Wednesday, February 21, 2024
Stories

ମୋ ଗାଁ ମୋ ଘର (୧୩)

ମୋ ଗାଁ ମୋ ଘର
୧୩
================================
ନନାଙ୍କ ଢୁମ୍ପା ସଙ୍ଗୀତ
================================
ଦେବଲୋକର ଗନ୍ଧର୍ବମାନେ ବିଭିନ୍ନ କଳାରେ ପାରଙ୍ଗମ।ମର୍ତ୍ତ୍ୟ ଭ୍ରମଣ ସମୟରେ ସେମାନଙ୍କ ମଧ୍ୟରୁ କୌଣସି ଏକ ଗନ୍ଧର୍ବ ଦମ୍ପତି ବୋଧହୁଏ ବାଟ ବଣା ହୋଇ ଖଣ୍ଡପଡ଼ା ଜଙ୍ଗଲରେ ରହି ଯାଇଥିଲେ।ହୋଇପାରେ ସେଥିପାଇଁ ମୋ ଗାଁ ଖଣ୍ଡପଡ଼ା କଳା କ୍ଷେତ୍ରରେ ଏତେ ଉତ୍କର୍ଷ।ଢୁମ୍ପାସଙ୍ଗୀତ,ପାଲା,ଦାସକାଠିଆ,ଘୁଡୁକି ନାଚ,ଗୋଟିପୁଅ ,ଓଡ଼ିଶୀ ,ଦଣ୍ଡ,କେଳା କେଳୁଣୀ ,ବାଉଁଶ ରାଣୀ,ରଣପା ଇତ୍ୟାଦି ନାଚ, ଏବଂ ରାମଲୀଳା ଓ କୃଷ୍ଣଲୀଳା ଭଳି ଅନେକ ଲୋକକଳା ପ୍ରଦର୍ଶନରେ ଖଣ୍ଡପଡ଼ା ବହୁତ ଉପରେ ଥିଲା। ପୂଜା ପାର୍ବଣ ସମୟରେ ଏଇ ଛୋଟ ଗଡଜାତର ଗଳିକନ୍ଦିରେ ପରିବେଷିତ ନାଚ ଗୀତର ଧୁମଧାମରେ ଦାଣ୍ଡ ଉଠୁଥିଲା ପଡୁଥିଲା।ଆକାଶ କମ୍ପିଯାଉଥିଲା।

ସେ ସମୟରେ ଆଜିକାଲି ଭଳି ସିନେମା, ଟିଭି, ଇଣ୍ଟରନେଟ ୟୁ ଟ୍ୟୁବ ଇତ୍ୟାଦିର ସୁବିଧା ନଥିଲା। ଏହି ଲୋକକଳା ଗୁଡ଼ିକ ଜନସାଧାରଣଙ୍କର ମନୋରଞ୍ଜନର ମୁଖ୍ୟ ମାଧ୍ୟମ ଥିଲା। ଏହି ଲୋକକଳା ମଧ୍ୟରେ, ଦେଶବିଦେଶରେ ଖଣ୍ଡପଡ଼ାର ନାଁ ଉଜ୍ଜଳ କରିଥିବା ଢୁମ୍ଫା ସଙ୍ଗୀତ ପ୍ରମୁଖ ଥିଲା।

ନନା (ବାପା)ଜଣେ ପୋଖତ ଢୁମ୍ପା କଳାକାର ଥିଲେ।ଗାଉଣା ବାଜଣା ସହିତ ଢୁମ୍ପାଯନ୍ତ୍ର ଉପରେ ତାଳଦେଇ କାଠି ବାଡେଇବା ବ୍ୟତୀତ,ପେଟଟି ବଡ଼ ହୋଇଥିବାରୁ, ଢୁମ୍ପୁଥିଲେ ମଧ୍ୟ।ଢୁମ୍ପା ସଙ୍ଗୀତ ଏବଂ ତନ୍ମଧ୍ୟରେ “ଢୁମ୍ପିବା” କାମଟି କଣ, ଆସନ୍ତୁ ସବିଶେଷ ଜାଣିବା।

