Sunday, May 19, 2024
Stories

ମୋ ଗାଁ ମୋ ଘର (୧୫)

ମୋ ଗାଁ ମୋ ଘର
୧୫
================================
କିଛି ଅଭୁଲା ସ୍ମୃତି
================================
ପରିବେଶ ଅନୁସାରେ ଚରିତ୍ର ଗଠିତ ହୁଏ। କୁସୁମୀ କୂଳିଆ ଘରେ ଆମେ ଯେଉଁ ପରିବେଶରେ ବଡ଼ ହେଲୁ, ତାହା ଆମକୁ ପାଠ ବାଟରେ କମ୍ ନେଇ ଶାଠ ବାଟରେ ଅଧିକ ନେଲା। ଖଣ୍ଡପଡ଼ାର ମଣିକର୍ଣ୍ଣିକା ସାହି ଅତିକ୍ରମ କରି କୁମ୍ଭାର ସାହି ଆଡ଼କୁ ଗଲେ ସାଇ ମୁଣ୍ଡରେ ଗୋଟିଏ ବିରାଟ ବରଗଛ ପଡେ।ବରଗଛ ପରେ କୁମ୍ଭାର ସାହି,ତାପରେ ତଅଁଳା ସାହି ଏବଂ ଶେଷରେ ବାଲୁଙ୍କେଶ୍ୱର ମନ୍ଦିର ପାଖରେ ଆମ ଘର।ସେ ସମୟରେ ,ବରଗଛ ଡେଇଁଲେ ଜଣେ ମଧ୍ୟ ମାଟ୍ରିକ ପାସ କଲାବାଲା,ଟର୍ଚ୍ଚ ପକେଇ ଖୋଜିଲେ ବି ମିଳୁନଥିଲେ। ସେତେବେଳେର ମୂଲିଆ ମଜୁରିଆ ଶ୍ରେଣୀର ଲୋକଙ୍କ ପାଇଁ ପିଲାଙ୍କ ପାଠପଢ଼ା ଗୁରୁତ୍ୱପୂର୍ଣ୍ଣ ନଥିଲା;ପିଲା ଟିକିଏ ବଡ଼ ହେଲେ ଗାଈଚରା, କାଠହଣା, ମାଛଧରା ଛତୁତୋଳା ଇତ୍ୟାଦି କାମରୁ ଘର ପାଇଁ ଯେଉଁ ରୋଜଗାର ହେଉଥିଲା ତାହା ଥିଲା ବଡ଼ କଥା। ବାପାମାଆ ମୂଲଲାଗି ଯାହାକିଛି ରୋଜଗାର କରୁଥିଲେ ତାହା ଚାଉଳ କିଣା ପାଇଁ ନିଅଣ୍ଟ ଥିଲା;ପିଲାମାନେ ତରକାରୀ ବାବଦକୁ ଯାହାକିଛି ନଈପଠାରୁ ସଂଗ୍ରହ କରୁଥିଲେ ତାହା ସାହାଯ୍ୟ କରୁଥିଲା ଓଳିଏ ଖାଇ,ଓଳିଏ ଉପାସ ରହି କଷ୍ଟେମଷ୍ଟେ ଚଳିଯିବାପାଇଁ। ସେମାନଙ୍କ ପିଲାମାନଙ୍କୁ ପାଠ ପଢିବାକୁ ସମୟ କାହିଁ ?

