଥିଲେ ଗୃହସ୍ଥର ଚିନ୍ତା ନଥିଲା।ବାଇଗିଣିଆରେ ବୁଣା ଖଦଡ଼ ଖଣ୍ଡେ ପିନ୍ଧି, ଖୋର୍ଦ୍ଧା ନାଲି ଗାମୁଛା ଖଣ୍ଡେ କାନ୍ଧରେ ପକେଇ ସେ ଦାଣ୍ଡରେ ରଜାପରି ଚାଲୁଥିଲା। କିନ୍ତୁ ଜମିରୁ ଧାନ ଅମଳ କରି ସେପରି ଗର୍ବ କରିବା ପାଇଁ ଆମ ପାଖରେ କିଛି କାରଣ ନଥିଲା। ନନା(ବାପା) ଦିବ୍ୟସିଂହପୁର ଗାଁ ଛାଡି ଖଣ୍ଡପଡାରେ ବସବାସ କରିବା ପରଠାରୁ ଆମ ଡୋଲିରେ/ମାଣ୍ଟୁରେ ମୁଠାଏ ବି ଧାନ ପଡୁନଥିଲା କିମ୍ବା ବଣାରେ ସାଇତିବା ପାଇଁ ଅଡେ ବା ମାଣେ ମୁଗ କିମ୍ବା ବିରି ନଥିଲା। ସେତେବେଳେ କଥାରେ କଥାରେ ଲୋକେ କହନ୍ତି..ମାଣ୍ଟୁରେ ଧାନ ଓ ବାଡିରେ ସଜନା ଗଛ ଥିବା ଲୋକଠୁଁ ବଳି ଧନୀ ଆଉ କିଏ ଅଛି ? ଦିବ୍ୟସିଂହପୁର ଭଳି ଦୂର ଗାଁରେ ଚାଷବାସ କରି ଏତେବାଟରୁ କେମିତି ବା ଧାନ ଅମଳ ହୋଇ ଘରକୁ ଆସନ୍ତା ;ମାଣ୍ଟୁରେ ଧାନ ନଥିବାରୁ ବୋଉର ସବୁବେଳେ ମନଦୁଃଖ।

କଳେଇ ଗଦାଟିଏ ଖଳାରେ ନଥିଲେ,ମଗୁଶ୍ର(ମାର୍ଗଶିର) ମାସରେ ଧାନକେଣ୍ଡାଏ ଦିଅଁଘରେ ଲକ୍ଷ୍ମୀଙ୍କ ପାଖରେ ପୂଜା ନପାଇଲେ,ଖଳାମୁଣ୍ଡରୁ ଆରମ୍ଭ କରି ଦିଅଁଘର ପର୍ଯ୍ୟନ୍ତ ଚିତା ନପଡିଲେ ସେ କି ଘର ? ବୋଉ ମନରେ ସବୁବେଳେ ଏଇ ଅବସୋସ ରହିଥିଲା। ବୋଉର ଏଇ ଆଶା ଦିନେ ପୂରଣ ହେଲା ଯେତେବେଳେ ଲକ୍ଷ୍ମୀପ୍ରସାଦ ଗାଁରେ ଆମକୁ ତେର ଏକର ଢିପଜମି ମିଳିଲା। ନନାଙ୍କ ତିଆରି ଆୟୁର୍ବେଦୀୟ ଔଷଧଖାଇ , ଦୁରାରୋଗ୍ୟ ରୋଗରୁ ଭଲ ହେବାପରେ କୃଷ୍ଣ ଚଉଧୁରୀ ନାମକ ଜଣେ ମହାଜନ ଲକ୍ଷ୍ମୀ ପ୍ରସାଦରେ ଥିବା ଏଇ ତେର ଏକର ଜମି ଏକପ୍ରକାର ଦାନ ସୂତ୍ରରେ ନନାଙ୍କ ନାମରେ କରିଦେଇଥିଲେ। କିନ୍ତୁ ସେ ଜମି ଦେଖି ଆମକୁ ଉତ୍କଳଘଣ୍ଟ ଯଦୁମଣିଙ୍କ କଥା ସବୁବେଳେ ମନେ ପଡୁଥିଲା…