‘ଢୁମ୍ପା ସଂଗୀତ’ ଓଡିଶାର ଗଡଜାତର ଏକ ବିଶିଷ୍ଟ ଲୋକ-କଳା।କିନ୍ତୁ ଢୁମ୍ପା ସଂଗୀତ ବିଷୟରେ ଖୁବ୍ କମ ଲୋକ ଜାଣନ୍ତି ।ଏହା ମୁଖ୍ୟତଃ ଏକ ଆଦିବାସୀ ଲୋକକଳା। ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ଓ ବଡ଼ ଖେମୁଣ୍ଡି ଅଞ୍ଚଳର ଆଦିବାସୀମାନେ ସାମୁହିକ ସଙ୍ଗୀତ ପରିବେଷଣ ସମୟରେ ୬/୭ଫୁଟ ଲମ୍ବାର ଗୋଟିଏ ପୋଲା ବାଉଁଶ ଉପରେ କାଠି ମାଡକରି ଶବ୍ଦ ସୃଷ୍ଟି କରି, ତାର ତାଳେତାଳେ ସଙ୍ଗୀତ ପରିବେଷଣ କରନ୍ତି।ପୋଲା ବାଉଁଶଟି ନାନାପ୍ରକାର ରଙ୍ଗିନ କନା ଓ ଜରିରେ ଆଚ୍ଛାଦିତ ହୋଇ ସୁନ୍ଦର ଦେଖାଯାଏ। କାଳକ୍ରମେ ଏହି ଲୋକକଳାର ଉନ୍ନତିକରଣ ହେଲା ଏବଂ କିଛି ଗଡଜାତର ଦରବାରରେ ଏହା ରାଜକୀୟ ପୃଷ୍ଠପୋଷକତା ଲାଭକରି ପରିବେଷିତ ହେଲା।