ସେମାନଙ୍କ ତୁଳନାରେ ଆମ ଘରର ଚଳଣି ସ୍ବଚ୍ଛଳ ଥିଲା। ତେଣୁ ଆମେ ‘ବାବୁଘର’ ନାମରେ ପରିଚିତ ଥିଲୁ।ବାବୁଘର ପିଲା ହେଲେ ମଧ୍ୟ ମୋର ବଡ଼ ଦୁଇଭାଇ ସେମାନଙ୍କ ସହିତ ସହଜରେ ମିଶିଗଲେ ଏବଂ ମାଛଧରା,ଛତୁତୋଳା ଇତ୍ୟାଦି କାମରେ ଓସ୍ତାଦ୍ ବନିଗଲେ। ମୁଁ ଯେ କାହିଁକି ପଛରେ ପଡ଼ିଗଲି ଏବେ ବୁଝିପାରୁନାହିଁ।ମୋ ମୁଣ୍ଡରେ ତିନୋଟି ଭଉଁରୀ ଅଛି।ମୁଣ୍ଡରେ ଭଉଁରୀ ଥିଲେ ନଈ ବା ପୋଖରୀରେ ବୁଡିଯିବା ସମ୍ଭାବନା ଥାଏ ବୋଲି ବୋଉ ମତେ ସହଜରେ କୁଆଡେ ବାହାରକୁ ଛାଡ଼େ ନାହିଁ। ସେଥିପାଇଁ ବୋଧହୁଏ ମୁଁ ସାଇର ପିଲାଙ୍କ ସହିତ ମିଶି ପାରିଲି ନାହିଁ।

ଦିପହରେ ସାଇରେ କାହାର ନା କାହାର ପିଣ୍ଡାରେ ତାସ୍ ବାଡିଆ ହୁଏ ।ମୋ ଉପର ଭାଇ ପିଲାବେଳୁ ଓଳିଆରୁ ଗଜା।ସ୍କୁଲ୍ ଯିବା ବଦଳରେ,ବହି ବସ୍ତାନି କାହା ପିଣ୍ଡା କଣରେ ରଖିଦେଇ ତାସ୍ ଆସରରେ ଅଧିକାଂଶ ସମୟ ବସିଯାଏ।ତାସ ଖେଳ ଶିଖିବା ସଙ୍ଗେ ସଙ୍ଗେ ବିଡି ଟାଣିବା ଏବଂ ସମ୍ବିଧାନ ବହିର୍ଭୁତ ଭାଷା ଗୁଡିଏ ଶିଖିବାରେ ସେ ଅଳ୍ପଦିନ ଭିତରେ ଓସ୍ତାଦ ପାଲଟି ଗଲା। ମୁଁ ମଧ୍ୟ ଭାଇନା ଠାରୁ ସେ ଶବ୍ଦ ଗୁଡିକ ଅତି ଶୀଘ୍ର ଶିଖିଗଲି।ସୁଧୀବୃନ୍ଦେ ! ଏଭଳି ଶବ୍ଦଗୁଡ଼ିକୁ କାହିଁକି ସମ୍ବିଧାନ ବହିର୍ଭୁତ ବୋଲି କୁହାଯାଏ ଏ ଯାବତ୍ ମୁଁ ଜାଣି ପାରିଲି ନାହିଁ।

ମୋ ଉପର ବଡ଼ଭାଇ(ଡାକ ନାଁ ବିଛୁଆତି),ସବା ବଡ଼ଭାଇ (ଡାକ ନାଁ କାଲା..କାନ ପାଚି ଅଳ୍ପ ଶୁଣାଯାଉଥିବାରୁ) ଏବଂ ମୁଁ (ପୋତା ମୁହାଁ)ଅବଶ୍ୟ କୁସୁମୀ ନଈକୁ ବେଳେ ବେଳେ ମାଛ ଧରିବାକୁ ଯାଉଁ। ଗଲାବେଳେ ବୋଉର ତାଗିଦା… ତାକୁ ପାଣି ଭିତରକୁ ଯିବାକୁ ଦବନି,ତାର ମୁଣ୍ଡରେ ତିନୋଟି ଭଉଁରୀ ଅଛି।”