ଛାମୁଁ ଯାହା ଦେଲେ ହରଷେ
ପାଉ ପାଉ ଗଲା ବରଷେ,
ଏମନ୍ତ ଭୂଇଁ,ଚାକୁଣ୍ଡା ବୁଣିଲେ ଉଠଇ ନାହିଁ।

କିନ୍ତୁ ନନାଙ୍କ ମନରେ ଥିଲା ଜିଦ୍, କେମିତି ସେଇ ଜମିକୁ ଚାଷଯୋଗ୍ୟ କରି ଧାନ ଅମଳ କରିବେ। ଯୁଧିଷ୍ଠିର ତ ପୁଣି ଖାଣ୍ଡବବନ ଭଳି ସ୍ଥାନ କୌରବଙ୍କଠାରୁ ପାଇ ସେଠାରେ ଇନ୍ଦ୍ରପ୍ରସ୍ଥ ଗଢି ପାରିଥିଲେ। ଶିଖରପୁର ନାମକ ନିକଟସ୍ଥ ଗାଁର ଧନିଆଁ ନାମକ ଗୋଟିଏ ଭାଗୁଆଳିର ସାହାଯ୍ୟ ନେଇ, ପାହାଡ଼ ତଳିଆ ପଡିଆ ଜମିକୁ ଚାଷଜମିରେ ପରିଣତ କରିବା ଅଭିଯାନ ନନା ଆରମ୍ଭ କରିଦେଲେ। ସକାଳୁ ଦଶଟା ପର୍ଯ୍ୟନ୍ତ ଦାଣ୍ଡଦୁଆରେ ରୋଗୀଙ୍କ ସେବା,ଦଶଟାରୁ ଚାରିଟା ପର୍ଯ୍ୟନ୍ତ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନ,ଚାରିଟାରୁ ଛଅଟା,ସାଇକେଲରେ ପାଞ୍ଚ କିଲୋମିଟର ରାସ୍ତା ଯାଇ ଲକ୍ଷ୍ମୀ ପ୍ରସାଦ ଗାଁରେ ଜମିକାମର ଦେଖରେଖ ଇତ୍ୟାଦି ନନା କିପରି କରିପାରୁଥିଲେ ଏବେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ।ସେ ସମୟର ଲୋକମାନେ ବାସ୍ତବ ଅର୍ଥରେ କର୍ମଯୋଗୀ ଥିଲେ।

ଅଧ୍ୟବସାୟର ଫଳ ଭାରି ମିଠା।ପରବର୍ଷ ଯେତେବେଳେ ସେହି ଜମିରୁ ସାତଶଗଡ କଳେଇବିଡା ଧାନଖଳାକୁ ଆସିଲା, ତାହା ଥିଲା ଆମପାଇଁ ସବୁଠାରୁ ସ୍ମରଣୀୟ ଓ ଆନନ୍ଦର ଦିନ। ଚାରିଦିନ ଆଗରୁ ବୋଉ ଧାନଖଳା ଲିପାପୋଛା କରି ରଖିଥାଏ।କଳେଇଗଦା ପାଇଁ,ପଥର ଉପରେ କାଠ ଥୋଇ ଭାଡି ତିଆରି ହୋଇଯାଏ। ପରଦିନ ସକାଳୁ ସକାଳୁ ନନା ଲୋକ ଲଗେଇ ସୁଦୃଶ୍ୟ କଳେଇଗଦାଟିଏ ଠିଆ କରିଦେଲେ। ଲକ୍ଷ୍ମୀ ସଶରୀରେ ଓହ୍ଲେଇ ଆସିଲେ ଆମ ଅଗଣାକୁ।ସାଇରୁ ଲୋକମାନେ ଆସି ବଡ଼ ପ୍ରଶଂସା କରୁଥାନ୍ତି;ନନାଙ୍କ ମୁହଁରେ ଆତ୍ମତୃପ୍ତିର ହସ ଲାଗି ରହିଥାଏ।ଧାନ ଖଳାରୁ ଦିଅଁଘର ପର୍ଯ୍ୟନ୍ତ ଦୂରତା,ପକାଯାଇଥିବା ପିଠୋଉ ଚିତାରେ ହସି ଉଠୁଥାଏ।ସେ ଖୁସି,ସେ ତୃପ୍ତି, ସେ ଆନନ୍ଦ , ଆଜିକାଲି ଚାଷୀ ମୁହଁରେ କୋଉଠି ଦେଖିବାକୁ ମିଳୁଛି ? ଆଜିକାଲି ଟଙ୍କିକିଆ ଚାଉଳ, ଚାଷୀ ମୁହଁର ଆତ୍ମନିର୍ଭରଶୀଳତାର ସେ ତୃପ୍ତିପୂର୍ଣ୍ଣ ହସକୁ କୁଆଡେ଼ ଲୁଚେଇ ଦେଇଚି।