ଆଦିବାସୀ ଲୋକକଳାରୁ ଦୁଇପାହାଚ ଉପରକୁ ଉଠି ଉନ୍ନତ ହୋଇଥିବା ଏହି ଢୁମ୍ପା ସଂଗୀତର ଇତିହାସ ଜାଣିବାକୁ ହେଲେ ଆମକୁ ଅଷ୍ଟାଦଶ ଶତାବ୍ଦୀକୁ ଯିବାପାଇଁ ପଡିବ।ଗଞ୍ଜାମର ବଡଖେମୁଣ୍ଡିରେ ୧୭୮୯ ମସିହାରେ ଜନ୍ମଗ୍ରହଣ କରିଥିଲେ ବାଣୀ ବରପୁତ୍ର କବିସୂର୍ଯ୍ଯ ବଳଦେବ ରଥ।୧୮୪୫ ମସିହାରେ ମାତ୍ର ୫୬ବର୍ଷ ବୟସରେ ବସନ୍ତ ରୋଗରେ ପୀଡିତ ହୋଇ ତାଙ୍କର ଦେହାନ୍ତ ହୋଇଥିଲା। ସ୍ଵଳ୍ପ ଜୀବନକାଳ ଭିତରେ ସେ ଯେଉଁ ସାହିତ୍ୟକୃତି କରିଯାଇଛନ୍ତି ତାର ପଟାନ୍ତର ନାହିଁ ।କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ,ରତ୍ନାକର ଚମ୍ପୂ,ଚନ୍ଦ୍ରକଳା ଏବଂ ସର୍ପଜଣାଣ ଆଦି ତାଙ୍କ କୃତିମାନଙ୍କ ମଧ୍ୟରେ ଅନ୍ୟତମ।
ତାଙ୍କଦ୍ୱାରା ରଚିତ ସଂଗୀତ ଗାଇବାପାଇଁ ଢୁମ୍ପା ସଙ୍ଗୀତ ଆସର ଗଢି ଉଠିଥିଲା। ସେହି ଆସରରେ ଯେଉଁ ମୂଖ୍ୟ ବାଦ୍ୟଯନ୍ତ୍ରଟି ବ୍ୟବହୃତ ହେଉଥିଲା ତାକୁ ଢୁମ୍ପା କୁହାଯାଉଥିଲା।ଏହା ‘ରାଜମଇ’ କିମ୍ବା ‘ଭେଣ୍ଡିଆ ମର୍ଦ୍ଦନ’ ଗଛର ପଳଖ ବା ଖୋଳରୁ ପ୍ରସ୍ତୁତ ହେଉଥିଲା।’ଢୁମ୍ପା’ ସଂଗ୍ରହ ମୂଖ୍ୟତଃ ବର୍ଷାଦିନେ ଜଙ୍ଗଲରୁ ହୋଇଥାଏ।ସଳଖରେ ବଢିଥିବା ଏବଂ ମଝିରେ ଗଣ୍ଠି ନଥିବା ‘ଭେଣ୍ଡିଆମର୍ଦ୍ଦନ’ ଗଛ କିମ୍ବା ‘ରାଜମଇ’ ଗଛକୁ କାଟି, ତାର ମୋଟା ଖୋଳପାକୁ ଗଣ୍ଡିରୁ ଅଲଗାକରି, ପ୍ରାୟ ସାତ/ ଆଠ ଫୁଟ ଲମ୍ବର ବାଦ୍ୟଯନ୍ତ୍ରଟି ପ୍ରସ୍ତୁତ କରାଯାଏ।ଖୋଳଟି ଶୁଖିଗଲାପରେ ତା’ଉପରେ କାଠିରେ ,ତାଳ ଅନୁସାରେ ମାଡଦେଲେ ସୁନ୍ଦର ଶବ୍ଦର ସୃଷ୍ଟି ହୁଏ।ଢୁମ୍ପା ନାମକ ଏହି ବାଦ୍ୟଯନ୍ତ୍ରର ଦୁଇପଟକୁ ରସିରେ ବାନ୍ଧି ଝୁଲେଇ ଦିଆହୁଏ।ଜଣେ ପୃଥୁଳ ପେଟଧାରୀ ବ୍ୟକ୍ତି ନିଜ ପେଟଉପରେ, ଢୁମ୍ପାର ଗୋଟିଏ ପାଖ ଟାଣି, ମୃଦୁ ମୃଦୁ ମାଡ କରନ୍ତି ଓ ଅପସାରିତ କରନ୍ତି।ଏହି ପ୍ରକ୍ରିୟାକୁ “ଢୁମ୍ପିବା”କୁହାଯାଏ ଏବଂ ସେଥିପାଇଁ ଏହି ସଙ୍ଗୀତକୁ ଢୁମ୍ପା ସଂଗୀତ କୁହାଯାଏ ।

ନନାଙ୍କ ସମୟରେ ହେଉଥିବା ଢୁମ୍ଫା ଆସରରେ ନନା ଅନେକ ସମୟରେ “ଢୁମ୍ପିବା” କାମ କରନ୍ତି,କାରଣ ଉତ୍ତମ ଖାଦ୍ୟ ଖାଇ ତାଙ୍କ ପେଟଟି ପୃଥୁଳ ହୋଇଥିଲା।ଅନ୍ୟ ଢୁମ୍ପାଳୀ ମାନଙ୍କ ଭିତରେ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ଏବଂ ରାଧାମୋହନ ପଟ୍ଟନାୟକ ପ୍ରମୁଖ ଥିଲେ। ଆଜିକାଲି ଖଣ୍ଡପଡାରେ ପରିବେଷିତ ହେଉଥିବା ଢୁମ୍ପାସଙ୍ଗୀତ ଆସର ପାଇଁ ବଡ଼ ପେଟ ଥିବା ଢୁମ୍ପାଳୀଟିଏ ପାଇବା ମୁସ୍କିଲ; ମଧୁମେହ ଡରରେ ସମସ୍ତେ ପତଳା ହେବା ପ୍ରୟାସରେ ରହିଲେ,”ବଡପେଟା କଳାକାର”ମିଳିବେ କୁଆଡୁ ? ଦେଖିଲେ ତ,ମଧୁମେହ ରୋଗ ଢୁମ୍ପାର ମଧ୍ୟ ଶତ୍ରୁ।