ରସ ବା ଆଲୁମିନିୟମରେ ତିଆରି ବଡ଼ ଢାଳଟିଏ ଧରି ମୁଁ କୂଳେ କୂଳେ ଚାଲୁଥାଏ;ମୋ ଦୁଇଭାଇ ‘ବାଲିମୋଡା’ ପକାଇ ମାଛ ଧରି ଢାଳରେ ରଖନ୍ତି।ମାଛଧରାରେ “ବାଲିମୋଡା” ପଦ୍ଧତି କଣ, ନିଶ୍ଚୟ ଜିଜ୍ଞାସା ବଢୁଥିବା, ବୁଝାଇବାକୁ ଚେଷ୍ଟା କରୁଛି। ଦୁଇଟି ସାତହାତୀ ଲୁଗା ବା କରିଆ କଡ଼ରେ କଡ଼ରେ ଓଦାବାଲି ରଖି ଗୋଟିଏ ମୋଡ଼ା ପ୍ରସ୍ତୁତ କରାଯାଏ।ଶୀତ ଦିନେ ନଦୀରେ ଯେତେବେଳେ ଅଳ୍ପ ପାଣିର ଧାର ବହିଯାଉଥାଏ,ପାଣି ସୁଅରେ ବାଲିଆ ଯାଗା ଦେଖି ମୋଡାକୁ ଘେର କରାଯାଏ।ବାଲି ମୋଡା କଡ଼ରେ/ଘେରତଳେ ଲୁଚିଥିବା ମାଛ (ବିଶେଷତଃ କଣ୍ଟିଆ ମାଛ) ହାତ ବୁଲେଇଲେ ଧରା ପଡନ୍ତି। ଏହି ଉପାୟରେ ଦୁଇ ତିନି ଘଣ୍ଟା ଭିତରେ ଅଧକିଲୋ ମାଛ ନିଶ୍ଚିତ ଭାବରେ ଧରା ପଡନ୍ତି।ଏହା ବ୍ୟତୀତ ପତଳା କରିଆ/ଲୁଗାରେ କାନି ଦେଇ ମଧ୍ୟ ମାଛ ଧରାଯାଏ। ପାଣି କଡରେ ଥିବା ଗାତ ଭିତରୁ ତୋଡି ଗଡିଶା ଓ ସେରେଣା(ବଡ଼ କେରାଣ୍ଡି) ଇତ୍ୟାଦି ମାଛ ମଧ୍ୟ ଧରାଯାଏ। ସେଥିରେ ମୋ ବିଛୁଆତି ଭାଇନା ଓସ୍ତାଦ ଥିଲା।ବେଳେ ବେଳେ ଗାତଭିତରୁ ମାଛ ବଦଳରେ ସାପ (ସାଧାରଣତଃ ବିଷହୀନ ଧଣ୍ଡସାପ)ହାତରେ ପଡୁଥିଲେ। ନାଁ ଡର ନା ଭୟ; ତାକୁ ବୁଲେଇ ବୁଲେଇ ଭାଇନା ଶୂନ୍ୟକୁ ଫିଙ୍ଗିଦେଉଥିଲା । ଏମିତି ସାହସୀ ପିଲା ମୁଁ ଆଜି ପର୍ଯ୍ୟନ୍ତ ଦେଖିନାହିଁ।

ବେଳେ ବେଳେ,ବୋଉର ଅନୁମତି ନନେଇ ଭାଇନା ସହିତ ମୁଁ ଛତୁ ସଂଗ୍ରହ କରିବାକୁ କୁସୁମୀ ପଠାକୁ ଯାଉଥିଲି।ସେ ସମୟରେ କୁସୁମୀ ପଠାରେ ଘଞ୍ଚ ଜଙ୍ଗଲ ଥିଲା।ଶିଆଳ, ଭାଲୁ କଲରାପତରିଆ,ମାଙ୍କଡ,ବାର୍’ହା,ଗୋଧି,କୁଟ୍ରା,ବଣଭୂଆ,ଝିଙ୍କ, ବଜ୍ରକାପ୍ତା,ଠେକୁଆ,ଅଜଗର ସାପ ଏବଂ ଅନ୍ୟ ପ୍ରଜାତିର ବିଷଧର ସାପରେ ପରିପୂର୍ଣ୍ଣ ଥିଲା କୁସୁମୀକୂଳ ଜଙ୍ଗଲ।ତା ଭିତରେ ଘଞ୍ଚ ବେତର ଲଟି, ଭଇଁଚ ଏବଂ କଣ୍ଟେଇ କୋଳିର ଲଟି ଭରପୁର ହୋଇ ରହିଥିଲା। ସେହି ଲଟି ଭିତରେ ପଶି ଛତୁ ସଂଗ୍ରହ କରିବା ଭଳି ମାରାତ୍ମକ କାମ ଭାଇନା ସହଜରେ କରି ପାରୁଥିଲା। ଏହି ଅଭିଯାନ ବେଳେ ଅନେକ ସମୟରେ ଭଙ୍ଗା ହୁଙ୍କା ଭିତରେ ଆମେ ବିଷଧର ସାପ ଦର୍ଶନ କରିଛୁ।ଲଟି ଭିତରେ ଗାଡଭାଲୁ ଦେଖି ଜୀବନ ବିକଳରେ ଘରକୁ ଦଉଡିଛୁ, କିନ୍ତୁ ପରଦିନ ପୁଣି ସେହି ଅଭିଯାନ ଅବ୍ୟାହତ ରହିଛି।