କଳେଇଗଦା ତଳେ ନେଉଳଟିଏ ପିଲାଛୁଆ ଧରି ଆସି ଘର କଲା । ସକାଳୁ ସକାଳୁ ନେଉଳ ଛୁଆଙ୍କ ଖେଳ ଦେଖିବାକୁ ଆମେ କଳେଇଗଦା ତଳକୁ ଚାହିଁ ରହୁ। ସ୍କୁଲ୍ ଯିବାକୁ ଉଛୁର ହୋଇଯାଏ। ବୋଉଠାରୁ ଗାଳି ଶୁଣିବାକୁ ପଡେ।

ଲକ୍ଷ୍ମୀପ୍ରସାଦରେ ଥିବା ଜମି ଛଡ଼ା ଆମର ଆମ୍ବନାଳ (ପୋତାନଈ) କୂଳରେ ଏକୋଇଶି ଏକର ପଦା ଜମି ଥାଏ।ସେ ଜମି, ନନା(ବାପା) କାଦୁଆସାଇର ବେବର୍ତ୍ତାଙ୍କଠାରୁ ମାତ୍ର ପାଞ୍ଚଶ ଟଙ୍କାରେ କିଣିଥିଲେ। ସେତେବେଳେ ସେହି ପାଞ୍ଚଶହ ଟଙ୍କାର ମୂଲ୍ୟ ଆଜିର କୋଟିଏ ସହିତ ସମାନ। ସେଠାରେ ଖାଲି ମାଣ୍ଡିଆ ଓ ଝୋଟ ଛଡ଼ା ଆଉ କିଛି ହୁଏନାହିଁ। ଲକ୍ଷ୍ମୀପ୍ରସାଦରେ ଥିବା ଜମି ହେଉ କିମ୍ବା ଆମ୍ବନାଳ-କୂଳିଆ ଜମି ହେଉ, ବୋଉ କହେ “ଏମିତି ଢିପ ଜମି, ଥିଲେ କେତେ ନଥିଲେ କେତେ ?ମୋ ବାପଘର ପଦ୍ମାଦେଈ ପୁରରେ ମୋ ଭାଇନାଙ୍କର(ଆମ ମାମୁଁଙ୍କର) ବାଟିଏ ଚାଷ,ମୁଗ ବିରି ଚଣା କୋଳଥ ହୋଇ ଚାରି ଫସଲ;ଜମି ହବ ତ ଏମିତି,ଆଉ ଏ ଢିପଜମି ? କୃଷ୍ଣ ଚଉଧୁରୀ ନ’ଦେଇଥାନ୍ତା ନାଇଁ, ଏମିତି ଢିପଜମି ତେରଏକର ଦେଇ ଲାଭ କ’ଣ?ଆଉ ସେ ଆମ୍ବନାଳକୂଳିଆ ଜମି (ତଇଲା),ସେଠି ତ ମାଣ୍ଡିଆ ଆଉ ଝୋଟ ଛଡ଼ା କିଛି ହଉନି,ତା’ ପୁଣି ଭାଗୁଆଳି ମେଞ୍ଚେ ନେଲେ ଆମକୁ ଦଉଚି କେଞ୍ଚେ।”