ଜଣକେ ଦୁଇଖଣ୍ଡ ବାଉଁଶକାଠି ଧରି ଦୁଇଜଣ କଳାକାର ଦୁଇପଟେ “ତାରିଖିଟା ତାକଝିଣା” ତାଳରେ ଢୁମ୍ପା ଉପରେ କାଠି ମାଡ଼ କରନ୍ତି।ତା’ସଙ୍ଗେ ସଙ୍ଗେ ହାରମୋନିୟମ, ଡୁବି ତାବଲା,ପଖାଉଜ ଇତ୍ୟାଦି ଯନ୍ତ୍ର ମଧ୍ୟ ବ୍ୟବହାର କରାଯାଏ।ଢୁମ୍ପା ସଂଗୀତ ବୋଲାହୁଏ ଏବଂ ଆସର ଜମି ଉଠେ।ଗୋଟିଏ ଢୁମ୍ପାଯନ୍ତ୍ର(ରାଜମଇ କିମ୍ବା ଭେଣ୍ଡିଆ ମର୍ଦ୍ଦନ ପଳଖ) ଗୋଟିଏ ବା ଦୁଇଟି ଆସରରେ ଫାଟିଯାଇ ନଷ୍ଟ ହୋଇଯାଏ।

ଏହି ଢୁମ୍ପା ସଂଗୀତ ରାଜୁଡା ସମୟରେ ଖଣ୍ଡପଡା,ନୟାଗଡ଼,
ଦଶପଲ୍ଲା,ରଣପୁର,ପାରଳାଖେମୁଣ୍ଡି, ବଡମ୍ବା ଇତ୍ୟାଦି ଗଡଜାତ ମାନଙ୍କରେ ରାଜକୀୟ ପୃଷ୍ଠପୋଷକତାରେ ପ୍ରସିଦ୍ଧ ଲୋକଗୀତର ସମ୍ମାନ ଲାଭ କରିଥିଲା।ଏବେ ତାହା ଲୁପ୍ତପ୍ରାୟ।ତଥାପି ଏହି ଲୋକକଳାକୁ ବଞ୍ଚାଇ ରଖିବାପାଇଁ ଖଣ୍ଡପଡାର କିଛି କଳାକାର ପ୍ରୟାସ ଜାରି ରଖିଛନ୍ତି ।ଦୁର୍ଗାପୂଜା ସମୟରେ ଏବଂ ସାମନ୍ତ ଜୟନ୍ତୀ ସମୟରେ ଏହି କଳାକାରମାନେ ଢୁମ୍ପା ସଂଗୀତ ପରିବେଷଣକରି ଉପସ୍ଥିତ କଳାପ୍ରେମୀ ମାନଙ୍କର ମନୋରଂଜନ କରନ୍ତି।