ମୁଣ୍ଡରେ ତିନୋଟି ଭଉଁରୀ ଥିବାରୁ ପାଣିକୁ ଡରିବା ଯୋଗୁଁ ପହଁରିବା କାମଟି ମୋ ହାତରେ ହେଲାନାହିଁ।ଏବେ ଆଉ କ’ଣ ହବ ;ଯାହା ନହେଇଚି ବାଳକାଳେ,ତାହା କି ହେବ ପାଚିଲା ବାଳେ ? ମୋ ଭାଇନା କିନ୍ତୁ ସେ ସମୟରେ ଖଣ୍ଡପଡିଆ ପିଲାଙ୍କ ଭିତରେ ବିଖ୍ୟାତ ପହରାଳି। କୁସୁମୀ ନଦୀ ଗୋଟା ଚାଲିଥିବା ସମୟରେ ବନ୍ୟାର ଭୟାବହତାକୁ ଭୃକ୍ଷେପ ନକରି ସେ ନଈକୂଳରେ ଥିବା ଆମ୍ବଗଛ ଶିଖରରୁ ନଈ ଭିତରକୁ ଲମ୍ଫଦେବାର ଭୟାବହ ଦୃଶ୍ୟ ଆମେ ଦେଖିଛୁ।ଡରଭୟ ତା ଜାତକରେ ନଥିଲା।ବଳ ମଧ୍ୟ ତଦ୍ରୁପ।ଷୋଳବର୍ଷ ବେଳକୁ ପିଠିରେ ବଡ଼ ବଡ଼ ଧାନ ଓ ଚାଉଳବସ୍ତା ଲଦି ଶଗଡ଼ ଉପରକୁ ଅନାୟାସରେ ସେ ଉଠାଇ ଦେଉଥିଲା। ଏପରି ଭିଡ଼ କାମ ନଥିଲା ଯାହା ସେ କରିପାରୁନଥିଲା।ସ୍କୁଲରେ ଅଗ୍ରଣୀ ଆଥେଲେଟ୍’ମାନଙ୍କ ଭିତରେ ସେ ଅନ୍ୟତମ ଥିଲା।ପୁରୀ ଜିଲ୍ଲାସ୍କୁଲରେ ହୋଇଥିବା ଖେଳକୁଦରେ ସେ ଅନେକ ଗୁଡ଼ିଏ ସାର୍ଟିଫିକେଟ ଓ ପୁରସ୍କାର ପାଇଥିଲା। ସେଥିପାଇଁ କ୍ଲାସରେ ଭଲ ପଢୁନଥିଲେ ମଧ୍ୟ ପି ଇ ଟି ସାର୍’ଙ୍କ ଅନୁମୋଦନ ଯୋଗୁଁ ସେ ସବୁବର୍ଷ କ୍ଲାସ୍ ଡେଇଁ ଡେଇଁ ଯାଉଥିଲା।