ବୋଉର ଏମିତିକା ଅଭିଯୋଗ ଭିତରେ ବାପଘରର ଜମିକୁ ନେଇ ଯେଉଁ ଗର୍ବ ତାହା ସ୍ପଷ୍ଟ ବାରି ହୋଇ ଯାଉଥିଲା।ନନା ହସି ଦିଅନ୍ତି, କହନ୍ତି…ଆରେ,ଆଗେ ଆମର କିଛି ନଥିଲା,ଏବେ ଢିପ ହେଉ ପଛେ ଜମିରୁ କିଛି ତ ଆସୁଛି; ନାହିଁମାମୁଁ ଠାରୁ କଣାମାମୁଁ ତ ଭଲ।” ଥରେ ମାମୁଁ ଆମ ଘରକୁ ଆସିଥିଲେ, ମୁଁ ମାମୁଁଙ୍କ ମୁହଁକୁ ନିରେଖି ଚାହିଁଲି.,ଭାବିଲି..ଆମ ମାମୁଁ ତ କଣା ନୁହଁନ୍ତି,ନନା କଣାମାମୁଁ ବୋଲି କାହିଁକି କହୁଛନ୍ତି !

ନଈକୂଳିଆ ତଇଲାରେ ଯେଉଁ ମାଣ୍ଡିଆ କୋଳଥ ଓ ନଳିତା ଚାଷ ହୁଏ, ସେଥିରୁ ଆମକୁ କିଛି ମିଳୁନଥିଲା। ସେହି ଜମି ଚାଷ କରୁଥିବା ଲୋକଟି ଗରିବ ହୋଇଥିବାରୁ ନନା ତାଠାରୁ କିଛି ଆଣୁନଥିଲେ।ବୋଉ ଅଭିଯୋଗ କଲେ କହୁଥିଲେ..ଆମର କଣ ଏମିତି ଅଭାବ ଅଛି ଯେ ତା ପେଟରେ ଲାତମାରି ତାଠାରୁ ଭାଗ ଆଣିବା?ଆମ ଆଶ୍ରୟରେ ସେ ପଡ଼ିଛି,କୁଟୁମ୍ବୀ ମଣିଷ;ଫସଲରୁ ଯାହା ମିଳୁଚି,ଚଳୁଚି।ନଦେଉ, ଅଭିଯୋଗ କରନାହିଁ।

ତଇଲାରେ ଚାଷବାସ କରୁଥିବା ସେହି ଲୋକଟି କଥା ଏବେ ମନେପଡେ।ଆମର ସେହି ନଈକୂଳିଆ ଜମି ପଡ଼ିଆ ଜଙ୍ଗଲ ହୋଇ ପଡ଼ିଥିଲା।ଦିନେ ସକାଳେ ନନା ଦୁଆରେ ବସି ରୋଗୀଙ୍କୁ ଔଷଧ ଦେବା ସମୟରେ ସାଢ଼େ ଚାରିଫୁଟିଆ ଗେଡା ଲୋକଟିଏ ସ୍ତ୍ରୀ ଓ ପାଞ୍ଚ ସାତ ବର୍ଷର ଦୁଇଟି ପୁଅ ସହିତ ପାହାଚ ଉପରେ ଆସି ବସିଲା।ତା ସ୍ତ୍ରୀ ତାଠାରୁ ଉଚ୍ଚତାରେ ଦେଢ଼ ଫୁଟ ଅଧିକ। ଓଢ଼ଣା ଭିତରେ ବସନ୍ତ ଦାଗ ଥିବା ମୁହଁଟି ଲୁଚି ଯାଇଥିଲା।ପିଲା ଦୁଇଟି ରାହାଧରି କାନ୍ଦୁଥିଲେ କିଛି ଖାଇବାକୁ।ଘରୁ ଭୋଗେଇରେ ମୁଢ଼ି ଆଣି ପିଲାଦୁଇଟିକୁ ଦିଆଗଲା। ନନା ଭାବିଲେ.. କିଛି ରୋଗରେ ଆକ୍ରାନ୍ତ ହୋଇ ସେମାନେ ଔଷଧ ପାଇଁ ଆସିଛନ୍ତି। ତେଣୁ ପଚାରିଲେ..କଣ ତମର ହଉଚି ?”ଲୋକଟି କହିଲା..ମୋର ଗୋଟିଏ ମାତ୍ର ରୋଗ..ଦରିଦ୍ରତା।ଘର ମୋର ଗଞ୍ଜାମ।ଗରିବ ଲୋକଟିଏ। ଜମିବାଡ଼ି କିଛି ନାହିଁ।ପିଲାଙ୍କୁ ଦିଓଳି ଖାଇବାକୁ ନେଇନପାରି ଭୋକ ବିକଳରେ ଆପଣଙ୍କ ପାଖକୁ ଧାଇଁ ଆସିଛି।ମୋର ଭିଖ ଦରକାର ନାହିଁ।ନଈକୂଳରେ ଥିବା ଜମି ମତେ ଚାଷ କରିବାକୁ ଦିଅନ୍ତୁ।ପିଲାଏ ମୋର ବଞ୍ଚିଯିବେ।