ସାମନ୍ତ ଚନ୍ଦ୍ରଶେଖରଙ୍କ ମଧ୍ୟମ ପୁତ୍ର ଗଦାଧର ସିଂହ ସାମନ୍ତଙ୍କ ରଚିତ ଢୁମ୍ପାସଂଗୀତ ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ପୁରାତନ ସଂଗୀତର ପରିବେଷଣ ଏହି ଆସର ମାନଙ୍କରେ ହୁଏ।
ଢୁମ୍ପା ସଂଗୀତ ଆସର ବିଶେଷତଃ ବର୍ଷା କାଳରେ ଜମିଉଠେ। ଢୁମ୍ପା ସହିତ ଅନ୍ୟାନ୍ୟ ବାଦ୍ୟ ଯନ୍ତ୍ରର ତାଳେ ତାଳେ ଢୁମ୍ପା ଗାୟକ, ଗଦାଧର ସିଂହ ସାମନ୍ତଙ୍କ ରଚିତ ସଂଗୀତ ଗାନ କରନ୍ତି। :-
ଢୁମ୍ପା ସଙ୍ଗୀତରେ ବାଳୀ,
ଝୁମ୍ପା ଝାଙ୍କେ ଚିଲ୍ଲିଚାଳି,
ହର୍ମ୍ୟ ସରୋବରେ,ରେ ରାମା,
ହର୍ମ୍ୟ ସରୋବରେ ରମ୍ୟ କେଳି କରେ
ଏ କି ସୁବର୍ଣ୍ଣ ମରାଳୀ…..
କିମ୍ବା
” ତୁ ବୋଲ ସଖୀ,ଝେଣାଖିଟା ତାରେ,
ସୁନ୍ଦର କୁଚ କୁମ୍ଭ ଯୁଗଳ ମଣ୍ଡି କୁସୁମ ହାରେ।”
କିମ୍ବା
“ରାଜୀବାନନୀ ଆଜ ଆସିବଟି ହେ,ରାଜୀବାନନୀ,
ଆସିବ ନାହିଁ ସେ ମହା ମହିଧର ଅଗାଧ ସିନ୍ଧୁରେ ଭାସିବଟି ହେ,
ରାଜୀବାନନୀ।”
ଅଥବା
ଶୋଭା ଦିଶେ କିରେ ଖଣ୍ଡାରେ ନଥିଲେ ପାଳି,
ଭଣ୍ଡାରେ ନଥିଲେ ସଲକ୍ଷଣ ହୀରା ଥଣ୍ଡାରେ ନଥିଲେ ଗାଳି,
ଶୋଭା ଦିଶେ କିରେ—–
କିମ୍ବା
ଶ୍ୟାମ ଫେରିଯାଇ ହେ,କାମନାଟି ପୂରିଲାଣି,
ବାମ ନୟନାର ସୌଭାଗ୍ୟ ସୁନ୍ଦର ବୀଜଟି ଗଜୁରିଲାଣି,
ଶ୍ୟାମ ଫେରିଯାଇ ହେ—-”
କିମ୍ବା
ଝୁଲି ଝୁଲି କିଏ ଆସୁଥାଏ ରେ ,ମୋର ଝୁମୁରୁ ଝୁମୁରୁ ପାୟେ,
କାଇଁଚ ମାଳିଆ କାଳିଆ ସୁନା ହେ’ଟି ମୁଁ ମରିଯାଏ,ଝୁଲି ଝୁଲି—-
ବା
ସରିହେବି କିରେ ତୋତେ ଜୀବଧନ !
ଭୂପାଳ ଜେମା ତୁ ମୁହିଁ ଗୋପାଳ ନନ୍ଦନ,
ତୋ ତନୁ ହେମମଂଜୁଳା,ମୋ ଅଙ୍ଗ ଅଙ୍ଗାର କଳା,
ତୁ ରତ୍ନ ଲଲାମା ମୁହିଁ ଶିଖଣ୍ଡ ମଣ୍ଡନ,ସରି ହେବିକିରେ—-
କିମ୍ବା
ସଖୀ ! ଆଜ ମୁଁ ଲାଜେ ମଲି,
ମନା କରୁଥିଲୁ କିପାଁ ଯମୁନାକୁ ଗଲି ଗୋ,
ଉଠି ଆସୁ ଆସୁ ସରୁ,ବସନ ପିନ୍ଧି ଜଳରୁ,
ଲତା ଉଢାଳେ ଦିଶିଲା ଗୋରଚନା କଲି ଗୋ,
ଆଜ ମୁଁ ଲାଜେ ମଲି।
ଅଥବା
ଧରା ମଣ୍ଡିଲାରେ,ଯତୀବୃନ୍ଦ ସୁମତି ହରା,
ବିପିନ ବିହାର ସମୟକୁ ପଡିଥିଲା ଡାହାଣିଆ ଖରା।