ଆପଣ ଭାବୁଥିବେ ଏଠାରେ ମୋ ଭାଇନା କଥା କାହିଁକି ଏତେ ପଡିଚି; ଆଜି ସେ ଆମ ଗହଣରେ ନାହିଁ, ସେଥିପାଇଁ ବେଶୀ ମନେ ପଡୁଛି।୨୦୦୮ ମସିହାରେ,୫୮ବର୍ଷ ବୟସରେ, ଗୋଟିଏ ସଡ଼କ ଦୁର୍ଘଟଣାରେ ସେ ଆମ ସମସ୍ତଙ୍କୁ ଠକିଦେଇ ଚାଲି ଯାଇଛି।

ପିଲାଦିନେ ଗଣେଶ ପୂଜା ଏବଂ ସରସ୍ବତୀ ପୂଜା ଆମେ ଏକ ନିଆରା ଢଙ୍ଗରେ ପାଳନ କରୁଥିଲୁ।ପଛକୁ ଫେରି ଚାହିଁଲେ ବହୁତ ଲମ୍ବା ରାସ୍ତା ଅତିକ୍ରମ କରି ଆସିଲାପରି ଲାଗୁଛି।ପଛରେ ରହିଗଲାଣି ଅତିକ୍ରାନ୍ତ ଅଙ୍କା ବଙ୍କା ରାସ୍ତା; ସେ ପାହାଡ ଓ ନଈ, ଯେଉଁଠୁ ଜୀବନଯାତ୍ରା ଆରମ୍ଭ ହୋଇଥିଲା।ସେ ରାସ୍ତା ଖୁବ୍ ଛୋଟ ଛୋଟ ଓ ଧୁଆଁଳିଆ ଦେଖାଗଲେଣି।ଏବେ ତ ସଞ୍ଜ ସଂଜ ନଇଁ ଆସିଵା ବେଳ।ସେ ସମୟର ସବାପଛର ମଣିଷ ମୁଁ ଆଜି ଧାଡିର ସବା ଆଗରେ ଠିଆ ହେଇଚି।

ସବୁବର୍ଷ ଗଣେଶ ଚତୁର୍ଥୀ କିମ୍ବା ବସନ୍ତ ପଞ୍ଚମୀ ଆସିଲେ ମନେପଡେ ପିଲାଦିନେ ଆମେ କେମିତି ଭିନ୍ନ ଧରଣର ଗଣେଶ/ସରସ୍ବତୀ ପୂଜା ପାଳନ କରୁଥିଲୁ।ସବୁ ସାଙ୍ଗସାଥି ମାନଙ୍କର ନୂଆ ପ୍ୟାଣ୍ଟ ସାର୍ଟ୍ ,ଜାମାପଟା ହେଲାବେଳେ ଆମେ ଛଅ ଭାଇ ଭଉଣୀ ପୁରୁଣା ଜାମାପଟା ପିନ୍ଧିବାକୁ ବାଧ୍ୟ ହେଉଥିଲୁ।ପୂଜାଦିନ ସକାଳୁ ମୁଢି ଏବଂ ଦି’ପହରେ ପଖାଳ ଖାଇବାକୁ ବାଧ୍ୟ।ଆଇଁଷ ଖାଇବାରେ ମଧ୍ୟ କିଛି କଟକଣା ନଥିଲା,ବରଂ ସ୍ୱାଗତଯୋଗ୍ୟ ଥିଲା।ସ୍କୁଲକୁ ଯିବାକୁ ହେଲେ ପୁରୁଣା ଜାମାପଟା ପିନ୍ଧି ଯିବାକୁ ପଡୁଥିଲା।ଅବଶ୍ୟ ସ୍କୁଲରେ ଗଣେଶଙ୍କ ପ୍ରସାଦ ଖାଇବାରେ କିଛି କଟକଣା ନଥିଲା।