ତା’ପରଡାରୁ କେଳା ନାମକ ସେହି ଲୋକଟି ଆମ ନଈକୂଳିଆ ଜମି ଚାଷ କରି ଉଠିବସିଲା।ନିକଟରେ ଗୋଟିଏ ସରକାରୀ ଜାଗାରେ ଘର କରି ପରେ ତାକୁ ନିଜ ନାମରେ ଲିଜ୍ କରେଇ ନେଲା।ଆମ ଜମିରେ ମାଣ୍ଡିଆ କୋଳଥ ନଳିତା ଇତ୍ୟାଦି ଚାଷକରି ଭଲରେ ଚଳିଲା ଏବଂ କାଳକ୍ରମେ ବାର ଏକର ଜମି କିଣି ସ୍ବଚ୍ଛଳ ଜୀବନ ବିତାଇ ପାରିଲା। ଯେଉଁଠାରେ ସେ ଘର କରିଥିଲା କାଳକ୍ରମେ ତାର ଆଖପାଖରେ ଜନବସତି ଗଢ଼ି ଉଠିଲା। କୁସୁମୀ ନଦୀ ଉପରେ ପୋଲ ହେଲାପରେ ସେ ସ୍ଥାନର ନୂଆ ନାମକରଣ ହେଲା…, ରାମଚନ୍ଦ୍ର ପ୍ରସାଦ।ଏବେ ଖଣ୍ଡପଡ଼ା ଓ ବାହାଡ ଗ୍ରାମ ମଝିରେ ଏହି ଜନବସତିଟି ଅବସ୍ଥିତ।

ବହୁତ୍ ପାଣି ବହିଗଲାଣି କୁସୁମୀ ନଦୀରେ।ସେକାଳର ସ୍ମୃତି ବିସ୍ମୃତ ହେବାକୁ ବସିଲାଣି।ନନାଙ୍କର ବଦାନ୍ୟତା ଓ କେଳା ଚାଷୀର ମାଟିରୁ ସୁନା ଫଳେଇବା କଥା କାହାଣୀରେ ପରିଣତ ହୋଇଛି।ଏବେ ରାସ୍ତାରେ ଶୁଣାଯାଉନାହିଁ ଜାନୁଘଣ୍ଟିଆର ଜଂଘରେ ବାଜୁଥିବା ଘଣ୍ଟି କିମ୍ବା କେନ୍ଦେରା ବାଲାର…ଭଜୁ କି ନା ରାମ ନାମରେ ଗୋବିନ୍ଦ..। କିନ୍ତୁ ନାହାଁନ୍ତି ମଧ୍ୟ ବୈଦ୍ୟନାଥ ଷଡଙ୍ଗୀଙ୍କ ଭଳି ବଦାନ୍ୟ ବ୍ୟକ୍ତି କିମ୍ବା କେଳା ଭଳି ପରିଶ୍ରମୀ ଚାଷୀ। ଅଉଲ କିସମର ଜମି ଆଜି ଅନାବାଦୀ ଜମିରେ ପରିଣତ ହୋଇଛି,କାରଣ କେଳାର ବଂଶଧରମାନେ ଆଜି ଟଙ୍କିକିଆ ଚାଉଳର ହିତାଧିକାରୀ କିମ୍ବା ଗୁଜୁରାଟରେ ସୂତାକଳର ଚାକିରିଆ।ସମୟ ବଳବାନ।
କ୍ରମଶଃ….

Click to rate this post!
[Total: 0 Average: 0]

Leave a Reply