ଉପରୋକ୍ତ ପଦ ଗୁଡିକ ବାଣୀବରପୁତ୍ର,ପ୍ରେମିକ କବି ଗଦାଧର ସିଂହଙ୍କର ରସସିକ୍ତ ସଂଗୀତ ରଚନାର ପରିଚୟ ଦିଏ।ଗଦାଧର, ବିଶେଷତଃ,ରାଧା-କୃଷ୍ଣ ପ୍ରେମରସାତ୍ମକ ସଂଗୀତ ରଚନାରେ ପ୍ରବୀଣ ଥିଲେ।୧୯୬୪ ମସିହାରେ ତାଙ୍କର ଦେହାନ୍ତ ପରେ ଆଉ ସେଭଳି ଢୁମ୍ପା ସଂଗୀତ କେହି ରଚନା କରିନାହାନ୍ତି।

ନନାଙ୍କ ବ୍ୟତୀତ ଖଣ୍ଡପଡାର ଯେଉଁ କେତେଜଣ ପ୍ରସିଦ୍ଧ ଢୁମ୍ପା ସଂଗୀତଜ୍ଞଙ୍କ ସଂସ୍ପର୍ଶରେ ମୁଁ ଆସିଥିଲି, ସେମାନେ ହେଲେ ଦିବଙ୍ଗତ ସୁରେଶ ମହାପାତ୍ର, ସ୍ୱର୍ଗତ ନରସିଂହ ସାମନ୍ତ,ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ, ସ୍ୱର୍ଗତ ଗଙ୍ଗାଧର ଦାଶ, ସ୍ବର୍ଗତ ଭିକାରୀ ମହମ୍ମଦ, ଶ୍ରୀଯୁକ୍ତ ଲିଙ୍ଗରାଜ ରଥ ଇତ୍ୟାଦି।ସେମାନଙ୍କର ଦଳଗତ ପରିବେଷଣ ଅନନ୍ୟ ଥିଲା।ଗାଉଣା, ବାଜଣା, ତାଳ, ଲୟ ଇତ୍ୟାଦିରେ ସେମାନଙ୍କର ସମକକ୍ଷ କିଏ ହେବ ? ଖଣ୍ଡପଡାର ତତ୍କାଳୀନ ରାଜା ସାହେବ ସ୍ବର୍ଗତ ହରିହର ସିଂହ ମର୍ଦ୍ଦରାଜ ମଧ୍ୟ ଜଣେ ଢୁମ୍ପାପ୍ରେମୀ ଏବଂ ସେହି କଳାର ପୃଷ୍ଠପୋଷକ ଥିଲେ।

ଗଡଜାତର ଏହି ଲୁପ୍ତପ୍ରାୟ ଲୋକ-କଳାକୁ ଜୀବିତ ରଖିବା ପାଇଁ ଖଣ୍ଡପଡ଼ାର କିଛି ଯୁବକଳାକାର “ଗଦାଧର ଢୁମ୍ଫା ପରିଷଦ”ନାମକ ଏକ ଅନୁଷ୍ଠାନ ଗଠନ କରି ଏହି କଳାର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ପଦକ୍ଷେପ ନେଉଛନ୍ତି। ଏହି ଦୁର୍ଲ୍ଲଭ ଲୋକ କଳାକୁ ବଞ୍ଚାଇ ରଖିବାପାଇଁ ମା’ ସରସ୍ବତୀ ସେମାନଙ୍କୁ ଆଶୀର୍ବାଦ କରନ୍ତୁ।

(କୁଳମଣି ଷଡଙ୍ଗୀ)

କ୍ରମଶଃ….

Click to rate this post!
[Total: 0 Average: 0]

Leave a Reply