ଘରେ ଏଭଳି ନିୟମ ଲାଗୁ ହୋଇଥିବାରୁ ,ସ୍କୁଲକୁ ଯାଇ ଗଣେଶ ଚତୁର୍ଥୀ ପାଳନ କରିବାକୁ ଇଚ୍ଛା ହେଉନଥିଲା।ପୂଜାର କିଛିଦିନ ପୂର୍ବରୁ ଯେବେ କ୍ଳାସରେ ଚାନ୍ଦା ଆଦାୟ ହେଉଥିଲା, ମୁଁ ଦଉନଥିଲି, କହୁଥିଲି “ଆମ ଘରେ ପୂଜା ନାହିଁ ।”
ଜଣେ ଖ୍ୟାତନାମା ହାଇସ୍କୁଲ ଶିକ୍ଷକଙ୍କ ପରିବାରରେ, ବିଦ୍ୟାଦାତାଙ୍କ ପୂଜା ତିଥିରେ, ଏପରି ନିୟମ ରହିବା ଆଶ୍ଚର୍ଯ୍ୟଜନକ ବୋଲି ଯେ’କେହି ଭାବିବା ସ୍ବାଭାବିକ। କିନ୍ତୁ ତା’ର କାରଣ ଥିଲା।

ଅତୀତରେ ଆମ ପରିବାରରେ ଘଟିଥିଲା ଦୁଇଟି ଭୟଙ୍କର ଦୁର୍ଘଟଣା ।ଆମ ବଂଶର କେଉଁ ସାତ ଆଠ ପୁରୁଷ ତଳେ ଥରେ ଗଣେଶ ଚତୁର୍ଥୀରେ ଘରର ପୁଅଟିଏ ପାହାନ୍ତାରୁ ଗଣେଶଙ୍କପାଇଁ ବଗିଚାରୁ ଫୁଲ ତୋଳିବା ସମୟରେ ସାପକାମୁଡାରେ ପ୍ରାଣ ହରାଇଥିଲା।ତା’ ପରବର୍ଷ ଘରର ଝିଅଟିଏ ବସନ୍ତ ପଞ୍ଚମୀ ଦିନ ଗାଡିଆରୁ କଇଁଫୁଲ ତୋଳୁତୋଳୁ ପାଣିରେ ବୁଡିଯାଇ ପ୍ରାଣ ହରାଇଥିଲା।ସେହିଦିନଠାରୁ ଗଣେଶ ପୂଜା ଓ ସରସ୍ୱତୀପୂଜା ଆମ ପରିବାରରେ ବର୍ଜିତ ଥିଲା।ଖାଲି ତ ବର୍ଜିତ ନଥିଲା ,ପଖାଳ ଖାଇ ଅପାଳନ କରାଯାଉଥିଲା।ଅତୀତରେ ଦୁର୍ଘଟଣାର ଶିକାର ହୋଇଥିବା ସେହି ପିଲାଦୁଇଟିଙ୍କ ନାମ ଜାଣିବାପାଇଁ ଆମେ କେବେ ଚେଷ୍ଟା କରିନଥିଲୁ।ଆବଶ୍ୟକ ବି ନଥିଲା।

ବାସ୍ତବରେ ଏହା ଥିଲା ତତ୍କାଳୀନ ସମାଜରେ କାକତାଳୀୟ ବିଶ୍ଵାସର ପରିଣାମ।ଏହାକୁ ମଧ୍ୟ ଅନ୍ଧବିଶ୍ବାସ କୁହାଯାଇପାରେ। କିନ୍ତୁ ସେ ଅନ୍ଧବିଶ୍ବାସର ବଳୟକୁ ଅତିକ୍ରମ କରିବା ସାହସ ଆମଭିତରେ କାହାର ନଥିଲା। ପିଲାଦିନେ ଗଣେଶ ଚଉଠି/ ସରସ୍ବତୀ ପୂଜା ଦିନ ମାନଙ୍କରେ ଆମେ ନୂଆ ଜାମା ନପିନ୍ଧିବା ଏବଂ ପଖାଳ ଖାଇବା ଯୋଗୁଁ ସାଙ୍ଗସାଥୀ ମାନଙ୍କର ଥଟ୍ଟା ପରିହାସର ଶିକାର ହେଉଥିଲୁ ସିନା, କିନ୍ତୁ ସେ କାକତାଳୀୟ ସଂସ୍କାରକୁ ଅତିକ୍ରମ କରିପାରୁନଥିଲୁ।

କ୍ରମଶଃ…

Click to rate this post!
[Total: 0 Average: 0]

Leave a Reply